Advertisment

Legends That Haunt: ଭାରତର ସବୁଠାରୁ ରହସ୍ୟମୟ ଦୁର୍ଗ, କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠେ

ରାଜା ଏହି ସର୍ତ୍ତକୁ ଅଣଦେଖା କରି ଦୁର୍ଗ ନିର୍ମାଣ କରାଇଥିଲେ । ହେଲେ ପ୍ରାସାଦର ସମ୍ପୂର୍ଣ୍ଣ ନିର୍ମାଣ ପରେ ଦେଖାଗଲା, ଏହାର ଛାଇ ଗୁରୁଙ୍କ ପ୍ରାର୍ଥନା ସ୍ଥଳ ଉପରେ ପଡ଼ୁଛି । ଆଉ ସତକୁ ସତ ଗୁରୁଙ୍କ କଥା ଅନୁସାରେ ଭାନଗଡ଼ ଦୁର୍ଗ ଧ୍ୱଂସ ହୋଇଯାଇଥିଲା ।

author-image
Pragyan Paramita Behera
Fort

Fort Photograph: (OTV)

ପ୍ରାଚୀନ କାଳରେ ରାଜାମାନେ ବିଶାଳକାୟ ପ୍ରାସାଦ ଓ ମନ୍ଦିରମାନ ନିର୍ମାଣ କରାଉଥିଲେ । ସହରକୁ ଶତ୍ରୁ କବଳରୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରାଚୀର ନିର୍ମାଣ କରାଯାଉଥିଲା ଅର୍ଥାତ ଚାରି ପାର୍ଶ୍ୱରେ ଚାରୋଟି ଦ୍ୱାର ସହ ରହୁଥିଲା ବିଶାଳ ପଥର କାନ୍ଥ । ମଧ୍ୟଯୁଗରେ ବିଦେଶୀ ଆକ୍ରମଣ ଭୟରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏପରି ଦୁର୍ଗ ଆମର ଗୌରବମୟ ଇତିହାସ ଏବଂ ଯୁଦ୍ଧକୁ ପ୍ରତିଫଳିତ କରେ। ଭାରତ ଭୂଖଣ୍ଡ ଅନେକ ପ୍ରକାର ଚମତ୍କାର ଦୁର୍ଗରେ ପରିପୂର୍ଣ୍ଣ ।

Advertisment

ଏହି ଦୁର୍ଗଗୁଡ଼ିକ ଦେଶର ସମୃଦ୍ଧ ଇତିହାସ, ସ୍ଥାପତ୍ୟ, ସାହସ ଏବଂ ବୀରତ୍ୱର କାହାଣୀ କହେ । ଏହି ଦୁର୍ଗଗୁଡ଼ିକ ମଧ୍ୟରୁ କିଛି ଦୁର୍ଗକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ହେଲେ ଦେଶରେ ଥିବା ସମସ୍ତ ଦୁର୍ଗ ଐତିହାସିକ ନୁହେଁ, ଏଥି ମଧ୍ୟରୁ କିଛି ଦୁର୍ଗ ଭୟଙ୍କର କାହାଣୀ ସହିତ ଜଡ଼ିତ ।

ଭାନଗଡ଼ ଦୁର୍ଗ

ରାଜସ୍ଥାନର ଅଲୱରରେ ଥିବା ଭାନଗଡ଼ ଦୁର୍ଗ ୧୭ଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା । ଏକଦା ରାଜାଙ୍କ ଭବ୍ୟ ପ୍ରାସାଦ ଥିବା ଏହି ଦୁର୍ଗ ଏବେ ଧ୍ୱଂସାବଶେଷରେ ପରିଣତ ହୋଇଛି । ଏହା ବ୍ୟତୀତ ଏହି ଦୁର୍ଗ ସହିତ ଭୂତ ପ୍ରେତ ଏବଂ ଅଭିଶାପର ଅନେକ କାହାଣୀ ଜଡିତ ହୋଇସାରିଛି । ଭାନଗଡ଼ ଦୁର୍ଗ ଭାରତର ସବୁଠାରୁ ଭୟଙ୍କର ଦୁର୍ଗ ଭାବରେ ଜଣାଶୁଣା । ସେଥିପାଇଁ ଏହି ଦୁର୍ଗ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅସମାହିତ ରହସ୍ୟ ହୋଇ ରହିଛି ।

