Advertisment

Middle East Tensions Drive Crude Oil: ଇରାନ-ଆମେରିକା ଯୁଦ୍ଧର ସାଂଘାତିକ ପ୍ରଭାବ; ଷ୍ଟକ୍ ମାର୍କେଟ୍ କ୍ରାସ୍; ବଢିଯିବ କି ପେଟ୍ରୋଲ୍ ଡିଜେଲ୍?

ଇରାନ-ଆମେରିକା ଯୁଦ୍ଧର ସାଂଘାତିକ ପ୍ରଭାବ। ମଧ୍ୟପ୍ରାଚ୍ୟ ଛିନଛତର୍, ଅସ୍ଥିର ବିଶ୍ବ ବଜାର। ଛାନିଆ ନିବେଶକ, ଷ୍ଟକ୍ ମାର୍କେଟ୍ କ୍ରାସ୍। ଉପରମୁହାଁ ସୁନା-ରୁପା ଦର। ୨ ଲକ୍ଷ ଛୁଇଁପାରେ ସୁନା ଦର। ଟେନସନ୍ ବଢାଉଛୁ କ୍ରୁଡ୍ ଅଏଲ୍। ପ୍ରଭାବିତ ହେବ ଭାରତର ରପ୍ତାନୀ।

author-image
Pramod Behera
Middle East Tensions Drive Crude Oil

ଇରାନ-ଆମେରିକା ଯୁଦ୍ଧର ସାଂଘାତିକ ପ୍ରଭାବ Photograph: (OTV)

ବଢିଯିବ କି ପେଟ୍ରୋଲ୍ ଡିଜେଲ୍ ଦାମ୍ ? ରେକର୍ଡ ଭାଙ୍ଗିବ କି ସୁନା-ରୁପା ? ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ଭିତରେ ଅସ୍ଥିର ବିଶ୍ବବଜାର। ଆଜି ସେୟାର ମାର୍କେଟରେ ବଡ଼ଧରଣର ହ୍ରାସ ସହିତ ଟେନସନ୍ ବଢାଇଛି କ୍ରୁଡ୍ ଅଏଲ୍ । ଯୁଦ୍ଧ ଲମ୍ବା ଚାଲିଲେ ଭାରତ ଉପରେ ପଡ଼ିପାରେ ବଡ଼ ପ୍ରଭାବ । ଶାନ୍ତି ସହିତ ଭାରତୀୟଙ୍କ ସୁରକ୍ଷାକୁ ପିଏମ୍ ମୋଦି ଗୁରୁତ୍ବ ଦେଇଥିବାବେଳେ ଦେଶରେ ଯେପରି ହିଂସା ନ ବ୍ୟାପିବ ସେଥିପ୍ରତି ଆଲର୍ଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ।

Advertisment

ଇରାନ-ଆମେରିକା ଯୁଦ୍ଧର ସାଂଘାତିକ ପ୍ରଭାବ। ମଧ୍ୟପ୍ରାଚ୍ୟ ଛିନଛତର୍, ଅସ୍ଥିର ବିଶ୍ବ ବଜାର, ଛାନିଆ ନିବେଶକ। ଆଜି ଷ୍ଟକ୍ ମାର୍କେଟ୍ ଖୋଲୁଖୋଲୁ ହୋଇଗଲା କ୍ରାସ୍। ତାସ୍ ଘର ଭଳି ଭୁଶୁଡ଼ିପଡ଼ିଲା ସେନସେକ୍ସ-ନିଫଟି। ଏକାବେଳେ ସେନସେକ୍ସ ଖସିଗଲା ୨୭୦୦ ପଏଣ୍ଟ। ନିଫଟି-50 ୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ଖସିଆସିଲା ସିଧା ୨୪ ହଜାର ୬୫୯ ତଳକୁ। ଚାହୁଁଚାହୁଁ ନିବେଶକଙ୍କର ଉଡ଼ିଗଲା ୧୮ ଲକ୍ଷ କୋଟିରୁ ଅଧିକ । ଯାହାକି ୨୦୨୫ ଏପ୍ରିଲ ପରେ ସବୁଠୁ ବଡ଼ ଇଣ୍ଟ୍ରାଡେ ହ୍ରାସ । 

ଖାଲି ସେୟାର ମାର୍କେଟ୍ ନୁହେଁ, ସୁନା-ରୁପା ବଜାର ବି ଅଣାୟତ। ଗୋଟିଏ ଦିନରେ ୩ ପ୍ରତିଶତ ଲେଖାଏଁ ବଢ଼ିଛି ଗୋଲ୍ଡ ଆଉ ସିଲଭର୍ । ୨୪ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢି ୧୦ ଗ୍ରାମ୍ ପିଛା ଦାମ ପହଞ୍ଚିଛି ଲକ୍ଷେ ୭୦ ହଜାର ୩୦୯ ଟଙ୍କାରେ । ସେହିପରି ରୁପା ଦର ୯ ହଜାର ବୃଦ୍ଧି ପାଇ କେଜିକୁ ୩ ଲକ୍ଷ ୨୫ ହଜାର ପାର୍ କରିଛି । 

