Advertisment

After Divine Darshan: ବିଶ୍ୱରୂପ ଓ ଅନ୍ଧ ଧୃତରାଷ୍ଟ୍ରଙ୍କ ଚକ୍ଷୁ ଲାଭ କଥା

କୃଷ୍ଣଙ୍କୁ କୁରୁସଭା ଭିତରେ ବାନ୍ଧିବାର ଦୁର୍ଯୋଧନଙ୍କ ଯୋଜନା କଥା କ'ଣ ହେଲା? କାହିଁକି ବିଶ୍ୱରୂପ ଧାରଣ କଲେ କୃଷ୍ଣ?  ଅନ୍ଧ ଧୃତରାଷ୍ଟ କେମିତି ଚକ୍ଷୁଲାଭ କଲେ? କୃଷ୍ଣଙ୍କ ହାତରେ କୁନ୍ତୀ କ'ଣ ସବୁ କହି ତାଙ୍କ ପୁଅମାନଙ୍କ ପାଖକୁ ଖବର ପଠାଇଲେ? ଏଇ ସବୁ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
Krishna’s Vishvarupa Stuns Dhritarashtra

Krishna’s Vishvarupa Stuns Dhritarashtra Photograph: (OTV)

ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଓ ଦୁଃଶାସନ କୁରୁସଭାରେ କୃଷ୍ଣଙ୍କୁ ବନ୍ଦୀ କରିବାର ଯୋଜନା  କଥା ସାତ୍ୟକି ଜାଣିପାରିଲେ । ସେ ସଙ୍ଗେ ସଙ୍ଗେ କୃତବର୍ମାଙ୍କୁ ଯାଇଁ କହିଲେ ଯଥାଶୀଘ୍ର ସୈନ୍ୟ ପ୍ରସ୍ତୁତ କର । ତାପରେ ସାତ୍ୟକି ସଭାଗୃହରେ ପହଞ୍ଚି ଦୁର୍ଯ୍ୟୋଧନଙ୍କ ସେହି ଯୋଜନା ବିଷୟରେ ଶ୍ରୀକୃଷ୍ଣ, ରାଜା ଧୃତରାଷ୍ଟ୍ର ଓ ବିଦୁରଙ୍କୁ ଖବର ଦେଲେ ।

Advertisment

ସାତ୍ୟକିଙ୍କ କଥା ଶୁଣି ବିଦୁର ରାଜା ଧୃତରାଷ୍ଟ୍ରଙ୍କୁ କହିଲେ, ‘ମହାରାଜ! ଆପଣଙ୍କ ପୁଅମାନେ ନିଶ୍ଚୟ କାଳଗ୍ରାସରେ ପଡିବେ ଏ ନେଇ ମୋର ସନ୍ଦେହ ନାହିଁ। ପତଙ୍ଗ ନିଆଁରେ ପଡି ନାଶ ହେଲା ପରି ଆପଣଙ୍କ ପୁଅ କେଶବଙ୍କ ସହ ଦ୍ରୋହ କରି ନିଶ୍ଚୟ ବିନାଶ ହେବେ ।’  

ସାତ୍ୟକିଙ୍କ କଥାରେ ଧୃତରାଷ୍ଟ୍ର ମଧ୍ୟ ବ୍ୟସ୍ତ ବିବ୍ରତ ହେଇଗଲେ । ସେ ବୁଝିପାରିଲେନି ଏବେ କ'ଣ କରାଯାଇ ପାରିବ । କେମିତି ମନ୍ଦବୁଦ୍ଧି ଦୁର୍ଯୋଧନକୁ ଅଟକାଯାଇ ପାରିବ । ବିଦୁର ଓ ଧୃତରାଷ୍ଟ୍ରଙ୍କ ବ୍ୟସ୍ତତା ଦେଖି କୃଷ୍ଣ କହିଲେ ‘ଏଥିରେ ବିବ୍ରତ ହେବାର କିଛି ନାହିଁ । ସେମାନେ ଯେତେ ବଳବାନ ହେଲେବି ମୋତେ ବନ୍ଦି କରିପାରିବେନି । ମୁଁ ଚାହିଁଲେ ସେ ସମସ୍ତଙ୍କୁ ବରଂ ବନ୍ଦି କରି ମୋ ସାଙ୍ଗରେ ନେଇଯିବି । କିନ୍ତୁ ଆମ୍ଭେ ସେପରି ନିନ୍ଦନୀୟ କାମ କରିବୁନି । ସେମାନେ ଯାହା କରିବାକୁ ଚାହୁଁଛନ୍ତି ସେମାନଙ୍କୁ କରିବାକୁ ଦିଆଯାଉ ।’

