Advertisment

War or Peace: ଯୁଦ୍ଧ ଓ ଶାନ୍ତି ପ୍ରସ୍ତାବ, ସଞ୍ଜୟ ଆସି ଯୁଧିଷ୍ଠିରଙ୍କୁ ଏହିସବୁ କଥା ବୁଝାଇଲେ

ଯୁଧିଷ୍ଠିରଙ୍କୁ ସଞ୍ଜୟ କ'ଣ ସବୁ କହିଲେ?  ସଞ୍ଜୟଙ୍କ ହାତରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର କ'ଣ ଖବର ପୁଣି ହସ୍ତିନା ରାଜ ଦରବାରକୁ ପ୍ରେରଣ କଲେ । ସତରେ କ'ଣ ଯୁଦ୍ଧ ହେବ କି? କେଵେ ହେବ? ଏଇସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ସଞ୍ଜୟ ପାଣ୍ଡବମାନଙ୍କ ଆଗରେ ହସ୍ତିନା ନରେଶ ଧୃତରାଷ୍ଟ୍ରଙ୍କ ପାଖରୁ ଆଣିଥିବା ବାର୍ତ୍ତା ଦେଲେ । ଯୁଧିଷ୍ଠିର ମଧ୍ୟ ତାଙ୍କ ପକ୍ଷର କଥା କହିଲେ । ଯୁଧିଷ୍ଠିର ଚାହୁଁଥିଲେ କୌଣସି ପ୍ରକାରେ ଯୁଦ୍ଧକୁ ଟାଳିଦେବା ହିଁ ବୁଦ୍ଧିମାନର କାମ ହେବ ।

Advertisment

ସଞ୍ଜୟ କହିଲେ, ‘ହେ ଯୁଧିଷ୍ଠିର ଜୟ ପରାଜୟ ଦୁହେଁ ଅସ୍ଥିର ଅଟନ୍ତି । ଯୁଦ୍ଧରେ ମୁଢ଼ କିମ୍ବା ଧାର୍ମିକ ଦୁଇ ପ୍ରକାର ଲୋକ ଐଶ୍ୱର୍ଯ୍ୟ ଲାଭ କରନ୍ତି । ଯୁଦ୍ଧ- ବିଶାରଦ ଧାର୍ମିକ ପୁରୁଷମାନେ ମଧ୍ୟ ଐଶ୍ୱର୍ଯ୍ୟ ଭ୍ରଷ୍ଟ ହେଇଥା'ନ୍ତି । ହେ ଯୁଧିଷ୍ଠିର! ତୁମକୁ ମୁଁ ଧର୍ମ ବିଷୟରେ ଅଧିକ କ'ଣ ଅବା କହିପାରିବି? ତୁମେ ତ ଧର୍ମରାଜ । ଆମ ଜାଣିବାରେ ତୁମ ମନରେ କେବେବି କୌଣସି ପ୍ରକାରର ବିରାଗ ଅବା ଅସୂୟା ଭାବ ନଥିଲା କି ଏବେ ବି ନାହିଁ । ଅନେକ ଦେବତୁଲ୍ୟ ଗୁଣର ଅଧିକାରୀ ହୋଇ ତୁମେ ଯୁଦ୍ଧ କରି ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ବିନାଶ କରିବାକୁ କେମିତି ଚାହୁଁଛ?

ଏ କଥା ସତ ଯେ ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପୁଅମାନେ କ୍ରୁର ସ୍ୱଭାବର । ସେମାନେ ଈର୍ଷାପରାୟଣ ଓ ଅସୂୟାଭାବ ସମ୍ପନ୍ନ। ଅତୀତରେ ସେ ଦୁଷ୍ଟମାନେ ତୁମ ପରିବାରକୁ ଅନେକ ଦୁଃଖ କଷ୍ଟ ଦେଇଛନ୍ତି । କିନ୍ତୁ ସବୁପରେ ବି ସେମାନେ ତୁମର ସ୍ୱଜନ ଓ ପରିବାରର ଲୋକ । ମୋ ବିଚାରରେ ନିଜର ଜ୍ଞାତି କୁଟୁମ୍ବଙ୍କୁ ଯୁଦ୍ଧରେ ନିହତ କରିବାର ଯୋଜନା କୌଣସି ଧର୍ମପରାୟଣ ମଣିଷ କରିପାରିବନି ।’
ତାପରେ କିଛି ସମୟ ନୀରବ ରହି ସଞ୍ଜୟ ପୁଣି କହିଲେ, ‘ଏ କଥା ସତ୍ୟ ଯେ ଯୁଦ୍ଧ ହେଲେ କେବଳ କୌରବ ପକ୍ଷର କ୍ଷତି ହେବ ସେକଥା ନୁହେଁ । ପାଣ୍ଡବ ପକ୍ଷର ବି କ୍ଷତି ହେବ।

