• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ।

ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ବିଫଳତା କ’ଣ ଭୁଲି ଯାଆନ୍ତୁ।

ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ ବୁଲୁଥିଲେ। ତାଙ୍କ ଆଖିରେ ପଡ଼ିଲା ଯେ, କିଛି ଲୋକ ଏକ ମହୁଫେଣାକୁ ଗଛରୁ କାଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ସେମାନେ ନିଆଁ ଲଗାଇ ମହୁମାଛିମାନଙ୍କୁ ଘଉଡ଼ାଇଦେଲେ। କିଛି ମହୁମାଛି ଜଳିପୋଡ଼ି ମରିଗଲେ ଓ ଆଉ କିଛି ମହୁମାଛି ନିଆଁ ଧାସରୁ ବର୍ତ୍ତିବା ପାଇଁ ଦୂରକୁ ଉଡ଼ିପଳାଇଗଲେ। ଲୋକମାନେ ଶେଷରେ ମହୁଫେଣାକୁ କାଟି ଜଙ୍ଗଲରୁ ବାହାରିଗଲେ।

ଏହି ଦୃଶ୍ୟ ଦେଖିବା ପରେ ବୌଦ୍ଧ ଭିକ୍ଷୁଙ୍କୁ ବହୁ କଷ୍ଟ ହେଲା। ସେ ଉକ୍ତ ଗଛ ମୂଳକୁ ଯାଇ କିଛି ମହୁମାଛିଙ୍କୁ ମରିପଡ଼ିଥିବା ଦେଖିଲେ। ଦୁର୍ବଳ ଉପରେ ସବଳର ଅତ୍ୟାଚାର ଦେଖି ସେ ବହୁତ ଦୁଃଖୀ ହେଲେ। ସେ ତୁରନ୍ତ ଗଛମୂଳରେ ବସି ମୃତ ମହୁମାଛିଙ୍କ ଉଦ୍ଦେଶ୍ୟରେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ ‘ ହେ ଈଶ୍ୱର, ଏମାନଙ୍କ ଆତ୍ମାକୁ ଶାନ୍ତି ମିଳୁ’।

ଭିକ୍ଷୁ ଜଣକ ତାଙ୍କ ସିଦ୍ଧି ବଳରେ ପଶୁପକ୍ଷୀଙ୍କ କଥା ବୁଝିପାରୁଥିଲେ। ସେ ଗଛ ମୂଳରେ ଉଡ଼ୁଥିବା ଏକ ମହୁମାଛି ସହ ଭାବ ବିନିମୟ କଲେ ଆଉ ପଚାରିଲେ, ‘ତୁମକୁ କଷ୍ଟ ହେଉ ନାହିଁ? ଏ ଲୋକମାନେ ତୁମର ବହୁକଷ୍ଟ ଉପାର୍ଜିତ ମହୁକୁ ଲୁଟି ନେଲେ। ମହୁମାଛିଟି ଏକ ଭାବପୂର୍ଣ୍ଣ ଉତ୍ତର ଦେଇ କହିଲା, ‘ହେ ମହାତ୍ମା, ଏହି ଲୋକମାନେ ଆମକୁ ବେଘର କରି ସବୁ ଲୁଟିନେବେ ବୋଲି ଆମେ ଜାଣିଥିଲୁ। ତଥାପି ଆମେ ଆମ କର୍ମରେ ଅବହେଳା କରିନାହୁଁ। ଏହି ଲୋକମାନଙ୍କର ବଳ ଅଧିକ। ସେମାନେ ଆମର ମହୁଫେଣା କାଟିନେବେ। ହେଲେ ଶତଚେଷ୍ଟା କଲେ ମଧ୍ୟ ମହୁ ତିଆରି କଳା ଆମ ପାଖରୁ ଲୁଟିପାରିବେ ନାହିଁ।’

[caption id="attachment_28854" align="aligncenter" width="1100"] image credit: The vacation times[/caption]