Advertisment

କୃଷ୍ଣଙ୍କ କଥା ଶୁଣି ରାଜା ଧୃତରାଷ୍ଟ୍ର ବିଦୁରଙ୍କୁ କହିଲେ, ‘ଯାଅ ସେ ଦୁର୍ଯ୍ୟୋଧନ ଓ ତା'ର ସାଙ୍ଗମାନଙ୍କୁ ଶୀଘ୍ର ଡାକିଆଣ । ଆଉ ଥରେ ତାକୁ ମୁଁ ବୁଝାଇବାକୁ ଚେଷ୍ଟା କରିବି ।’

ବିଦୁରଙ୍କ ପାଖରୁ ଖବର ପାଇବି ଦୁର୍ଯ୍ୟୋଧନ ପ୍ରଥମେ ସଭାଗୃହକୁ ଆସିବାକୁ ଚାହୁଁନଥିଲେ । କିନ୍ତୁ କିଛି ସମୟ ପରେ ସାଙ୍ଗରେ କର୍ଣ୍ଣ, ଶକୁନି, ଦୁଃଶାସନ ଓ ତାଙ୍କ ସମର୍ଥକମାନଙ୍କୁ ଧରି ସଭା ଭିତରକୁ ଆସିଲେ। ସେମାନଙ୍କୁ ଦେଖୁ ଦେଖୁ ରାଜା ଧୃତରାଷ୍ଟ୍ର ଅତ୍ୟନ୍ତ କ୍ରୋଧର ସହ କହିଲେ, ‘ଆରେ ପାପାତ୍ମାମାନେ ତୁମ ମିଳିମିଶି ଏମିତି ଅସହ୍ୟ ପାପ ଅର୍ଜନ କରିବା ପାଇଁ ଯୋଜନା କରୁଛ ? ମୋତେ କୁହ ତୁମମାନଙ୍କ ପରି ମୁଢ ଓ କୁଳାଙ୍ଗାରମାନେ କୋଉ ହିସାବରେ କେଶବଙ୍କୁ ବନ୍ଦି କରିବାକୁ ଯୋଜନା କରିଛ? ଦେବତାମାନେ ଇନ୍ଦ୍ରଦେବଙ୍କ ସହାୟତାରେ ଯାହାକୁ ବନ୍ଧନ କରିପାରିବେନି ତୁମେ ତାଙ୍କୁ ବାନ୍ଧିବା ପାଇଁ କେମିତି କୋଉ ସାହସରେ ଭାବି ପାରିଲ?’ ରାଜା ଧୃତରାଷ୍ଟ୍ର ଆହୁରି ଅନେକ ପ୍ରକାର ତିରସ୍କାର କଲାପରେ ବିଦୁର ମଧ୍ୟ ସେମାନଙ୍କୁ ଅନେକ କଟୁ କଥା କହିଲେ  ।

