Advertisment

The fear in Hastinapur: ହସ୍ତିନାରେ କୃଷ୍ଣ ଓ ବିଦୁରଙ୍କ ଭୟ କଥା, ବିଦୁରଙ୍କ ଘରେ କୁନ୍ତୀଙ୍କୁ କ'ଣ କହିଲେ କୃଷ୍ଣ ?

କାହିଁକି କୃଷ୍ଣ ଦୁର୍ଯ୍ୟୋଧନଙ୍କ ଘରେ ଅନ୍ନ ସ୍ପର୍ଶ କଲେନି ଓ କାହିଁକି କୃଷ୍ଣଙ୍କ ହସ୍ତିନାପୁରକୁ ଆସିବା ନେଇ ଭୟ କରୁଥିଲେ ବିଦୁର? କାହିଁକି ବୟସ୍କ କୌରବମାନେ ବିଦୁରଙ୍କ ଘରକୁ ଆସି କୃଷ୍ଣକୁ ସାକ୍ଷାତ କଲେ?  ଏଇ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ବିଦୁରଙ୍କ ଘରେ କୁନ୍ତୀ ଶ୍ରୀକୃଷ୍ଣଙ୍କୁ ଦେଖି ନିଜର ଦୁଃଖ କଥା କହି କାନ୍ଦୁଥା'ନ୍ତି । କୁନ୍ତୀଙ୍କ କଥା ଶେଷରେ କୃଷ୍ଣ କହିଲେ, ‘ପିଉସୀ ମା, ଆପଣଙ୍କର ଓ ଆପଣଙ୍କ ପୁଅମାନଙ୍କର ଦୁଃଖ କଷ୍ଟ ମୁଁ ବୁଝୁଛି ଓ ପାଖରୁ ଦେଖୁଛି। ଆପଣମାନଙ୍କ ଦୁଃଖ କଷ୍ଟ ମୋ ନିଜର ଦୁଃଖ କଷ୍ଟ ଭାବରେ ମୁଁ ବିଚାର କରେ । କିନ୍ତୁ ଆପଣଙ୍କର ଦୁଃଖ କରିବାର କିଛି କାରଣ ନାହିଁ ।

Advertisment

ଆପଣ ଭୁଲିଗଲେଣି ଆପଣ କିଏ । ଆପଣ ଶୂରସେନ ରାଜାଙ୍କ ଝିଅ । କୁରୁ ରାଜବଂଶର କୁଳବଧୂ, ବୀରପତ୍ନୀ । ଭାରତବର୍ଷର ଶ୍ରେଷ୍ଠ ବୀର ପୁତ୍ରମାନଙ୍କର ମା’ ଆପଣ। ଦୁଃଖ କଷ୍ଟର ଅନ୍ଧାର ରାତି କାହା ଜୀବନରେ ସବୁଦିନ ପାଇଁ ରୁହେନି । ଜାଣିରଖନ୍ତୁ ସଦା ସର୍ବଦା ଧର୍ମର ରାସ୍ତାରେ ଚାଲୁଥିବା ଆପଣଙ୍କ ପୁଅମାନଙ୍କର ଦୁଃଖ କଷ୍ଟର ସମୟ ସରି ସରି ଆସୁଛି ।’

କୃଷ୍ଣଙ୍କ କଥା ଶୁଣି କୁନ୍ତୀ ଦେବୀ କହିଲେ, ‘ହେ କେଶବ ମୁଁ ଜାଣେ ତୁମେ ସଦାକାଳେ ଧର୍ମର ପକ୍ଷରେ ଥାଅ । ତୁମେ ଯାହା କହୁଛ ମୁଁ ବିଶ୍ୱାସ କରୁଛି । ମୁଁ ଜାଣେ ତୁମ କଥା ନିଶ୍ଚୟ ସତ ହେବ ।’

