Advertisment

Kuru Court Chaos: ଗାନ୍ଧାରୀଙ୍କ ଉପଦେଶ ଓ ଦୁର୍ଯ୍ୟୋଧନଙ୍କ ଭୟଙ୍କର ଯୋଜନା, କଣ ଘଟିଥିଲା କୁରୁସଭାରେ

କାହିଁକି କୁରୁସଭାକୁ ଗାନ୍ଧାରୀଙ୍କୁ ଡାକି ପଠାଇଲେ ରାଜା ଧୃତରାଷ୍ଟ୍ର? କ'ଣ ପାଇଁ ରାଗରେ ସଭା ଛାଡି ଚାଲିଗଲେ ଦୁର୍ଯ୍ୟୋଧନ? ମନ୍ତ୍ରଣାକକ୍ଷରେ ଅନ୍ୟମାନଙ୍କ ସହ କ'ଣ ଭୟଙ୍କର ଯୋଜନା କଲେ ଦୁର୍ଯ୍ୟୋଧନ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

କୁରୁସଭାରେ ଯିଏ ଯେତେ ପ୍ରକାର ବୁଝାଇଲେ ବି ତା'ର କୌଣସି ପ୍ରଭାବ ଦୁର୍ଯ୍ୟୋଧନଙ୍କ ଉପରେ ପଡିଲା ନାହିଁ । ସେ ତାଙ୍କ ଯୁକ୍ତି ଓ ଜିଦ୍ ରେ ଅଟଳ ଥିଲେ। ବୁଝିବେ କ'ଣ ଦୁର୍ଯ୍ୟୋଧନ ଓଲଟା କୃଷ୍ଣଙ୍କୁ ସିଧା ସିଧା କହିଲେ ପାଣ୍ଡବମାନଙ୍କୁ ଅଧା ରାଜ୍ୟ ତ ଦୂରର କଥା ଛୁଞ୍ଚି ମୁନରେ ବି ମୁନେ ଜାଗା ଦେବେନି ।

Advertisment

ଦୁର୍ଯ୍ୟୋଧନଙ୍କ ଅହଙ୍କାରପୂର୍ଣ୍ଣ କଥା ଶୁଣି ଶ୍ରୀକୃଷ୍ଣଙ୍କ ମନରେ କ୍ରୋଧ ଆସିଲା । କିନ୍ତୁ କ୍ରୋଧ ପ୍ରକାଶ ନକରି ମୁହଁରେ ହସ ଖେଳାଇ ସେ କହିଲେ, ‘ହେ ଦୁର୍ଯ୍ୟୋଧନ! ତୁମେ ନିଜକୁ ନିର୍ଦୋଷ ବୋଲି କୁହନାହିଁ । ତୁମେ ପାଣ୍ଡବ ପରିବାରକୁ ଜଉ ଘର ଭିତରେ ଜୀଅନ୍ତା ଜାଳି ମାରିଦେବା ପାଇଁ ଯୋଜନା କରିଥିଲ । ତୁମ ମାମୁ ଶକୁନିଙ୍କ ମନ୍ତ୍ରଣାରେ କପଟ ପଶା ଖେଳ ଆରମ୍ଭ କରିଥିଲ । ତୁମେ ହିଁ ପାଣ୍ଡବମାନଙ୍କୁ ପଶା ଖେଳିବାକୁ ଡାକିବା ପାଇଁ ଧୃତରାଷ୍ଟ୍ରଙ୍କୁ ବାଧ୍ୟ କରିଥିଲ । ତୁମରି ଉପସ୍ଥିତିରେ ପାଣ୍ଡବମାନଙ୍କ କୁଳବଧୂ ଦ୍ରୌପଦୀଙ୍କର ଭରା ସଭାରେ ଅପମାନ କରାଯାଇଥିଲା ।