Advertisment

ତୁମ ପାଖରେ କୃଷ୍ଣ, ଧୃଷ୍ଟଦ୍ୟୁମ୍ନ, ସାତ୍ୟକିଙ୍କ ସହ ଅର୍ଜୁନ, ଭୀମ, ନକୁଳ, ସହଦେବ ଆଦି ବୀର ଅଛନ୍ତି । ସେମାନଙ୍କ ଆଗରେ ଅସ୍ତ୍ର ଧରି କେହି ଛିଡା ହୋଇପାରିବେନି ସତକଥା । କିନ୍ତୁ ଦୁର୍ଯ୍ୟୋଧନଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ମଧ୍ୟ ତାଙ୍କ ସାଙ୍ଗରେ ଅଛନ୍ତି ଇଚ୍ଛାମୃତ୍ୟୁଧାରୀ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, କୃପ, ଶଲ୍ୟ,କର୍ଣ୍ଣ ଓ ଅଶ୍ଵତ୍ଥାମାଙ୍କ ପରି ବୀର । ସେମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ପରାଜିତ କରିବା ସହଜ କଥା ନୁହେଁ । ଏ ଯୁଦ୍ଧରେ କିଏ ଜିତିବ ଓ କିଏ ପରାଜିତ ହେବ କହିହେବନି । ତେଣୁ ଏହି ଯୁଦ୍ଧକୁ ଏଡାଇ ସନ୍ଧି କରାଯିବା ଉଚିତ ।’

ସଞ୍ଜୟ ପୁଣି କହିଲେ, ‘ହେ ଯୁଧିଷ୍ଠିର! ତୁମେମାନେ ଯଦି ତୁମର ରାଜ୍ୟ ଫେରିପାଇବା ପାଇଁ ଯୁଦ୍ଧକୁ ଆପଣାଇଥା'ନ୍ତ ତେବେ ଏତେ ବର୍ଷ ଧରି ଦୁଃଖ କଷ୍ଟ ସହି ବନବାସ କରିନଥା'ନ୍ତ । ସେତେବେଳେ ବି ଚାହିଁଥିଲେ ତୁମେ ଯୁଦ୍ଧକରି କୌରବମାନଙ୍କୁ ପରାସ୍ତ କରିପାରିଥା'ନ୍ତ । ଆଜି ବି ତୁମମାନଙ୍କ ସହ ଯୋଉମାନେ ଠିଆ ହେଇଛନ୍ତି ସେତେବେଳେ ବି ସେମାନେ ତୁମ ସାଙ୍ଗରେ ଥିଲେ । ତାପରେ ରାଜସୂୟ ଯଜ୍ଞ ସମୟରେ ଭାରତବର୍ଷର ଅନେକ ରାଜା ତୁମର ବଶ୍ୟତା ସ୍ୱୀକାର କରିଥିଲେ । କିନ୍ତୁ ଏବେ ସମୟ ଢେର ବଦଳି ସାରିଛି । ଏହା ଭିତରେ ତୁମ ଶତୃର କ୍ଷମତା ବେଶ ବୃଦ୍ଧି ହୋଇସାରିଛି । ତୁମମାନଙ୍କର ପୂର୍ବର ବଳ ସଂକୁଚିତ ହୋଇସାରିଛି । ରାଜ୍ୟ ଲାଭ ତୁମର ଏକମାତ୍ର ଉଦ୍ଦେଶ୍ୟ ହୋଇଥିଲେ ତୁମେ ଯୁଦ୍ଧ ନକରି ଏତେ ବର୍ଷ କାହିଁକି ଅବା ଅପେକ୍ଷା କରିଥିଲ?’

