/odishatv-khabar/media/media_files/2025/11/24/varanasi-2025-11-24-19-02-23.jpg)
Varanasi Photograph: (OTV)
ବାରାଣାସୀର ସଂସ୍କୃତି ଗଙ୍ଗା ନଦୀ, ଶ୍ରୀକାଶୀ ବିଶ୍ୱନାଥ ମନ୍ଦିର ଏବଂ ଏହାର ଧାର୍ମିକ ଗୁରୁତ୍ୱ ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ। ଏହି ସହର ହଜାର ହଜାର ବର୍ଷ ଧରି ଭାରତର ବିଶେଷକରି ଉତ୍ତର ଭାରତର ସାଂସ୍କୃତିକ ଏବଂ ଧାର୍ମିକ କେନ୍ଦ୍ର ରହିଆସିଛି । ଭଗବାନ ଶିବ ନିଜେ ଏହି ସହରକୁ ପ୍ରତିଷ୍ଠା କରିଥିବା ବିଶ୍ୱାସ କରାଯାଏ। ଏହି ସହର ବିଷୟରେ ବେଦ, ପୁରାଣ ଏବଂ ଉପନିଷଦରେ ମଧ୍ୟ ଉଲ୍ଲେଖ ରହିଛି ।
କାଶୀକୁ ମୁକ୍ତିର ଭୂମି, ଶିବଙ୍କ ପ୍ରିୟ ନଗରୀ ଏବଂ ତ୍ରିଶୂଳ ଉପରେ ସ୍ଥିତ ଏକ ଦିବ୍ୟ ବାସସ୍ଥଳୀ ଭାବରେ ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ ସମଗ୍ର ବାରାଣାସୀ ସହର ଭଗବାନ ଶିବଙ୍କ ତ୍ରିଶୂଳ ଉପରେ ଅବସ୍ଥିତ। ଏହା ବ୍ୟତୀତ ବୌଦ୍ଧ ଏବଂ ଜୈନ ଧର୍ମରେ ଏହାକୁ ପବିତ୍ର ବୋଲି ବିବେଚନା କରାଯାଏ।
ଅନ୍ୟପକ୍ଷରେ ବାରାଣାସୀକୁ ମନ୍ଦିରର ସହର, ଭାରତର ଧାର୍ମିକ ରାଜଧାନୀ, ଭଗବାନ ଶିବଙ୍କ ନଗର, ଆଲୋକର ନଗର ଏବଂ ଜ୍ଞାନର ନଗର ଭାବରେ ମଧ୍ୟ ସମ୍ବୋଧିତ କରାଯାଏ । ପ୍ରସିଦ୍ଧ ଆମେରିକୀୟ ଲେଖକ ମାର୍କ ଟ୍ୱେନ୍ ଲେଖିଛନ୍ତି: ବାରାଣାସୀ ସହର ଇତିହାସ, ପରମ୍ପରା ଠାରୁ ତଥା କିମ୍ବଦନ୍ତୀ ଠାରୁ ମଧ୍ୟ ପୁରୁଣା ।
ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ବନାରସ ଘରାନା ବାରାଣାସୀ ଠାରୁ ଉତ୍ପତ୍ତି ହେବା ସହ ସମୃଦ୍ଧ ହୋଇଛି। ଭାରତର ଅନେକ ଦାର୍ଶନିକ, କବି, ଲେଖକ ଏବଂ ସଂଗୀତଜ୍ଞ ବାରାଣାସୀରେ ରହି ନିଜର ସାଧନା କରିଛନ୍ତି, ଯେଉଁଥିରେ କବୀର, ବଲ୍ଲଭାଚାର୍ଯ୍ୟ, ସ୍ୱାମୀ ରାମାନନ୍ଦ, ତ୍ରିଲଙ୍ଗ ସ୍ୱାମୀ, ଶିବାନନ୍ଦ ଗୋସ୍ବାମୀ, ମୁନସି ପ୍ରେମଚାନ୍ଦ, ଜୟଶଙ୍କର ପ୍ରସାଦ, ଆଚାର୍ଯ୍ୟ ରାମଚନ୍ଦ୍ର ଶୁକ୍ଲା, ପଣ୍ଡିତ ରବି ଶଙ୍କର, ଗିରିଜା ଦେବୀ, ପଣ୍ଡିତ ହରି ପ୍ରସାଦ ଚୌରାସିଆ ଏବଂ ଉସ୍ତାଦ୍ ବିସମିଲ୍ଲା ଆଦି ସାମିଲ ଅଛନ୍ତି ।
ଗୋସ୍ୱାମୀ ତୁଳସୀ ଦାସ ଏହି ଠାରେ ହିଁ ହିନ୍ଦୁ ଧର୍ମର ପରମପୂଜ୍ୟ ଗ୍ରନ୍ଥ ରାମଚରିତ ମାନସ ରଚନା କରିଥିଲେ ଏବଂ ଗୌତମ ବୁଦ୍ଧ ନିକଟସ୍ଥ ସାରନାଥରେ ତାଙ୍କର ପ୍ରଥମ ପ୍ରବଚନ ଦେଇଥିଲେ। ଏହାବ୍ୟତୀତ ଏହି ପ୍ରାଚୀନତମ ସହରରେ ରହିଛି ଚାରିଟି ବଡ଼ ବିଶ୍ୱବିଦ୍ୟାଳୟ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ, ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ହାୟର ତିବଦ୍ଦିଆନ ଷ୍ଟଡିଜ୍ ଏବଂ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ।
କିପରି ହେଲା ସହରର ନାମକରଣ ?