Advertisment

କୃଷ୍ଣ ତାପରେ କୁନ୍ତୀଙ୍କ ପାଖରୁ ଯୁଧିଷ୍ଠିର ଓ ଅନ୍ୟ ପାଣ୍ଡବମାନଙ୍କ ସହ ଦ୍ରୌପଦୀଙ୍କ ପାଇଁ କୁଶଳ ବାର୍ତ୍ତା ନେଲେ ଓ ନମସ୍କାର କରି ଦୁର୍ଯ୍ୟୋଧନଙ୍କୁ ଦେଖାକରିବାକୁ ବାହାରିଲେ ।

ଦୁର୍ଯ୍ୟୋଧନଙ୍କ ପ୍ରାସାଦର ଦ୍ୱାରରକ୍ଷୀମାନେ କୃଷ୍ଣଙ୍କୁ ସ୍ୱାଗତ କଲେ । କୃଷ୍ଣ ଭିତରକୁ ଯାଇ ଦେଖିଲେ ସିଂହାସନ ଉପରେ ଦୁର୍ଯ୍ୟୋଧନ ବସିଛନ୍ତି । ଚାରିପାଖରେ ତାଙ୍କ ପାରିଷଦମାନେ ବସିଛନ୍ତି । ଦୁଃଶାସନ, ଅଙ୍ଗରାଜ କର୍ଣ୍ଣ ଓ ସୁବଳ ପୁତ୍ର ଶକୁନି ବି ପାଖରେ ବସିଥା'ନ୍ତି । ସଭାଗୃହରେ କୃଷ୍ଣ ପହଞ୍ଚିବାରୁ ସମସ୍ତେ ତାଙ୍କୁ ସ୍ୱାଗତ କରିବାକୁ ନିଜ ନିଜ ଆସନରୁ ଉଠି ଠିଆହେଲେ । ତାପରେ କୃଷ୍ଣଙ୍କୁ ଉପଯୁକ୍ତ ଆଦର ଅଭ୍ୟର୍ଥନା କଲାପରେ ଦୁର୍ଯ୍ୟୋଧନ ତାଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କଲେ ।

କୃଷ୍ଣ କହିଲେ, ‘ହେ ଦୁର୍ଯ୍ୟୋଧନ, ମୁଁ ତୁମର ଖାଦ୍ୟ ଏବେ ଗ୍ରହଣ କରିପାରିବିନି । ମୁଁ ଅତ୍ୟନ୍ତ ଦୁଃଖିତ ଯେ ତୁମ ନିମନ୍ତ୍ରଣ ରକ୍ଷା କରିପାରୁନି ।’

ଦୁର୍ଯ୍ୟୋଧନ କହିଲେ, ‘ହେ ଜନାର୍ଦ୍ଦନ! ଏ ସମସ୍ତ ଅନ୍ନ, ପାନ, ବସ୍ତ୍ର ଓ ଶୟନର ବ୍ୟବସ୍ଥା ଆପଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଆପଣ ତ ଉଭୟ ପାଣ୍ଡବ ଓ କୌରବଙ୍କ ହିତାକାଂକ୍ଷୀ । କିନ୍ତୁ ଆମ ଆତିଥ୍ୟତା କାହିଁକି ଗ୍ରହଣ କରିବେନି? ଆପଣ ତ ରାଜା ଧୃତରାଷ୍ଟ୍ରଙ୍କ ପ୍ରଧାନ ପ୍ରିୟପାତ୍ର ଓ ପ୍ରଧାନ ଆତ୍ମୀୟ । କ'ଣ କୋଉଠି ଅସୁବିଧା ରହିଲା ମୁଁ ବୁଝିପାରୁନି ।’

ଦୁର୍ଯ୍ୟୋଧନଙ୍କ ମନୋଭାବ ଓ ଶଠ ଆଚରଣକୁ ଠିକରେ ବୁଝିଥିଲେ ମାଧବ । ସେ ଓଠରେ ସ୍ମିତହାସ ଖେଳାଇ କହିଲେ, ‘ଦୁର୍ଯ୍ୟୋଧନ! ମୁଁ ଏଠାକୁ ପାଣ୍ଡବମାନଙ୍କ ଦୂତ ଭାବରେ ଆସିଛି । ଦୂତର କାର୍ଯ୍ୟସିଦ୍ଧି ହେଲାପରେ ସେ ଅନ୍ନ ଜଳ ସ୍ପର୍ଶ କରିବା କଥା । ମୋ କାର୍ଯ୍ୟସିଦ୍ଧି ହେଲା ପରେ ତୁମ ଅଭ୍ୟର୍ଥନା ନିଶ୍ଚୟ ଗ୍ରହଣ କରିବି । ଯେଉଁଥିପାଇଁ ଆସିଛି ସେ କାମ ଆଗ ହେଉ ।’