ତୁମର ସମସ୍ତ ଅପମାନ, ଲାଞ୍ଛନା, ଷଡ଼ଯନ୍ତ୍ର ଓ ମନ୍ଦ ଉଦ୍ଦେଶ୍ୟକୁ ସହି କଷ୍ଟରେ ତେର ବର୍ଷ ବନବାସରେ ବିତାଇ ସେମାନେ ଫେରିଛନ୍ତି । ପୂର୍ବ ସର୍ତ୍ତ ମୁତାବକ ସେମାନଙ୍କ ପୈତୃକ ଅଂଶ ମାଗିଲା ବେଳକୁ ତୁମେ ଛୁଞ୍ଚି ମୁନରେ ମୁନେ ସ୍ଥାନ ଫେରାଇବାକୁ ରାଜି ହେଉନ । ତୁମର ପିତା-ମାତା, ଭୀଷ୍ମ, ଦ୍ରୋଣ, ବିଦୁର ଆଦି ଗୁରୁଜନମାନେ ତୁମକୁ ଶାନ୍ତ ହେବାକୁ ବାର ବାର କହିଲା ପରେ ବି କାହାକଥା ଶୁଣିବାକୁ ରାଜି ହେଉନ । ଏତେ କିଛି କଲା ପରେ ଲଜ୍ୟାହୀନ ବ୍ୟକ୍ତି ପରି ନିଜକୁ ନିର୍ଦ୍ଦୋଷ କେମିତି କହି ପାରୁଛ?’

Advertisment

କୃଷ୍ଣ ଆଉ ଅଧିକ କିଛି ନକହି ଚୁପ୍ ରହିଲେ । ଦୁଃଶାସନ ତାପରେ ଦୁର୍ଯ୍ୟୋଧନଙ୍କୁ କହିଲେ, ‘ଭାଇ ମୋତେ ଏଠି କିଛି ଠିକ ଲାଗୁନି । ଆମ ନିଜ ଲୋକଙ୍କର ମତିଗତି ବି ଠିକ ଲାଗୁନି । ତୁମେ ଯଦି ପାଣ୍ଡବମାନଙ୍କ ସହ ସନ୍ଧି ନକରିବ, ତେବେ ଏମାନେ ସମସ୍ତେ ମିଶି ଆମମାନଙ୍କୁ ଯୁଧିଷ୍ଠିରଙ୍କ ହାତରେ ସମର୍ପି ଦେବେ । ମୋତେ ଲାଗୁଛି ଆମ ପିତା ରାଜା ଧୃତରାଷ୍ଟ୍ର, ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ ମିଳିମିଶି ଅଙ୍ଗ ରାଜା କର୍ଣ୍ଣ, ତୁମକୁ ଓ ମୋତେ ବନ୍ଦୀ କରି ପାଣ୍ଡବଙ୍କୁ ଦେଇଦେବେ ।’

ଦୁଃଶାସନଙ୍କ କଥା ଶୁଣୁ ଶୁଣୁ ଦୁର୍ଯ୍ୟୋଧନ ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲିଗଲେ । କୁରୁସଭାରେ ଉପସ୍ଥିତ ଥିବା କୃଷ୍ଣ, ଧୃତରାଷ୍ଟ୍ର, ଭୀଷ୍ମ, ଦ୍ରୋଣ, ବିଦୁର, କୃପ, ସୋମଦତ୍ତ ଓ ବାହ୍ଲିକ ଆଦି ଉପସ୍ଥିତ ଥିଲେ ମଧ୍ୟ ସେ କ୍ରୋଧରେ ଅଗ୍ନିଶର୍ମା ହେଇ ପୁରା ସଭାକୁ ଅବଜ୍ଞା ଭାବ ଦେଖାଇ ସଭାସ୍ଥଳ ଛାଡି ଉଠି ଚାଲିଗଲେ । ତାଙ୍କ ପଛେ ପଛେ ତାଙ୍କ ଭାଇମାନେ ଓ ତାଙ୍କୁ ସମର୍ଥନ କରୁଥିବା ଅନୁଗତ ରାଜା ଓ ଅମାତ୍ୟମାନେ ବି ସଭାସ୍ଥଳ ଛାଡି ଚାଲିଗଲେ ।

ଦୁର୍ଯୋଧନଙ୍କ ଏପରି ଅଭଦ୍ରଙ୍କ ପରି ସଭାସ୍ଥଳ ଛାଡି ଚାଲିଯିବାର ଦେଖି କୃଷ୍ଣଙ୍କ ଉଦ୍ଦେଶ୍ୟରେ ଭୀଷ୍ମ କହିଲେ, ‘ଯିଏ ଧର୍ମକୁ ଛାଡି ବୃଥା ଅଭିମାନରେ କ୍ରୋଧର ବଶବର୍ତ୍ତୀ ହୋଇ ଏପରି ବ୍ୟବହାର କରେ ତା'ର ମୁକ୍ତିର ସମସ୍ତ ରାସ୍ତା ଆପେ ବନ୍ଦ ହେଇଯାଏ ।’

