Advertisment

Kurukshetra Chronicles: କୁରୁକ୍ଷେତ୍ରରେ କୌରବ, ପାଣ୍ଡଵ ଏବଂ ସଞ୍ଜୟଙ୍କ ଦିବ୍ୟଦୃଷ୍ଟି ଲାଭ କଥା

ଯୁଦ୍ଧ ପାଇଁ କେମିତି ପ୍ରସ୍ତୁତି ଥିଲା ଉଭୟ ପକ୍ଷର?  କେଉଁ ବୀର କେତେଦିନରେ ଯୁଦ୍ଧ ଶେଷ କରି ପାରିବେ ବୋଲି କହିଲେ?  କିଏ ଦିବ୍ୟ ଚକ୍ଷୁ ଦାନ କଲେ ସଞ୍ଜୟଙ୍କୁ ? ଯୁଧିଷ୍ଠିରଙ୍କୁ କ'ଣ କହିଲେ ଅର୍ଜୁନ? ଏଇ ସବୁକଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ  ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ଉଭୟ ପାଣ୍ଡବ ଓ କୌରବ ପକ୍ଷରୁ ଯୁଦ୍ଧର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇସାରିଥିଲା । ଉଭୟ ପକ୍ଷ ପରସ୍ପରର ଶକ୍ତି କଳନା କରିବାକୁ ହିସାବ ନିକାସ କରୁଥା'ନ୍ତି । ସେଦିନ ରାତିରେ ଦୁର୍ଯ୍ୟୋଧନ କୌରବ ପକ୍ଷର ସେନାପତି ପଦରେ ନିଯୁକ୍ତ ହୋଇସାରିଥିବା ପିତାମହ ଭୀଷ୍ମଙ୍କୁ ପଚାରିଲେ, "ହେ ପିତାମହ ! ମୋତେ କୁହନ୍ତୁ ପାଣ୍ଡବଙ୍କ ପକ୍ଷରେ ଏକୁ ଆରକ ବଳି ଯୋଦ୍ଧା ଅଛନ୍ତି ।

Advertisment

ପାଣ୍ଡବ ପାଞ୍ଚ ଭାଇ, ଧୃଷ୍ଟଦ୍ୟୁମ୍ନ, ରାଜା ଦ୍ରୁପଦ ଓ ରାଜା ବିରାଟଙ୍କ ପରି ବୀର ଅଛନ୍ତି । ସେମାନଙ୍କୁ ସହଜରେ କେହି ବି ପରାସ୍ତ କରିପାରିବେନି । କିନ୍ତୁ ମୁଁ ଜାଣିଛି ଆପଣଙ୍କ ଆଗରେ ଏମାନେ କେହି ଘଡ଼ିଏ ବି ଠିଆ ହୋଇପାରିବେନି । ତଥାପି ମୁଁ ଜାଣିବାକୁ ଚାହୁଁଛି ଆପଣଙ୍କୁ ପାଣ୍ଡବ ପକ୍ଷର ବୀରମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କରିବାକୁ କେତେଦିନ ଲାଗିବ?

ଦୁର୍ଯ୍ୟୋଧନଙ୍କ କଥା ଶୁଣି ପିତାମହ ଭୀଷ୍ମ କହିଲେ, "ମୁଁ ପ୍ରତିଦିନ ଦଶ ହଜାର ପଦାତିକ ଯୋଦ୍ଧା ଓ ହଜାରେ ରଥୀଙ୍କୁ ସଂହାର କରିପାରିବି । ସେଇ ଅନୁସାରେ ତୁମେ ହିସାବ କର ଯୁଦ୍ଧ ଶେଷ କରିବାକୁ ମୋତେ କେତେ ଦିନ ଲାଗିବ । କିନ୍ତୁ ମୋ ପାଖରେ ଥିବା ଶତଘାତୀ ଓ ସହସ୍ରଘାତୀ ଦିବ୍ୟାସ୍ତ୍ରକୁ ମୁଁ ଯଦି ପ୍ରୟୋଗ କରେ ତେବେ ମାସକରେ ପାଣ୍ଡବଙ୍କ ସମସ୍ତ ସୈନ୍ୟଙ୍କୁ ହତ୍ୟା କରିପାରିବି।"

