Advertisment

Middle East Conflict Intensifies: ଇରାନ୍ ଆଖିରେ ପ୍ରତିଶୋଧର ନିଆଁ; ଟ୍ରମ୍ପ କହିଲେ, ଅସ୍ତ୍ର ଛାଡ଼ ନହେଲେ ମୃତ୍ୟୁ ନିଶ୍ଚିତ

ଇରାନ୍ ଆଖିରେ ପ୍ରତିଶୋଧର ନିଆଁ। ମହାପ୍ରଳୟର କରାଳ ରୂପ ଦେଖୁଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ୍ ସମେତ ଥରି ଉଠୁଛି ଆରବ ଦେଶ। ପଶ୍ଚିମ ଏସିଆରେ ଇରାନର ତାଣ୍ଡବ ଲୀଳା। ଆମେରିକାକୁ ଇରାନଙ୍କ ଖୋଲା ଚ୍ୟାଲେଞ୍ଜ୍। ବିଶ୍ୱର ସର୍ବବୃହତ ତୈଳ ବିଶୋଧନାଗାର ଆରାମକୋ ଉପରେ ହମଲା।

author-image
Pramod Behera
Middle East Conflict Intensifies

ଇରାନ୍ ଆଖିରେ ପ୍ରତିଶୋଧର ନିଆଁ Photograph: (OTV)

ଇରାନ ଉପରେ ଆକ୍ରମଣ ଓ ସର୍ବୋଚ୍ଚ ନେତା ଖାମେନେଇ ନିହତ ପରେ ପ୍ରତିଶୋଧ ନିଆଁରେ ଜଳୁଛି ତେହେରାନ୍। ଯୁଦ୍ଧର ତୃତୀୟ ଦିନରେ ଇରାନ ହମଲାରେ ଥରହର ମଧ୍ୟପ୍ରାଚ୍ୟ। ମିସାଇଲ ଓ ଡ୍ରୋନ୍ ମାଡ଼ରେ ସାଉଦି ଆରବ, କୁଏତ, ୟୁଏଇ ଓ ବାହାରିନ ଥରି ଉଠିଛି। ସାଉଦି ଆରବରେ ଦୁନିଆର ସବୁଠୁ ବଡ଼ ତୈଳ ରିଫାଇନାରୀ କଂପାନୀ ଆରାମକୋ ଉପରେ ଆକ୍ରମଣ କରିଛି ଇରାନ୍। 

Advertisment

କୁଏତରେ ଆମେରିକାର ଫାଇଟର ଜେଟକୁ ମାରି ଖସାଇଛି। ସେପଟେ ଇସ୍ରାଏଲ ଓ ଆମେରିକା ବି ତେହେରାନରେ ପ୍ରଚଣ୍ଡ ପ୍ରହାର ଜାରି ରଖିଛନ୍ତି। ଇରାନ୍ ସେନାକୁ ଚେତେଇ ଟ୍ରମ୍ପ କହିଛନ୍ତି, ଅସ୍ତ୍ର ଛାଡ଼ ନହେଲେ ମୃତ୍ୟୁ ନିଶ୍ଚିତ। 

ଇରାନ୍ ଆଖିରେ ପ୍ରତିଶୋଧର ନିଆଁ। ମହାପ୍ରଳୟର କରାଳ ରୂପ ଦେଖୁଛି ମଧ୍ୟପ୍ରାଚ୍ୟ। ଇରାନର ଅପରେସନ୍ ବଦଲାରେ ଇସ୍ରାଏଲ୍ ସମେତ ଥରି ଉଠୁଛି ଆରବ ଦେଶ। ଦୁବାଇରୁ ଦୋହା, କତାରରୁ ବାହାରିନ୍...ସବୁଠି ପ୍ରଚଣ୍ଡ ପ୍ରହାର। ଯୁଦ୍ଧଭୂଇଁରେ ଆକାଶରୁ ଅହରହ ଖସୁଛି ମିସାଇଲ, ଟାର୍ଗେଟ ହିଟ୍ କରୁଛି ରକେଟ୍। ଗର୍ଜନ ଛାଡ଼ି ଘୂରି ବୁଲୁଛି ଏୟାରକ୍ରାଫ୍ଟ, ଆଉ ଡ୍ରୋନରୁ ବର୍ଷୁଛି ବୋମା। ସବୁଠି ପ୍ରଳୟର ପଦଧ୍ବନୀ, ହାହାକାର ଆଉ ଯୁଦ୍ଧ ବିଭୀଷିକାର ଭୟଙ୍କର ପରିଣାମ ସାରା ବିଶ୍ବକୁ ସ୍ତମ୍ଭୀଭୂତ କରି ଦେଇଛି। 

Advertisment

ଯୁଦ୍ଧର ତୃତୀୟ ଦିନରେ ଆଜି ପଶ୍ଚିମ ଏସିଆରେ ତାଣ୍ଡବ ଲୀଳା କରିଛି ଇରାନ। ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ହମଲାରେ ଥରହର ହୋଇଛି ସାଉଦି ଆରବ, ୟୁଏଇ, କୁଏତ, ବାହାରିନ ଭଳି ଆରବ ଦେଶ। ଆଜି ସାଉଦି ଆରବକୁ ସବୁଠୁ ବଡ଼ ଝଟକା ଦେଇ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ ଫିଙ୍ଗିଛି ଇରାନ୍। ସାଉଦି ଆରବରେ ବିଶ୍ୱର ସର୍ବବୃହତ ତୈଳ ବିଶୋଧନାଗାର ଆରାମକୋ ଉପରେ ହମଲା କରିଛି। 