ବିଦୁରଙ୍କ କଥା ଶେଷ ହେଲା ପରେ କୃଷ୍ଣ ହସି ହସି ଦୁର୍ଯ୍ୟୋଧନଙ୍କୁ କହିଲେ, ‘ତୁମେ ତୁମ ମୁର୍ଖ ବୁଦ୍ଧିରେ ଭାବିଛ ମୁଁ ଏଠି ଏକା ଅଛି ଓ ତୁମେ ବଡ ସହଜରେ ମୋତେ ବାନ୍ଧି ପକାଇବ । ପ୍ରକୃତରେ ତୁମେ ଭୁଲ ବୁଝିଛ । ମୁଁ ଆଦୌ ଏକା ନାହିଁ ।’ ଏତିକି କହି ବାସୁଦେବ ଉଚ୍ଚସ୍ୱରରେ ହସିବାକୁ ଲାଗିଲେ । ଧିରେ ଧିରେ ତାଙ୍କ ଶରୀରରୁ ଅଗ୍ନି କଣିକା ସବୁ ନିର୍ଗତ ହେବାକୁ ଲାଗିଲା । ତାପରେ ତାଙ୍କ ଲଲାଟରୁ ବ୍ରହ୍ମା, ବକ୍ଷରୁ ରୁଦ୍ରଗଣ, ବାହୁରୁ ଲୋକପାଳ, ମୁଖରୁ ଅଗ୍ନି, ଆଦିତ୍ୟଗଣ, ବସୁଗଣ, ଅଶ୍ୱିନୀକୁମାର, ଇନ୍ଦ୍ର ଓ ମରୁତ ଏବଂ ଅସଂଖ୍ୟ ଯକ୍ଷ ଓ ଗନ୍ଧର୍ବ ଉତ୍ପନ୍ନ ହେଲେ। ଦକ୍ଷିଣ ଭାଗରେ ଅର୍ଜୁନ, ବଳରାମ ବାମ ଭାଗରେ, ପୃଷ୍ଠ ଭାଗରେ ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବ ଆର୍ବିଭାବ ହେଲେ । ଅନ୍ଧକ ଓ ବୃଷ୍ଣିବଂଶୀୟମାନେ ହାତରେ ଆୟୁଧ ଧରି ସମ୍ମୁଖ ଭାଗରେ ଛିଡା ହେଇଗଲେ । କୃଷ୍ଣଙ୍କର ଚାରି ବାହୁ ପ୍ରକଟ ହେଲା ଓ ବାହୁ ମାନଙ୍କରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦୃଶ୍ୟ ହେଲା । ଦୁଇ ଆଖି, ଦୁଇ କାନ, ନାକର ଦୁଇ ପୁଡା ଓ ଲୋମକୁପମାନଙ୍କରୁ ଭୀଷଣ ଅଗ୍ନି ନିର୍ଗତ ହେବାକୁ ଲାଗିଲା । ଜନାର୍ଦନଙ୍କର ଏପରି ମହାନ ବିଶ୍ୱରୂପ ଦେଖି କେବଳ ଭୀଷ୍ମ, ଦ୍ରୋଣ, ବିଦୁର, ସଞ୍ଜୟ ଓ ଉପସ୍ଥିତ ଋଷିବୃନ୍ଦଙ୍କ ବ୍ୟତୀତ ଅନ୍ୟମାନେ ଭୟରେ ସେମାନଙ୍କ ଆଖି ବନ୍ଦ କରିପକାଇଲେ । ରାଜା ଧୃତରାଷ୍ଟ୍ର ଅନୁରୋଧ କରି କହିଲେ, ‘ହେ ବାସୁଦେବ! ମୁଁ ଅନ୍ଧ ତେଣୁ କିଛି ଦେଖିପାରୁନି । ଦୟାକରି ମୋତେ ଚକ୍ଷୁ ଦାନ କଲେ ମୁଁ ଆପଣଙ୍କୁ ଥରେ ଆଖିପୁରେଇ ଦେଖିପାରିବି । ମୋର ଅନ୍ୟକୁ ଦେଖିବାର ତିଳେବି ଆଗ୍ରହ ନାହିଁ । ତେଣୁ ଆପଣଙ୍କୁ ଥରେ ଦେଖିଲାପରେ ମୋର ଦୃଷ୍ଟିଶକ୍ତି ପୁଣି ହରଣ କରିନେବ ।’