Advertisment

ଭୀଷ୍ମଙ୍କ ଉତ୍ତର ପରେ ଦୁର୍ଯ୍ୟୋଧନ ଆଚାର୍ଯ୍ୟ ଦ୍ରୋଣଙ୍କୁ ଚାହିଁ ପଚାରିଲେ, "ହେ ଗୁରୁଦେବ! ଆପଣଙ୍କୁ ଯୁଧିଷ୍ଠିରଙ୍କ ସମସ୍ତ ସୈନ୍ୟଙ୍କୁ ବିନାଶ କରିବାକୁ କେତେଦିନ ଲାଗିବ?" ମୁହଁରେ ସାମାନ୍ୟ ସ୍ମିତ ହାସ ଖେଳାଇ ଦ୍ରୋଣ କହିଲେ ମୋର ବୟସ ହୋଇଗଲାଣି। ତଥାପି ଗଙ୍ଗାପୁତ୍ର ଭୀଷ୍ମଙ୍କ ପରି ମୋତେ ପାଣ୍ଡବମାନଙ୍କ ସୈନ୍ୟଙ୍କୁ ସମୂଳେ ବିନାଶ କରିବାକୁ ମାସୁଟେ ସମୟ ଲାଗିବ।" ତାପରେ ଦୁର୍ଯ୍ୟୋଧନ ପରମ ଆଗ୍ରହରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମହାରଥିମାନଙ୍କୁ ସେଇ ଏକା ପ୍ରଶ୍ନ ପଚାରିଲେ ।

ଦୁର୍ଯ୍ୟୋଧନଙ୍କୁ ଉତ୍ତର ଦେବାକୁ ଯାଇ କୃପାଚାର୍ଯ୍ୟ କହିଲେ ତାଙ୍କୁ ଦୁଇମାସ ଲାଗିବ । କିନ୍ତୁ ଆସ୍ଫାଳନ କରି ଅଶ୍ୱଥାମା କହିଲେ ସେ ମାତ୍ର ଦଶ ରାତିରେ ଓ କର୍ଣ୍ଣ କହିଲେ ସେ ମାତ୍ର ପାଞ୍ଚ ଦିନରେ ସମସ୍ତ ଶତ୍ରୁଙ୍କୁ ସଂହାର କରି ଯୁଦ୍ଧ ଶେଷ କରିଦେବେ।

କର୍ଣ୍ଣଙ୍କ କଥା ଶୁଣି ପିତାମହ ଭୀଷ୍ମ ଅଟ୍ଟହାସ୍ୟ କରି କହିଲେ, ହେ ରାଧାପୁତ୍ର ! ତୁମେ ଯୁଦ୍ଧକ୍ଷେତ୍ରରେ ରଥରେ ବସିଥିବା କୃଷ୍ଣ ଅର୍ଜୁନଙ୍କୁ ଦେଖିନ ବୋଲି ଏପରି କଥା କହୁଛ । ସେ ଦୁହିଁଙ୍କ ପରାକ୍ରମ ଦେଖିଥିଲେ ଏମିତି ବୃଥା ଆସ୍ଫାଳନ କେବେ ବି କରି ନଥା'ନ୍ତ ।"

କୌରବମାନଙ୍କ ଏପରି ଆଲୋଚନା ଓ ମନ୍ତ୍ରଣା ସଂପର୍କରେ ପାଣ୍ଡବଙ୍କ ପାଖରେ ଯାଇ ଗୁପ୍ତଚର କହିଲା । ଖବର ପାଇ ଧର୍ମରାଜ ଯୁଧିଷ୍ଠିର ଚିନ୍ତାରେ ପଡ଼ିଗଲେ । ଚିନ୍ତା ହେବାରୁ ଭାଇମାନଙ୍କୁ ଓ କୃଷ୍ଣଙ୍କୁ ଗୋପନ ମନ୍ତ୍ରଣା କକ୍ଷକୁ ଡାକି ଚର ଆସି ତାଙ୍କୁ ଦେଇଥିବା ଖବର ସମସ୍ତଙ୍କୁ କହିଲେ । ତାପରେ ଅର୍ଜୁନଙ୍କୁ ଚାହିଁଲେ ଓ ପଚାରିଲେ, "ହେ ଫାଲଗୁନି! ତୁମେ ଏ ଯୁଦ୍ଧରେ କେତେ ଦିନରେ ସମସ୍ତ ଶତ୍ରୁଙ୍କୁ ସଂହାର କରିପାରିବ?"