ଭୀଷ୍ମଙ୍କ କଥା ଶୁଣି କୃଷ୍ଣ କହିଲେ, ‘ଆପଣମାନେ ଏହି ଐଶ୍ୱର୍ଯ୍ୟମତ୍ତ, ଅଭିମାନୀ ଓ ନିୟମ ଉଲଂଘନକାରୀ ଦୁଷ୍ଟ ଦୁର୍ଯ୍ୟୋଧନକୁ ଉପଯୁକ୍ତ ଭାବରେ ଶାସନ କରିନାହାଁନ୍ତି । ଏବେ ଦୁର୍ଯ୍ୟୋଧନର ଅପକର୍ମ ପାଇଁ ଆପଣମାନଙ୍କୁ ହିଁ ଅପବାଦ ମିଳିବ । ମୋତେ ମୋ ମାମୁ କଂସ ଓ ଦୁର୍ଯ୍ୟୋଧନଙ୍କ ଭିତରେ କିଛି ଫରକ୍ ଦିଶୁନି । କଂସ ନିଜର ପିତା ଉଗ୍ରସେନଙ୍କ ସମସ୍ତ ସମ୍ପତ୍ତି ବଳପୂର୍ବକ ଅପହରଣ କରି ଭୋଗ କରୁଥିଲା ।

ନିଜ ପିତାଙ୍କ କ୍ଷମତା ବି ଅପହରଣ କରି ଯାଦବମାନଙ୍କୁ ପରାଧୀନ କରି ରଖିଥିଲେ । ତା'ର ଦୈରାତ୍ମରୁ ରକ୍ଷା ପାଇବାକୁ ତା'ର ଆତ୍ମୀୟମାନେ ତାକୁ ତ୍ୟାଗ କରିଥିଲେ । ଆମେ ମଧ୍ୟ ସେଇ ଆତ୍ମୀୟମାନଙ୍କ ମଙ୍ଗଳ ପାଇଁ ତାକୁ ସଂହାର କରିଥିଲୁ। କଂସକୁ ଯାଦବମାନେ ମିଳିତ ଭାବରେ ସମସ୍ତଙ୍କ ମଙ୍ଗଳ ପାଇଁ ପରିତ୍ୟାଗ କରିଥିଲେ । ହେ ରାଜା ଧୃତରାଷ୍ଟ୍ର! ସମଗ୍ର କୁରୁବଂଶର ମଙ୍ଗଳ ପାଇଁ ତୁମେ ତୁମର ଏଇ ମନ୍ଦ ବୁଦ୍ଧି, ଆତ୍ମଗର୍ବୀ, କ୍ଷମତାମତ୍ତ ପୁତ୍ରକୁ ପରିତ୍ୟାଗ କର । ଜଣେ ମାତ୍ର ଲୋକର ଅଭିମାନକୁ ସମ୍ମାନ ଦେଇ ପୁରା ବଂଶକୁ ଧ୍ୱଂସମୁଖକୁ ଠେଲି ଦିଅନି ।’