ଧୃତରାଷ୍ଟ୍ରଙ୍କ ପ୍ରାର୍ଥନା ଶୁଣି କୃଷ୍ଣ ତାଙ୍କୁ ଦିବ୍ୟଚକ୍ଷୁ ଦାନ କଲେ ଓ ସେ କୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ କରି ସ୍ତୁତି କରିବାକୁ ଲାଗିଲେ । ଦର୍ଶନ ପରେ ସେ ପୁଣି ଥରେ ଅନ୍ଧ ହେଇଗଲେ । ତାପରେ କୃଷ୍ଣ ତାଙ୍କର ସ୍ୱରୂପକୁ ଫେରି ଆସିଲେ ଓ ସଭାଗୃହରୁ ବାହାରି ଯିବାକୁ ପ୍ରସ୍ତୁତ ହେଲେ । ଧୃତରାଷ୍ଟ୍ର କହିଲେ, ‘ହେ କେଶବ! ମୁଁ ଆପଣଙ୍କ ଉପସ୍ଥିତିରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପ୍ରୟାସ କଲି । ଆପଣ ସବୁ ଦେଖିଲେ ଓ ଜାଣିଲେ । ପାଣ୍ଡବମାନଙ୍କ ପ୍ରତି ମୋ ମନରେ କୌଣସି ଅସୂୟା ଭାବ ନାହିଁ । କିନ୍ତୁ ଦୁର୍ଯ୍ୟୋଧନ ମୋ କଥାରେ ନାହିଁ କି ଅନ୍ୟ କାହା କଥା ଶୁଣିବା ଅବସ୍ଥାରେ ନାହିଁ । ମୁଁ ଏବେ ନିରୁପାୟ  । ଆପଣଙ୍କୁ ଯାହା ଠିକ ଲାଗୁଛି ତାହାହିଁ କରନ୍ତୁ ।’

କୃଷ୍ଣ କୁରୁସଭାରୁ ବିଦାୟ ନେଇ ବିଦୁରଙ୍କ ଘରେ ରହୁଥିବା କୁନ୍ତିଙ୍କୁ ଦେଖା କରିବାକୁ ବାହାରିଲେ । ଗଲାବେଳେ ସେଠାରେ ଉପସ୍ଥିତ ଥିବା ଭୀଷ୍ମ , ଦ୍ରୋଣ, କୃପ, ଅଶ୍ୱଥାମା, ବିକର୍ଣ୍ଣ ଓ ଯଯୁତ୍ସ ଆଦିଙ୍କୁ କହିଲେ, ‘ଆଜି ମନ୍ଦବୁଦ୍ଧି ଅଶିଷ୍ଟ ଦୁର୍ଯ୍ୟୋଧନ ଯାହା କରିବାକୁ ଚାହୁଁଥିଲା ସେଥିରୁ ସ୍ପଷ୍ଟ ଯେ ତା' ଉପରେ ଆପଣମାନଙ୍କର କାହାରବି କିଛି ପ୍ରଭାବ ନାହିଁ । ମୁର୍ଖମାନେ ସେମାନଙ୍କ ମୁର୍ଖତା ପାଇଁ ନଷ୍ଟ ହୁଅନ୍ତି । ସେ ସମୟ ଆଉ ବେଶି ବିଳମ୍ବ ନାହିଁ ।’

କୃଷ୍ଣ ତାଙ୍କ ରଥରେ ବସି ବିଦୁରଙ୍କ ଘରକୁ ବାହାରି ଆସିଲେ । କୁନ୍ତିଙ୍କ ପାଖରେ ପହଞ୍ଚି କୁରୁସଭାରେ କ'ଣ କ'ଣ ଘଟିଲା ସେ କଥା କୁନ୍ତିଙ୍କୁ ସଂକ୍ଷେପରେ କହିଲେ । ତାପରେ ପଚାରିଲେ କୁନ୍ତି ତାଙ୍କ ପୁଅମାନଙ୍କ ଉଦ୍ଦେଶ୍ୟରେ ଯାହା ଖବର ଦେବା କଥା ଦିଅନ୍ତୁ । ସେ ଖବର ପହଞ୍ଚାଇଦେବେ ।

