• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରି ସରି ଆସୁଛି ୨୦୨୩ । ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ତେବେ ବିଦାୟୀ ବର୍ଷ କେତେ ଯେ ଦୁଃଖ ଦେଇ ଯାଇଛି କଳନା କରିବା କାଠିକର ପାଠ । ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା .. ଯାହା କେହି କେବେ କଳ୍ପନା କରି ନଥିଲା । ଅନ୍ୟପଟେ ବାହାଘର ପାଲଟିଥିଲା ଶୋକ ଘର । ପାଲିଙ୍କି ବଦଳରେ କୋକେଇରେ ବୁହା ହେଲା ଶବ । ମୃତ୍ୟୁ ଶୂନ୍ୟ ସପ୍ତାହରେ ସଡ଼କ ଦୁର୍ଘଟଣା ନେଇଥିଲା ଦେଢ଼ ଶହ ଜୀବନ । ଏତିକିରେ ନିୟତିର ମନ ଶାନ୍ତ ହେଲାନି ଯେ, ପାଣିରେ ମଧ୍ୟ ବିଛାଇଥିଲା ମୃତ୍ୟୁର ଫାଶ । ସେପଟେ ଆକାଶରୁ ବଜ୍ରାଘାତ ରୂପେ ଖସିଥିଲା ମୃତ୍ୟୁ । ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ସେ ସବୁକୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ .. 'ଲୁହଦେଇ ଗଲା ୨୦୨୩'

ଲୌହ ଦାନବର ରକ୍ତ ଭୋଜି

ପିଲା ବେଳେ ପଢ଼ିଥିବା ଏ କାହାଣୀ ଦିନେ ସତ ହୋଇଯିବ ବୋଲି କିଏ ବା ଜାଣିଥିଲା । ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ଦେଖିଥିଲା ସାରା ବିଶ୍ୱ । ମନୁଷ୍ୟକୃତ ଏ ବିଭୀଷିକା ରାଜ୍ୟ ସମେତ ପୁରା ଦେଶକୁ ଥରାଇ ଦେଇଥିଲା । ୩୦୦ ଲୋକଙ୍କର ଜୀବନ ଦୀପ ଲିଭିଗଲା । ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହୋଇ ଯାଇଥିଲା । ରାତ୍ରିର ଅନ୍ଧକାରରେ ସେ ବିକଟାଳ ଚିତ୍କାର ସମସ୍ତଙ୍କର ଛାତିକୁ ଥରାଇ ଦେଇଥିଲା । ଜୁନ ୨ ର ସେ କାଳ ରାତ୍ରି ଲୋକଙ୍କ ମାନସ ପଟ୍ଟରୁ ଲିଭିବା କଷ୍ଟକର । ୩ ଟି ଟ୍ରେନ ମଧ୍ୟରେ ହୋଇଥିବା ସେ ଧକ୍କା, କେତେ ଯେ ପରିବାରର ଆଶା ଲିଭାଇ ଦେଇଥିଲା ତାହା କହିବା ମୁସ୍କିଲ । ଦିଆସିଲି ଖୋଳ ଭଳି ଖଣ୍ତ ବିଖଣ୍ତିତ ହୋଇ ଶବ ପଡ଼ି ରହିଥିଲା । କାହାର ଗୋଡ଼ କଟିଥିଲା ତ କାହାର ମୁଣ୍ତ । ସେଦିନ ରକ୍ତ ସ୍ନାନ କରିଥିଲା ବାହାନଗା ରେଳ ଷ୍ଟେସନ । ସତେ ଯେପରି ଶତାବ୍ଦୀ ଶତାବ୍ଦୀ ଧରି ସେ ଆତୁର ଥିଲା ।

ଲୁହ ସିକ୍ତ ବାହାଘର

ବିବାହ ପାଇଁ ଅଭିଶାପ ପାଲଟିଥିଲା ଚଳିତ ବର୍ଷ । ଲୁହରେ ଭିଜିଥିଲା ବିବାହ ବେଦୀ । ସମ୍ପର୍କୀୟମାନେ ପାଲିଙ୍କି ବଦଳରେ କୋକେଇ ଧରି ଶ୍ମଶାନ ଯାଇଥିଲେ । ଚଳିତ ବର୍ଷ ଦୁର୍ଘଟଣାରେ ଅନେକଙ୍କର ଜୀବନ ଯାଇଥିଲା । ବାହାନଗା ଟ୍ରାଜେଡ଼ିର ମାତ୍ର ତିନି ସପ୍ତାହ ପରେ ଗଞ୍ଜାମ ଦିଗପହଣ୍ତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବ୍ରହ୍ମପୁର ହାତୀବନ୍ଧ ସାହିର ସାନଖେମୁଣ୍ତି ଖଣ୍ତଦେଉଳି ଗାଁକୁ ଫେରୁଥିଲା ମିନିବସ । ସାମ୍ନାରୁ ବସକୁ ପିଟି ଦେଇଥିଲା OSRTC ବସ । ଅଚିରେ ଲିଭି ଯାଇଥିଲା ୧୧ ଜଣ ସଦସ୍ୟଙ୍କ ଜୀବନ । ଦୁର୍ଘଟଣାରେ ୧୫ ରୁ ଅଧିକ ଆହତ ହୋଇଥିଲେ । ସେହିପରି କେନ୍ଦୁଝର ଜୁଡ଼ିଆ ଘାଟିର ଷଠିଘରରେ ବରଯାତ୍ରୀମାନେ ନାଚରେ ମସଗୁଲ ଥିବା ବେଳେ ଯମ ରୂପରେ ମାଡ଼ି ଆସିଥିଲା ଟ୍ରକ । ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ହୋଇଥିଲେ ।

