Advertisment

Invisible Yet Deadly: ବିନାଶ ଲେଖିବ ଜୈବିକ ଅସ୍ତ୍ରଶସ୍ତ୍ର, ଜାଣନ୍ତୁ ଏହାକୁ କାହିଁକି କୁହାଯାଏ ସାଇଲେଣ୍ଟ କିଲର?

ଭୟାବହ ଅସ୍ତ୍ରଶସ୍ତ୍ର ଶ୍ରେଣୀରେ ଆଉ ଏକ ନାମ ଯୋଡ଼ି ହେବାକୁ ଯାଉଛି, ଯାହାର ନାମ ହେଲା ଜୈବିକ ଅସ୍ତ୍ରଶସ୍ତ୍ର । ଗୋଟିଏ ପଟେ ପ୍ରଯୁକ୍ତିବିଦ୍ୟାର ବିକାଶ ହେତୁ ମାନବ ସମାଜ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏହା ସମ୍ଭାବିତ ବିପଦ ମଧ୍ୟ ସୃଷ୍ଟି କରୁଛି ।

author-image
Pragyan Paramita Behera
organic-weapons

organic weapons Photograph: (OTV)

ଯୁଦ୍ଧର ଅନେକ ଭୟଙ୍କର ରୂପ ଦେଖିଛି ବିଶ୍ୱ । ତଥାପି ପ୍ରତି ମୁହୂର୍ତ୍ତରେ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ଯେ କେଉଁ ମୁହୂର୍ତ୍ତରେ କେଉଁ ଦେଶରେ ଯୁଦ୍ଧର ଆରମ୍ଭ ହୋଇଯିବ, କହିହେବ ନାହିଁ । ଆଉ ଏଥିଯୋଗୁଁ  ବିଶ୍ୱବାସୀ କ୍ଷଣ କ୍ଷଣରେ ପରମ୍ପରାଗତ ଅସ୍ତ୍ରଶସ୍ତ୍ର, ରାସାୟନିକ ଗ୍ୟାସ, ପରମାଣୁ ବୋମା, ସାଇବର ଆଟାକର ଶିକାର ହେଉଛନ୍ତି । ଏବେ ଏହି ଭୟାବହ ଅସ୍ତ୍ରଶସ୍ତ୍ର ଶ୍ରେଣୀରେ ଆଉ ଏକ ନାମ ଯୋଡ଼ି ହେବାକୁ ଯାଉଛି, ଯାହାର ନାମ ହେଲା ଜୈବିକ ଅସ୍ତ୍ରଶସ୍ତ୍ର । ଗୋଟିଏ ପଟେ ପ୍ରଯୁକ୍ତିବିଦ୍ୟାର ବିକାଶ ହେତୁ ମାନବ ସମାଜ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏହା ସମ୍ଭାବିତ ବିପଦ ମଧ୍ୟ ସୃଷ୍ଟି କରୁଛି ।

Advertisment

ଜୈବିକ ଅସ୍ତ୍ରର ବ୍ୟବହାର ମାନବଜାତି ପାଇଁ ଅତ୍ୟନ୍ତ ବିନାଶକାରୀ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ନା କୌଣସି ବିସ୍ଫୋରଣ ହେବ ନା କୌଣସି ପ୍ରକାଶ ଗୁଳିଗୋଳାର ଶବ୍ଦ ଶୁଭିବ । କେବଳ ସାମରିକ ଭାବରେ ନୁହେଁ, ବରଂ ଆର୍ଥିକ, ସାମାଜିକ ଏବଂ ପରିବେଶଗତ ଭାବରେ ବିନାଶ ଘଟାଇବାରେ ସକ୍ଷମ ଜୈବିକ ଅସ୍ତ୍ର । ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ବିପଦ ବିଷୟରେ ବିଶ୍ୱକୁ ସତର୍କ କରାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଜୈବିକ ଅସ୍ତ୍ର କ’ଣ ଏବଂ ସେଗୁଡ଼ିକ ମାନବଜାତି ପାଇଁ କେତେ ଗମ୍ଭୀର ବିପଦ ସୃଷ୍ଟି କରେ ।