Advertisment

ଏହି ରହସ୍ୟମୟ ସ୍ଥାନଟି ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ । ଦୁର୍ଗ ସମ୍ପର୍କୀତ କାହାଣୀ ଶୁଣି ଅନେକ ପର୍ଯ୍ୟଟକ ଏଠିକୁ ଭ୍ରମଣ କରିବା ଉଦ୍ଦେଶ୍ୟରେ ଆସନ୍ତି ।  ସୂର୍ଯ୍ୟାସ୍ତ ପରେ ଦୁର୍ଗରେ ପ୍ରବେଶ କରିବା ଏକ ସାହସିକ ଏବଂ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ବୋଲି ବିବେଚନା କରାଯାଏ । ଏହି କାରଣରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ରାତ୍ରିକାଳୀନ ପରିଦର୍ଶନକୁ ନିଷେଧ କରିଛି।

ସ୍ଥାନୀୟ ଲୋକଙ୍କ ଅନୁସାରେ, ରାଜା ମାଧୋ ସିଂ ଗୁରୁ ବାଲୁନାଥଙ୍କ ଅନୁମତି ପାଇବା ପରେ ଏହି ସହର ନିର୍ମାଣ କରିଥିଲେ । ଗୁରୁ ବାଲୁନାଥ ଜଣେ ସିଦ୍ଧ ତପସ୍ୱୀ ଥିଲେ ଏବଂ ଧ୍ୟାନ କରିବାକୁ ଭଲ ପାଉଥିଲେ । ହେଲେ ଗୁରୁ ବାଲୁନାଥ ଏକ ସର୍ତ୍ତ ରଖି ଏହି ଦୁର୍ଗ ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ପ୍ରାସାଦର ଛାଇ ତାଙ୍କ ପ୍ରାର୍ଥନା ସ୍ଥାନରେ ଯେପରି ପଡ଼ିବ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଥିଲେ । ଯଦି ଏହା ହୁଏ, ତେବେ ପ୍ରାସାଦ ଧ୍ୱଂସ ହୋଇଯିବ।

ରାଜା ଏହି ସର୍ତ୍ତକୁ ଅଣଦେଖା କରି ଦୁର୍ଗ ନିର୍ମାଣ କରାଇଥିଲେ । ହେଲେ ପ୍ରାସାଦର ସମ୍ପୂର୍ଣ୍ଣ ନିର୍ମାଣ ପରେ ଦେଖାଗଲା, ଏହାର ଛାଇ ଗୁରୁଙ୍କ ପ୍ରାର୍ଥନା ସ୍ଥଳ ଉପରେ ପଡ଼ୁଛି । ଆଉ ସତକୁ ସତ ଗୁରୁଙ୍କ କଥା ଅନୁସାରେ ଭାନଗଡ଼ ଦୁର୍ଗ ଧ୍ୱଂସ ହୋଇଯାଇଥିଲା ।

ସନ୍ଥଙ୍କ କ୍ରୋଧର ଶିକାର ହେବା ପରେ ଭାନଗଡ଼ ଏକ ଅଭିଶପ୍ତ ନଗରୀରେ ପରିଣତ ହେଲା ଏବଂ ଏହାକୁ କେବେ ପୁନଃସ୍ଥାପିତ କରାଯାଇ ପାରିଲା ନାହିଁ, କାରଣ ଏହାର କୌଣସି ନିର୍ମାଣ କେବେ ବଞ୍ଚି ପାରିଲା ନାହିଁ। ଆଶ୍ଚର୍ଯ୍ୟର କଥା ବାଲୁନାଥଙ୍କ ପ୍ରାୟଶ୍ଚିତ୍ତ ସ୍ଥାନ ଏବେ ବି ଧ୍ୱଂସାବଶେଷ ଭିତରେ ଦେଖାଯାଏ ।  

ଆଉ ଏକ କାହାଣୀ ଅନୁସାରେ ଜଣେ ତାନ୍ତ୍ରିକ ଥରେ ସ୍ଥାନୀୟ ରାଜକୁମାରୀ ରତ୍ନାବତୀଙ୍କ ପ୍ରେମରେ ପଡ଼ିଗଲେ । ସେ ଯାଦୁମନ୍ତ୍ର କରି ଏକ ପ୍ରକାର ଅତର ଦ୍ୱାରା ତାଙ୍କୁ ବଶୀଭୂତ କରିବାକୁ ଚେଷ୍ଟା କଲେ । କିନ୍ତୁ ରାଣୀ ଏହା ଜାଣିପାରି ଏହି ଅତରକୁ ଫୋପାଡ଼ି ଦେଲେ । ଯାହା ଫଳରେ ଏହି ତନ୍ତ୍ରମନ୍ତ୍ରର ପ୍ରଭାବ ସିଧା ତାନ୍ତ୍ରିକଙ୍କ ଉପରେ ପଡିଥିଲା ଏବଂ ତାର ମୃତ୍ୟୁ ହେଲା । ମରିବା ପୂର୍ବରୁ ସେ ସମଗ୍ର ଭାନଗଡ଼କୁ ଧ୍ୱଂସ କରିବାକୁ ଅଭିଶାପ ଦେଇଥିଲେ । ଆଉ ଶୁଣିବାକୁ ମିଳେ ତାଙ୍କ ଆତ୍ମା ଏବେ ବି ଏଠାରେ ଘୂରିବୁଲୁଛି ।

ଶନିୱାର ୱାଡ଼ା

ଏକଦା ଶକ୍ତିଶାଳୀ ପେଶୱାମାନଙ୍କ ଆସନ ଥିବା ଶନିୱାର ୱାଡ଼ା ରାଜନୈତିକ ବିଶ୍ୱାସଘାତକତା ଏବଂ ରକ୍ତପାତ ଯୋଗୁଁ ଅଭିଶପ୍ତ । ୧୭୭୩ ମସିହାରେ ଯୁବକ ପେଶୱା ନାରାୟଣ ରାଓଙ୍କୁ ତାଙ୍କ ନିଜ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ ଦୁର୍ଗ ଭିତରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି, ଏବେ ବି ପୂର୍ଣ୍ଣିମା ରାତିରେ ତାଙ୍କର କାକା ମାଲା ଭାଚୱା (କାକା, ମୋତେ ରକ୍ଷା କର) ଡାକ ଧ୍ୱଂସାବଶେଷରେ ପ୍ରତିଧ୍ୱନିତ ହୁଏ ।

ମେହରାନଗଡ଼ ଦୁର୍ଗ

୧୪୫୯ ମସିହାରେ ରାଠୋର ବଂଶର ଶାସକ ରାଓ ଯୋଧା ଯୋଧପୁରରେ ମେହରାନଗଡ଼ ଦୁର୍ଗ ନିର୍ମାଣ କରିଥିଲେ। ମେହରାନଗଡ଼ ଦୁର୍ଗର ପ୍ରାଚୀର ୩୬ ମିଟର ଉଚ୍ଚ ଏବଂ ୨୧ ମିଟର ଚଉଡା । କୁହାଯାଏ, ଏହି ଦୁର୍ଗର ନିର୍ମାଣ କାର୍ଯ୍ୟ କେବେ ବନ୍ଦ ହୁଏ ନାହିଁ। ଅର୍ଥାତ୍, ସର୍ବଦା କିଛି ନା କିଛି ନୂଆ କାମ ଚାଲିଥାଏ ।  ଦୁର୍ଗର ପ୍ରତିଷ୍ଠା ସମୟରେ ଭିତ୍ତିଭୂମି ସ୍ଥାପନ ହେବା ଦିନଠାରୁ ନିର୍ମାଣ କାର୍ଯ୍ୟ ଚାଲିଛି। ହିନ୍ଦୁ ପୌରାଣିକ କଥା ଅନୁସାରେ, ଅମାବାସ୍ୟା ଦିନ କାମ ବନ୍ଦ ହୋଇଯାଏ। ଅନ୍ୟ ଦିନଗୁଡ଼ିକରେ ନିର୍ମାଣ କାର୍ଯ୍ୟ ଅବିରତ ଭାବରେ ଚାଲିଥାଏ। ଏହି ଦୁର୍ଗ ବିଶ୍ୱବ୍ୟାପୀ ଏକ ଅନନ୍ୟ ପରିଚୟ ବହନ କରେ।

ଏହା ନିର୍ମାଣ ହେଉଥିବା ସମୟରେ ଜଣେ ବିସ୍ଥାପିତ ସନ୍ନ୍ୟାସୀ ଭୂମିକୁ ଚିରକାଳ ଶୁଷ୍କତାର ଅଭିଶାପ ଦେଇଥିଲେ। ଅଭିଶାପ ନଫଳିବାକୁ ରାଜାରାମ ମେଘୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ କବର ଦିଆଯାଇଥିଲା । ତାଙ୍କ ବଳିଦାନ ଅକାରଣରେ ଯାଇନଥିଲା  ଏବଂ ତାଙ୍କ ଆତ୍ମା ଆଜି ମଧ୍ୟ ଦୁର୍ଗକୁ ସୁରକ୍ଷା ଦିଏ ବୋଲି କୁହାଯାଏ ।

କୁମ୍ଭଲଗଡ଼ ଦୁର୍ଗ

ବିଶାଳ କାନ୍ଥ ପାଇଁ ପ୍ରସିଦ୍ଧ କୁମ୍ଭଲଗଡ଼ ଦୁର୍ଗ ଏକ ଭୟଙ୍କର କାହାଣୀ ସହିତ ଜଡିତ। ନିର୍ମାଣ ସମୟରେ ଯେତେବେଳେ କାନ୍ଥଗୁଡ଼ିକ ବାରମ୍ବାର ଭୁଶୁଡ଼ି ପଡ଼ିଲା, ସେତେବେଳେ ଜଣେ ସନ୍ଥ ଦୁର୍ଗକୁ ସ୍ଥିର ରଖିବା ପାଇଁ ନିଜ ଜୀବନ ଦେଇଥିଲେ। ତାଙ୍କ ବଳିଦାନ ପରେ ଶେଷରେ କାନ୍ଥଗୁଡ଼ିକ ଦୃଢ଼ ହୋଇ ରହିଲା। କୁହାଯାଏ ସନ୍ଥଙ୍କ ଆତ୍ମା ଏବେ ବି ସେଠାରେ ବାସ କରେ, ଯେଉଁ ଦୁର୍ଗ ପାଇଁ ସେ ନିଜ ଜୀବନ ଦେଇଥିଲେ ତାହା ସହିତ ସେ ଚିରକାଳ ପାଇଁ ଜଡିତ।

ନାହରଗଡ଼ ଦୁର୍ଗ

ଜୟଗଡ଼ ପାହାଡ଼ ପଛପାଖେ ସ୍ଥିତ ନାହରଗଡ଼ ଦୁର୍ଗ ଜୟପୁରର  ସୁରକ୍ଷା ପାଇଁ ଠିଆ ହୋଇଛି। ପ୍ରାରମ୍ଭରେ ୧୭୩୪ ମସିହାରେ ସୱାଇ ଜୟ ସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା ନାହରଗଡ଼ ଦୁର୍ଗ । ଯଦିଓ ଏହାର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଛି, ତଥାପି ସୱାଇ ମାନସିଂହ ଦ୍ୱିତୀୟଙ୍କ ଦ୍ୱାରା ନିର୍ମିତ ସୁନ୍ଦର କୋଠାଗୁଡ଼ିକ ଦୁର୍ଗର ଶୋଭା ବୃଦ୍ଧି କରୁଛି।

ଏହି ଦୁର୍ଗର ନିର୍ମାଣରେ ଅନେକ ରହସ୍ୟମୟ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିଥିଲା। ସ୍ଥାନୀୟ ଲୋକମାନେ ବିଶ୍ୱାସ କରୁଥିଲେ ନାହର ସିଂହ ଭୋମିଆଙ୍କ ଆତ୍ମା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ସମ୍ମାନାର୍ଥେ ଦୁର୍ଗ ଭିତରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏହା ବ୍ୟତୀତ ସେହି ଆତ୍ମା ନାମରେ ଏହି ଦୁର୍ଗର ନାମକରଣ ମଧ୍ୟ  କରାଯାଇଛି। 

ହେତୁବାଦୀମାନେ ଏଭଳି କଥାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ । ଏହା ମନଗଢ଼ା କାହାଣୀ ବୋଲି ସେମାନେ କୁହନ୍ତି । 

Mysterious
Advertisment
Related Articles
Advertisment