କୃଷ୍ଣଙ୍କ କଥା ଶୁଣି ଦୁର୍ଯ୍ୟୋଧନ କହିଲେ, ‘ଆମ ଭିତରେ ତ କିଛି ଦ୍ୱେଷ ନାହିଁ କି ଆମ ଭିତରେ କିଛି ବିବାଦ ନାହିଁ । ଆମେ କେହି କାହାର ଶତୃ ବି ନୁହଁନ୍ତି । ଆପଣ ଆପଣଙ୍କ କାମରେ ସଫଳ ହୁଅନ୍ତୁ କି ଅସଫଳ ହୁଅନ୍ତୁ ଆମେ ଶ୍ରଦ୍ଧାର ସହ ଆପଣଙ୍କ ପୂଜା କରିବାକୁ ଚାହୁଁଛୁ । ମୁଁ ଜାଣିପାରୁନି କୋଉ କାରଣରୁ ଆପଣ ତାହା ଏଡାଇ ଦେଉଛନ୍ତି ।’

ବାସୁଦେବ ମନ୍ଦ ମନ୍ଦ ହସ ସହ କହିଲେ, ‘ହେ ଦୁର୍ଯ୍ୟୋଧନ! ମୁଁ କାମ, କ୍ରୋଧ, ଲୋଭ, ଅର୍ଥ, ଦ୍ୱେଷ ଓ କପଟର ଅଧିନ ହୋଇ କେବେବି ଧର୍ମକୁ ପରିତ୍ୟାଗ କରିନି । କେହି ପ୍ରୀତିରେ ଅବା ବିପଦରେ ପଡି ଅନ୍ୟର ଭୋଜନ କରେ। ମୁଁ ଏବେ କୌଣସି ଆପଦରେ ପଡିନି କିମ୍ବା ତୁମେ ମୋର ପ୍ରୀତିପୂର୍ଣ୍ଣ କାମ କିଛିବି କେବେବି କରିନ । ତେଣୁ ତୁମ ପାଖରେ ଭୋଜନ କରିବାର କୌଣସି କାରଣ ନାହିଁ । ଧର୍ମ ରାସ୍ତାରେ ସର୍ବଦା ବାଟ ଚାଲୁଥିବା ପାଣ୍ଡବମାନଙ୍କ ପ୍ରତି ତୁମେ ସବୁବେଳେ ହିଂସା ଓ ଦ୍ୱେଷ କରିଛ । ପାଣ୍ଡବମାନେ ମୋର ଅନୁଗତ । ସେମାନଙ୍କ ପ୍ରତି ହିଂସାର ଅର୍ଥ ମୋ ପ୍ରତି ହିଂସା ବୋଲି ମୁଁ ବିଚାର କରେ । ତୁମର ଦୁଷ୍ଟ ଅଭିସନ୍ଧିର ଅନ୍ନ ମୋ ଭୋଜନର ଯୋଗ୍ୟ ନୁହେଁ । ତେଣୁ ମୁଁ ବିଦୁରଙ୍କ ଘରେ ଭୋଜନ କରିବି ।’

