/odishatv-khabar/media/media_files/2025/09/23/italy-2025-09-23-11-55-12.jpg)
ଇଟାଲୀ
ଇଟାଲୀର ଅନେକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ ଏବଂ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସରକାର ଦ୍ୱାରା ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ନ ଦେବା ବିରୁଦ୍ଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦେଶବ୍ୟାପୀ ହରତାଳ କରିଛନ୍ତି। ‘ଲେଟ୍ସ ବ୍ଲକ୍ ଏଭ୍ରିଥିଙ୍ଗ’ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାହା ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ୬୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ଇଟାଲୀ ସରକାରଙ୍କର ପାଲେଷ୍ଟାଇନ ପ୍ରତି ନୀରବ ନୀତି ଏବଂ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଇଟାଲୀର ନୀରବ ଆଭିମୁଖ୍ୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିକ୍ଷୋଭକାରୀମାନେ ଦେଶର ଅନେକ ବନ୍ଦରକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଯାହା ଦ୍ୱାରା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣକୁ ବନ୍ଦ କରିବା ପାଇଁ ଚେଷ୍ଟା କରାଯାଇଛି।
ମିଲାନର ସେଣ୍ଟ୍ରାଲ ଷ୍ଟେସନରେ ପରିସ୍ଥିତି ସବୁଠାରୁ ଅଧିକ ବିଗିଡ଼ି ଯାଇଛି। ସେଠାରେ ବିକ୍ଷୋଭକାରୀମାନେ ପୋଲିସ ଉପରେ ଚେୟାର ଫୋପାଡ଼ିଥିଲେ ଆନ୍ଦୋଳନକାରୀ। ପୋଲିସକୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସର ପ୍ରୟୋଗ କରିବାକୁ ପଡିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ହିଂସାକାଣ୍ଡରେ ଡଜନରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମେଲୋନି ଏହି ଘଟଣାଗୁଡ଼ିକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି ଏକ୍ସରେ ଲେଖିଛନ୍ତି ଯେ ମିଲାନରୁ ଆସୁଥିବା ଦୃଶ୍ୟ ଗୁଡ଼ିକ ଅତ୍ୟନ୍ତ ନିନ୍ଦନୀୟ। ନିଜକୁ ‘ପ୍ରୋ-ପାଲେଷ୍ଟାଇନ’, ‘ଆଣ୍ଟିଫା’ ଏବଂ ‘ଶାନ୍ତି ସମର୍ଥକ’ କହୁଥିବା ଲୋକମାନେ ଟ୍ରେନ ଷ୍ଟେସନରେ ଆନ୍ଦୋଳନ କରୁଛନ୍ତି ଏବଂ ପୋଲିସ ସହ ସଂଘର୍ଷ କରୁଛନ୍ତି। ଏହି ହିଂସା ପାଲେଷ୍ଟାଇନଙ୍କୁ ସାହାଯ୍ୟ କରିବ ନାହିଁ, ବରଂ ଇଟାଲୀର ସାଧାରଣ ନାଗରିକମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ।
ଭେନିସ ବନ୍ଦରରେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସକୁ ପାଣି ମାଡ କରିବାକୁ ପଡ଼ିଛି। ଜେନୋଆ, ଲିଭୋର୍ନୋ ଏବଂ ଟ୍ରିଏଷ୍ଟେ ଭଳି ବନ୍ଦରଗୁଡ଼ିକରେ ମଧ୍ୟ ଡକ୍ୱର୍କର୍ସମାନେ ବିକ୍ଷୋଭ କରିଥିଲେ। ବୋଲୋଗ୍ନାରେ ବିକ୍ଷୋଭକାରୀମାନେ ହାଇୱେ ବନ୍ଦ କରି ଦେଇଛନ୍ତି, ଯାହା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଯଦିଓ ଇଟାଲୀ ନିକଟରେ ସଂଯୁକ୍ତ ରାଷ୍ଟ୍ରରେ ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ଦେବା ପକ୍ଷରେ ମତଦାନ କରିଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମେଲୋନି ଏପର୍ଯ୍ୟନ୍ତ ଆଧିକାରିକ ମାନ୍ୟତା ଦେବାକୁ ମନା କରିଛନ୍ତି।
ତେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୋମବାର ଦିନ ପାଲେଷ୍ଟାଇନକୁ ଔପଚାରିକ ଭାବେ ରାଷ୍ଟ୍ର ମାନ୍ୟତା ଦେଇଛନ୍ତି। ଏହା ପୂର୍ବରୁ ସ୍ପେନ, ନରୱେ, କାନାଡା, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଜ୍ୟ ଭଳି ଦେଶମାନେ ମଧ୍ୟ ପାଲେଷ୍ଟାଇନକୁ ମାନ୍ୟତା ଦେଇସାରିଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହି ନିଷ୍ପତ୍ତିର ସମାଲୋଚନା କରି କହିଛନ୍ତି ଯେ ଏହା ହମାସକୁ ପୁରସ୍କାର ଦେବା ଭଳି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)