Advertisment

Mauritius Man’s Emotional Journey: ଯାଜପୁର ମାଟି ଗଲା ମରିସସ୍ , ଫେରିଗଲେ ରାମରୂପ

ଯାଜପୁରର ମାଟି ମୁଠାକ ତାଙ୍କ ପାଇଁ ମହାପ୍ରସାଦ । ସତେ ଯେମିତି ପଲିଥିନରେ ଭର୍ତ୍ତି କରି ତିଆରି କରିଛନ୍ତି କୈବଲ୍ୟ କୁଡୁଆଟିଏ । ମାଟିକୁ ସେ ଭାରି ଭଲ ପାଆନ୍ତି । ପୂର୍ବ ପୁରୁଷଙ୍କ ସେ ଅନୁଭବକୁ ସେ ପ୍ରତିଟି ମୁହୂର୍ତ୍ତରେ ଖୋଜୁଛନ୍ତି ।

author-image
Manas Ranjan Mohanty
Jajpur-MAURITIUS-CITIZEN-RETURN

Jajpur-MAURITIUS-CITIZEN-RETURN Photograph: (OTV)

ଯାଜପୁରର ମାଟି ମୁଠାକ ତାଙ୍କ ପାଇଁ ମହାପ୍ରସାଦ । ସତେ ଯେମିତି ପଲିଥିନରେ ଭର୍ତ୍ତି କରି ତିଆରି କରିଛନ୍ତି କୈବଲ୍ୟ କୁଡୁଆଟିଏ । ମାଟିକୁ ସେ ଭାରି ଭଲ ପାଆନ୍ତି । ପୂର୍ବ ପୁରୁଷଙ୍କ ସେ ଅନୁଭବକୁ ସେ ପ୍ରତିଟି ମୁହୂର୍ତ୍ତରେ ଖୋଜୁଛନ୍ତି । କାରଣ ଏଇ ମାଟି ଉପରେ ତାଙ୍କ ପୂର୍ବଜ ମାନେ ଚଳିଛନ୍ତି, ଖେଳିଛନ୍ତି ଏବଂ ଚାଲିବୁଲି ସେମାନଙ୍କ ସାରା ଜୀବନ କଟିଛି । କୁହାଯାଏ ମଣିଷ ଜୀବନ ମୁଠାଏ ମାଟି । ଆଉ ସେହି ମୁଠାଏ ମାଟି ତାଙ୍କ ପାଇଁ ଜୀବନ । ମଣିଷ ଯେତେ ଉଚ୍ଚରେ ଉଡ଼ିଲେ ବି, ତା’ ମାଟିର ମୋହକୁ କେବେ ଛାଡ଼ିପାରେନି । ସେଇମିତି ଏଇ ମାଟିର ମୋହରେ ପଡ଼ି ସୁଦୂର ମରିସସରୁ ଯାଜପୁରକୁ ଧାଇଁ ଆସିଥିଲେ ରାମରୂପ ଜଗରୁନାଥ । ପରିବାର ମିଳିଲାନି, କି ସମ୍ପର୍କୀୟ ବି ମିଳିଲେନି । କେବଳ ମିଳିଲା  ମାଟି ମୁଠାକ । ଯାହାକୁ ଧରି ପୁଣି ସେ ଫେରିଯାଇଛନ୍ତି ମରିସସ । ଆଉ ରାମରୂପ ମରିସସରୁ ଫେରିବା ପୂର୍ବରୁ ଯାଜପୁରର ବରିଷ୍ଠ ନାଗରିକମାନେ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ପରିବାର ସହ ଭେଟ କରାଇବାକୁ କଥା ଦେଇଛନ୍ତି ।

Advertisment

ଗତ ୨୩ ତାରିଖରେ ଯାଜପୁରକୁ ଆସିଥିଲେ ରାମରୂପ । ନିଜ ପରିବାର ଓ ବଂଶଜଙ୍କୁ ଗଳିକନ୍ଦି ବୁଲି ଖୋଜିଥିଲେ । ତାଙ୍କ କହିବା କଥା ଏଇଠି ହିଁ ରହିଛି ତାଙ୍କ ବଂଶ ପରମ୍ପରା । ପୂର୍ବରୁ ଇଂରେଜ ସମୟରେ କାମ ଉଦ୍ଦେଶ୍ୟରେ ମରିସସକୁ ଯାଇଥିଲେ ପୂର୍ବଜ । ଆଉ ଯାଜପୁରରେ ତାଙ୍କ ଘର ରହିଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ପୂର୍ବପୁରୁଷ ଜଗନ୍ନାଥ ଦାଶ ବୋଲି ରାମରୂପ ଜଣାଇଛନ୍ତି । ହେଲେ ବହୁ ଖୋଜାଖୋଜି ପରେ ପରିବାର ସହ ସାକ୍ଷାତ ହୋଇନଥିବାରୁ ଶେଷରେ ସେ ଫେରିଯାଇଛନ୍ତି । ଆଉ ବିଶ୍ଵାସ ଅଛି ତାଙ୍କ ପରିବାର ମିଳିବେ ପୁଣି ସେ ଯାଜପୁର ଫେରିବେ ।

ଖାଲି ଏଇ ବର୍ଷ ନୁହେଁ, କିଛି ବର୍ଷ ହେବ ଏମିତି ମରିସସରୁ ଯାଜପୁରକୁ ଆସୁଛନ୍ତି  ରାମରୂପ ଜଗରୁନାଥ । ପରିବାରକୁ ଖୋଜୁଛନ୍ତି, ବୈତ୍ରଣୀରେ ବୁଡ଼ ପକାଇ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । ଆଉ ଶେଷରେ ନିରା ହୋଇ ପୁଣି ମରିସସକୁ ଫେରିଯାଉଛନ୍ତି ରାମରୂପ । ତାଙ୍କର ମାଟିର ମୋହ ତାଙ୍କୁ ଯାଜପୁରକୁ ଟାଣି ଆଣୁଛି । 

Advertisment