ବିଜୁଳି ନେଲା ୧୮୦ ପ୍ରାଣ

ବର୍ଷ ସାରା ଲାଗି ରହିଥିଲା କାଳବୈଶାଖୀ ଓ ବଜ୍ରପାତ । କେବଳ ବଜ୍ରପାତରେ ଗଲା ୧୮୦ ଜୀବନ । କେବଳ ସେପ୍ଟେମ୍ବର ୨ ରେ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ମଧ୍ୟରେ କେବଳ ୮ ଜଣ ଚାଷୀ ଥିଲେ । ବିଲ ମଧ୍ୟରେ ବଜ୍ରପାତ ହେବାରୁ ଟଳି ପଡ଼ିଥିଲେ ଚାଷୀ । ସେହିପରି ସେପ୍ଟେମ୍ବର ୧୭ରେ ସୁନ୍ଦରଗଡ଼ରେ ଚାଲିଥିଲା ଫୁଟବଲ ମ୍ୟାଚ । ବଜ୍ରାଘାତ ଘଟିଲା, ମ୍ୟାଚ ଦେଖିବାକୁ ଆସିଥିବା ୩ ଜଣ ଦର୍ଶକ ଟଳି ପଡ଼ିଲେ । କିଏ ଜାଣିଥିଲା ଦଇବ ତାଙ୍କ ପାଇଁ ଫୁଟବଲ ଦେଖିବା ବେଳେ ମୃତ୍ୟୁ ଲେଖି ରଖିଛି । ସେପ୍ଟେମ୍ବର ଥିଲା ବଜ୍ରାଘାତର ମାସ । ସେହିମାସର ଶେଷଦିନରେ ବିଜୁଳି ମାଡ଼ରେ ୧୦ ଜଣଙ୍କର ଜୀବନ ଯାଇଥିଲା । ଅନ୍ୟପଟେ ଏପ୍ରିଲ ୪ ରେ ମୟୁରଭଞ୍ଜ କରଞ୍ଜିଆରେ ଶବଦାହ କରିବାକୁ ଆସିଥିବା ୩ ମହିଳା ପାଲଟି ଯାଇଥିଲେ ଶବ । ଏହି ପରି ଭାବେ ପୁରା ବର୍ଷରେ ମୋଟ ୧୮୦ ଜଣଙ୍କର ଜୀବନ ଯାଇଥିଲା ।

ଦୁର୍ଘଟଣା ନେଲା ୬ ହଜାର ମୁଣ୍ତ

କେବଳ ଦୁର୍ଘଟଣାରେ ୬ ହଜାର ମୁଣ୍ତ ଗଡ଼ିଛି । ସଡ଼କ ଦୁର୍ଘଟଣାରେ ସର୍ବାଧିକ ମରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୨ ରେ ମୋଟ ୧୧ ହଜାର ୬୬୩ ଟି ଦୁର୍ଘଟଣା ଘଟିଥିଲା । ପରିବହନ ବିଭାଗ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ରାଜ୍ୟର ମୋଟ ୪୫ ହଜାର ବ୍ୟକ୍ତିଙ୍କର ମୁଣ୍ତ ଗଡ଼ିଥିଲା । ଚଳିତ ବର୍ଷ ଅକ୍ଟୋବର ମଧ୍ୟରେ ୯,୯୦୬ଟି ଦୁର୍ଘଟଣା ହୋଇଛି ଓ ୪,୬୩୬ ଙ୍କର ପ୍ରାଣହାନୀ ଘଟିଛି । ଖୋର୍ଦ୍ଧାରେ ସର୍ବାଧିକ ୯୭୭ ଟି ଦୁର୍ଘଟଣା ଘଟିଛି । ଗଞ୍ଜାମରେ ସର୍ବାଧିକ ୩୫୩ ଜଣ ମୃତ୍ୟୁ ବରଣ କରିଛନ୍ତି ।

ମୃତ୍ୟୁଶୂନ୍ୟ ସପ୍ତାହରେ ଗଲା ଦେଢ ଶହ ଜୀବନ

ପ୍ରତିଟି ଜୀବନ ମୂଲ୍ୟବାନ । ଦୁର୍ଘଟଣାରେ ଯିବନି କାହାର ଜୀବନ । ଏହି ଲକ୍ଷ୍ୟ ନେଇ ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଥିଲା ମୃତ୍ୟୁ ଶୂନ୍ୟ ସପ୍ତାହ । ଚଳିତ ବର୍ଷ ୨ ଥର ମୃତ୍ୟୁ ଶୂନ୍ୟ ସପ୍ତାହର ଆୟୋଜନ କରା ଯାଇଥିଲା । ଦୁର୍ଘଟଣା କମିବାର ନାଁ ଗନ୍ଧ ନେଲାନି । ଓଲଟା ଅପବାଦ ମୁଣ୍ତାଇଲେ ରାଜ୍ୟ ସରକାର । କେବଳ ମୃତ୍ୟୁ ଶୂନ୍ୟ ସପ୍ତାହରେ ଗଲା ୧୫୦ ଉପରେ ଜୀବନ । ଡିସେମ୍ବର ପ୍ରଥମ ସପ୍ତାହରେ ଘଟଗାଁ ନିକଟ ଦୁର୍ଘଟଣାରେ ୨ ପରିବାରର ୮ ଜଣଙ୍କର ଜୀବନ ଯାଇଥିଲା । ଏପ୍ରିଲରେ ୧୨୫ ଟି ଦୁର୍ଘଟଣାରେ ୭୦ ଜଣଙ୍କର ଜୀବନ ଯାଇଛି । ଦୈନିକ ୧୦ ଜଣଙ୍କର ଜୀବନ ନେଇଛି ସଡ଼କ ଦୁର୍ଘଟଣା ।