ଚିନ୍ତାର ବିଷୟ ଜୈବିକ ଆତଙ୍କବାଦ

ଅନିଶ୍ଚିତ ଅନ୍ତର୍ଜାତୀୟ ସୁରକ୍ଷା ପରିବେଶକୁ ଦୃଷ୍ଟିରେ ରଖି ଜୈବିକ ଅସ୍ତ୍ରର ସମ୍ଭାବ୍ୟ ଅପବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଭାରତ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ବର୍ତ୍ତମାନ ସମୟରେ ଜୈବିକ ଅସ୍ତ୍ରର ଅପବ୍ୟବହାର  କୌଣସି ବଡ଼ କଥା ନୁହେଁ ଏବଂ ଏପରି ଏକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ଜରୁରୀ । ଜୈବିକ ଅସ୍ତ୍ର ସମ୍ମିଳନୀ (BWC)ର ୫୦ତମ ବାର୍ଷିକୀ ଉପଲକ୍ଷେ ଏକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଜୈବିକ ଆତଙ୍କବାଦ ଏକ ଗମ୍ଭୀର ଚିନ୍ତାର ବିଷୟ, ଯାହା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ। BWCରେ ଏବେ ବି ମୌଳିକ ସାଂଗଠନିକ ଢାଞ୍ଚାର ଅଭାବ ରହିଛି ।

Advertisment

ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ, କୌଣସି ସ୍ଥାୟୀ ବୈଷୟିକ ସଂସ୍ଥା ନାହିଁ, ଏବଂ ନୂତନ ବୈଜ୍ଞାନିକ ବିକାଶ ଉପରେ ନଜର ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଶ୍ୱାସକୁ ସୁଦୃଢ଼ କରିବା ସହ ଏହି ଅଭାବ ଗୁଡ଼ିକୁ ଦୂର କରିବା ଅତ୍ୟନ୍ତ ଜରୁରୀ। ଭାରତ ଶାନ୍ତିପୂର୍ଣ୍ଣ ବ୍ୟବହାର ଉଦ୍ଦେଶ୍ୟରେ ସାମଗ୍ରୀ ଓ ଉପକରଣର ଆଦାନପ୍ରଦାନକୁ ସକ୍ଷମ କରିବା ପାଇଁ ଆନ୍ତର୍ଜାତୀୟ ସହଯୋଗ ଏବଂ ସହାୟତାକୁ ସମର୍ଥନ କରେ । ଏଥିପାଇ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶର ଏକ ବ୍ୟବସ୍ଥିତ ସମୀକ୍ଷା ପାଇଁ ଆହ୍ୱାନ କରାଯାଇଛି,  ଯାହା ଦ୍ଵାରା ଶାସନ ପ୍ରକୃତରେ ନବସୃଜନ ସହିତ ତାଳ ଦେଇପାରିବ।

ଜୈବିକ ଅସ୍ତ୍ର କ’ଣ?

ଜୈବିକ ଅସ୍ତ୍ର ଏପରି ଅସ୍ତ୍ର ଯାହା ଜୀବାଣୁ, ଭାଇରସ, କବକ କିମ୍ବା ଜୈବିକ ବିଷାକ୍ତ ପଦାର୍ଥ ବ୍ୟବହାର କରି ମଣିଷ, ପ୍ରାଣୀ, ଉଦ୍ଭିଦ କିମ୍ବା ସମଗ୍ର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇବାକୁ ସକ୍ଷମ । ଏଥିରେ ଆନ୍ଥ୍ରାକ୍ସ, ସ୍ମଲପକ୍ସ ଭାଇରସ, ପ୍ଲେଗ, ବୋଟୁଲିନମ୍ ଟକ୍ସିନ୍ ଏବଂ ଭାଇରାଲ୍ ହେମୋରେଜିକ୍ ଫିଭର ଭାଇରସ ଆଦି ସାମିଲ ରହିଛି । ଏଥିଯୋଗୁଁ ସୃଷ୍ଟି ହେଉଥିବା ରୋଗଗୁଡ଼ିକ ଘାତକ ହୋଇପାରେ, ଦ୍ରୁତ ଗତିରେ ବ୍ୟାପିପାରେ ଏବଂ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପାରେ। ଏହି କାରଣରୁ ଜୈବିକ ଅସ୍ତ୍ରଗୁଡ଼ିକୁ ସାଇଲେଣ୍ଟ କିଲର କୁହାଯାଏ। ସମ୍ପୂର୍ଣ୍ଣ ରୂପରେ ସଂକ୍ରମଣ ବ୍ୟାପିଯିବା ପରେ ହିଁ ଆକ୍ରମଣ  ସମ୍ପର୍କରେ ଜାଣିହୁଏ ।

