Advertisment

ୱର୍କ ଫ୍ରମ୍ ହୋମର କେତେକ ଲାଭ

ବିଶ୍ଵବ୍ୟାପୀ କରୋନା ସଙ୍କଟ କେବେ ଟଳିବ ଏବଂ କେବେ ମନୁଷ୍ୟ ସମାଜ ମହାମାରୀ କବଳରୁ ମୁକ୍ତ ହୋଇ ସାମାନ୍ୟ ଜୀବନ ବଞ୍ଚିବ, ଏହା ସଭିଙ୍କୁ ଅଜଣା। କେବଳ ଶିକ୍ଷା କି ଚାକିରୀ ନୁହେଁ ବରଂ ଏପରି ଅନେକ କାର୍ଯ୍ୟ ଏବେ ଘରେ…

author-image
debendra
ଅଦ୍ୟତନ ହୋଇଛି
ୱର୍କ ଫ୍ରମ୍ ହୋମର କେତେକ ଲାଭ

Work-From-Home

ବିଶ୍ଵବ୍ୟାପୀ କରୋନା ସଙ୍କଟ କେବେ ଟଳିବ ଏବଂ କେବେ ମନୁଷ୍ୟ ସମାଜ ମହାମାରୀ କବଳରୁ ମୁକ୍ତ ହୋଇ ସାମାନ୍ୟ ଜୀବନ ବଞ୍ଚିବ, ଏହା ସଭିଙ୍କୁ ଅଜଣା। କେବଳ ଶିକ୍ଷା କି ଚାକିରୀ ନୁହେଁ ବରଂ ଏପରି ଅନେକ କାର୍ଯ୍ୟ ଏବେ ଘରେ ରହି ଅନଲାଇନ ମାଧ୍ୟମରେ ସମ୍ପନ୍ନ କରାଯାଉଛି ଯାହା ବିଷୟରେ ମହାମାରୀ ପୂର୍ବରୁ କେବଳ ଅନୁଚିନ୍ତାମୂଳକ ଚର୍ଚ୍ଚା ହେଉଥିଲା। ଅଧିକାଂଶ ଅଧିକାରୀ ଏହା କଦାପି ବିଚାର କରିନଥିଲେ ଯେ ଦପ୍ତରର ଏଭଳି ଅନେକ କାର୍ଯ୍ୟ ଅଛି ଯାହା ଗୃହରୁ ସିଧାସଳଖ ସମ୍ପୂର୍ଣ୍ଣ କରିହେବ। କିନ୍ତୁ ଦୀର୍ଘଦିନ ଧରି ମହାମାରୀ ଜନିତ ଅନିଶ୍ଚିତତା ଘରେ ରହି କାମ କରିବା ବାଧ୍ୟକତାକୁ ଆବଶ୍ୟକତାରେ ରୂପାନ୍ତରିତ କରିଛି। ଏବେ ଦୈନନ୍ଦିନ ଦପ୍ତର କାର୍ଯ୍ୟ ସହିତ ବିଭିନ୍ନ ବ୍ୟକ୍ତିଗତ-ସରକାରୀ ବୈଠକ, ଖରିଦ୍, ଟେଣ୍ଡର, ବିଡିଂ ଇତ୍ୟାଦି ଘରେ ରହି ଅନଲାଇନ କରିବା ପାଇଁ ପ୍ରସ୍ତୁତି ଚାଲିଛି, ଯଦ୍ୱାରା କରୋନା ବିପତ୍ତି ଅଧିକ ଦିନ ଧରି ଚାଲିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ପୂର୍ବବତ୍ କ୍ରିୟାଶୀଳ ରଖିହେବ।