Advertisment

ଯୁଦ୍ଧ ସମୟରେ ନିବେଶକ ସୁନା-ରୁପା ମୁହାଁ ହୋଇଥିବାରୁ ଆଗରୁ ଦର ଆହୁରି ବଢି ସବୁ ରେକର୍ଡ ଭାଙ୍ଗିପାରେ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ଆକଳନ, ଯୁଦ୍ଧ ଭିତରେ ସୁନା ୨ ଲକ୍ଷକୁ ଲମ୍ଫ ମାରିବା ଅସମ୍ଭବ ନୁହେଁ । 

ସେପଟେ ତେଲକୁ ନେଇ ବଢୁଛି ଇଣ୍ଡିଆ ଟେନସନ୍। ଯେକୌଣସି ମୂହୁର୍ତ୍ତରେ ବଢିଯାଇପାରେ ପେଟ୍ରୋଲ୍-ଡିଜେଲ୍ ଦାମ୍। କାରଣ ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଅନ୍ତର୍ଜାତୀୟ ବଜାରରେ ୧୦% ବଢ଼ିଛି ଅଶୋଧିତ ତୈଳ ଦର। ବିଶ୍ବର ୨୦ ପ୍ରତିଶତ ତୈଳ ଓ ଗ୍ୟାସ ରପ୍ତାନୀ ହେଉଥିବା ହରମୁଜ ଷ୍ଟ୍ରେଟ୍ ବନ୍ଦ।। 

ଏହା ବନ୍ଦ ହୋଇପଡ଼ିବା ଯୋଗୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍ ପ୍ରତି ୮୨କୁ ଡଲାରକୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଆକଳନ କହୁଛି, ଲମ୍ବା ଯୁଦ୍ଧ ହେଲେ ଏହା ୧୦୦ ଆମେରିକୀୟ ଡଲାର୍ ପାର୍ କରିବ। ଏପରି ହେଲେ ଭାରତରେ ପେଟ୍ରୋଲ ଲିଟର୍ ପିଛା ପ୍ରାୟ ୧୦ ଟଙ୍କା ମହଙ୍ଗା ହୋଇପାରେ। ଏଲପିଜି ଗ୍ୟାସ୍ ଓ ଅନ୍ୟାନ୍ୟ ଦରଦାମ ମଧ୍ୟ ଅହେତୁକ ବଢିଯିବ ବୋଲି ଆଶଙ୍କା କରାଯାଉଛି। 

ଅନ୍ୟପଟେ ଭାରତ ମଧ୍ୟପ୍ରାଚ୍ୟକୁ ଏକ ବଡ଼ ଚାଉଳ ରପ୍ତାନୀକାରୀ ଦେଶ। ଯୁଦ୍ଧ ଯୋଗୁ ବିଶେଷ ବାସୁମତୀ ଚାଉଳ ରପ୍ତାନୀ ପ୍ରଭାବିତ ହୋଇପାରେ। 

ଏପଟେ ଖାମେନିଙ୍କ ହତ୍ୟା ବିରୋଧରେ କାଶ୍ମୀରରେ ବିଶାଳ ପ୍ରତିବାଦ ପରେ ଆଲର୍ଟରେ ଭାରତ ସରକାର। ହିଂସା ଆଶଙ୍କାରେ ଇରାନ ସମର୍ଥକ ମୌଳବାଦୀ ପ୍ରଚାରକମାନଙ୍କୁ ଚିହ୍ନଟ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ହିଂସାକୁ ଉସୁକାଉଥିବା କିମ୍ବା ଏଭଳି ଯୋଜନା କରୁଥିବା ପ୍ରଚାରକଙ୍କ ଉପରେ କଡ଼ା ନଜର ରଖିବାକୁ ସୁରକ୍ଷା ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଯୁଦ୍ଧ ପ୍ରସଙ୍ଗରେ ପ୍ରଥମ ଥର ପ୍ରତିକ୍ରିୟା ରଖି ଶାନ୍ତି ଅପିଲ୍ କରିଛନ୍ତି ପିଏମ ମୋଦି । ୯୦ ଲକ୍ଷରୁ ଅଧିକ ଭାରତୀୟ ଗଲ୍ଫ କଣ୍ଟ୍ରିରେ ବାସ କରୁଛନ୍ତି । ଇରାନ ଆକ୍ରମଣରେ ଏସବୁ ଦେଶ ପ୍ରଭାବିତ ହୋଇଥିବାରୁ ଭାରତୀୟଙ୍କ ସୁରକ୍ଷାକୁ ବି ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । 

ଇରାନ୍ ବାୟୁସୀମା ବନ୍ଦ ଯୋଗୁ ୟୁରୋପ-ଆଫ୍ରିକା ଓ ଏସିଆକୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିମାନ ସେବା । ଆଜି ବି ଶହଶହ ଫ୍ଲାଇଟ୍ ବାତିଲ୍ କରିଦିଆଯାଇଛି । ୧୮% ବିଶ୍ୱ ଏୟାର କାର୍ଗୋ କ୍ଷମତା ବନ୍ଦ ହୋଇଛି।

US-Iran Conflict Crude Oil Price Crude Oil
Advertisment
Advertisment