Advertisment

Dubai and UAE Targeted: ରକ୍ତମୁଖା ଇରାନ୍, ଅପରେସନ ରିଭେଞ୍ଜ୍; ତେହେରାନରୁ ତେଲ୍ ଆଭିଭ ଚାଲିଛି ରକ୍ତାକ୍ତ ସଂଘର୍ଷ

ରକ୍ତମୁଖା ଇରାନ୍, ଅପରେସନ ରିଭେଞ୍ଜ୍। ତେହେରାନରୁ ତେଲ୍ ଆଭିଭ ଚାଲିଛି ରକ୍ତାକ୍ତ ସଂଘର୍ଷ। ଯୁଦ୍ଧ ଜାଲରେ ଦୁବାଇ ସମେତ ୧୨ ଦେଶ। ଦୁବାଇରେ ଇରାନର ମିସାଇଲ୍ ମାଡ଼। ବୁର୍ଜ ଖଲିଫାକୁ ନିଶାନା କଲା ଇରାନ। ଚାରିଆଡ଼େ ମିସାଇଲ୍ ଗର୍ଜନ ଓ ବିସ୍ଫୋରଣ। ପାକିସ୍ତାନକୁ ବ୍ୟାପିଲା ହିଂସା ନିଆଁ।

author-image
Pramod Behera
Dubai and UAE Targeted

ରକ୍ତମୁଖା ଇରାନ୍, ଅପରେସନ ରିଭେଞ୍ଜ୍ Photograph: (OTV)

ଇସ୍ରାଏଲ୍ ଓ ଆମେରିକାର ମିଳିତ ଅପରେସନ ପରେ ରକ୍ତମୁଖା ଇରାନ୍। ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆରମ୍ଭ କରିଛି ଅପରେସନ୍ ରିଭେଞ୍ଜ। ତେହେରାନରୁ ତେଲ୍ ଆଭିଭ୍ ପର୍ଯ୍ୟନ୍ତ ୨୪ ଘଣ୍ଟା ହେବ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ଯୁଦ୍ଧ ଜାଲରେ ଏବେ ଛନ୍ଦି ହେଲେଣି ଦୁବାଇ ସମେତ ମଧ୍ୟପ୍ରାଚ୍ୟର ୧୨ଟି ଦେଶ। ଯେଉଁ ଦୁବାଇକୁ ସାରା ବିଶ୍ୱରେ ଶାନ୍ତି ଓ ବ୍ୟବସାୟର ପେଣ୍ଠସ୍ଥଳ କୁହାଯାଉଥିଲା ସେଠି ମିସାଇଲ୍ ମାଡ଼ କରିଛି ଇରାନ୍। ବୁର୍ଜ ଖଲିଫାକୁ ନିଶାନା କରିଛି। ଚାରିଆଡ଼େ ଶୁଭୁଛି କେବଳ ମିସାଇଲର ଗର୍ଜନ ଓ ବିସ୍ଫୋରଣର ଶବ୍ଦ। ପାକିସ୍ତାନକୁ ବି ବ୍ୟାପିଛି ହିଂସାର ନିଆଁ। କରାଚିରେ ଆମେରିକା ଦୂତାବାସରେ ପ୍ରତିବାଦ ବେଳେ ଫାୟାରିଂରେ ଯାଇଛି ୧୦ରୁ ଅଧିକ ଜୀବନ।

Advertisment

ତେହେରାନରେ ମହାବିନାଶ, ବିସ୍ଫୋରଣରେ ଥରୁଛି ମଧ୍ୟପ୍ରାଚ୍ୟ। ଖସୁଛି ଘନଘନ ରକେଟ୍ ଆଉ ମିସାଇଲ୍। ଆକାଶରୁ ବର୍ଷୁଛି ବୋମା, ଡ୍ରୋନରୁ ଆଟାକ୍। ଇରାନ୍ ଆଖିରୁ ଝରୁଛି ପ୍ରତିଶୋଧର ଭୟଙ୍କର ନିଆଁ। ଏୟାରଷ୍ଟ୍ରାଇକରେ ଥରହର ଆରବ ଦେଶ। ଦୁବାଇରୁ ଦୋହା ଯାଏଁ ମହାଯୁଦ୍ଧର ଭୟଙ୍କର ବିଭୀଷିକା। 

ଆମେରିକାର ସାମରିକ ଘାଟି ଥିବା ଦେଶରେ ମିସାଇଲ୍ ଦାଗୁଛି ଇରାନ୍। କେଉଁଠି ବିସ୍ଫୋରଣରେ ଏୟାରପୋର୍ଟ ଥରିଛି ତ ଆଉ କେଉଁଠି ଧୂଆଁଧୂଆଁ ସୁଉଚ୍ଚ ଅଟ୍ଟାଳିକା। ବାଜୁଛି ସାଇରନ୍, ଜନବସତିରେ ବର୍ଷୁଛି ବୋମା। ରାତିରେ ଆକାଶରୁ ଉଲକା ଭଳି ତୁହାକୁ ତୁହା ଖସୁଛି ରକେଟ୍ ଆଉ ମିସାଇଲ୍। ଇରାନରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ଓ ଖାମେନେଇଙ୍କ ମୃତ୍ୟୁ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଛି। ଗତ ୨୪ ଘଣ୍ଟା ହେବ ଛିନଛତ୍ର ଆକ୍ରମଣ କରୁଛି ରକ୍ତମୁଖା ଇରାନ୍। 