କୃଷ୍ଣ ଏତିକି କହି ଦୁର୍ଯ୍ୟୋଧନଙ୍କ ଘର ତ୍ୟାଗ କରି ବିଦୁରଙ୍କ ଘରକୁ ବାହାରିଗଲେ । କୃଷ୍ଣ ଦୁର୍ଯ୍ୟୋଧନଙ୍କ ଘରେ ଅନ୍ନ ସ୍ପର୍ଶ ନକରି ବିଦୁରଙ୍କ ଘରକୁ ଫେରିଯିବାର ଖବର ଅନ୍ୟମାନେ ପାଇଲେ । ଯଥାଶୀଘ୍ର ଭୀଷ୍ମ, ଦ୍ରୋଣ, କୃପ, ବାହ୍ଲୀକ ଓ ଅନ୍ୟ କିଛି କୌରବ ମିଶି ବିଦୁରଙ୍କ ଘରେ କୃଷ୍ଣଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଲେ । ସେମାନେ ସମସ୍ତେ କୃଷ୍ଣଙ୍କ ସହ ସାକ୍ଷାତ ପରେ ଫେରିଗଲେ । କୃଷ୍ଣ ଭୋଜନ ପରେ ବିଦୁରଙ୍କ ସହ ଅନେକ ରାତ୍ରୀ ପର୍ଯ୍ୟନ୍ତ କଥା ହେଲେ ।

ବିଦୁର କହିଲେ, ‘ହେ କେଶବ! ଆପଣଙ୍କର ଏ କୌରବ ରାଜ୍ୟକୁ ଆସିବା ଠିକ୍ ହେଲାନି । ଦୁର୍ଯ୍ୟୋଧନ ଅତି ମନ୍ଦବୁଦ୍ଧି, କ୍ରୋଧୀ ଓ ଅକୃତଜ୍ଞ । ଆପଣ ତାକୁ ଯେତେ ଭଲ କଥା କହିଲେ ବି ସେ କିଛିବି ଗ୍ରହଣ କରିବନି । ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱଥାମା ଓ ଜୟଦ୍ରଥ ଆଦି ବୀରମାନଙ୍କୁ ଧରି ସେ ଯୁଦ୍ଧରେ ଜୟ କରିବ ବୋଲି ମନସ୍ଥ କରିଛି । ମୁଁ ବହୁବାର ତାକୁ ବୁଝାଇ ଅସଫଳ ହେଇଛି । ଦୁର୍ଯ୍ୟୋଧନ କେବେବି କୌଣସି ବିଜ୍ଞ ଲୋକର ଉପଦେଶ ଗ୍ରହଣ କରେନି ।

କୌରବ ଭାଇମାନଙ୍କର ଧାରଣା ସ୍ୱୟଂ ଇନ୍ଦ୍ରଦେବ ଆସି ସେମାନଙ୍କ ବିପକ୍ଷରେ ଯୁଦ୍ଧ କଲେ ପରାଜିତ ହେବେ । ବୃଥା ଅଭିମାନ, ଗର୍ବ ଓ ଅହଂକାରରେ ସେମାନଙ୍କୁ କେହି ସରିହେବେନି । ହେ ଜନାର୍ଦ୍ଦନ! ତେଣୁ ବିନା ଯୁଦ୍ଧରେ ଏଠି ଶାନ୍ତି ସ୍ଥାପନା ଏକ ପ୍ରକାର ଅସମ୍ଭବ ଜାଣନ୍ତୁ । ଦୁର୍ଯ୍ୟୋଧନ ଓ ତା'ର ପାଖ ଲୋକମାନେ ପାଣ୍ଡବଙ୍କ ସହ ଆପଣଙ୍କୁ ମଧ୍ୟ ଶତୃ ଭାବରେ ବିବେଚନା କରନ୍ତି । ତେଣୁ ଏ ଶତୃଙ୍କ ବ୍ୟୁହ ଭିତରକୁ ଆପଣଙ୍କର ଆସିବାର ନଥିଲା ।’
ବିଦୁର ଅତ୍ୟନ୍ତ ଭୟାତୁର ହୋଇ ଏକଥା କହିଲେ ।