Advertisment

୨୦୨୦ ସେପ୍ଟେମ୍ବର ମାସଠାରୁ ହିଁ ଅନେକ ଭାରତୀୟ ଓ ଅନ୍ତରାଷ୍ଟ୍ରୀୟ ଆଇ.ଟି କମ୍ପାନୀ ନିଜର ୯୦ ପ୍ରତିଶତ କର୍ମଚାରୀଙ୍କୁ ଲମ୍ୱା ଅବଧି ପାଇଁ ଘରେ ରହି କାମ କରିବାକୁ ନିର୍ଦେଶ ଦେଇଥିଲେ ଯାହା ଏବେବି ଚାଲିଅଛି। ବଦଳୁ ଥିବା ସମୟକୁ ଦୃଷ୍ଟିରେ ରଖି ଭାରତର ଅଧିକାଂଶ ଉଦ୍ୟୋଗ ନିଜର ୫୦ ପ୍ରତିଶତ କାର୍ଯ୍ୟକୁ ଡିଜିଟାଲ ପ୍ଲାଟଫର୍ମକୁ ଆଣିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କ ପାଖେ ଆବଶ୍ୟକୀୟ ବିଶେଷଜ୍ଞତାର ଅଭାବ ରହିଛି। ଏଥିପାଇଁ ସେମାନଙ୍କୁ ଆଇ. ଟି କମ୍ପାନୀର ସହଯୋଗ ଲୋଡ଼ା। ଏହାର ପୂର୍ବାନୁମାନ କରି ଟି.ସି.ଏସ୍, ଇନ୍ଫୋସିସ ଭଳି ପ୍ରମୁଖ ଆଇ.ଟି. କମ୍ପାନୀ ବମ୍ପର ଭର୍ତ୍ତିର ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଆଇ.ଟି କମ୍ପାନୀ ବ୍ୟତୀତ ଅନ୍ୟ ଯେଉଁ କମ୍ପାନୀ ଗୁଡିକ ୱର୍କ ଫ୍ରମ୍ ହୋମକୁ ଆପଣାଇ ଥିଲେ, ଏବେ ସେମାନେ ମଧ୍ୟ ଏହି ବ୍ୟବସ୍ଥାକୁ ସ୍ଥାୟୀ କରିବାକୁ ମନସ୍ଥ କରିଛନ୍ତି। ସମ୍ଭବତଃ ଏଥିରେ ସେମାନଙ୍କୁ କିଛି ନୂଆ ସମ୍ଭାବନା ଦେଖା ଦେଇଛି।

ଦପ୍ତର ନ ଆସି ୱର୍କ ଫ୍ରମ୍ ହୋମ କରିବାର ପ୍ରଥମ ପରାମର୍ଶ ଆମେରିକୀୟ ପ୍ରବନ୍ଧକ ଡେମ ଷ୍ଟିଫନ ଶର୍ଲି ଦେଇଥିଲେ। ଶର୍ଲି ନିଜ ବିଚାରକୁ ନୂତନ ଉଦ୍ୟୋଗର (ଷ୍ଟାର୍ଟ-ଅପ୍) କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରି କହିଥିଲେ ଯେ ଦପ୍ତରରେ ଏପରି ଅନେକ କାର୍ଯ୍ୟ ରହିଛି ଯାହା ଉଚ୍ଚ ପ୍ରଦ୍ୟୋଗିକତାର ସାହାଯ୍ୟରେ ଘରୁ ସମ୍ପାଦନ କରିହେବ ଯଦ୍ବାରା ‘ଟାଇମ ଆଣ୍ଡ ସ୍ପେସ ମ୍ୟାନେଜମେଣ୍ଟ’ ହୋଇ ପାରିବ। ଏହା ସହ ପ୍ରଶ୍ନ ଉଠିଥିଲା ଯେ ଯଦି ଅନଲାଇନ ଶିକ୍ଷା ମାଧ୍ୟମରେ ସ୍କୁଲ-କଲେଜ-କୋଚିଂ ନଯାଇ ପାଠ୍ୟକ୍ରମ ଓ ପରୀକ୍ଷା ସମାପ୍ତ ହୋଇପାରୁଛି ତେବେ ଦପ୍ତର କାର୍ଯ୍ୟ କାହିଁକି ଘରୁ ହୋଇପାରିବ ନାହିଁ ?

Advertisment

ଗତବର୍ଷ ଆସୋଚାମ ତରଫରୁ ଦେଶର ପ୍ରାୟ ସାଢ଼େ ତିନି ହଜାର କମ୍ପାନୀର ପ୍ରବନ୍ଧକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ୱର୍କ ଫ୍ରମ୍ ହୋମ ବିଷୟ ମଧ୍ୟ ସାମିଲ ଥିଲା। ସର୍ବେକ୍ଷଣର ତଥ୍ୟ ମୁତାବକ ପ୍ରାୟ ସମସ୍ତ କମ୍ପାନୀ ମାର୍ଚ୍ଚ, ୨୦୨୦ ଲକ୍ ଡାଉନ ପରେ ନିଜ ଦପ୍ତର ଓ କାର୍ଯ୍ୟ ସମୟର ରୂପରେଖ ବଦଳାଇବାରେ ଲାଗିଯାଇଛନ୍ତି। ୱର୍କ ଫ୍ରମ୍ ହୋମ ପରେ ଅନେକ କର୍ମଚାରୀଙ୍କୁ ନିଜ ମନ ମୁତାବକ ସମୟରେ କାମ କରିବାର ସୁବିଧା ମିଳିଛି। ଆଗ ଭଳି ସକାଳ ନଅରୁ ସନ୍ଧ୍ୟା ପାଞ୍ଚ କାର୍ଯ୍ୟ ପରମ୍ପରା ଭାଙ୍ଗି ସାରିଲାଣି। ଆଇ.ଡି କାର୍ଡ ଓ ଫିଙ୍ଗରପ୍ରିଣ୍ଟ ଆଟେଣ୍ଡାନ୍ସ କେବେଠୁ ଲଗ-ଇନ୍ ରେ ରୂପାନ୍ତରିତ ହୋଇଯାଇଛି। ଟିଫିନ ବକ୍ସ ଭୁଲିଯିବା କି ବସ, ମେଟ୍ରୋ ଛାଡିଯିବାର ଭୟ ମଧ୍ୟ ରହିନାହିଁ। ଟାଟା କଂସଲଟାନ୍ସୀ ସର୍ଭିସ ଭଳି ବୃହତ ଆଇ.ଟି. କମ୍ପାନୀ ୨୦୨୫ ସୁଦ୍ଧା ନିଜର ୭୫ ପ୍ରତିଶତ କର୍ମଚାରୀଙ୍କୁ ୱର୍କ ଫ୍ରମ୍ ହୋମର ସୁବିଧା ଦେବ ବୋଲି ଘୋଷଣା କରିଅଛି।