Advertisment

ତେହରାନ, ଅଲ୍ ଅଭିଭ ସମେତ ଇସ୍ରାଏଲର ବିଭିନ୍ନ ସହରରେ ଅହରହ କ୍ଷେପଣାସ୍ତ୍ର ମାଡ଼ କରୁଛି। କେବଳ ଇସ୍ରାଏଲ ନୁହେଁ, ଇରାନ କୋପରେ ଥରହର ହୋଇଛି ଦୁବାଇ ସମେତ ସମଗ୍ର UAE। ଦୁବାଇରେ ଶତାଧିକ ମିସାଇଲ ଓ ଆତ୍ମଘାତୀ ଡ୍ରୋନ ମାଡ଼ କରି ତାଣ୍ଡବ ଲୀଳା ରଚିଛି। ରକେଟ୍ ମାଡ଼ରେ ଥରିଛି ଆକାଶଚୁମ୍ବୀ ଅଟ୍ଟାଳିକା, ବିମାନ ବନ୍ଦରରେ ବି ଭୟଙ୍କର ବିସ୍ଫୋରଣ କରିଛି। 

ଅଧାରାତିରେ ଦୁବାଇ ଏୟାରପୋର୍ଟରେ ହମଲା ପରର ଏହି ଦୃଶ୍ୟ। ଧୂଆଁଧୂଆଁ ହୋଇଯାଇଥିଲା ସମ୍ପୂର୍ଣ୍ଣ ଏୟାରପୋର୍ଟ ଓ ଯାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ସେହିପରି ଦୁବାଇର ପ୍ରସିଦ୍ଧ ବୁର୍ଜ ଖଲିଫା ଓ ପାମ୍ ଜୁମେରା ଦ୍ବୀପ ନିକଟରେ ମଧ୍ୟ ମିସାଇଲ୍ ଖସିଥିଲା। ଆକାଶରେ ଅନେକ ମିସାଇଲକୁ UAEର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିବା କୁହାଯାଉଛି। 

ମଧ୍ୟପ୍ରାଚ୍ୟରେ ଜଳୁଥିବା ଏହି ଯୁଦ୍ଧର ନିଆଁ ଏବେ କେବଳ ଦୁଇ ତିନିଟି ଦେଶରେ ସୀମିତ ନାହିଁ। ଇରାନର ଅପରେସନ୍ ରିଭେଞ୍ଜରେ ରହିଛି ଇସ୍ରାଏଲ ସମେତ UAEର ୯ଟି ଦେଶ। ଗତକାଲି ରାତିରେ ପ୍ରାୟ ୪୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼ କରି ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି ଇରାନ୍। ସେହିପରି କତାର, କୁଏତ, ଜୋର୍ଡାନ, ବାହାରିନ, ସାଉଦି ଆରବ ଓ UAEରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଏକକାଳୀନ ପ୍ରତିଆକ୍ରମଣ କରି ସାରା ବିଶ୍ୱକୁ ଚକିତ କରିଛି। 

ସେସବୁ ଦେଶର ଅନେକ ଆବାସିକ ଅଟ୍ଟାଳିକା ବି କ୍ଷତିଗ୍ରସ୍ତ ହୋଇଛି। ସୋସିଆଲ୍ ମିଡିଆରେ ମିସାଇଲ୍, ରକେଟ ଓ ବୋମା ବିସ୍ଫୋରଣ ଭିଡିଓ ଦର୍ଶାଉଛି କେମିତି ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍। ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ଯୁଦ୍ଧର କାୟା ଆଗକୁ ଭୟଙ୍କର ହୋଇପାରେ। 

ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷର ପ୍ରଭାବ ଏବେ ଏସିଆ ମହାଦେଶରେ ବି ଦେଖିବାକୁ ମିଳିଛି। ଖାମେନେଇଙ୍କ ମୃତ୍ୟୁ ପ୍ରତିବାଦରେ ପାକିସ୍ତାନରେ ବ୍ୟାପିଛି ହିଂସା। କରାଚିରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛନ୍ତି ପାକିସ୍ତାନ ନାଗରିକ। କନସୁଲେଟ୍ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏତିକିବେଳେ ଆମେରିକା ସେନା ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ ହେବାରୁ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। 

ନିଜର ଅସ୍ତିତ୍ୱ ଓ ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକାର ସାମରିକ ଘାଟି ଥିବା ଦେଶରେ ମିସାଇଲ ବର୍ଷା କରୁଛି ଇରାନ୍। ମଧ୍ୟପ୍ରାଚ୍ୟରେ ବୁଣାଯାଇଥିବା ଏହି ରକ୍ତାକ୍ତ ଜାଲ ଏବେ ସାରା ବିଶ୍ୱର ଶାନ୍ତି ପ୍ରତି ବଡ଼ ବିପଦ। ଏହି ସଂଘର୍ଷ ଶାନ୍ତ ନପଡ଼ିଲେ ଆଧୁନିକ ଇତିହାସର ସବୁଠାରୁ ବଡ଼ ସାମରିକ ବିପର୍ଯ୍ୟୟ ସହ ତୃତୀୟ ବିଶ୍ବଯୁଦ୍ଧକୁ ଜନ୍ମ ଦେଇପାରେ। 

Middle East War Iran US Cold War
Advertisment
Advertisment