ତାପରେ ସମଗ୍ର ସଭାକୁ କୃଷ୍ଣ କହିଲେ, ‘ପଣ୍ଡିତମାନଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତିକୁ ତ୍ୟାଗ କଲେ ଯଦି କୁଳର ମଙ୍ଗଳ ହେବ ତେବେ ସେହି ବ୍ୟକ୍ତିକୁ ତ୍ୟାଗ କରିବା ଉଚିତ । ଯଦି ଗୋଟେ କୁଳକୁ ତ୍ୟାଗ କଲେ ଏକ ଗ୍ରାମ ରକ୍ଷା ହେଉଛି ତେବେ ସେ କୁଳକୁ ତୁରନ୍ତ ତ୍ୟାଗ କରିବା ଉଚିତ । ଗୋଟେ ଗ୍ରାମକୁ ତ୍ୟାଗ କଲେ ଯଦି ସମସ୍ତ ରାଜ୍ୟର ମଙ୍ଗଳ ହେଉଛି ତେବେ ସେ ଗ୍ରାମକୁ ତ୍ୟାଗ କରିବା ଉଚିତ । ତେଣୁ ହେ ରାଜା ! ଆପଣ ଏବେ ମହାନ କୁରୁବଂଶର ମଙ୍ଗଳ ପାଇଁ ଯଥାଶୀଘ୍ର ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ ଓ ସୁବଳନନ୍ଦନ ଶକୁନିଙ୍କୁ ବନ୍ଦୀ କରି ପାଣ୍ଡବମାନଙ୍କ ହାତରେ ଦିଅନ୍ତୁ । ତାପରେ ପାଣ୍ଡବଙ୍କ ସହ ସନ୍ଧି ସ୍ଥାପନ କରି ଅସଂଖ୍ୟ କ୍ଷତ୍ରୀୟଙ୍କ ରକ୍ତପାତକୁ ଏଡାଇ ଯାଆନ୍ତୁ ।’

କୃଷ୍ଣଙ୍କ ଏପରି ପ୍ରସ୍ତାବ ଶୁଣି ରାଜା ଧୃତରାଷ୍ଟ୍ର ସଙ୍ଗେ ସଙ୍ଗେ ବିଦୁରଙ୍କୁ କହିଲେ, ‘ତୁମେ ଯାଇ ଗାନ୍ଧାରୀଙ୍କୁ ତୁରନ୍ତ ଏଠାକୁ ଡାକିଆଣ । ହୁଏତ ସେ ଆଉଥରେ କିଛି ବୁଝେଇ କହିଲେ ତାଙ୍କ ମନ୍ଦବୁଦ୍ଧି ଅବୁଝା ପୁଅ କିଛି କାଳେ ବୁଝିବ ପରା ।’ ତାପରେ ବିଦୁର ରାଣୀ ଗନ୍ଧାରୀଙ୍କ ପାଖରେ ପହଞ୍ଚି ତାଙ୍କୁ ସଭାଗୃହକୁ ଡାକି ଆଣିଲେ । ଗାନ୍ଧାରୀ ପହଞ୍ଚିଲା ପରେ ଧୃତରାଷ୍ଟ୍ର କହିଲେ, ‘ହେ ଗାନ୍ଧାରୀ! ତୁମର ଦୁରାତ୍ମା ପୁଅ ଐଶ୍ୱର୍ଯ୍ୟ ଲୋଭରେ ସମସ୍ତ ଐଶ୍ୱର୍ଯ୍ୟ ସଙ୍ଗେ ଆପଣାର ପ୍ରାଣ ନାଶ କରିବ । ସେ ମୁଢମତି ସୁହୃଦ ଆତ୍ମୀୟମାନଙ୍କ ଉପଦେଶ ଅବମାନନା କରି ଅଶିଷ୍ଟ ପରି ସଭାଗୃହରୁ ବାହାରି ଯାଇଛି ।’

ଗାନ୍ଧାରୀ ସବୁକଥା ଶୁଣିସାରିଲା ପରେ କହିଲେ, ‘ସ୍ୱାମୀ! ସେ ରାଜ୍ୟଲୋଭୀ ପୁଅକୁ ତୁରନ୍ତ ଏଠାକୁ ଡାକିବାର ବ୍ୟବସ୍ଥା କରନ୍ତୁ । ଧର୍ମ ବିରୋଧି ଲୋକକୁ କେବେବି ରାଜ୍ୟ ପ୍ରାପ୍ତ ହୁଏନି । ଦୁର୍ଯ୍ୟୋଧନର ଏପରି ବ୍ୟବହାର ପାଇଁ ଆପଣ ହିଁ ବେଶି ଦାୟୀ । ପୁତ୍ର ପ୍ରେମରେ ଦୁର୍ଯ୍ୟୋଧନ ପାପପ୍ରାଣ ଜାଣି ମଧ୍ୟ ଆପଣ ତା'ର ସମସ୍ତ କଥା ଅତୀତରେ ଶୁଣିଛନ୍ତି ଓ ମାନିଛନ୍ତି । ଏବେ ସେ ପାପାତ୍ମା ଦୁର୍ଯ୍ୟୋଧନ କାମ କ୍ରୋଧ ଅଧୀନ ଓ ସମ୍ପୂର୍ଣ୍ଣ ମୋହଗ୍ରସ୍ତ । ଏବେ ସେ ଆଉ ଆପଣଙ୍କର ଅଧୀନରେ ନାହିଁ କି ଆପଣଙ୍କ ପାଖରେ ତାକୁ ନିୟନ୍ତ୍ରଣ କରିବାର ଶକ୍ତି ନାହିଁ । ମୁଢବୁଦ୍ଧି, ପାପାତ୍ମା ଓ ଜଣେ ଲୋଭୀକୁ ଆପଣ ରାଜ୍ୟ ଦେଇ ଭୁଲ କରିସାରିଛନ୍ତି ।’