‘ହେ ଯୁଧିଷ୍ଠିର! ଯୁଦ୍ଧରେ ଜିତିବା କିଛି ବଡ଼ କଥା ନୁହେଁ। ବଡ଼ କଥା ହେଲା ଶାନ୍ତି ପାଳନ କରିବା । ଶାନ୍ତିର ରାସ୍ତା ହିଁ କାମ୍ୟ ହେବା ଉଚିତ । ମୋର ଆଶା ଧର୍ମ ବିଷୟରେ ଅଧିକ ଜାଣିଥିବା ଶ୍ରୀକୃଷ୍ଣ ତୁମକୁ ନିଶ୍ଚୟ ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପରାମର୍ଶ ଦେବେ। ମୋର ଏତିକି ଅନୁରୋଧ ତୁମେ କୌଣସି ପରିସ୍ଥିତରେ ଧର୍ମ ଓ ଶାନ୍ତିର ପଥ ଛାଡିବ ନାହିଁ । ସାମାନ୍ୟ ରାଜ୍ୟ ଓ ଧନ ପାଇଁ ନିଜର ଜ୍ଞାତି ପରିଜନଙ୍କ ସହ ଯୁଦ୍ଧ କରିବ ନାହିଁ ।’

ଏଥର ଯୁଧିଷ୍ଠିରଙ୍କୁ କିଛି ବି ଅବୁଝା ରହିଲାନି ଯେ ଏତେ ସମୟ ଧରି ହସ୍ତିନାପୁରର ଦୂତ ହେଇ ଆସିଥିବା ସଞ୍ଜୟ ପ୍ରକୃତରେ କ'ଣ କହିବାକୁ ଚେଷ୍ଟା କରୁଛନ୍ତି । ସବୁ କିଛି ବୁଝିସାରିଲା ପରେ ଯୁଧିଷ୍ଠିର କହିଲେ, ‘ହେ ତାତ! ଆପଣ ଯାହା ଯାହା କହିଲେ ମୁଁ ସେ ସବୁକଥା ବୁଝିଲି । ଧର୍ମର ରାସ୍ତା ସବୁବେଳେ ଶ୍ରେୟସ୍କର ଏ କଥା ମୁଁ ଜାଣିଛି । ଆମେ  କେବେ ବି ଧର୍ମରାସ୍ତାର ବିରୁଦ୍ଧାଚରଣ କରିନୁ କି କେବେବି କରିବୁନି । ଆମର ଓ ଆମ ପୂର୍ବପୁରୁଷଙ୍କ ଧର୍ମ ହେଲା କ୍ଷତ୍ରୀୟ ଧର୍ମ । ତେଣୁ ଆମେ ନିଶ୍ଚୟ କ୍ଷତ୍ରୀୟ ଧର୍ମ ପାଳନ କରିବୁ । ଆମେ ସନ୍ୟାସୀ ନୁହେଁ ଯେ ସନ୍ୟାସଧର୍ମ ପାଳନ କରିବୁ । ଶ୍ରୀକୃଷ୍ଣ ସମସ୍ତ ଧର୍ମ ବିଷୟରେ ଜ୍ଞାନ ରଖନ୍ତି । ସେ ସବୁବେଳେ ଆମମାନଙ୍କୁ ଉଚିତ ପରାମର୍ଶ ଦିଅନ୍ତି । ଆଜି ବି ଆମେ ତାଙ୍କ ପରାମର୍ଶକୁ ଗ୍ରହଣ କରିବୁ ।’

