• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂଜା ଚାଲିଥିବା ବେଳେ ବଡ଼ ଅଘଟଣ । ଚାଲିଗଲା ପୂଜାରୀଙ୍କ ଜୀବନ । ମଧ୍ୟପ୍ରଦେଶର ଇନ୍ଦୋର ପରେ ବର୍ତ୍ତମାନ ଚେନ୍ନାଇର ଏକ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମନ୍ଦିରର ପାଣି ଟାଙ୍କିରେ ବୁଡ଼ିଯିବାରୁ ପାଞ୍ଚ ଜଣ ପୂଜାରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ମୋବରାସମପେଟ୍‌ ସ୍ଥିତ ଧର୍ମଲିଙ୍ଗେଶ୍ୱର ମନ୍ଦିରରେ ଘଟିଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ । ୫ ଜଣଙ୍କର ମୃତଦେହ ଉଦ୍ଧାର କରିବା ପରେ ପୋଷ୍ଟମୋଟର୍ମ ପାଇଁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ଜୀବନ ହରାଇଥିବା ସମସ୍ତ ପୂଜାରୀଙ୍କ ବୟସ ୧୯-୨୫ ବର୍ଷ ବୟସ ଭିତରେ ବୋଲି ଜଣାପଡ଼ିଛି । ତୀର୍ଥାଭରୀ ଉତ୍ସବ (Theerthavari festival) ଚାଲିଥିବା ବେଳେ ରୀତିନୀତି ପାଇଁ ସମସ୍ତେ ମନ୍ଦିର ପ୍ରାଙ୍ଗଣରେ ଥିବା ପାଣି ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ ।ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପାଲୱନ୍ତଙ୍ଗଲ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାସହ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ମଧ୍ୟ ମନ୍ଦିରରେ ପହଞ୍ଚିଥିଲେ । ଆଉ ତା’ପରେ ପାଞ୍ଚ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ତେବେ ଏହି ଘଟଣା ପରେ ମନ୍ଦିର ପ୍ରାଙ୍ଗଣ କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁ ମଧ୍ୟ ଏପରି ଅପ୍ରତ୍ୟାଶିତ ଘଟଣା ପରେ ଭୟଭୀତ ହୋଇପଡ଼ିଛନ୍ତି ।