Advertisment

A Mother’s Plea, A Warrior’s Oath: କୁନ୍ତୀ ଓ କର୍ଣ୍ଣ ସମ୍ବାଦ ଏବଂ ପାଣ୍ଡବଙ୍କ ସେନାପତି ଚୟନ କଥା

ପାଣ୍ଡବମାନଙ୍କ ପାଖକୁ ଫେରି କୃଷ୍ଣ ଦୁର୍ଯ୍ୟୋଧନ ବିଷୟରେ କ'ଣ ସବୁ କହିଲେ? କର୍ଣ୍ଣ କ'ଣ କହି କୁନ୍ତୀଙ୍କ ପ୍ରସ୍ତାବରେ ରାଜି ହେଲେନି?  କୁନ୍ତୀଙ୍କ ଆଗରେ କ'ଣ ଶପଥ କଲେ କର୍ଣ୍ଣ?  କିଏ ହେଲେ ପାଣ୍ଡବଙ୍କ ସେନାପତି?  ଏଇ ସବୁ କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ଦୁର୍ଯ୍ୟୋଧନକୁ ବୁଝାଇବାରେ କୃଷ୍ଣ ଅସଫଳ ହେଇ ଉପପ୍ଲବ୍ୟ ନଗରୀକୁ ଫେରିଗଲେ । ଗଲାବେଳେ କର୍ଣ୍ଣଙ୍କୁ ପ୍ରସ୍ତାବ ଦେଲେ ଯେ ସେ କୌରବଙ୍କ ପକ୍ଷ ଛାଡ଼ି ପାଣ୍ଡବମାନଙ୍କ ଶିବିରରେ ଯୋଗ ଦିଅନ୍ତୁ । କୁନ୍ତୀ ମଧ୍ୟ କର୍ଣ୍ଣଙ୍କୁ ଭେଟି ସେଇ ଏକା ପ୍ରସ୍ତାବ ଦେଲେ । କର୍ଣ୍ଣଙ୍କ ବାପା ସୂର୍ଯ୍ୟଦେବ ଆକାଶବାଣୀ କରି କହିଲେ, "ପୁଅ! ତୁମେ ତୁମ ମାଆ କୁନ୍ତୀଙ୍କ କଥା ଶୁଣ ଓ ସେ ଯାହା କହୁଛନ୍ତି ମାନ । ସେଥିରେ ତୁମର ମଙ୍ଗଳ ହେବ ।"

Advertisment

କର୍ଣ୍ଣ କିନ୍ତୁ କୃଷ୍ଣ, କୁନ୍ତୀ ଓ ସୂର୍ଯ୍ୟଦେବଙ୍କ ପ୍ରସ୍ତାବ ଶୁଣି ଆଦୌ ବିଚଳିତ ହେଲେନି । ନିଜର କର୍ତ୍ତବ୍ୟ ନେଇ ସେ ସ୍ଥିର ନିଶ୍ଚିତ ଥିଲେ । ଅଳ୍ପ ସମୟ ନୀରବ ରହି କର୍ଣ୍ଣ ଧୀର ଓ ଶାନ୍ତ ସ୍ୱରରେ କହିଲେ, ‘ମାଆ! ତୁମେ ଯାହା କହୁଛ ତାହା ଆଦୌ ଧର୍ମାନୁମୋଦିତ ନୁହେଁ । କ୍ଷତ୍ରୀୟ କୁଳରେ ଜନ୍ମ ହେଇଥିଲେ ମଧ୍ୟ ମୁଁ କ୍ଷତ୍ରୀୟର ପରିଚୟ ପାଇନି । ମୋର ସଂସ୍କାର କ୍ଷତ୍ରୀୟ ବିଧି ବିଧାନରେ ହେଇନାହିଁ ।