ଏତିକି କହି ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ଆଡକୁ ଚାହିଁଲେ ।
ଏତେ ସମୟ ଧରି ସଞ୍ଜୟ ଓ ଯୁଧିଷ୍ଠିରଙ୍କ କଥାବାର୍ତ୍ତା ଶୁଣି ଚୁପ୍ ଥିବା ଶ୍ରୀକୃଷ୍ଣ କହିବାକୁ ଆରମ୍ଭ କଲେ । କହିଲେ, ‘ହେ ସଞ୍ଜୟ! ମୁଁ ଉଭୟ ପାଣ୍ଡବ ଓ କୌରବଙ୍କର ମଙ୍ଗଳ କାମନା କରେ । ଯଦି କୌଣସି ପ୍ରକାରେ ସେମାନେ ଉଭୟେ ଯୁଦ୍ଧର ରାସ୍ତା ଛାଡି ଶାନ୍ତିରେ ରହିପାରନ୍ତେ ତେବେ ମୋ ଠାରୁ ହୁଏତ ଅଧିକ ଖୁସି ଆଉ କେହି ହୁଅନ୍ତାନି। ପାଣ୍ଡବମାନେ ସବୁବେଳେ ଶାନ୍ତିପ୍ରିୟ। ସେମାନେ କେବେ ବି ଧର୍ମପଥ ତ୍ୟାଗ କରିନାହାଁନ୍ତି, ଭବିଷ୍ୟତରେ ମଧ୍ୟ କରିବେ ନାହିଁ । ସେଥିପାଇଁ ରାଜା ଯୁଧିଷ୍ଠିର ସନ୍ଧି ପ୍ରସ୍ତାବ ହସ୍ତିନାଦରବାରକୁ ଦୂତ ହାତରେ ପ୍ରେରଣ କରିଥିଲେ ।

କଥା ହେଲା କପଟ ପନ୍ଥାରେ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ଦେଶ ଛଡାଇ ନେଇ ସେମାନଙ୍କୁ ବଣକୁ ପଠାଇଥିଲା । ଏବେ ସର୍ତ୍ତ ମୁତାବକ ସେ ପାଣ୍ଡବଙ୍କ ଦେଶ ସେମାନଙ୍କୁ ଫେରାଇ ଦେବା ଉଚିତ । ଏ କଥା କ'ଣ ରାଜା ଧୃତରାଷ୍ଟ୍ର ଜାଣିନାହାଁନ୍ତି କି? ସବୁ ତ ତାଙ୍କ ସାମ୍ନାରେ ତାଙ୍କ ଜ୍ଞାତସାରରେ ଘଟିଛି । କିନ୍ତୁ ପୁତ୍ର ସ୍ନେହରେ ଅନ୍ଧ ରାଜା ସବୁ ଜାଣି ଅଜଣା ରହୁଛନ୍ତି । ଧର୍ମ ଅନୁସାରେ ଯିଏ ପରର ଧନକୁ ଚୋର କି ଡକାୟତ ପରି ଅପହରଣ କରେ ତାକୁ ଦଣ୍ଡ ସ୍ୱରୂପ ହତ୍ୟା କରାଯିବା ଉଚିତ । ପାଣ୍ଡବମାନେ କ୍ଷତ୍ରୀୟ କୁଳରେ ଜନ୍ମ ନେଇଛନ୍ତି ।

ପରିସ୍ଥିତି ଅନୁସାରେ ସେମାନେ ନିଶ୍ଚୟ ସେମାନଙ୍କ କ୍ଷତ୍ରୀୟ ଧର୍ମ ପାଳନ କରିବେ । ହେ ସଞ୍ଜୟ! ଦୁର୍ଯ୍ୟୋଧନ ହେଉଛି କ୍ରୋଧ, ଦ୍ୱେଷ, ଈର୍ଷା, ଅସୂୟା ଆଦି ନିକୃଷ୍ଟ ଗୁଣ ଯୁକ୍ତ ଏକ ମହାବୃକ୍ଷ । କର୍ଣ୍ଣ ସେ ଗଛର ଗଣ୍ଡି । ତା'ର ଶାଖା ହେଉଛି ଶକୁନି ଓ ଦୁଃଶାସନ ସେ ଗଛର ବିଷାକ୍ତଫଳ । ପୁତ୍ରପ୍ରେମରେ ଅନ୍ଧ ରାଜା ଧୃତରାଷ୍ଟ୍ର ସେ ଗଛର ମୂଳ । କିନ୍ତୁ ଯୁଧିଷ୍ଠିର ଏକ ଧର୍ମବୃକ୍ଷ । ଅର୍ଜୁନ ସେ ଗଛର ଗଣ୍ଡି । ଭୀମସେନ ତା'ର ଶାଖା । ନକୁଳ ଓ ସହଦେବ ତା'ର ଫଳ ଫୁଲ । ଧର୍ମ ତା'ର ମୁଳ ।’

