• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି ।  ଜଣଙ୍କ ମୃତଦେହ ଦୁଇଖଣ୍ଡ ହୋଇଯାଇଥିବାରୁ ଦ୍ୱନ୍ଦ୍ୱ ଥିଲା । ତେଣୁ ଦୁଇ ଖଣ୍ଡ ମୃତଦେହକୁ ଦୁଇ ଜଣ ହିସାବ କରିବାରୁ ୧୪ କୁହାଯାଉଥିଲା । 

ତେବେ ୧୪ ନୁହେଁ, ମୃତ୍ୟୁ ସଂଖ୍ୟା ୧୩ ବୋଲି ସ୍ପଷ୍ଟ କରିଛି ରେଲ୍‌ୱେ । ୧୩ ମୃତକଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି । ପରିଚୟ ମିଳିଥିବା ୧୨ ଜଣଙ୍କ ମଧ୍ୟରେ କେହି ଓଡ଼ିଶାର ନୁହଁନ୍ତି । ଆହତଙ୍କ ମଧ୍ୟରୁ ଏବେ ୨୯ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି । 

ଏବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍‌ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍‌ୱେ । ସିଗ୍ନାଲ୍‌ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । 

ଇଷ୍ଟ କୋଷ୍ଟ ରେଲ୍‌ୱେର ସିପିଆରଓଙ୍କ ସୂଚନା ଅନୁସାରେ, ସିଗ୍ନାଲ୍‌ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ । ଅର୍ଥାତ୍ ରେଡ୍ ସିଗ୍ନାଲ୍‌ ଥାଇ ବି ଯଦି ଟ୍ରେନ୍‌ଟି ଆଗକୁ ମାଡ଼ିଯାଏ, ତା’ହେଲେ ତାକୁ ସିଗ୍ନାଲ୍‌ ଓଭରସୁଟିଂ କୁହାଯାଏ । ତେଣୁ ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ହୋଇଥିବା ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି ।

ସିଗ୍ନାଲ୍‌ ଓଭରସୁଟିଂ କ’ଣ ? 

ସିଗ୍ନାଲ ଓଭରସୁଟିଂ ଅର୍ଥ ‘Signal Passing At Danger-(SPAD)’  ଅର୍ଥାତ୍‌ ଯେତେବେଳେ ଡ୍ରାଇଭର ରେଡ୍‌ ସିଗ୍ନାଲ୍‌ ଥାଇ ଏହାକୁ ଅଣଦେଖା କରେ । ରେଲ୍‌ୱେରେ ସିଗ୍ନାଲ ଅନେକ ଗୁରୁତ୍ୱ ବହନ କରେ । ପ୍ରତ୍ୟେକ ସିଗ୍ନାଲ ଏକ ଇଣ୍ଡିକେଟର ଯାହାକି ପରବର୍ତ୍ତୀ ସିଗ୍ନାଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ । ଯଦି ବର୍ତ୍ତମାନ ରେଡ୍‌ କିମ୍ବା ବିପଦପୂର୍ଣ୍ଣ(Danger) ସିଗ୍ନାଲ ଅଛି, ତା’ହେଲେ ପରବର୍ତ୍ତୀ ସିଗ୍ନାଲ ଗ୍ରୀନ୍‌ ହୋଇପାରିବ ନାହିଁ । ସେହିପରି ଯଦି ବର୍ତ୍ତମାନ ସିଗ୍ନାଲ ୟେଲୋ - ସତର୍କତା(Caution) ଅଛି, ତା’ହେଲେ ପରବର୍ତ୍ତୀ ସିଗ୍ନାଲ ଗ୍ରୀନ୍‌ ହୋଇପାରିବ ନାହିଁ । 

କାହିଁକି ସିଗ୍ନାଲ ଓଭରସୁଟିଂ ଘଟିଥାଏ ? 

ରେଡ୍‌ ସିଗ୍ନାଲ ଥାଇ ବି ଯଦି ଟ୍ରେନ୍‌ ଆଗକୁ ମାଡ଼ିଯାଏ , ତା’ହେଲେ ଏହାକୁ ମନୁଷ୍ୟକୃତ କୁହାଯାଇପାରେ । ମେକାନିକାଲ୍‌ ତ୍ରୁଟି କିମ୍ବା ଟ୍ରେନ୍‌ର ଯନ୍ତ୍ରାଂଶ ଫେଲ୍‌ ଯୋଗୁ ମଧ୍ୟ ଏହା ଘଟିଥାଏ । 

ସୂଚନାଥାଉ କି,  ଆଲମଣ୍ଡା ଷ୍ଟେସନ ନିକଟରେ 08532 ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବା ବେଳେ 08504 ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ପଛରୁ ଧକ୍କା ଦେଇଥିଲା । ଏଥିଯୋଗୁ ୫ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପରେ ଏଥିରେ ଏସ୍‌ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ  ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।