• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହୁଡ଼ାଯାତ୍ରାରେ ତ୍ରିପୁରାର ଉନ୍ନାକୋଟିରେ ବଡ଼ ଅଘଟଣ । ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ରଥ । ଫଳରେ ଏଥିରେ ୬ ଶ୍ରଦ୍ଧାଳୁ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଦୁଃଖଦ ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ ।

ଆଜି ଅପରାହ୍ନ ୪.୩୦ ସମୟରେ ଏହି ଅଘଟଣ ଘଟିଛି । ଭାଇଭଉଣୀଙ୍କୁ ଧରି କାଳିଆ ଠାକୁର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ବହୁ ସଂଖ୍ୟାରେ ଲୋକ ରଥ ଟାଣୁଥିଲେ । ବିଶ୍ୱନୟନ୍ତାଙ୍କୁ ଟିକିଏ ଆଖି ପୂରେଇ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା । ହେଲେ ଦୁଃଖର ବିଷୟ ହଠାତ୍ ରଥ ସଂସ୍ପର୍ଶରେ ଆସିଥିଲା ୧୩୩ କେଭି ଓଭରହେଡ୍ କେବୁଲ ତାର । ଆଉ ତା’ପରେ ରଥରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଉ ଏଥିରେ ୬ ଜଣଙ୍କର ଜୀବନ ଚାଲିଯାଇଥିଲା । 

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି, "କୁମାରଘାଟରେ ବାହୁଡ଼ା ଯାତ୍ରା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛଅ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ମୁଁ ଗଭୀର ମର୍ମାହତ । ଏହାସହ ଶୋକସନ୍ତପ୍ତ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଆହତଙ୍କୁ ଆରୋଗ୍ୟ କାମନା କରିଛନ୍ତି ।

ସେହିପରି ଓଡ଼ିଶାରେ ଆଜି ବାହୁଡ଼ାଯାତ୍ରାରେ ବି ଅଘଟଣ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ରଥଟଣା ସମୟରେ ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ କୋଲାବ ନଗରରେ ରଥଟଣା ବେଳେ ଜଣେ ଭକ୍ତ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଝୁମ୍ପୁରାର ଯୁଗଳ କିଶୋର ବାରିକ (୪୫), ବରୁଣ ଗିରି (୫୦) ଓ କୋଲାବନଗରର ବାବୁଲା ନାୟକ।