‘ହେ ସଞ୍ଜୟ! ଧୃତରାଷ୍ଟ୍ରଙ୍କ ପୁଅମାନେ ଲତା ପରି ଓ ପଣ୍ଡୁପୁତ୍ରମାନେ ହେଲେ ଶାଳବୃକ୍ଷ ପରି । ମହାବୃକ୍ଷକୁ ଆଶ୍ରୟ ନକଲେ ଲତା ତିଷ୍ଠି ରହିପାରିବନି । ତୁମେ ହସ୍ତିନାର ରାଜଦରବାରରେ କହିବ ଯେ ପଣ୍ଡୁ ପୁତ୍ରମାନେ ଶାନ୍ତି ପାଳନ କରିପାରନ୍ତି କିନ୍ତୁ ଦରକାର ପଡିଲେ ଅନ୍ୟାୟ ବିରୁଦ୍ଧରେ ଧର୍ମରକ୍ଷା ପାଇଁ ଯୁଦ୍ଧ ବି କରିପାରନ୍ତି । ଏବେ ରାଜା ଧୃତରାଷ୍ଟ୍ର ଯାହା ଉଚିତ ମନେ କରିବେ ସେହିପରି ନିଷ୍ପତ୍ତି ନେବେ ।’

ଶ୍ରୀକୃଷ୍ଣ କହିସାରିଲା ପରେ ଯୁଧିଷ୍ଠିର ସଞ୍ଜୟଙ୍କ ଉଦ୍ଦେଶ୍ୟରେ କହିଲେ, ‘ହେ ତାତ! ଆପଣ ରାଜା ଧୃତରାଷ୍ଟ୍ରଙ୍କୁ କହିବ ଯେ ଏକଦା ତାଙ୍କର ସ୍ନେହ, ଭଲପାଇବା ଓ ଉଦାରତା ପାଇଁ ଆମେମାନେ ଆମ ପ୍ରାପ୍ୟ ପୈତୃକ ସମ୍ପତ୍ତିରୁ ଭାଗ ପାଇଥିଲୁ । ଆମେ ଆଜିବି ସେଇ ସ୍ନେହ ଓ ଭଲପାଇବା ଭିକ୍ଷା କରୁଛୁ । ଆମେ ଶାନ୍ତିପ୍ରେମୀ, ତେଣୁ ଶାନ୍ତି କାମନା କରୁଛୁ। ହଁ ପିତାମହ ଭୀଷ୍ମଙ୍କୁ ଆମର ସମ୍ମାନ ଜଣାଇ କହିବେ, ସେ ଥରେ ବୁଡିଯିବାକୁ ବସିଥିବା କୁରୁକୂଳକୁ ଉଦ୍ଧାର କରିଥିଲେ ।

ଆଜି ପୁଣି ଥରେ ସେପରି କିଛି ପରିସ୍ଥିତି ଆସି ପହଞ୍ଚିଛି । ତାଙ୍କ ବଂଶଧରମାନେ କେମିତି ଶାନ୍ତିରେ ରହିପାରିବେ ସେ ବ୍ୟବସ୍ଥା ସେ କରନ୍ତୁ । ହେ ସଞ୍ଜୟ! ତାପରେ କୁରୁ ସିଂହାସନର ଅନୁଗତ ପରାମର୍ଶଦାତା ମହାନ ବିଦୂରଙ୍କୁ ନିଶ୍ଚୟ କହିବ ଯେ ଧୃତରାଷ୍ଟ୍ରଙ୍କ ପୁତ୍ର ଓ ପଣ୍ଡୁଙ୍କ ପୁତ୍ରମାନେ କେମିତି ବିନା ଯୁଦ୍ଧ ଓ ରକ୍ତପାତରେ ଶାନ୍ତିରକ୍ଷା ହୋଇପାରିବେ ସେପରି ପରାମର୍ଶ ହସ୍ତିନାର ଅନ୍ଧରାଜାଙ୍କୁ ଦେବେ । ରାଜସଭାରେ ଉପସ୍ଥିତ ଥିବା ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ, ଅଶ୍ଵତ୍ଥାମା ଆଦି ବୀରଙ୍କୁ ଆମର ଯଥାମାନ୍ୟ ପ୍ରଣାମ ଜଣାଇବ । ମୁଁ ସେମାନଙ୍କର ସମସ୍ତଙ୍କର ମଙ୍ଗଳ କାମନା କରୁଥିଲି ବୋଲି ଜଣାଇବ ।  