କୁନ୍ତି କହିଲେ, ‘ହେ କେଶବ! ତୁମେ ଯାଇ ମୋ ବଡପୁଅ ଯୁଧିଷ୍ଠିରକୁ କହିବ ସେ ଅତ୍ୟଧିକ ଧର୍ମ ଅନୁଷ୍ଠାନ କରି ତା'ର କ୍ଷତ୍ରୀୟବୃତ୍ତିକୁ ନଷ୍ଟ କରିବାକୁ ବସିଲାଣି । କ୍ଷତ୍ରୀୟ ତା'ର ରାଜ୍ୟଲାଭ ପାଇଁ କେବେବି ଭିକ୍ଷା ମାଗେନି । ସେ ତା'ର ବାହୁ ବଳରେ ତାହା ଲାଭ କରେ । କାହାଠାରୁ ଦାନରେ ପାଇଥିବା ଦେଶରେ ସେ ରାଜା ହେବାକୁ ପସନ୍ଦ କରେ ନାହିଁ । ରାଜାଙ୍କ ଦ୍ୱାରା ପାଳିତ ପ୍ରଜାମାନେ ଯେଉଁ ଧର୍ମ ଅନୁଷ୍ଠାନ କରନ୍ତି ତା'ର ଚାରି ଭାଗରୁ ଭାଗେ ଫଳ ରାଜା ଲାଭ କରନ୍ତି। ରାଜା ନିଜେ ଧର୍ମ ଆଚରଣ କଲେ ଦେବତା ହୁଅନ୍ତି । କିନ୍ତୁ ଅଧର୍ମ ଆଚରଣ କଲେ ନର୍କକୁ ଯାଆନ୍ତି । ରାଜା ଯେତବେଳେ ଅଖଣ୍ଡ ଭାବରେ ରାଜଧର୍ମକୁ ଆଶ୍ରୟ କରି ଶାସନ କରନ୍ତି ସେତବେଳେ ସତ୍ୟଯୁଗ ଆରମ୍ଭ ହୁଏ ।

ଯୁଧିଷ୍ଠିରକୁ କହିବ ରାଜା କାଳର କାରଣ ନା କାଳ ରାଜାର କାରଣ ସେ ନେଇ ଆଦୌ ସଂଶୟ ରଖିବନି। ପ୍ରକୃତରେ ରାଜା କାଳର କାରଣ ଅଟେ । ଧର୍ମାଧର୍ମ ଓ ପ୍ରବୃତ୍ତିର ତାରତମ୍ୟ ନେଇ ରାଜା ସତ୍ୟ, ଦ୍ୱାପର, ତ୍ରେତା ଓ କଳି ଯୁଗର କାରଣ ହେଇଥା'ନ୍ତି । ଯେଉଁ ରାଜା ସତ୍ୟ, ତ୍ରେତା, ଦ୍ୱାପର ଯୁଗର କାରଣ ସେ ସ୍ୱର୍ଗରାଜ୍ୟରେ ବିଶେଷ ସୁଖ ଭୋଗ କରନ୍ତି । କିନ୍ତୁ କଳି ଯୁଗର କାରଣ ହେଇଥିବା ରାଜା ସ୍ୱର୍ଗରେ ଅତ୍ୟନ୍ତ ପାପ ଭୋଗ କରନ୍ତି ।

ଶାସ୍ତ୍ରରେ ଅଛି ବ୍ରାହ୍ମଣମାନେ ଭିକ୍ଷାବୃତ୍ତି କରିବେ, କ୍ଷତ୍ରୀୟମାନେ ପ୍ରଜା ପାଳନ କରିବେ, ‍ବୈଶ୍ୟମାନେ ଧନ ଉପାର୍ଜନ କରିବେ ଓ ଶୂଦ୍ରମାନେ ସେବା ପ୍ରଦାନ କରିବେ । ହେ କେଶବ ଯୁଧିଷ୍ଠିରଙ୍କୁ କହିବ ସାମ,ଦାନ,ଦଣ୍ଡ, ଭେଦ ଅଥବା ବିନୟ ଭାବ ଦେଖାଇ ଯେ କୌଣସି ଉପୟାରେ ଶତୃପାଖରେ ଥିବା ପୈତୃକ ସମ୍ପତ୍ତି ତାଙ୍କୁ ଫେରାଇ ଆଣିବାକୁ ହେବ । ସେ ନିଜର ପତ୍ନୀ ଓ ଭାଇମାନଙ୍କୁ ଧରି ପରଦେଶରେ ମୁଣ୍ଡ ଗୁଞ୍ଜି ଦୁଃଖରେ ଜୀବନ କାଟୁଛି । ତାକୁ ଜନ୍ମ ଦେଇ ମୁଁ ବି ପରାନ୍ନରେ ଜୀବନ ଧାରଣ କରିଛି । ଏହା ଠାରୁ ବଳି ବଡ ଦୁଃଖ ଆଉ କ'ଣ ଅଛି?

