• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦକ୍ଷିଣ ଆଫ୍ରିକାରେ ଗ୍ୟାସ ଲିକ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଜୋହାନ୍ସବର୍ଗ ନିକଟ ପୂର୍ବ ପ୍ରାନ୍ତରେ ଥିବା ଏକ ସହରରେ ଗ୍ୟାସ ଲିକ ହେବା ପରେ ଏହି ଅକାଳ ମୃତ୍ୟୁ ଘଟିଛି । ବେଆଇନ୍ ଖନନ ପାଇଁ ବ୍ୟବହାର ବେଳେ ଗ୍ୟାସ୍‌ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଗ୍ୟାସ୍‌ ଲିକ୍‌ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ହେଲେ ପରବର୍ତ୍ତୀ ଅବସ୍ଥାରେ ଅଚେତ ହୋଇ ରହିଥିବା ଲୋକ ସୁସ୍ଥ ହୋଇଛନ୍ତି । ବୁଧବାର ରାତି ଜୋହାନ୍ସବର୍ଗର ପୂର୍ବ ବକ୍ସବର୍ଗ ଜିଲ୍ଲା ନିକଟ ଆଞ୍ଜେଲୋ ଟାଉନସିପରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ ଲିକରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ଶିଶୁ ଥିବା ସୂଚନା ମିଳିଛି ।

ଜରୁରୀକାଳୀନ ସେବା ମୁଖପାତ୍ର ୱିଲିୟମ୍ ନଟଲାଡିଙ୍କ ସୂଚନା ଅନୁସାରେ ଆମେ ଘଟଣାସ୍ଥଳରେ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରିଛୁ । ରେସ୍କ୍ୟୁ ଟିମ୍‌ ସହାୟତାରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି । ତେବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୧୧ ଜଣ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।

ପ୍ରାୟ ରାତି ୮ ଟାରେ ବିସ୍ପୋରଣ ସମ୍ପର୍କରେ ଏକ କଲ ଆସିଥିଲା । ଆଉ ଖବର ପାଇବା ପରେ ତୁରନ୍ତ ସେଠାରେ ପହଞ୍ଚିଥିଲା ରେସ୍କ୍ୟୁ ଟିମ୍‌ । କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବିସ୍ଫୋରଣ ନୁହେଁ ବରଂ ଗୋଟିଏ ସିଲିଣ୍ଡର୍‌ରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା ।  ଏହି ଗ୍ୟାସ୍‌କୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ଖଣି ଖନନ ପାଇଁ ବ୍ୟବହାର କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ବେଆଇନ ଖଣି ଖନନର ଗଡ଼ ଦକ୍ଷିଣ ଆଫ୍ରିକା:

ତଦନ୍ତ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ଛାନଭିନ୍‌ ଆରମ୍ଭ କରିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ ବେଆଇନ ଖଣି ଖନନ ସମୟରେ ଏହି ଗ୍ୟାସର ବ୍ୟବହାର ହୋଇଥିବା କୁହାଯାଉଛି । ୩୨ ପ୍ରତିଶତରୁ ଅଧିକ ବେକାରୀ ହାର ସହ ଦକ୍ଷିଣ ଆଫ୍ରିକାରେ ହଜାର ହଜାର ବେଆଇନ ଖଣି ମାଲିକ ନିଜର କାରବାର ଚଳାଇଛନ୍ତି । ସେମାନଙ୍କୁ 'zama zamas' କୁହାଯାଏ , ଏହାର ଅର୍ଥ 'ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରନ୍ତି' । ଏଥିପାଇଁ ଦକ୍ଷିଣ ଆଫ୍ରିକାକୁ ବେଆଇନ ଖଣି ଖନନର ଗଡ଼ କୁହାଯାଏ ।

ସୁନା ପାଇଁ ବହୁ ସଂଖ୍ୟକ ଖଣି ମାଲିକ ବିପଜ୍ଜନକ ଅବସ୍ଥାରେ ଲୋକଙ୍କୁ କାମରେ ଲଗାନ୍ତି । ଜୋହାନ୍ସବର୍ଗ ହେଉଛି ଦକ୍ଷିଣ ଆଫ୍ରିକାର ବ୍ୟବସାୟିକ ହବ୍ ଗତ ବର୍ଷ ଖ୍ରୀଷ୍ଟମାସରେ ଏକ ବିଶାଳ ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ ହୋଇ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ।