/odishatv-khabar/media/post_attachments/uploadimage/library/16_9/16_9_0/unlock-4-sports_1625379737.jpg)
unlock-4-sports
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ୍-୪ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଅନ୍ୟ କିଛି ଉପରେ ନିର୍ଦ୍ଦିଷ୍ଟ ସମୟ ପାଇଁ କଟକଣା ଜାରି କରାଯାଇଛି। ଯେପରି ସାମାଜିକ କାର୍ଯ୍ୟ ଖେଳ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୧ ତାରିଖରୁ ଅନୁମତି ମିଳିଛି। ତେବେ ଏହିସବୁ କାର୍ଯ୍ୟରେ ୧୦୦ରୁ ଅଧିକ ଲୋକ ସାମିଲ୍ ହୋଇପାରିବେ ନାହିଁ।
ଜାରି ହୋଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି “ସାମାଜିକ କାର୍ଯ୍ୟ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟ ଓ ଅନ୍ୟସଭାଗୁଡ଼ିକୁ ସେପ୍ଟେମ୍ବର ୨୧ ତାରିଖରୁ ଅନୁମତି ମିଳିବ। କିନ୍ତୁ ଏଥିରେ ମାତ୍ର ୧୦୦ ଲୋକ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ।” ତେବେ ଏସବୁରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା, ଥର୍ମାଲ ସ୍କାନିଂ ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି।
ଅନଲକ୍-୩ରେ ସାମାଜିକ କାର୍ଯ୍ୟ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟ ଓ ଅନ୍ୟ ସଭାଗୁଡ଼ିକୁ ବ୍ୟାନ୍ କରିଥିଲେ ସରକାର। କିନ୍ତୁ ଅନଲକ୍-୪ରେ ଏସବୁ ଖୋଲାଯାଇଛି।
ସେପ୍ଟେମ୍ବର ୧ ତାରିଖରୁ ଅନଲକ୍-୪ ଗାଇଡ୍ଲାଇନ୍ କାର୍ଯ୍ୟକାରୀ ହେବାକୁ ଥିବା ପର୍ଯ୍ୟାୟ ଅନୁସାରେ କଟକଣା କୋହଳ ପ୍ରକ୍ରିୟା କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସରକାର ଦେଶର ଅନଲକ୍ ପ୍ରକ୍ରିୟା ଜାରି ରଖିଥିବା ବେଳେ କରୋନା ପଜିଟିଭ୍ଙ୍କ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି। ପ୍ରତିଦିନ ପ୍ରାୟ ୭୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷରେ ପହଞ୍ଚିଛି। ଆମେରିକା ଓ ବ୍ରାଜିଲ୍ ପରେ କରୋନା ଆକ୍ରାନ୍ତରେ ଭାରତ ୩ ନମ୍ବର ସ୍ଥାନରେ ରହିଛି। ଦେଶରେ ଏପର୍ଯ୍ୟନ୍ତ ୬୦ ହଜାର ଲୋକଙ୍କର ଜୀବନ ନେଲାଣି କରୋନା ମହାମାରୀ।
ତେବେ ଅନଲକ୍-୪ ଗାଇଡ୍ଲାଇନ ଅନୁସାରେ ରାଜ୍ୟ ସରକାରଙ୍କୁ କଟକଣା ଅଧିକାର ଦେଇ ନାହିଁ କେନ୍ଦ୍ର। କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଲକ୍ଡାଉନ୍ କଟକଣା ଲଗାଇ ପାରିବେ ନାହିଁ।
ସେହିଭଳି ସ୍କୁଲ୍ ଓ କଲେଜଗୁଡ଼ିକୁ ବି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ସରକାର। ତେବେ ସେପ୍ଟେମ୍ବର ୨୧ ତାରିଖ ପରେ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପିଲା ଚାହିଁଲେ ସ୍କୁଲ୍ ଯାଇ ଶିକ୍ଷକଙ୍କ ଠାରୁ ପାଠ ବୁଝିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)