ତାପରେ କୁନ୍ତି ବିଦୁଳା ନାମରେ ଜଣେ ନାରୀଙ୍କ କାହାଣୀ କୃଷ୍ଣଙ୍କୁ କହିଲେ  । ଯେମିତି ସେ କାହାଣୀ ସେ ତାଙ୍କ ପୁଅମାନଙ୍କୁ ଶୁଣାଇବେ ।

ଏକଦା ବିଦୁଳା ନାମରେ ଜଣେ ଉଗ୍ର ସ୍ୱଭାବର କ୍ଷତ୍ରୀୟ ନାରୀ ଥିଲେ । ତାଙ୍କ ପୁଅର ନାମ ସଞ୍ଜୟ । ସଞ୍ଜୟ ଥରେ ସିନ୍ଧୁ ଦେଶର ରାଜାଙ୍କ ଦ୍ୱାରା ଯୁଦ୍ଧରେ ପରାସ୍ତ ହେଲେ ଓ ଚରମ ଦୁଃଖ ଏବଂ ଅପମାନରେ ଆସି ଘରେ ମୁହଁମାଡି ଶୋଇଲେ । ଏ କଥା ଦେଖି ବିଦୁଳା ଅତି କର୍କଶ ସ୍ୱରରେ ତାଙ୍କ ପୁଅକୁ ଭର୍ତ୍ସନା କରି କହିଲେ, ମୋତେ ଲାଗୁଛି ତୁ ତୋ ବାପାର ଔରସରୁ ଓ ମୋ ଗର୍ଭରୁ ଜନ୍ମ ନେଇନୁ । ତୋର ରୂପ, ପ୍ରବୃତ୍ତି ଓ ବୁଦ୍ଧି ସବୁକିଛି ନଂପୁସକ ପରି । ତୋ ପରି କାପୁରୁଷକୁ ପୁରୁଷ ଭାବରେ ଗଣିବା କଥା ନୁହେଁ । ତୁ ଯାହା କରୁଛୁ ସେଥିରେ ତୋ ଶତୃ ଆନନ୍ଦ ପାଉଛନ୍ତି ଓ ବନ୍ଧୁ ଦୁଃଖ ପାଉଛନ୍ତି । ଛୋଟ ନଦୀ ଅଳ୍ପ ଜଳରେ ଭରି ଯାଏ ଓ ମୁଷାର ଅଞ୍ଜୁଳି ଅଳପ ଦ୍ରବ୍ୟରେ ଭରି ଯାଏ । ସେହିପରି କୁତ୍ସିତ ପୁରୁଷମାନେ ଅଳ୍ପ ବିଷୟରେ ସନ୍ତୁଷ୍ଟ ହେଇଯାଆନ୍ତି । ବୀର ଭାବରେ ଶତୃସହ ଯୁଦ୍ଧ କରି ଯୁଦ୍ଧଭୂମିରେ ଜୀବନ ଦେବା ଭଲ କିନ୍ତୁ ଏମିତି କାପୁରୁଷ ପରି ଦୀର୍ଘ ଜୀବନର କ'ଣ ବା ମୂଲ୍ୟ ଅଛି । ମଲା ଲୋକ ପରି ଘର କଣରେ ଶୋଇ ରହିଛୁ କାହିଁକି? ଏ ଶୋଇବା ସମୟ ନୁହେଁ । କାଉଁରିଆ କାଠି ପରି ଅଳ୍ପ ସମୟ ଜଳି ଲିଭିଗଲେ ବରଂ ଭଲ କିନ୍ତୁ ଏମିତି ଚଷୁନିଆଁ ପରି ଧୂଆଁ ହେଇ ରହିବାରେ କିବା ଲାଭ?