ଆକ୍ରମଣରେ ରିଫାଇନାରୀ ଭିତରେ ହୋଇଛି ସାଙ୍ଘାତିକ ବିସ୍ଫୋରଣ। ଶାହେଦ ଡ୍ରୋନ ଯୋଗେ ତୈଳ ଡିପୋ ଉପରେ ଆକ୍ରମଣ କରିଛି ଇରାନ୍। ଏହା ପରେ ଆରାମକୋ ଏହାର ରିଫାଇନାରୀକୁ ବନ୍ଦ କରିଦେଇଛି। 

ଇରାନର ପ୍ରତିଶୋଧ ନିଆଁରେ ଜଳୁଛି ଇସ୍ରାଏଲ୍ ସମେତ ଉପସାଗରୀୟ ଦେଶ। ବିଭିନ୍ନ ଦେଶରେ ଥିବା ଆମେରିକାର ସାମରିକ ଘାଟିକୁ ନିଶାନା କରି ମିସାଇଲ୍ ଛାଡୁଛି ଇରାନ୍। କୁଏତରେ ଆମେରିକାର ଯୁଦ୍ଧ ବିମାନ F-15କୁ ମାରି ଖସାଇଥିବା ଦାବି କରିଛି। ସେହିପରି କୁଏତରେ ଥିବା ଆମେରିକୀୟ ଦୂତାବାସ ଉପରେ ବି ଭୟଙ୍କର ଆକ୍ରମଣ ହୋଇଛି। 

ସେପଟେ ବାହାରିନରେ ଥିବା ଆମେରିକା ନେଭିର ଫିଫଥ ଫ୍ଲିଟ୍ ମୁଖ୍ୟାଳୟକୁ ମିସାଇଲ୍ ଛାଡ଼ି ନିଶାନା କରିଛି ଇରାନ ସାମରିକ ବାହିନୀ। ସେହିପରି ଆବୁଧାବିରେ ଥିବା ଫ୍ରାନ୍ସ ନୌସେନା ବେସ୍ ଉପରେ ବି ଆଟାକ୍ କରିଛି। ଏଥିରେ ଏକ ହ୍ୟାଙ୍ଗର କ୍ଷତିଗ୍ରସ୍ତ ହୋଇଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଦୋହା, କୁଏତ, ଦୁବାଇ, ବାହାରିନ, ଜୋର୍ଡାନରେ ସିରିଜ୍ ଧମାକା ସହ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରି ଆରବ ଦେଶର ନିଦ ହଜେଇ ଦେଲାଣି ଇରାନ୍। 

ଗୋଟିଏ ପଟେ ଇରାନର ବଦଲା, ଅନ୍ୟପଟେ ଇସ୍ରାଏଲ ବି ଆମେରିକାର ସହାୟତାରେ ତେହେରାନ୍ ଛାତିରେ ପ୍ରଚଣ୍ଡ ପ୍ରହାର ସହ ନିରନ୍ତର ହମଲା ଜାରି ରଖିଛି। ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘମାଘୋଟ ଲଢ଼େଇ ଚାଲିଛି। କେହି କାହାରିକୁ ବିଲକୁଲ୍ ଛାଡ଼ିବା ମୁଡ଼ରେ ନାହାନ୍ତି। ଇରାନର ଅଣ୍ଡରଗ୍ରାଉଣ୍ଡ ମିସାଇଲ୍ ଆଡ୍ଡାକୁ B-2 ବମ୍ବରରୁ ବୋମା ବର୍ଷା କରି ଛାରଖାର କରିଛି ଆମେରିକା। 

ସେହିପରି ୯ଟି ଇରାନୀ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା ଦାବି ବି କରିଛି। ଇରାନ୍ ସେନାକୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ଅସ୍ତ୍ର ଛାଡ଼ ନଚେତ୍ ମୃତ୍ୟୁ ନିଶ୍ଚିତ। ଏହି ଯୁଦ୍ଧ ୪ ସପ୍ତାହ ଚାଲିପାରେ। ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିପାରେ।

ଏବେ ପ୍ରତି ମୁହୂର୍ତ୍ତରେ ବଦଳୁଛି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି। ଇସ୍ରାଏଲ୍-ଆମେରିକା ଅପରେସନରେ ଖାମେନେଇ ନିହତ ହେବା ପରେ ପ୍ରତିହିଂସା ପରାୟଣ ଇରାନ୍ ସହ ଲାଗିଥିବା ଯୁଦ୍ଧ ଆଗକୁ ବି ମୋଡ଼ ନେବ ତାଉପରେ ସାରା ବିଶ୍ବର ନଜର ରହିଛି।

US-Iran Conflict US-Iran Tensions War
Advertisment
Advertisment