ଦୁଇ ନଦୀ ବରୁଣା ଓ ଅସୀରୁ ନାଁ ପାଇଛି ବାରାଣାସୀ ସହର । ଏହି ଦୁଇ ନଦୀ ମଧ୍ୟଭାଗରେ ଅବସ୍ଥିତି କାରଣରୁ ଏହାକୁ ବାରାଣାସୀ ନାମ ଦିଆଯାଇଛି, ଯାହାର ଅର୍ଥ ବରୁଣ ଏବଂ ଅସୀ ମଧ୍ୟରେ ଥିବା ଭୂମି।
ବାରାଣାସୀର କାହାଣୀ
ପୌରାଣିକ ଗାଥା ଅନୁସାରେ, ସ୍ୱୟଂ ଭଗବାନ ଶିବ ଏହି ସହରକୁ ରକ୍ଷା କରନ୍ତି । ଏହି ନଗରୀ ଶିବଙ୍କ ତ୍ରିଶୂଳ ଉପରେ ଥିବାରୁ ଏହାକୁ କେବେ ଧ୍ୱଂସ କରାଯାଇପାରିବ ନାହିଁ। ହିନ୍ଦୁ ଶାସ୍ତ୍ରରେ ଅନେକ ସ୍ଥାନରେ କାଶୀର ଉଲ୍ଲେଖ ଅଛି। ସ୍କନ୍ଦ ପୁରାଣ ଏବଂ କାଶୀ ଖଣ୍ଡରେ କୁହାଯାଇଛି, ଭଗବାନ ଶିବ ଏହି ନଗରୀକୁ ଅତ୍ୟଧିକ ଭଲପାଉଥିବାରୁ ଏହାକୁ ନିଜର ବାସସ୍ଥାନ ଭାବରେ ବାଛିଥିଲେ। ଧାର୍ମିକ ଶାସ୍ତ୍ର ଅନୁସାରେ କୌଣସି ବି ମହାବିପ ର୍ଯ୍ୟୟ ଆସିଲେ କିମ୍ବା ସମଗ୍ର ବ୍ରହ୍ମାଣ୍ଡ ଧ୍ୱଂସ ହୋଇଗଲେ ସୁଦ୍ଧା କାଶୀ ସହରର କୌଣସି କ୍ଷତି ହୋଇନାହିଁ କି ହେବ ନାହିଁ ।
ଏହି କାରଣରୁ ଏହାକୁ ବିଶ୍ୱର ସବୁଠାରୁ ପ୍ରାଚୀନ ନଗରୀ ଭାବରେ ବିବେଚନା କରାଯାଏ। ଭଗବାନ ଶିବ ବାବା ବିଶ୍ୱନାଥଙ୍କ ରୂପରେ କାଶୀରେ ବାସ କରନ୍ତି । କାଶୀରେ ମୃତ୍ୟୁବରଣ କଲେ ମୋକ୍ଷ ମିଳିଥାଏ ବୋଲି କୁହାଯାଏ ।
ବାରାଣାସୀକୁ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ। କିମ୍ବଦନ୍ତୀ ଅନୁସାରେ ଯେତେବେଳେ ରାକ୍ଷସ ଏବଂ ଦେବତାଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା, ସେତେବେଳେ ରାକ୍ଷସମାନେ କାଶୀରେ ବିନାଶ ଘଟାଇଥିଲେ। ତା'ପରେ ଭଗବାନ ଶିବ ତାଙ୍କର ତ୍ରିଶୂଳ ବ୍ୟବହାର କରି କାଶୀକୁ ରକ୍ଷା କରିଥିଲେ। କୁହାଯାଏ ତ୍ରିଶୂଳ ଉପରେ ବାରାଣାସୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଥିଲା ନଗରକୁ ବିନାଶ ଏବଂ ସମୟ ଚକ୍ରରୁ ରକ୍ଷା କରିବା।
( ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକକଥା ଉପରେ ଆଧାରିତ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହା ଲେଖିକାଙ୍କ ନିଜସ୍ୱ ମତ । )
Mystery Death: ଯୁବ ଓକିଲଙ୍କ ରହସ୍ୟଜନକ ମୃତ୍ୟୁ, ମୃତଦେହ ପୋଖରୀରୁ କାର ଭିତରୁ ମିଳିଲା !

Sanjay Dutt: ଭାଙ୍ଗି ପଡିଥିଲେ, ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ... ସାହାଯ୍ୟର ହାତ ବଢାଇଥିଲେ ଏହି ବନ୍ଧୁ

Humane Sagar Viral Video: ହ୍ୟୁମାନଙ୍କ ଆଉ ଏକ ଭିଡିଓ ଭାଇରାଲ୍, ଷ୍ଟେଜରେ କହିଥିଲେ ନିଜ ଦେହ ଖରାପ

Heartbreaking Goodbye: ଜୟ ବୀରୁଙ୍କ ଯୋଡ଼ି ଭାଙ୍ଗିଗଲା; ଅମିତାଭ ବଚ୍ଚନ ଶ୍ମଶାନରେ ପହଞ୍ଚି ଅଶ୍ରୁଳ ନୟନରେ ଧର୍ମେନ୍ଦ୍ରଙ୍କୁ ଦେଲେ ଶେଷ ବିଦାୟ

Video Reveals: ସାମ୍ନାକୁ ଆସୁଛି ସତ, ପପୁଙ୍କ ଚାପରେ ହ୍ୟୁମାନ କରୁଥିଲେ ସୋ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)