ତୁମେ ପିଲାଦିନରୁ ଅତି ନିର୍ଦ୍ଦୟ ଭାବରେ ମୋତେ ପରିତ୍ୟାଗ କରିଛ । ଅସହାୟ ଶିଶୁ ଥିବା ସମୟରେ ମୋତେ ନଦୀକୁ ଫିଙ୍ଗିଦେଇଛ । ପରେ କେବେବି ସାମନ୍ୟ ସ୍ନେହ ଶ୍ରଦ୍ଧା କି ଆଦର ଦେଖାଇନ । ମୋର ପରିଚୟ ଜାଣି ଜାଣି ସମାଜ ଆଖିରୁ ଲୁଚେଇ ରଖିଛ । ଏବେ ନିଜର ଅନ୍ୟ ପୁଅମାନଙ୍କ ସୁବିଧା ପାଇଁ ଓ ସେମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ମୋତେ ପୁଅ ବୋଲି ସ୍ୱୀକାର କରି ଡାକିବାକୁ ଆସିଛ ।

Advertisment

କିନ୍ତୁ ମାଆ, ମୋତେ ସାନ ବେଳୁ ନଦୀରୁ ତୋଳି ଆଣି ମୋର ଜୀବନ ରକ୍ଷା କରି, ମୋତେ ଆଦର, ସ୍ନେହ ସହ ଲାଳନ ପାଳନ କରିଥିବା ବାପା ମାଆଙ୍କୁ ପରିତ୍ୟାଗ କାହିଁକି କରିବି? ସଂସାର ଜାଣିଛି ରାଧା ମୋର ମାଆ ଓ ଅଧୀରଥ ମୋର ବାପା । ମୁଁ ସୂତପୁତ୍ର ଭାବରେ ପରିଚୟ ପାଇଛି ଓ ସେଇ ପରିଚୟରେ ମୁଁ ଗର୍ବ ଅନୁଭବ କରୁଛି । ତୁମ କଥାରେ ଲୋଭରେ ପଡ଼ି ମୁଁ କ୍ଷତ୍ରୀୟ କୁଳକୁ ଗଲେ ଲୋକେ ମୋତେ ଅଧିକ ସମ୍ମାନ ଦେବେନି ବରଂ ଅପମାନିତ କରିବେ ।

କେହି ମୋର ଶକ୍ତି ସାମର୍ଥ୍ୟକୁ ଗୁରୁତ୍ୱ ଦେଇନଥିବା ବେଳେ, ସୂତପୁତ୍ର କହି ଅପମାନିତ କରୁଥିବା ବେଳେ ଦୁର୍ଯ୍ୟୋଧନ ମୋତେ ସଖା ଭାବରେ ଆଦର କରିଛନ୍ତି । ମୋତେ ଅଙ୍ଗ ଦେଶର ରାଜା କରାଇଛନ୍ତି । ସମସ୍ତ ସୁଖ ସମ୍ମାନ ଭେଟି ଦେଇଛନ୍ତି । ରାଜା ଧୃତରାଷ୍ଟ୍ରଙ୍କ ଅନ୍ୟ ପୁଅମାନେ ମୋତେ ଜଣେ ବୀରର ସମ୍ମାନ ଦେଇଛନ୍ତି । ଏବେ ଯୁଦ୍ଧର ସମୟ । ଦୁର୍ଯ୍ୟୋଧନ ମୋ ସାହସରେ ଯୁଦ୍ଧ କରିବାକୁ ବାହାରିଛନ୍ତି । ଏବେ ତାଙ୍କୁ କେମିତି ଅବା ତ୍ୟାଗ କରିପାରିବି?

