• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଟାଲୀର ଭେନିସରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର (ଅକ୍ଟୋବର ୩) ଇଟାଲୀର ଭେନିସର ଏକ ବ୍ରିଜରୁ ମିଥେନ ଗ୍ୟାସରେ ଚାଲୁଥିବା ଏକ ବସ୍ ଖସି ପଡିଥିଲା ।  ବସ୍‌ଟି ପୋଲ ତଳକୁ ଖସି ପଡ଼ିବାରୁ ଏଥିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସମସ୍ତ ଯାତ୍ରୀ ବିଦେଶୀ ପର୍ଯ୍ୟଟକ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି । ଏହାସହ ଦୁର୍ଘଟଣାରେ ଗୁରୁତର ହୋଇଥିବା ୨୦ ଜଣଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଟି ମେୟର ଲୁଇସି ବ୍ରୁଗନାରୋ ଫେସବୁକରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଯାତ୍ରୀବାହୀ ବସ୍‌ଟି କ୍ୟାମ୍ପିଂ ପଡିଆ ଆଡକୁ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏକ ଓଭରବ୍ରିଜ ନିକଟରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସଟି ତଳକୁ ଖସି ପଡ଼ିବାରୁ ଏଥିରେ ହଠାତ ନିଆଁ ଲାଗି ଯାଇଥିଲା । ବସ୍‌ ଟି ମିଷ୍ଟ୍ରେ ଜିଲ୍ଲାର ରେଳ ଲାଇନ ନିକଟରେ ଖସି ପଡ଼ିଥିଲା । ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁର୍ଘଟଣା ପୂର୍ବରୁ ୪୦ ବର୍ଷ ବୟସ୍କ ବସ୍ ଡ୍ରାଇଭର ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ।

ଭେନିସ୍ ଅଞ୍ଚଳର ରାଜ୍ୟପାଳ ଲୁକା ଜାୟା କହିଛନ୍ତି, ମୃତ୍ୟୁ ସଂଖ୍ୟା ୨୧ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତଦେହ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।  ପୀଡିତ ଏବଂ ଆହତଙ୍କ ମଧ୍ୟରେ କେବଳ ଇଟାଲୀର ଲୋକ ନୁହଁନ୍ତି, ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଅଛନ୍ତି । 

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୫ଜଣ ୟୁକ୍ରେନ୍‌ ଓ ଜଣେ ଜର୍ମାନୀ ନାଗରିକ ଥିବା ଜଣାପଡ଼ିଛି । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଦେଶର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଗୁରୁତରଙ୍କ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।