ଜୈବିକ ଅସ୍ତ୍ରର ଇତିହାସ

ଜୈବିକ ଅସ୍ତ୍ରର ଇତିହାସ ହଜାର ହଜାର ବର୍ଷ ପୁରୁଣା। ପ୍ରାଚୀନ କାଳରେ ଶତ୍ରୁଙ୍କୁ ସଂକ୍ରମିତ କରିବା ପାଇଁ ସଂକ୍ରମିତ ପ୍ରାଣୀ କିମ୍ବା ଶବ ବ୍ୟବହାର କରାଯାଉଥିଲା। ୧୩୪୬ ମସିହାରେ କାଫା ଯୁଦ୍ଧ ସମୟରେ ପ୍ଲେଗରେ ମୃତ ଲୋକଙ୍କ ଶରୀରକୁ ଏଠି ସେଠି ଫିଙ୍ଗି ମହମାରୀ ସୃଷ୍ଟି କରାଯାଇଥିଲା ।  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର କୁଖ୍ୟାତ ୟୁନିଟ୍ ୭୩୧ ହଜାର ହଜାର ଲୋକଙ୍କ ଉପରେ ଜୈବିକ ଅସ୍ତ୍ର ପରୀକ୍ଷଣ କରିଥିଲା। ଶୀତଳ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଏବଂ ସୋଭିଏତ୍ ୟୁନିଅନ୍ ଉଭୟ ବ୍ୟାପକ ଜୈବିକ ଗବେଷଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୧୯୭୨ ମସିହାରେ ଜୈବିକ ଅସ୍ତ୍ର ସମ୍ମିଳନୀ ପ୍ରଣୟନ କରାଯାଇଥିଲା, ଏଥିରେ ଜୈବିକ ଅସ୍ତ୍ରର ବିକାଶ, ଗଚ୍ଛିତ ଏବଂ ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲା। ତଥାପି ଏହାକୁ କେତେ କଠୋରତା ସହିତ ଲାଗୁ ହୋଇଛି,  ତାହା ଏବେ ବି ବିତର୍କର ବିଷୟ ହୋଇରହିଛି।

କେତେ ଭୟଙ୍କର ଜୈବିକ ଅସ୍ତ୍ର?

ଜୈବିକ ଅସ୍ତ୍ରର ସବୁଠାରୁ ବଡ଼ ବିପଦ ହେଉଛି, ଆକ୍ରମଣ ହୋଇଥିବା ସମ୍ପର୍କରେ ବହୁ ବିଳମ୍ବରେ ଜଣାପଡ଼େ ।  ଜଣେ ସଂକ୍ରମିତ ବ୍ୟକ୍ତି ଅନେକଙ୍କୁ ସଂକ୍ରମିତ କରିପାରେ, କିଛି ଦିନ ମଧ୍ୟରେ ଏକ ମହାମାରୀ ସୃଷ୍ଟି କରିପାରେ। ଏକ ଛୋଟ ପରୀକ୍ଷାଗାର ସେଟଅପରେ ମଧ୍ୟ ବିପଦପୂର୍ଣ୍ଣ ଭାଇରସ ସୃଷ୍ଟି କରିବା ସମ୍ଭବ । ଜୈବିକ ଶସ୍ତ୍ର ଦ୍ୱାରା ଥରେ ସଂକ୍ରମଣ ବାୟୁ କିମ୍ବା ପାଣି ମାଧ୍ୟମରେ ବ୍ୟାପିଗଲେ, ଏହା ମିତ୍ର ଏବଂ ଶତ୍ରୁ ମଧ୍ୟରେ ପାର୍ଥକ୍ୟ କରେ ନାହିଁ। ଏହା ସମଗ୍ର ଅଞ୍ଚଳରେ ବ୍ୟାପିପାରେ, ଏପରିକି ଏକ ବିଶ୍ୱବ୍ୟାପୀ ମହାମାରୀ ମଧ୍ୟ ହୋଇପାରେ। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଏହା ଆତଙ୍କବାଦୀଙ୍କ ହାତରେ ପଡ଼ିପାରେ। ୨୦୦୧ ମସିହାରେ ଆମେରିକାରେ ହୋଇଥିବା ଆନ୍ଥ୍ରାକ୍ସ ଆକ୍ରମଣ ଏହାର ଏକ ଉଦାହରଣ।