ସାହାଯ୍ୟ ସହଯୋଗର ଭରସା ଦେଇସାରି ଲୋଭରେ ମୁଁ ପକ୍ଷ ବଦଳାଇଲେ ସମସ୍ତେ ମୋତେ ଭୀରୁ, କୃତଘ୍ନ ଓ ବିଶ୍ୱାସଘାତକ କହିବେ । ମୋ ବୀରତ୍ୱର ଆଉ କିଛି ଗୁରୁତ୍ୱ ରହିବନି । ମୁଁ ଆପଣଙ୍କ କଥାରେ ପାଣ୍ଡବମାନଙ୍କ ପକ୍ଷକୁ ଯିବା ମାନେ ସମସ୍ତେ ଭାବିବେ କର୍ଣ୍ଣ ମରଣକୁ ଭୟ କରି ପକ୍ଷ ବଦଳାଇଲା । ଯେଉଁ ଧୃତରାଷ୍ଟ୍ରଙ୍କ ଅନ୍ନରେ ମୁଁ ପ୍ରତିପାଳିତ ତାଙ୍କ ପ୍ରତି ମୋର ପ୍ରତିଦାନ କ'ଣ ବିପଦ ସମୟରେ ବିଶ୍ୱାସଘାତକତା କରିବା?

ବିଶ୍ୱାସଘାତକର କଳଙ୍କ ଲଗାଇବିନି

ପୂର୍ବରୁ କେହି କେବେ ଜାଣିନଥିଲେ ମୁଁ ପାଣ୍ଡବମାନଙ୍କ ବଡ଼ ଭାଇ । ଏବେ ଜାଣିଲେ ଲୋକେ କେତେ ପ୍ରକାର କଥା କହିବେ । ମାଆ ତୁମ ଆଗରୁ କୃଷ୍ଣ ମଧ୍ୟ ସମାନ ପ୍ରସ୍ତାବ ମୋତେ ଦେଇଛନ୍ତି । ତାଙ୍କୁ ବି ମୁଁ ମନା କରିସାରିଛି । ମୁଁ ନା ଯୁଦ୍ଧକୁ ଭୟ କରୁଛି ନା ମରଣକୁ । କିନ୍ତୁ ନିଜ ନାମରେ ମୁଁ ବିଶ୍ୱାସଘାତକର କଳଙ୍କ ଲାଗିବାକୁ ଦେବି ନାହିଁ ।

ମାଆ! ପାଣ୍ଡବମାନଙ୍କ ସହ ଦୁର୍ଯ୍ୟୋଧନର ଶତ୍ରୁତା ପଛରେ ମୋର ସମର୍ଥନ ରହିଛି । କୌରବମାନଙ୍କ ପକ୍ଷରୁ ପାଣ୍ଡବମାନଙ୍କ ସହ ପୂର୍ବରୁ ମୁଁ ଯୁଦ୍ଧ ବି କରିସାରିଛି । ଏତେ କଥା ସବୁ ଭୁଲି ମୁଁ ଏବେ ପାଣ୍ଡବ ଭାଇମାନଙ୍କ ବଡ଼ଭାଇ ହେଇପାରିବିନି । ମୋତେ କ୍ଷମା କରନ୍ତୁ ମାଆ, ମୁଁ ତୁମର ପ୍ରସ୍ତାବ ଗ୍ରହଣ କରିପାରିବିନି । ବୀର ପୁତ୍ରମାନଙ୍କ ଜନନୀ ଭାବରେ ବରଂ ମୋତେ ଆଶୀର୍ବାଦ କରନ୍ତୁ ଯେମିତି ମୁଁ ମୋ ପଥରେ ଅବିଚଳିତ ରହିପାରିବି । ମୁଁ ମୋର ସମସ୍ତ ଶକ୍ତି ଓ ସାମର୍ଥ୍ୟର ସହ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଠିଆ ହେବି ।

ଯାହା ବି ହେଉ ତୁମେ ଆସି କର୍ଣ୍ଣକୁ କିଛି ମାଗିଛ । କର୍ଣ୍ଣ କାହାକୁ ଖାଲି ହାତରେ କେବେ ଫେରାଇ ଦିଏନି । ମୁଁ ଆଜି ପ୍ରତିଜ୍ଞା କରି କହୁଛି ପାଣ୍ଡବମାନଙ୍କ ଭିତରୁ ମୁଁ କେବଳ ଅର୍ଜୁନ ସହ ଯୁଦ୍ଧ କରିବି । ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବ ବଧର ଯୋଗ୍ୟ ହେଲେ ମଧ୍ୟ ସେମାନଙ୍କୁ ସୁଯୋଗ ଆସିଲେ ବି ବିନାଶ କରିବିନି ।