ମହାଦେବ ଦେଇଥିଲେ ଦିବ୍ୟ ଅସ୍ତ୍ର 

ବଡ଼ଭାଇଙ୍କ ପ୍ରଶ୍ନ ଶୁଣି ବୀର ଧନଞ୍ଜୟ ପ୍ରଥମେ ସ୍ମିତ ହସ ସହ ଶ୍ରୀକୃଷ୍ଠଙ୍କୁ ଚାହିଁଲେ । ତାପରେ କହିଲେ, "ହେ ମହାରାଜ! ଆପଣ କୌରବଙ୍କ ମନ୍ତ୍ରଣା ଶୁଣି କିଛି ବିବ୍ରତ ହେବା ଦରକାର ନାହିଁ । ସେମାନେ ସବୁ ମହାତ୍ମା ଓ ଅସ୍ତ୍ର ବିଶାରଦ । କହିଥିବା କଥା ଅନୁସାରେ ଓ ପ୍ରତିଜ୍ଞା ଅନୁସାରେ ଆମ ସୈନ୍ୟମାନଙ୍କୁ ସେମାନେ  ସଂହାର କରିପାରନ୍ତି । କିନ୍ତୁ ଶ୍ରୀକୃଷ୍ଣଙ୍କ ସାହାଯ୍ୟରେ ମୁଁ ନିମିଷକ ମଧ୍ୟରେ କୌରବ ପକ୍ଷର ସମସ୍ତଙ୍କୁ ସଂହାର କରିପାରିବି । କେବଳ କୌରବ ସେନା କାହିଁକି ଚାହିଁଲେ ମୁଁ ସ୍ଥାବର, ଜଙ୍ଗମ, ଭୂତ ଭବିଷ୍ୟତ ଓ ବର୍ତ୍ତମାନ ସହ ତିନି ଭୁବନକୁ ଧ୍ୱଂସ କରିପାରିବି ।

କରାତ ବେଶଧାରୀ ପଶୁପତିଙ୍କ ସହ ମୋର ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ମହାଦେବ ମୋତେ ଯେଉଁ  ଦିବ୍ୟ ଅସ୍ତ୍ର ଦେଇଥିଲେ ତାହା ଏବେବି ମୋ ତୁଣୀରରେ ଅଛି । ମହାପ୍ରଳୟ ସମୟରେ ମହାଦେବ ଏଇ ଅସ୍ତ୍ରକୁ ପ୍ରୟୋଗ କରନ୍ତି । ଏପରି ଦିବ୍ୟ ଅସ୍ତ୍ର ମୋ ପାଖରେ ଅଛି ବୋଲି ଭୀଷ୍ମ, ଦ୍ରୋଣ, କୃପ, ଅଶ୍ୱଥାମା କି କର୍ଣ୍ଣ କେହି ବି କିଛି ଜାଣନ୍ତି ନାହିଁ । କିନ୍ତୁ କଥା ହେଲା ଏପରି ଦିବ୍ୟ ଅସ୍ତ୍ର ପ୍ରୟୋଗ କରି ସାମନ୍ୟ ଲୋକଙ୍କୁ ବିନାଶ କରିବା କିନ୍ତୁ ଉଚିତ ନୁହେଁ ।

ହେ ଧର୍ମରାଜ! ଏପରି ସାମନ୍ୟ ଯୁଦ୍ଧରେ ଏପରି ଦିବ୍ୟ ଅସ୍ତ୍ରକୁ ପ୍ରୟୋଗ କରି ତିନି ସଂସାରରେ ଭୟ ସୃଷ୍ଟି କରିବା ବି ଠିକ୍ ନୁହେଁ । ସହଜ ସରଳ ଯୁଦ୍ଧରେ ମୁଁ କୌରବମାନଙ୍କୁ ପରାସ୍ତ କରିପାରିବି । ଆମ ପକ୍ଷରେ ମଧ୍ୟ ମହାନ ମହାନ ଯୋଦ୍ଧା ଓ ଅସ୍ତ୍ର ବିଶାରଦ ଅଛନ୍ତି। ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ଭୀମସେନ, ନକୁଳ, ସହଦେବ, ମହାବଳ ଘଟୋତ୍କଚ, ସାତ୍ୟକି, ଅଭିମନ୍ୟୁ ଓ ଦ୍ରୌପଦୀଙ୍କ ପାଞ୍ଚ ପୁଅ ଅଛନ୍ତି । ତାପରେ ଆମ ସାଙ୍ଗରେ ସ୍ୱୟଂ ଶ୍ରୀକୃଷ୍ଣ ଥିବା ବେଳେ ଆପଣ କୌଣସି ପ୍ରକାର ଶଙ୍କା ମନକୁ ଆଣିବା ଉଚିତ ନୁହେଁ।"