ବିଦୁରଙ୍କ ଶଙ୍କାପୂର୍ଣ୍ଣ ଆଖିକୁ ଚାହିଁ କୃଷ୍ଣ କହିଲେ, ‘ହେ ବିଦୁର! ତୁମେ ସେ ଅହଂକାରୀ ଦୁର୍ଯ୍ୟୋଧନ ବିଷୟରେ ଯାହା ଯାହା କହିଲ ସବୁ ସତ । ତୁମେ ଯାହା କହିଲ ମୁଁ ସବୁ କିଛି ଜାଣିଛି ଓ ଜାଣିକରି ଏଠାକୁ ଆସିଛି । ମୁଁ ଦୁଇ ପକ୍ଷର ମଙ୍ଗଳ କାମନାରେ ଆସିଛି । ବିନା ଯୁଦ୍ଧ ଓ ରକ୍ତପାତରେ ସମସ୍ୟାର ସମାଧାନ ହେଇଯିବାରେ ଉଭୟ ପକ୍ଷର ମଙ୍ଗଳ ହେବ । ଯୁଦ୍ଧ ହେଲେ କେହିନା କେହି ନିଶ୍ଚୟ କହିବେ କୃଷ୍ଣ ଯୁ୍ଦ୍ଧ ବନ୍ଦ କରିବାକୁ କିଛି ବି ପ୍ରୟାସ କଲେନି । ଏମିତି କେହି ଯେମିତି ନକୁହନ୍ତୁ ସେଥିପାଇଁ ମୁଁ ଶାନ୍ତି ପାଇଁ ଶେଷ ପ୍ରଯତ୍ନ କରୁଛି ।

ତାପରେ ଦୁର୍ଯ୍ୟୋଧନ ଯଦି ଅବୋଧ ବାଳକ ପରି ଆଚରଣ କରି ମୋର କଥା ନଶୁଣିବେ ତେବେ ନିଶ୍ଚୟ ମୃତ୍ୟୁମୂଖରେ ପଡିବେ । ତାଙ୍କୁ ତାଙ୍କ ବନ୍ଧୁ ସହୋଦର କେହି ବି ରକ୍ଷା କରିପାରିବେନି । ତୁମେ ମୋ ସୁରକ୍ଷା ନେଇ ଯେଉଁ ଚିନ୍ତା କରୁଛ ସେ ଭୟ ଛାଡିଦିଅ । ସେମାନେ କେହିବି ମୋର କିଛିବି ଅନିଷ୍ଟ କରିପାରିବେନି । ସିଂହର ପଲେ ହରିଣ ମିଳିମିଶି ଯେମିତି କିଛି କ୍ଷତି କରିପାରନ୍ତି, ସେମିତି ସେମାନେ କେହି ମୋ କ୍ରୋଧ ଆଗରେ  ଛିଡା ହେଇ ପାରିବେନି ।’
ଏତିକି କହି ଶ୍ରୀକୃଷ୍ଣ ଶୋଇବାକୁ ଚାଲିଗଲେ ।

ପରଦିନ ସକାଳୁ କୃଷ୍ଣ ତାଙ୍କ ନିତ୍ୟକର୍ମ ଶେଷ କଲାବଳେକୁ ଦୁର୍ଯ୍ୟୋଧନ ଓ ଶକୁନି ତାଙ୍କ ପାଖରେ ଆସି ପହଞ୍ଚି କହିଲେ, ‘ହେ ମାଧବ! କୁରୁସଭା ଆରମ୍ଭ ହେଲାଣି । ରାଜା ଧୃତରାଷ୍ଟ୍ର, ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ ଆଦି ଆପଣଙ୍କ ପ୍ରତୀକ୍ଷାରେ ବସିଛନ୍ତି ।’

କୃଷ୍ଣ ତାଙ୍କ ରଥ ଆରୋହଣ କରି କୁରୁସଭାକୁ ବାହାରିଲେ । ବିଦୁରଙ୍କ ଘରୁ କୃଷ୍ଣ ରଥରେ ବସି କୁରୁସଭାକୁ ଯିବା ସମୟରେ ରାସ୍ତାର ଦୁଇପାଖରେ ଶହ ଶହ ନଗରଜନ ଠିଆ ହୋଇ ତାଙ୍କୁ ଅଭିବାଦନ ଓ ପୂଜା କରୁଥା'ନ୍ତି । କୃଷ୍ଣ ସ୍ମିତହସ ସହିତ ସମସ୍ତଙ୍କର ଅଭିବାଦନ ଗ୍ରହଣ କରୁଥା'ନ୍ତି ।