ମୁଁ ଅର୍ଜୁନକୁ ହତ୍ୟା କଲେ ଯଶପ୍ରାପ୍ତ କରିବି ଅବା ଅର୍ଜୁନ ହାତରେ ହତ ହେଲେ ବି ଯଶ ପ୍ରାପ୍ତ ହେବି । ଏ ଯୁଦ୍ଧ ସରିଲା ବେଳକୁ ମୁଁ ଥିବି ଅଥବା ଅର୍ଜୁନ ଜୀବିତ ଥିବ । ତୁମେ ଡେରିରେ ହେଉପଛେ ମୋତେ ପୁଅ ବୋଲି ମାନ୍ୟତା ଦେଇଛ । ତେଣୁ ପାଣ୍ଡବ ପାଞ୍ଚ ଜଣ ହିଁ ରହିବେ। ଅର୍ଜୁନ ମଲେ ପାଞ୍ଚ । କର୍ଣ୍ଣ ମଲେ ବି ପାଞ୍ଚ । ତୁମେ ସବୁବେଳେ ପାଞ୍ଚପୁତ୍ରଙ୍କ ଜନନୀ ହୋଇ ରହିବ ।’

କର୍ଣ୍ଣଙ୍କ କଥା ଶୁଣି କୁନ୍ତୀ ଦୁଃଖରେ କର୍ଣ୍ଣଙ୍କୁ ଆଲିଙ୍ଗନ କରି କହିଲେ, ମୁଁ ଆଶୀର୍ବାଦ କରୁଛି ତୁମର ମଙ୍ଗଳ ହେଉ । ସବୁଦିନ ପାଇଁ ତୁମର ଯଶକୀର୍ତ୍ତିର ବାନା ଅମଳିନ ଭାବରେ ଫର ଫର ହୋଇ ଉଡୁଥାଉ । 

କର୍ଣ୍ଣ ତାପରେ କୁନ୍ତୀଙ୍କୁ ପ୍ରଣାମ କଲେ ଓ ଦୁହେଁ ପରସ୍ପରଙ୍କ ପାଖରୁ ବିଦାୟ ନେଇ ନିଜ ନିଜ ରାସ୍ତାରେ ଫେରିଗଲେ ।

ସେପଟେ କୃଷ୍ଣ ହସ୍ତିନାପୁରରୁ ବାହାରି ଉପପ୍ଲବ୍ୟ ନଗରୀରେ ପାଣ୍ଡବମାନଙ୍କ ପାଖରେ ପହଞ୍ଚିଲେ ଓ କୌରବ ସଭାରେ ଯାହା ଯାହା ଘଟିଲା ଗୋଟି ଗୋଟି କରି ବର୍ଣ୍ଣନା କଲେ । କହିଲେ, ‘ମୁଁ ଦୁର୍ଯ୍ୟୋଧନକୁ ସତ୍ୟ, ନ୍ୟାୟ ଓ ଦୁଇ ପକ୍ଷ ପାଇଁ ଯାହା ମଙ୍ଗଳକାରକ ତାହା ବୁଝାଇବାକୁ ଚେଷ୍ଟା କଲି । କିନ୍ତୁ ସେ ଦୁଷ୍ଟବୁଦ୍ଧି ମୋ କଥା କିଛି ବି ଗ୍ରହଣ କଲାନି । ବରଂ ମୋ କଥା ଶୁଣି ହସିବାକୁ ଲାଗିଲା । ତା' ହସ ଶୁଣି ପିତାମହ ଭୀଷ୍ମ ରାଗିଗଲେ ଓ ଅନେକ କଟୁକଥା କହି ଦୁର୍ଯ୍ୟୋଧନକୁ ଭର୍ତ୍ସନା କଲେ ।