ପରଦିନ ସକାଳେ ଦୁର୍ଯ୍ୟୋଧନଙ୍କ ସୈନ୍ୟ ସାମନ୍ତମାନେ ସ୍ନାନ ଶୌଚ ହୋଇ ଯୁଦ୍ଧ କ୍ଷେତ୍ରକୁ ବାହାରିଲେ। ପ୍ରଥମରେ ଅବନ୍ତ୍ୟ ଦେଶୀୟ ବିନ୍ଦ ଓ ଅନୁବିନ୍ଦ ଏବଂ ବାହ୍ଲିକମାନେ ଦ୍ରୋଣଙ୍କୁ ଅନୁସରଣ କଲେ । ତା ପଛକୁ ଭୀଷ୍ମ, ଅଶ୍ୱଥାମା, ଗାନ୍ଧାର ରାଜା ଶକୁନି ଓ ଜୟଦ୍ରଥଙ୍କ ସହ ଅନ୍ୟ ରାଜାମାନେ ସେମାନଙ୍କ ସୈନ୍ୟ ଧରି ଚାଲିଲେ । ସେମାନଙ୍କ ପଛରେ କୃତବର୍ମା ଓ ମହାରଥ ତ୍ରିଗର୍ତ୍ତମାନଙ୍କ ଦ୍ୱାରା ବେଷ୍ଟିତ ହୋଇ ଦୁର୍ଯ୍ୟୋଧନ, ଶଲ୍ୟ, ଭୁରିଶ୍ରବା ଓ ଧୃତରାଷ୍ଟ୍ରଙ୍କ ଅନ୍ୟ ପୁଅମାନେ ଚାଲିଲେ । କୌରବ ପକ୍ଷର ସୈନ୍ୟ ସାମନ୍ତଙ୍କ ପାଇଁ ଯୁଦ୍ଧକ୍ଷେତ୍ରର ପାଞ୍ଚ ଯୋଜନ ପରିମିତ ଗୋଲେଇରେ ଶିବିର ସ୍ଥାପନ ହେଲା ।

କୌରବଙ୍କ ପରି ପାଣ୍ଡବ ପକ୍ଷର ସୈନ୍ୟ ସାମନ୍ତଙ୍କୁ ଯୁଧିଷ୍ଠିର ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କଲେ । ଧୃଷ୍ଟଦ୍ୟୁମ୍ନଙ୍କ ପଛରେ ଅଭିମନ୍ୟୁ ଓ ଦ୍ରୌପଦୀଙ୍କ ପାଞ୍ଚ ପୁଅ ରହିଲେ। ତା' ପଛରେ ରହିଲେ ଅର୍ଜୁନ ଓ ଭୀମଙ୍କ ପରି ଯୋଦ୍ଧା । ଶେଷକୁ ଯୁଧିଷ୍ଠିର, ଦ୍ରୁପଦ ଓ ବିରାଟ ଆଦି ରହିଲେ । ଭୀମସେନଙ୍କ ଅଧୀନରେ ରହିଲେ ଦଶ ହଜାର ଘୋଡ଼ା, ଦୁଇ ହଜାର ହାତୀ, ଦଶ ହଜାର ପଦାତିକ ସୈନ୍ୟ, ପାଞ୍ଚ ଶହ ରଥ, ଦ୍ରୌପଦୀଙ୍କ ପାଞ୍ଚ ପୁଅ, ଅଭିମନ୍ୟୁ, ନକୁଳ ଓ ସହଦେବଙ୍କ ପରି ଯୋଦ୍ଧା ।