ପୁଅ ଦୁର୍ଯ୍ୟୋଧନକୁ ବୁଝାଇଲେ ଗାନ୍ଧାରୀ 

ରାଜାଙ୍କ ଆଦେଶ ପାଇ ଦୁର୍ଯୋଧନ ପୁଣି ଥରେ ସଭା ଗୃହକୁ ଆସିଲେ । ରାଗ ଯୋଗୁଁ ତାଙ୍କ ଆଖି ଲାଲ ପଡିଥାଏ ଓ ନିଶ୍ୱାସ ପ୍ରଶ୍ୱାସ ତୀବ୍ରବେଗରେ ଚାଲିଥାଏ । ସେ ଆଉ ନିଜର ନିୟନ୍ତ୍ରଣରେ ନଥାନ୍ତି । ଗାନ୍ଧାରୀ ସଭା ଭିତରକୁ ଦୁର୍ଯ୍ୟୋଧନକୁ ଆସିବାର ଦେଖି କହିଲେ, ‘ପୁଅ ମୁଁ ତୋର ମଙ୍ଗଳ ପାଇଁ କିଛି କଥା କହିବି ମନ ଦେଇ ଶୁଣ । ପାଣ୍ଡବମାନଙ୍କ ସହ ଯୁଦ୍ଧ ନକରି ଶାନ୍ତି ପ୍ରତିଷ୍ଠା କଲେ ସମସ୍ତଙ୍କ ପାଇଁ ମଙ୍ଗଳ ହେବ । ଏଠାରେ ଉପସ୍ଥିତ ଗୁରୁଜନମାନେ ଯାହା କହୁଛନ୍ତି ସେମାନଙ୍କ କଥା ମାନିନେ । ଅନେକ ବର୍ଷ ଧରି ତୁ ପାଣ୍ଡବମାନଙ୍କୁ ଦୁଃଖ କଷ୍ଟ ଦେଇଛୁ ।

ତେରବର୍ଷ ପାଇଁ ସେମାନେ ବଣ ଜଙ୍ଗଲରେ ବୁଲି ବୁଲି ଫେରିଛନ୍ତି । ଏବେ ସୁନାପିଲା ପରି ସେମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେ । ଦୁଇ ପରିବାର ଆନନ୍ଦରେ ରୁହ । ଅଯଥା ଗର୍ବ ଅଭିମାନ ଦେଖାଇ ସେମାନଙ୍କ ମନରେ ରାଗ ତିଆରି କରନି । ତୁ ଯୋଉ ଭୀଷ୍ମ, ଦ୍ରୋଣ, କୃପ ଆଦିଙ୍କୁ ଧରି ପାଣ୍ଡବମାନଙ୍କ ସହ ଯୁଦ୍ଧ କରିବାକୁ ଆଗଭର ହେଉଛୁ ସେମାନେ ସମସ୍ତେ ପାଣ୍ଡବମାନଙ୍କୁ ମଧ୍ୟ ଭଲ ପାଆନ୍ତି । ସେମାନେ ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେନି ।