ଭୀଷ୍ମଙ୍କ ପରେ ଆଚାର୍ଯ୍ୟ ଦ୍ରୋଣ ବି ଦୁର୍ଯ୍ୟୋଧନକୁ ଅନେକ ପ୍ରକାରରେ ବୁଝାଇବାକୁ ଚେଷ୍ଟା କଲେ । ଦ୍ରୋଣଙ୍କ ପରେ ବିଦୁର ତାପରେ ଦୁର୍ଯ୍ୟୋଧନକୁ ତା' ମାଆ ଗାନ୍ଧାର ରାଜନନ୍ଦିନୀ ଗାନ୍ଧାରୀ, ବାପା ରାଜା ଧୃତରାଷ୍ଟ୍ର ବୁଝାଇଲେ । ସମସ୍ତେ କୁରୁ ବଂଶର ମହତ୍ତ୍ୱ ଓ ଦୁର୍ଯ୍ୟୋଧନ କରୁଥିବା ପାପକର୍ମ ଏବଂ ତା'ର ଭୟାବହ ପରିଣାମ ବିଷୟରେ ଚେତାଇବାକୁ ଚେଷ୍ଟା କଲେ । କାହାର କୌଣସି ଉପଦେଶ ସେ ପାପବୁଦ୍ଧି ଦୁର୍ଯ୍ୟୋଧନକୁ କିନ୍ତୁ ପ୍ରଭାବିତ କରିପାରିଲାନି । ଗୁରୁ ଗୁରୁଜନଙ୍କ କଥା ଶୁଣିବ କ'ଣ ଓଲଟି ସେ ରାଗରେ ସଭାସ୍ଥଳ ଛାଡି ଚାଲିଗଲା । ମୁଁ ଶେଷରେ ତୁମମାନଙ୍କ ପାଇଁ ମାତ୍ର ପାଞ୍ଚଖଣ୍ଡ ଗାଁ ମାଗିଲାରୁ ଦୁର୍ଯ୍ୟୋଧନ କହିଲା, ବିନା ଯୁଦ୍ଧରେ ମୁଁ ପାଣ୍ଡବମାନଙ୍କୁ ଛୁଞ୍ଚିମୁନରେ ମୁନେ ସ୍ଥାନ ଦେବିନି ।’

ଶାସ୍ତ୍ର ଅନୁସାରେ ଏପରି ପରିସ୍ଥିତିରେ ସାମ, ଦାନ, ଦଣ୍ଡ, ଭେଦ ଚାରି ନୀତିକୁ ପ୍ରୟୋଗ କରିବା କଥା । ମୁଁ ତିନୋଟି ନୀତି ପ୍ରୟୋଗ କରି ଅସଫଳ ହେଇସାରିଛି । ଏବେ କେବଳ ଦଣ୍ଡ ନୀତି ବାକି ଅଛି । ଶେଷ ପନ୍ଥା ଭାବରେ ଏବେ ଯୁଦ୍ଧ କରିବାକୁ ହେବ । ବିନା ଯୁଦ୍ଧରେ ତୁମମାନଙ୍କୁ କିଛି ମିଳିବାର ନାହିଁ ।’