ଅନେକ ଯୁଦ୍ଧ ବିଶାରଦ ସୈନିକ, ପାଞ୍ଚଶ ହାତୀ ଓ ପାଞ୍ଚଶ ରଥରେ ପରିବେଷ୍ଟିତ ହୋଇ କୃଷ୍ଣ ଅର୍ଜୁନଙ୍କ ରଥ ଆଗକୁ ଗଡ଼ିଲା । ସମସ୍ତଙ୍କ ଆଗରେ ଓ ପଛରେ ଶହ ଶହ ସଂଖ୍ୟାରେ କାର୍ମୁକ, ଖଣ୍ଡା ଓ ଗଦାଧାରୀ ମହାପରାକ୍ରମୀ ପଦାତିକ ସୈନ୍ୟ ଚାଲିଥା'ନ୍ତି ।

ଦୁଇ ପକ୍ଷର ସୈନ୍ୟମାନଙ୍କ ସମାଗମ କୁରୁକ୍ଷେତ୍ରରେ ହୋଇସାରିଥିଲା । ଭାରତ ବର୍ଷରେ ଯେତେ ରାଜା ଥିଲେ ସମସ୍ତେ ଯୁଦ୍ଧରେ ଯୋଗ ଦେବାକୁ ସେଠାରେ ଉପସ୍ଥିତ ହୋଇସାରିଥିଲେ । ଦୁର୍ଯ୍ୟୋଧନଙ୍କ ପାଖରେ ପାଣ୍ଡବମାନଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ସୈନ୍ୟ ଥିଲେ । କୁରୁକ୍ଷେତ୍ରରେ ସୈନ୍ୟମାନଙ୍କ ସମାଗମ ସମୁଦ୍ର ପରି ମନେହେଉଥିଲା । ସେମାନଙ୍କର ହର୍ଷ, ଶଙ୍ଖ ଓ ଭେରୀ ନାଦରେ ଚର୍ତୁଦିଗ କମ୍ପମାନ ହେଉଥିଲା ।

ଯୁଦ୍ଧ ପୂର୍ବରୁ ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ ନ୍ୟାୟପୂର୍ଣ୍ଣ ଭାବରେ ଯୁଦ୍ଧ ହେବ । କେହି ଛଳ ପ୍ରୟୋଗ କରିବେନି । ରଥୀ ସହ ରଥୀ, ଗଜାରୋହୀ ସହ ଗଜାରୋହୀ, ଅଶ୍ୱାରୋହୀ ସହ ଅଶ୍ୱାରୋହୀ, ପଦାତିକ ସହ ପଦାତିକ ଯୁଦ୍ଧ କରିବେ । ସାରଥି, ବାହନ, ଅସ୍ତ୍ରବାହୀ, ଭେରୀ ଓ ଶଙ୍ଖ ଆଦି ବଜାଉଥିବା ବାଦ୍ୟକାରଙ୍କୁ କେହି ଆଘାତ କରିବେନି।

ଯୁଦ୍ଧ ଆରମ୍ଭ ପୂର୍ବରୁ ବ୍ୟାସ ଦେବ ଆସି ରାଜା ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚିଲେ । କହିଲେ, "ପୁଅ, କୌରବ ଓ ପାଣ୍ଡବମାନେ ଏବେ କୁରୁକ୍ଷେତ୍ରରେ ପରସ୍ପରକୁ ବିନାଶ କରିବାକୁ ସାମ୍ନାସାମ୍ନି ହୋଇ ଛିଡ଼ା ହୋଇଛନ୍ତି । କାଳର କବଳରେ ପଡ଼ି ସେମାନେ ବିନାଶ ଯିବେ। ସେଥିପାଇଁ ତୁମେ ଶୋକ କରିବା ଉଚିତ୍ ନୁହେଁ । ଯଦି ଚାହିଁବ ତେବେ ତୁମକୁ ମୁଁ ଦିବ୍ୟ ଚକ୍ଷୁ ଦାନ କରିପାରିବି । ତୁମେ ଏଇଠି ବସି କୁରୁକ୍ଷେତ୍ରର ସମସ୍ତ ଯୁଦ୍ଧକୁ ସହଜରେ ଦେଖିପାରିବ ।"