ମନେରଖ ଦୁରାତ୍ମା ପାପିଷ୍ଟ ମଣିଷମାନେ ରାଜ୍ୟ ପାଇବାକୁ ଇଚ୍ଛା ସିନା କରନ୍ତି କିନ୍ତୁ ତାକୁ ଭୋଗ କରିପାରନ୍ତିନି । ଅନ୍ୟମାନଙ୍କୁ ପରାଜିତ କରିବା ଆଗରୁ ପ୍ରଥମେ ନିଜର ଗର୍ବ, ଅହଂକାର ଓ ଅଭିମାନକୁ ଜୟ କର । ଭୀଷ୍ମ ଓ ଦ୍ରୋଣ ଯାହା କହିଛନ୍ତି ତାହା ସତ୍ୟ ଯେ କୃଷ୍ଣ ଓ ଅର୍ଜୁନଙ୍କୁ କେହିବି ପରାସ୍ତ କରିପାରିବେନି । ତେଣୁ ମୋ କଥା ମାନି  ବାସୁଦେବ କୃଷ୍ଣଙ୍କ ପାଖରେ ଶରଣ ନେ । ସେ ପ୍ରସନ୍ନ ହେଲେ ତୋର ସମସ୍ତ ପାପକୁ କ୍ଷମା କରିଦେବେ । ଅଧିକ କ୍ରୋଧର ବଶବର୍ତ୍ତୀ ହେଇ ନିଜ ବଂଶକୁ ମରଣ ମୁହଁକୁ ଠେଲି ଦେଏନାରେ ।’

ଅନ୍ୟମାନଙ୍କ ଉପଦେଶକୁ ପୂର୍ବରୁ ଅବଜ୍ଞା କରିଥିବା ଦୁର୍ଯ୍ୟୋଧନ ଏଥର ମଧ୍ୟ ଗାନ୍ଧାରୀଙ୍କ କୌଣସି କଥାକୁ ଶୁଣିଲାନି କି ଗୁରୁତ୍ୱ ଦେଲାନି । ଗାନ୍ଧାରୀଙ୍କ କଥା ସରୁ ସରୁ ପୁଣିଥରେ ରାଗି ସଭାସ୍ଥଳ ଛାଡି ବାହାରକୁ ବାହାରିଗଲେ । ସଭାକକ୍ଷରୁ ବାହାରି ଦୁର୍ଯ୍ୟୋଧନ ସିଧା ଗଲେ ମାମୁ ଶକୁନିଙ୍କ ପାଖକୁ । ସେଇଠି ଆଗରୁ କର୍ଣ୍ଣ ଓ ଦୁଃଶାସନ ବି ଉପସ୍ଥିତ ଥିଲେ । ଚାରିଜଣଙ୍କ ଭିତରେ ମନ୍ତ୍ରଣା ଚାଲିଲା ଯେ କୃଷ୍ଣ ହସ୍ତିନାରେ ପହଞ୍ଚି ସବୁ ହିସାବ ବିଗାଡି ସାରିଲେଣି ।

ରାଜା ଧୃତରାଷ୍ଟ୍ର , ପିତାମହ ଭୀଷ୍ମ ଓ କୃଷ୍ଣ ମିଳିମିଶି  ଆମକୁ ବାନ୍ଧି ପାଣ୍ଡବମାନଙ୍କ ପାଖରେ ସମର୍ପଣ କରିବା ପୂର୍ବରୁ ଚାଲ ବରଂ ସେଇ କୃଷ୍ଣଙ୍କୁ ଆଗ ବାନ୍ଧି ବନ୍ଦୀ କରିବା । ଆଜି କେଶବଙ୍କୁ ବାନ୍ଧି ପକେଇଲେ ସବୁ ଅଡୁଆ ତୁଟିଯିବ । ହସ୍ତିନାପୁରରେ କୃଷ୍ଣଙ୍କ ବନ୍ଦୀ ହେବାର ଖବର ପାଇଲାପରେ ପାଣ୍ଡବଙ୍କର ଯୁଦ୍ଧ କରିବାର ସମସ୍ତ ଉତ୍ସାହ ମରିଯିବ । ଯାହା ଜଣାପଡୁଛି ସଭାରେ ସମସ୍ତେ କୃଷ୍ଣଙ୍କୁ ଭୟ କରୁଛନ୍ତି । ତାଙ୍କୁ ବନ୍ଦୀ କଲାପରେ ସମସ୍ତେ ବିନା ଭୟରେ ଯୁଦ୍ଧ କରିପାରିବେ ।

Mahabharat Mahabharat Story
Advertisment