• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରେଳଲାଇନ୍‌ ନୁହେଁ ଯମଦ୍ୱାରକୁ ରାସ୍ତା । ବର୍ଷ ଆରମ୍ଭରୁ ଦୁର୍ଘଟଣା ଘଟିବା ଆରମ୍ଭ କରିଛି ଯେ ସରିବାର ନା ଧରୁନି । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ଟି ଦୁର୍ଘଟଣା ଘଟିଲାଣି । ହେଲେ ଦୁର୍ଘଟଣା କାହିଁକି ଘଟୁଛି ? ଏଥିଲାଗି ଦାୟୀ କିଏ ? ସେନେଇ କିଛି ତଥ୍ୟ ମିଳିପାରୁନି । ତେବେ ଏବେ ଯଦି ଦୁର୍ଘଟଣାର କାରଣ ଖୋଜି ନପାଇବ ବିଭାଗ ତେବେ ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା କଲେଣି ସ୍ଥାନୀୟ ଲୋକ ।

ଭାରତୀୟ ରେଳ ବିଭାଗ ଅଧୀନ ୱାଲଟିୟର ଡିଭିଜନ ଅନ୍ତର୍ଗତ କୋଥାଭାଲସା - କିରଣ୍ଡୁଲ ରେଳ ଲାଇନ୍ କେକେରେ ଦିନକୁଦିନ ବଢିବାରେ ଲାଗିଛି ଦୁର୍ଘଟଣା । ୭ ମାସରେ ୭ଟି ବଡ଼ ଦୁର୍ଘଟଣା ଘଟିଲାଣି । ଇଏ ଏମିତି ଏକ ଲାଇନ୍‌ ଯେଉଁଠାରେ ବାରମ୍ବାର ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌ ହେଉଥିବାରୁ ଧନଜୀବନ ହାନୀ ହେଉନି, ହେଲେ ଯଦି ଯାତ୍ରୀବାହୀ ଗାଡ଼ି ଲାଇନ୍‌ଚ୍ୟୁତ ହେବ, ତେବେ ବଡ଼ ସମସ୍ୟା ଉପୁଜିପାରେ ।

ସମସ୍ୟା ଏତିକିରେ ସରିନି ବରଂ ଏହି ଧାରଣାରେ ବାରମ୍ବାର ପଥର ଧସୁଥିବାରୁ ଛାନିଆ ହେଉଛନ୍ତି ଲୋକେ । ସୂଚନା ଅନୁସାରେ, ଗତ ୩ ଜାନୁୟାରୀରେ କୋରାପୁଟଠାରେ ରେଳ ଲାଇନରେ ସମସ୍ୟା ଦେଖାଯିବାରୁ ବହୁ ଟ୍ରେନ ଅଟକି ରହିଥିଲା । ଏହା ପରେ ୨ ଫେବୃଆରୀରେ ଶିବଲିଙ୍ଗପୁରମଠାରେ ମାଲ ଗାଡ଼ିର ୧୧ ଟି ଗାଡ଼ି ଲାଇନଚ୍ୟୁତ ହେଲା, ୧୬ ଫେବୃଆରୀରେ ସୁକୁଠାରେ ମାଲଗାଡିର ୮ ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହାପରେ ପୁଣି ଥରେ ୧୮ ଜୁନରେ ବଡୋଭରାରେ ଦୁର୍ଘଟଣା ହୋଇଥିଲା । ପରେ ପୁଣି ଥରେ ଜୁଲାଇ ୧୧ରେ ବୋରାଗୁହାଲୁଠାରେ ପଥର ଧସିଥିଲା । ତେଣୁ ଏହି ରାସ୍ତାରେ ୨ ଦିନ ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍‌ ବାତିଲ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାରମ୍ବାର ଏହି ଲାଇନ୍‌ରେ ଦୁର୍ଘଟଣା ଘଟିଚାଲିଛି । ଅବଶ୍ୟ ଦୁର୍ଘଟଣା ହେବା ପରେ ରେଲୱେ ଅଧିକାରୀମାନେ ତତ୍ପରତା ଦେଖାନ୍ତି କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି । ସ୍ଥିତି ଏମିତି ହେଲାଣି ଯେ ଏହି ରୁଟ୍‌ରେ ଟ୍ରେନ୍‌ରେ ଯାତ୍ରା କରିବାକୁ ଡରିଲେଣି ଯାତ୍ରୀ । ସେପଟେ, କୋରାପୁଟ ଗସ୍ତରେ ଆସିଥିବା ୱାଲଟିୟର ଡ଼ିଭିଜନର ପୂର୍ବତନ ଡିଆରମ କହିଛନ୍ତି, କିରିଣ୍ଡୁଲ - ବିଶାଖାପାଟନମ ରେଳଲାଇନ୍‌ରେ ହେଉଥିବା ଦୁର୍ଘଟଣା ସେତେ ବଡ ନୁହେଁ । ହେଲେ ବି ଆଗାମୀ ଦିନରେ ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ହେବା ସହିତ କେମିତି ଦୁର୍ଘଟଣା ନଘଟିବ ସେନେଇ ବ୍ୟବସ୍ଥା କରାଯିବ ।

 

  • Reported by:
  • Surya Narayan Panda