ବିଦୁଳାଙ୍କ ଭର୍ତ୍ସନା ଶୁଣି ସଞ୍ଜୟ କହିଲେ, ‘ମାଆ, ମୋର ଯଦି ଯୁଦ୍ଧରେ ମୃତ୍ୟୁ ହୁଏ ତେବେ ତୁମର ଆଉ ଏ ଜୀବନରେ କି ସୁଖ ରହିବ? ମୁଁ ତୁମର ଏକମାତ୍ର ପୁଅ । ମୋତେ ଇତର ଲୋକକୁ ଭର୍ତ୍ସନା କଲା ପରି ଯାହା ସବୁ କହୁଛ ତା' କ'ଣ ତୁମକୁ ଶୋଭା ପାଉଛି? ପୁଅ ତୁମର ଯୁଦ୍ଧକ୍ଷେତ୍ରରେ ନିହତ ହେଲେ ତୁମେ ଜୀବନ ଧାରଣ କରିପାରିବ ତ?‘

ସଞ୍ଜୟଙ୍କ କଥା ଶୁଣି ବିଦୁଳା କହିଲେ, ’ ତୁ ଯୁଦ୍ଧରେ ନିହତ ହେବାକୁ ମୁଁ ଚାହେଁନି । ମୁଁ ଚାହେଁ ତୁ ପରମ ବିକ୍ରମରେ ଶତୃ ସଂହାର କରେ ଓ ଯୁଦ୍ଧରେ ବିଜୟଲାଭ କରେ । ଯୁଦ୍ଧରେ ପରାଜିତ ହେଇ ଘର ଭିତରେ ତୋର ଏମିତି ଲୁଚି ରହିବାକୁ କେହି ପସନ୍ଦ କରୁନାହାଁନ୍ତି । ବରଂ ନିନ୍ଦା କରୁଛନ୍ତି । ତୋର ନିନ୍ଦା ଶୁଣି ମୋତେ ଓ ତୋ ପତ୍ନୀକୁ ମରଣ ପରି କଷ୍ଟ ହେଉଛି । ତୁ ବିଶ୍ୱାସ କରିନେଇଛୁ ତୋର ଶକ୍ତି ଓ ସାମର୍ଥ୍ୟ କମ୍ । ତୋତେ କେହି ସହାୟ ହେଉନହାଁନ୍ତି। କିନ୍ତୁ ମନେରଖ, ଦୁର୍ବଳ ଓ ଆତ୍ମବିଶ୍ୱାସ ନଥିବା ଲୋକକୁ କେହି କେଵେ ସହାୟ ହୁଅନ୍ତି ନାହିଁ । ତୁ ନିଜେ ଦୃଢ ଭାବରେ ଥରେ ଠିଆ ହେଲେ ସମସ୍ତେ ଆସି ତୋ ପାଖରେ ଠିଆ ହେବେ ।

ବିଦୁଳାଙ୍କ ଭର୍ତ୍ସନା ଓ ତୀକ୍ଷ୍ଣ କଥାରେ ସଞ୍ଜୟଙ୍କ ଆତ୍ମବିଶ୍ୱାସ ଫେରି ଆସିଲା ଏବଂ ସେ ଶେଷରେ ଶତୃ ଦମନ କରିବାରେ ସଫଳ ହେଲେ ।

ବିଦୁଳା ଓ ସଞ୍ଜୟଙ୍କ କାହାଣୀ କହିସାରି କୁନ୍ତି ତାଙ୍କ ଅନ୍ୟ ପୁଅ ଓ ବୋହୁ ଦ୍ରୌପଦୀଙ୍କ ପାଖକୁ ମଧ୍ୟ ସନ୍ଦେଶ ପଠାଇଲେ । କୃଷ୍ଣ ଶେଷରେ କୁନ୍ତୀଙ୍କୁ ପ୍ରଣାମ କରି ସେଠାରୁ ବିଦାୟ ନେଲେ ।

Advertisment
Related Articles
Advertisment