କୃଷ୍ଣଙ୍କ କଥା ଶୁଣି ଯୁଧିଷ୍ଠିର ତାଙ୍କ ଭାଇମାନଙ୍କୁ ଚାହିଁ କହିଲେ ‘ଏବେ ଯୁଦ୍ଧ ଛଡା ଆଉ କିଛି ରାସ୍ତା ନାହିଁ । ଆମ ପାଖରେ ସାତ ଅକ୍ଷୌହିଣୀ ସୈନ୍ୟ ଅଛନ୍ତି । ଏବେ ସାତ ଜଣ ମହାରଥି ଗୋଟେ ଗୋଟେ ଅକ୍ଷୌହିଣୀ ସୈନ୍ୟଙ୍କ ନେତୃତ୍ୱ ନେବେ । ଦ୍ରୁପଦ, ବିରାଟ, ଧୃଷ୍ଟଦ୍ୟୁମ୍ନ, ସାତ୍ୟକି, ଚେକିତାନ ଓ ଭୀମସେନ ସେହି ଦାୟିତ୍ୱରେ ରୁହନ୍ତୁ । ଏମାନେ ସମସ୍ତେ ଯୁଦ୍ଧ ବିଶାରଦ, ସତଚରିତ୍ର ଓ ନ୍ୟାୟପରାୟଣ । ଏମାନେ ସମସ୍ତେ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିପାରିବେ । ଏବେ ଆମକୁ ଏହି ସାତ ସେନାପତିଙ୍କ ଉପରେ ଜଣେ ମୁଖ୍ୟ ସେନାପତି ଦରକାର । କୌରବ ପକ୍ଷରୁ ଭୀଷ୍ମ ସେ ଦାୟିତ୍ୱରେ ରହିବେ ।’

କେମିତି ବଛା ହେଲେ ପାଣ୍ଡବଙ୍କ ମହାସେନାପତି ?

ଯୁଧିଷ୍ଠିର ସାନଭାଇ ସହଦେବଙ୍କୁ ପଚାରି କହିଲେ, "ସହଦେବ ତୁମେ କୁହ କିଏ ଆମର ମୁଖ୍ୟ ସେନାପତି ହୋଇ ଭୀଷ୍ମଦେବଙ୍କୁ ସମ୍ମୁଖୀନ ହେବ?"

‘ଆମେ ଯାହାଙ୍କ ଆଶ୍ରୟରେ ରହି ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି ଓ ଯେଉଁ ଧର୍ମପରାୟଣ ରାଜା ଅଜ୍ଞାତବାସ ସମୟରେ ଆମମାନଙ୍କୁ ଆଶ୍ରୟ ଦେଇଥିଲେ । ଯିଏ ଆମମାନଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ସେହି ଅସ୍ତ୍ରପଣ୍ଡିତ ମତ୍ସ୍ୟ ନରେଶ ବିରାଟ ହିଁ ସେନାମୁଖ୍ୟ ହେବାକୁ ଯୋଗ୍ୟ ମନେ ହେଉଛନ୍ତି ।" ସହଦେବ କହିଲେ ।

ସହଦେବଙ୍କ ପ୍ରସ୍ତାବ ପରେ ନକୁଳ କହିଲେ, "ବୟସ, ଶାସ୍ତ୍ରଜ୍ଞାନ, ଧୈର୍ଯ୍ୟ, ଆଭିଜାତ୍ୟ ଥିବା ରାଜା ଦ୍ରୁପଦ ଆମର ସେନାମୁଖ୍ୟ ହୁଅନ୍ତୁ । ସେ ଭରଦ୍ୱାଜଙ୍କ ପାଖରୁ ଶସ୍ତ୍ର ଶିକ୍ଷା କରିଛନ୍ତି । ପିତାମହ ଭୀଷ୍ମ ଓ ଆଚାର୍ଯ୍ୟ ଦ୍ରୋଣଙ୍କ ସହ ଯୁଦ୍ଧ କରିବାକୁ ସଦା ପ୍ରସ୍ତୁତ ଥାଆନ୍ତି । ସେ ଦ୍ରୌପଦୀଙ୍କ ବାପା ଓ ଆମମାନଙ୍କ ପିତୃତୁଲ୍ୟ । ମୋ ମତରେ ସେ ହିଁ ଭୀଷ୍ମ ଓ ଦ୍ରୋଣ ଉଭୟଙ୍କୁ ପରାସ୍ତ କରିପାରିବେ ।"