ସାତ୍ୟକି ଓ ବିଦୁରଙ୍କ ସହ କୃଷ୍ଣ କୁରୁସଭା ଭିତରକୁ ପ୍ରବେଶ କଲେ । କୃଷ୍ଣ ପହଞ୍ଚିବାରୁ ସମଗ୍ର ସଭା ତାଙ୍କୁ ଅଭିବାଦନ ଦେଲା । ରାଜା ଧୃତରାଷ୍ଟ୍ର, ପିତାମହ ଭୀଷ୍ମ, ଦ୍ରୋଣ, କୃପ, ଅଶ୍ୱଥାମା, କର୍ଣ୍ଣ  ଓ ଉପସ୍ଥିତ ଅନ୍ୟମାନେ ନିଜ ନିଜ ଆସନରୁ ଉଠି ଠିଆହେଇ ପଡିଲେ । ଧୃତରାଷ୍ଟ୍ରଙ୍କ ଆଦେଶରେ କୃଷ୍ଣଙ୍କ ପାଇଁ ଏକ ସ୍ୱର୍ଣ୍ଣ ସିଂହାସନର ବ୍ୟବସ୍ଥା କରାଯାଇଥିଲା । କୃଷ୍ଣ ସଭାରେ ଉପସ୍ଥିତ ଧୃତରାଷ୍ଟ୍ର, ଭୀଷ୍ମ, ଦ୍ରୋଣ ଆଦି ବୟସ୍କମାନଙ୍କୁ ସମ୍ଭାଷଣ କରି ନିଜ ଆସନ ଗ୍ରହଣ କଲେ ।

ହସ୍ତିନାପୁରକୁ ଆସୁଥିବା ସମୟରେ କୃଷ୍ଣ ବାଟରେ ଯେଉଁ ତପସ୍ୱୀମାନଙ୍କୁ ଦେଖିଥିଲେ ସେମାନେ ମଧ୍ୟ ନଗରପାଳମାନଙ୍କ ସହ ବସିଥିଲେ । କର୍ଣ୍ଣ ଓ ଦୁର୍ଯ୍ୟୋଧନ ଗୋଟେ ଆସନରେ ସାଙ୍ଗ ହେଇ ବସିଲେ । ବିଦୁର କୃଷ୍ଣଙ୍କ ପାଖରେ ଆସି ବସିଲେ । ଅତସୀ କୁସୁମ କାନ୍ତିର କୃଷ୍ଣ ହଳଦିଆ ପୋଷାକ ପିନ୍ଧି ସୁବର୍ଣ୍ଣ ଆଚ୍ଛାଦିତ କୁରୁସଭା ଭିତରେ ନୀଳକାନ୍ତିମଣି ପରି ଦିଶୁଥା'ନ୍ତି ।

କୃଷ୍ଣଙ୍କ ଉପସ୍ଥିତି ଯୋଗୁଁ କୁରୁସଭାର ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ସମସ୍ତେ କେବଳ ତାଙ୍କୁ ମନପୁରା ଆଖିପୁରାଇ ଦେଖିବାରେ ଲାଗିଥା'ନ୍ତି । କେହି କିଛିବି କହୁନଥା'ନ୍ତି । କିଛି ସମୟଧରି କେହି କିଛି ନକହିବାରୁ କୃଷ୍ଣ ଚାରିଆଡକୁ ଚାହିଁଲେ ଓ ରାଜା ଧୃତରାଷ୍ଟ୍ରଙ୍କୁ ଚାହିଁ ଗୁରୁ ଗମ୍ଭୀର ସ୍ୱରରେ କହିଲେ, ‘ହେ ରାଜା ମୁଁ କୌରବ ଓ ପାଣ୍ଡବମାନଙ୍କ ଭିତରେ ଶାନ୍ତି ପ୍ରତିଷ୍ଠା କରିବାର ପ୍ରୟାସରେ ଏଠାକୁ ଆସିଛି । ଏହା ଛଡା ମୋର ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ ।’

Mahabharat Story
Advertisment
Related Articles
Advertisment