ଶେଷରେ ଦୁର୍ଯ୍ୟୋଧନଙ୍କୁ କହିବେ ସେ ବିଭିନ୍ନ ସମୟରେ ପାଣ୍ଡବମାନଙ୍କୁ ଅନେକ ପ୍ରକାର ଦୁଃଖ, କଷ୍ଟ ଓ ଅପମାନ ଦେଇଛନ୍ତି । ପାଣ୍ଡବଙ୍କ କୁଳବଧୂକୁ ଭରା ସଭାରେ ଅପମାନିତ ଓ ଅପଦସ୍ତ କରିଛନ୍ତି । କପଟ କରି ପଶା ଖେଳରେ ଆମମାନଙ୍କୁ ବନବାସକୁ ପଠାଇଛନ୍ତି । ଧର୍ମର ପଥରେ ଥିବା ପାଣ୍ଡବମାନେ କେବେ ବି ଯୁଦ୍ଧର ରାସ୍ତା ଅପଣାଇନାହାଁନ୍ତି । ବରଂ ଦରକାର ବେଳେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ପାଣ୍ଡବମାନେ ଯୁଦ୍ଧ ଚାହୁଁ ନାହାଁନ୍ତି । ଭଲରେ ଭଲରେ ସେମାନଙ୍କ ରାଜ୍ୟ ସେମାନଙ୍କୁ ଫେରାଇଦେଲେ ସବୁକିଛି ଭଲରେ ଭଲରେ ସମାଧାନ ହୋଇଯିବ।

ପୂରା ରାଜ୍ୟ ଯଦି ଦେବାକୁ ଚାହୁଁନାହାଁନ୍ତି, ତେବେ ସେମାନେ ଆମ ପାଞ୍ଚ ଭାଇଙ୍କୁ କେବଳ ପାଞ୍ଚୋଟି ଗାଁ ଦିଅନ୍ତୁ। କୃଶସ୍ଥଳ, ବୃକସ୍ଥଳ, ମାକନ୍ଦୀ, ବାରଣାବତ ଓ ତା' ସହ ଅନ୍ୟ ଯେ କୌଣସି ଗ୍ରାମ ହେଲେବି ଚଳିବ ।’

‘ହେ ସଞ୍ଜୟ ଆମେ ଆଦୌ ଯୁଦ୍ଧ ଚାହୁଁନାହିଁ । ନିଜ ଆତ୍ମୀୟ ଓ ପରିଜନଙ୍କ ଭିତରେ ଅଯଥାରେ ରକ୍ତପାତ ଚାହୁଁନାହୁଁ । କିନ୍ତୁ ଶାନ୍ତିର ରାସ୍ତାରେ କିଛି ସମାଧାନ ନହେଲେ ଆମେ ଯୁଦ୍ଧର ରାସ୍ତା ଆପଣାଇବାକୁ କେବେ ବି ପଛେଇବୁନି । ଦୁର୍ଯ୍ୟୋଧନଙ୍କୁ ନିଶ୍ଚୟ କହିବ ଯେ ତାଙ୍କ ପାଖରେ ବହୁତ ବଳବାନ ବୀର ଯୋଦ୍ଧା ଥାଇପାରନ୍ତି, କିନ୍ତୁ ପାଣ୍ଡବମାନେ ସେମାନଙ୍କ ଧର୍ମବଳରେ ନିଶ୍ଚୟ ସମସ୍ତଙ୍କୁ ସହଜରେ ପରାଜିତ କରିପାରିବେ ।’

ଧୃତରାଷ୍ଟ୍ରଙ୍କ କଥାସବୁ ପାଣ୍ଡବମାନଙ୍କୁ କହିସାରିଲା ପରେ ଯୁଧିଷ୍ଠିର ଓ ଶ୍ରୀକୃଷ୍ଣଙ୍କ କଥା ଶୁଣି ଶେଷରେ ସଞ୍ଜୟ ବିଦାୟ ନେଇ ହସ୍ତିନାପୁରକୁ ଫେରିଗଲେ ।

Mahabharat
Advertisment
Related Articles
Advertisment