ନକୁଳ ଓ ସହଦେବଙ୍କ ପରେ ଅର୍ଜୁନ କହିଲେ, "ରାଜା ଦ୍ରୁପଦଙ୍କ ତପସ୍ୟା ଫଳରେ ଜଳୁଥିବା ଅଗ୍ନିକୁଣ୍ଡରୁ ଦ୍ରୋଣଙ୍କ ମୃତ୍ୟୁର କାରଣ ଭାବରେ ଯେଉଁ ବୀରଙ୍କ ଜନ୍ମ ହୋଇଛି ସେହି ସିଂହପରାକ୍ରମୀ, ଅଭେଦ୍ୟ କବଚଧାରୀ ବୀର ଧୃଷ୍ଟଦ୍ୟୁମ୍ନ ହିଁ ଭୀଷ୍ମଙ୍କୁ ସମ୍ମୁଖୀନ ହୋଇପାରିବେ । ମୋ ମତରେ ଆମ ସାତ ସେନାପତିଙ୍କ ଉପରେ ମହାସେନାପତି ଭାବରେ ଧୃଷ୍ଟଦ୍ୟୁମ୍ନଙ୍କୁ ଦାୟିତ୍ୱ ଦିଆଯାଉ ।"

ଅର୍ଜୁନଙ୍କ ପରେ ଭୀମସେନ କହିଲେ, "ଇଚ୍ଛାମୃତ୍ୟୁ ଅଧିକାରୀ ପିତାମହ ଭୀଷ୍ମଙ୍କ ମୃତ୍ୟୁର କାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଖଣ୍ଡି ଆମ ମୁଖ୍ୟ ସେନାପତି ହୁଅନ୍ତୁ । ଯୁଦ୍ଧ କ୍ଷେତ୍ରରେ ତାଙ୍କର ଅସ୍ତ୍ରଚାଳନା ପର୍ଶୁରାମଙ୍କ ପରି । ପରାକ୍ରମୀ ଶ୍ରୀଖଣ୍ଡିଙ୍କୁ ଯୁଦ୍ଧ କ୍ଷେତ୍ରରେ ପରାଜୟ କରିବା ଅସମ୍ଭବ । ତାଙ୍କ ବିନା ଭୀଷ୍ମଙ୍କୁ କେହି ନିରସ୍ତ୍ର କରିପାରିବେନି ।"

ସମସ୍ତେ ଜଣ ଜଣ କରି ନୂଆ ନାମ ସବୁ କହୁଥିବାରୁ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ମୁହଁକୁ ଚାହିଁଲେ । ଶ୍ରୀକୃଷ୍ଣ ଥରେ ସମସ୍ତଙ୍କ ସହ ଆଖି ମିଳାଇଲା ପରେ କହିଲେ, "ତୁମେମାନେ ଯେଉଁମାନଙ୍କ ନାମ କହିଲ ସେମାନେ ସମସ୍ତେ ସେନାପତି ହେବାକୁ ଯୋଗ୍ୟ । ସେମାନେ ସମସ୍ତେ କୁରୁସେନାକୁ ପରାଜିତ କରିପାରିବାର ଶକ୍ତି ଓ ସାମର୍ଥ୍ୟ ରଖନ୍ତି । କିନ୍ତୁ ଆମେ ତ ଏକାବେଳକରେ ସମସ୍ତଙ୍କୁ ମୁଖ୍ୟ ସେନାପତି କରିପାରିବାନି । ସେ ଦାୟିତ୍ୱରେ ଜଣେ ହିଁ ରହିପାରିବ। ମୁଁ ଅର୍ଜୁନଙ୍କ ପ୍ରସ୍ତାବ ସହ ଏକମତ । ପାଣ୍ଡବ ପକ୍ଷର ମୁଖ୍ୟ ସେନାପତି ଧୃଷ୍ଟଦ୍ୟୁମ୍ନ ହୁଅନ୍ତୁ ବୋଲି ମୁଁ ପରାମର୍ଶ ଦେବି ।"

Mahabharat Mahabharat Story
Advertisment
Related Articles
Advertisment