ଭିକ୍ଷୁ କହିଲେ, ‘ସତ୍ୟ କଥା। ଈଶ୍ୱର ତୁମମାନଙ୍କୁ ସେହି କଳା ଦେଇଛନ୍ତି।’

ଭିକ୍ଷୁ ପୁଣି ପଚାରିଲେ, ‘ତୁମେ ଯେଉଁ ଧର୍ମ କର୍ମ କଥା କହୁଛ ତାହା କ’ଣ? ମହୁମାଛିଟି ଉତ୍ତର ଦେଲା, ‘ଫୁଲରୁ ଫୁଲ ଉଡ଼ିବୁଲି ମହୁ ସଂଗ୍ରହ କରିବା ଆମ କର୍ମ ଆଉ ଧର୍ମ। ଆମେ କର୍ମରେ ଅବହେଳା କଲେ ଆମକୁ ମୃତ୍ୟୁର ସାମନା କରିବାକୁ ପଡ଼ିବ। ତେଣୁ ଆମେ କର୍ମ କରିଚାଲିଛୁ। ଲୋକେ ଆମର ମହୁ ଯେତେ ଲୁଟିନେଲେ ବି ଆମେ କର୍ମ କରି ଚାଲିଥିବୁ।’

ଭିକ୍ଷୁ କହିଲେ, ବେଘର ହୋଇଗଲା ପରେ ତୁମେ ସେହି ଯନ୍ତ୍ରଣା କିପରି ଲାଘବ କରୁଛ? ମହୁମାଛିଟି ଉତ୍ତରଦେଲା, ‘ଆମେ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ରହିଛୁ। କୌଣସି ପରିସ୍ଥିତିରେ ମଧ୍ୟ ଆମେ ଲକ୍ଷ୍ୟପଥରୁ ବିଚ୍ୟୁତ ହେଉନାହୁଁ। ଆମେ ଶୃଙ୍ଖଳାରେ ବିଶ୍ୱାସ କରୁ। ଆମେ ଶୃଙ୍ଖଳିତ ଓ ସଂଗଠିତ ଥିବାରୁ ଲୋକେ ଆମକୁ ଯେତେଥର ବେଘର କଲେ ବି ପୁଣି ଆମେ କିଛି ଦିନ ପରେ ଆଉ ଏକ ମହୁଫେଣା ତିଆରି କରୁ।’

[caption id="attachment_28859" align="aligncenter" width="820"] Image credit: India times.com[/caption]

ଭିକ୍ଷୁ କହିଲେ, ଜୀବନସାରା ଖାଲି କର୍ମ...! କର୍ମ କରି କରି ତୁମେ ବିରକ୍ତ ହୋଇଯାଅ ନାହିଁ? ତୁମେ ଏ ମଣିଷମାନଙ୍କୁ କାହିଁକି ଅଭିଶାପ ଦିଅ ନାହିଁ?