ବିଶ୍ୱ ସୁରକ୍ଷିତ କି ?

ବର୍ତ୍ତମାନ ସମୟରେ ୧୮୦ରୁ ଅଧିକ ଦେଶ Biological Weapons Conventionର ସଦସ୍ୟ । କିନ୍ତୁ BWCର ଏକ ଦୁର୍ବଳତା ରହିଛି, ଏଥିରେ  କଠୋର ଯାଞ୍ଚ ବ୍ୟବସ୍ଥାର ଅଭାବ ଅଛି। ଅନେକ ଜୈବିକ ପ୍ରୟୋଗଶାଳାର ଦ୍ୱୈତ-ବ୍ୟବହାର ହୋଇଥାଏ । ଅର୍ଥାତ ଉଭୟ ଚିକିତ୍ସା ଗବେଷଣା ଏବଂ ଯୁଦ୍ଧ ପାଇଁ ବ୍ୟବହୃତ ହୋଇଥାଏ ଏହି ପ୍ରୟୋଗଶାଳାକୁ । ସ୍ପଷ୍ଟ ଭାବରେ କହିବାକୁ ଗଲେ ବିଶ୍ୱ ଏହି ଘାତକ ଅସ୍ତ୍ରଶସ୍ତ୍ରରୁ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ।

ଜୈବିକ ଅସ୍ତ୍ରଶସ୍ତ୍ରର ସୁରକ୍ଷା ସମ୍ଭବ କି ?

ଜୈବିକ ଅସ୍ତ୍ର ସୁରକ୍ଷାର ପ୍ରଥମ ପଦକ୍ଷେପ ହେଉଛି ବିଶ୍ୱସ୍ତରୀୟ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା। ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡ଼ିବ, ଫଳରେ ଯେକୌଣସି ସନ୍ଦିଗ୍ଧ ପ୍ରକୋପକୁ ତୁରନ୍ତ ଚିହ୍ନଟ କରାଯାଇପାରିବ। ବିଶ୍ୱର ପ୍ରମୁଖ ପ୍ରୟୋଗଶାଳାଗୁଡ଼ିକରେ ସ୍ୱଚ୍ଛ ଗବେଷଣା ଏବଂ ଅନ୍ତର୍ଜାତୀୟ ତଦାରଖ ଅତ୍ୟନ୍ତ ଜରୁରୀ। ସେହିପରି ଅପବ୍ୟବହାର ରୋକିବା ପାଇଁ ସିନ୍ଥେଟିକ୍ ଜୀବବିଜ୍ଞାନ ପରୀକ୍ଷଣ ପାଇଁ କଠୋର ନିୟମାବଳୀ ଆବଶ୍ୟକ। ସାଂପ୍ରତିକ ସ୍ଥିତିରେ କରୋନା ମହାମାରୀରୁ ପ୍ରମାଣିତ ଯେ ଭାଇରସ ସୀମା ଦେଖେ ନାହିଁ, ତେଣୁ ଦେଶଗୁଡ଼ିକୁ ଏକାଠି କାମ କରିବାକୁ ପଡିବ।

Biological Weapon Weapon
Advertisment
Related Articles
Advertisment