ସଞ୍ଜୟଙ୍କୁ ଦିବ୍ୟ ଚକ୍ଷୁ ଦାନ

ରାଜା ଧୃତରାଷ୍ଟ୍ର କହିଲେ, "ହେ ଋଷି ଶ୍ରେଷ୍ଠ, ମୁଁ ମୋ ବଂଶର ବିନାଶ ଦେଖିପାରିବିନି । ଆପଣଙ୍କ ଆଶୀର୍ବାଦରେ ମୁଁ ଯୁଦ୍ଧର ସମସ୍ତ ଘଟଣାର ବର୍ଣ୍ଣନା କେମିତି ଶୁଣିପାରିବି ସେ ବ୍ୟବସ୍ଥା କରନ୍ତୁ ।" ଧୃତରାଷ୍ଟ୍ରଙ୍କ ଅନୁରୋଧ ପରେ ବ୍ୟାସ ଦେବ ସଞ୍ଜୟଙ୍କୁ ଦିବ୍ୟ ଚକ୍ଷୁ ଦାନ କଲେ । କଥା ହେଲା ସଞ୍ଜୟ ଧୃତରାଷ୍ଟ୍ରଙ୍କ ପାଖରେ ବସି କୁରୁକ୍ଷେତ୍ର ଯୁଦ୍ଧର ସମସ୍ତ ଘଟଣା ବର୍ଣ୍ଣନା କରି କହିବେ, ଧୃତରାଷ୍ଟ୍ର ଶୁଣିବେ ।

ଯୁଦ୍ଧ ପୂର୍ବରୁ ସମଗ୍ର ଦେଶରେ କ'ଣ କ'ଣ ଅଶୁଭ ଶକୁନ ସବୁ ଦେଖାଯାଉଛି ତା'ର ବର୍ଣ୍ଣନା କରିସାରି ରାଜା ଧୃତରାଷ୍ଟ୍ରଙ୍କୁ ଆଶୀର୍ବାଦ ଦେଇ ବ୍ୟାସଦେବ ବିଦାୟ ନେଇ ଚାଲିଗଲେ । ତାପରେ ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପୂରା ପୃଥିବୀର ବିଭିନ୍ନ ଦ୍ୱୀପ ଓ ଭାରତ ବର୍ଷର ବର୍ଣ୍ଣନା କରିବାକୁ କହିବାରୁ ସେ ବର୍ଣ୍ଣନା ଆରମ୍ଭ କଲେ ।

ସଞ୍ଜୟଙ୍କ ବର୍ଣ୍ଣନା ଶୁଣି ସାରିଲା ପରେ ଧୃତରାଷ୍ଟ୍ର ଚାହିଁଲେ କୁରୁକ୍ଷେତ୍ରର ବର୍ଣ୍ଣନା ଶୁଣିବାକୁ । ତାଙ୍କ ପୁଅମାନେ ଓ କୌରବ ପକ୍ଷର ଅନ୍ୟ ବୀରମାନେ କ'ଣ କରୁଛନ୍ତି । ପୁଣି କ'ଣ କରୁଛନ୍ତି ତାଙ୍କ ସାନ ଭାଇ ପଣ୍ଡୁଙ୍କର ପୁଅମାନେ । କେମିତି ଚାଲିଛି ଯୁଦ୍ଧର ପ୍ରସ୍ତୁତି । କିଏ କାହା ପକ୍ଷରେ ଅଛନ୍ତି । କିଏ କ'ଣ କରୁଛନ୍ତି ।

ଧୃତରାଷ୍ଟ୍ରଙ୍କ ଆଗ୍ରହ ଦେଖି ସଞ୍ଜୟ ହସ୍ତିନାପୁରର ରାଜପ୍ରାସାଦରେ ଥାଇ ତାଙ୍କ ଦିବ୍ୟଚକ୍ଷୁ ସାହାଯ୍ୟରେ କୁରୁକ୍ଷେତ୍ରକୁ ଦେଖିବାକୁ ଲାଗିଲେ ଓ ରାଜା ଧୃତରାଷ୍ଟ୍ରଙ୍କୁ ସମସ୍ତ ଦୃଶ୍ୟ ବର୍ଣ୍ଣନା କରିବାକୁ ଲାଗିଲେ।

Mahabharat Mahabharat Story
Advertisment
Related Articles
Advertisment