ମହୁମାଛିଟି ଆହୁରି ଭାବପୂର୍ଣ୍ଣ ଉତ୍ତର ଦେଇ କହିଲା, ‘ଭାଙ୍ଗିବା ହେଉଛି ମଣିଷର କାମ, ଆଉ ଗଢ଼ିବା ହେଉଛି ଆମର କାମ। ମଣିଷ ଆମକୁ ବାରମ୍ବାର ବେଘର କରୁଥିବାରୁ ଆମେ ଅଧିକ ସାହସର ସହିତ କାମ କରୁ। ପରାଜୟ ଆମ ଜୀବନରେ ନାହିଁ। ଆମ ଜୀବନର ଅନ୍ୟ ନାମ ସଂଘର୍ଷ। ମଣିଷ ଆମକୁ ଯେତେ ଥର ବେଘର କଲେ ବି ପୁଣି ଆମେ ଘର ତିଆରି କରୁଛୁ। ତେଣୁ ଆମେ ସବୁବେଳେ ହିଁ ଜିତୁଛୁ। ବିଜୟ ସବୁବେଳେ ଆମର ହିଁ ହେଉଛି। ମଣିଷ ଦିନେ ଜିତୁଛି, ଆଉ ଆମେ ସବୁ ଦିନ ଜିତୁଛୁ। କାରଣ ଆମର କର୍ମ ବନ୍ଦ ହୋଇଯାଉନି। ବୁଦ୍ଧି,ବିବେକ ଓ ଜ୍ଞାନର ପ୍ରୟୋଗ କରି କର୍ମ କରିଚାଲିବା ହିଁ ପ୍ରକୃତ ବିଜୟଧାରା। ତା’ ଛଡ଼ା ମଣିଷ ଆମର ଶତ୍ରୁ କାହିଁକି ହେବ? ଆମେ ତାଙ୍କୁ ଅଭିଶାପ କାହିଁକି ଦେବୁ? ଆମ ପରିଶ୍ରମରେ ଅନ୍ୟର ଉପକାର ହୋଇପାରୁଛି, ଆଉ ସେଥିପାଇଁ ଆମେ ଗର୍ବିତ।’

ଭିକ୍ଷୁ ଜଣଙ୍କ କହିଲେ, ‘ଧନ୍ୟ ତୁମ ଜୀବନଶୈଳୀ, ତୁମମାନଙ୍କ ମନରେ ବି ଏହି ଚିରଶତ୍ରୁଙ୍କ ପ୍ରତି ଦୟା ରହିଛି। ତୁମ ଜୀବନ ସାର୍ଥକ ହେଉ’। ମହୁମାଛିର କଥାରେ ଭିକ୍ଷୁ ଏତେ ପ୍ରୀତ ହୋଇଗଲେ ଯେ ତୁମେ ଆଜିଠାରୁ ମୋର ଗୁରୁ ହେଲ ବୋଲି ମହୁମାଛିଟିକୁ ଧନ୍ୟବାଦ ଦେଲେ।

ଏ ଗଳ୍ପର ସାରମର୍ମ ହେଉଛି- ଜୀବନରେ ଯଦି ସଂଘର୍ଷ ନାହିଁ ତେବେ ଜୀବନର ମାନେ କିଛି ନାହିଁ। ମହୁମାଛି ଜୀବନସାରା ସଂଘର୍ଷ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଦୁଃଖ କି ଅନୁଶୋଚନା ନାହିଁ।

ତା’ ଛଡ଼ା ମଣିଷ ଜୀବନରେ ଧନ, ରତ୍ନ ହରାଇଲେ ବି ବୁଦ୍ଧି, ବିବେକ ଓ ଜ୍ଞାନ ହରାଇ ନଥାଏ। ଯେ ପର୍ଯ୍ୟନ୍ତ ଏ ଜୀବନ ଅଛି ତେବେ ଭୟ କାହାକୁ ? ପରାଜୟ ପାଇଁ ଏତେ ଗ୍ଳାନି କାହିଁକି?

ପ୍ରସିଦ୍ଧ ଦାର୍ଶନିକ କନ୍‌ଫୁସିଅସ୍‌ ଥରେ କହିଥିଲେ.....

ବିଲ୍‌କୁଲ୍‌ ପରାଜୟ ବା ପତନ ବା ବିଫଳତାର ସାମନା ନ କରିବା ବାହାଦୂରୀ ନୁହେଁ। ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ ବା ବାହାଦୂରୀ।

ତେଣୁ ପ୍ରକୃତ ଜୀବନ ସେ ଜିତେ ଯିଏ ବାରମ୍ବାର ବିଫଳତା ପରେ

ବି ବୁଦ୍ଧି ବଳରେ ପୁଣି ସଂଘର୍ଷ କରି ଉପରକୁ ଉଠେ।