କରୋନା କାଳରେ ଚାଲୁଥିବା ୱର୍କ ଫ୍ରମ୍ ହୋମ ପରିବେଶ ସୁରକ୍ଷା ଓ ଆଧୁନିକ ସହରୀ କ୍ଷେତ୍ର ଉପରେ ପଡୁଥିବା ଚାପ ପାଇଁ ବିଶେଷ ଉପାଦେୟ ସାବ୍ୟସ୍ତ ହୋଇଛି। ଆଗାମୀ ଦିନରେ ଏହା ଯାନବାହନ ଜନିତ ବାୟୁ ଓ ଶବ୍ଦ ପ୍ରଦୂଷଣରୁ ଆଂଶିକ ନିସ୍ତାର ଦେଇପାରିବ। ଘରକୁ ଦପ୍ତରରେ ପରିବର୍ତ୍ତନ କରିବାର ଏକ ମୁଖ୍ୟ ଆବଶ୍ୟକତା ହେଲା ଅଧିକାଂଶ ସହରରେ ଘରଠୁ କାର୍ଯ୍ୟକ୍ଷେତ୍ରର ଦୂରତା ବୃଦ୍ଧି ପାଇବାରେ ଲାଗିଛି। ଦପ୍ତର ପହଞ୍ଚିବା ପାଇଁ ଉଭୟ ସମୟ ଓ ଯାତାୟାତ ଅର୍ଥ ବିନିର୍ବ୍ୟୟ ହେବା ସହ ଟ୍ରାଫିକ ଜାମ ମଧ୍ୟ ସୃଷ୍ଟି ହେଉଛି। ମେଟ୍ରୋ ସହରର ବ୍ୟବସାୟିକ ଇଲାକାରେ ଦପ୍ତର ଭଡ଼ା କ୍ଷୁଦ୍ର କମ୍ପାନୀ ଗୁଡିକୁ ଋଣଗ୍ରସ୍ତ କରୁଛି। ସେହିପରି ଦପ୍ତରର ଏସି ଓ ଅନ୍ୟାନ୍ୟ ଉପକରଣ ପାଇଁ ବିଦ୍ୟୁତ ବାବଦରେ ବିପୁଳ ଅର୍ଥ ବ୍ୟୟ ହେଉଛି। ୱର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ର ଜନିତ ମାନସିକ ଚାପରୁ ଦୂରେଇ ରଖିବା ସହ ବିଦ୍ୟୁତ, ପେଟ୍ରୋଲ-ଡିଜେଲ ଓ ଦପ୍ତର ଭଡ଼ା ଆଦି ଅନେକ ଖର୍ଚ୍ଚ ରୋକି ପାରିବ ଏବଂ ପରିବେଶ ସନ୍ତୁଳନ ପାଇଁ ମଧ୍ୟ ଉପଯୋଗୀ ରହିବ।

ଚଳିତ ଲକ୍ ଡାଉନ ୱର୍କ ଫ୍ରମ୍ ହୋମ ପ୍ରଣୟନର ଏକ ପ୍ରାରମ୍ଭିକ ପ୍ରକଳ୍ପ (ପାଇଲଟ ପ୍ରୋଜେକ୍ଟ) ପାଲଟିଛି। ପାଠପଢ଼ାଠୁ ଆରମ୍ଭ କରି ଚିକିତ୍ସା, ନ୍ୟାୟିକ ଶୁଣାଣି, ଅନ୍ତର୍ଜାତୀୟ ବୈଠକ, ରାଜନୈତିକ ସମ୍ମିଳନୀ ଏପରିକି ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ଆଦି କାର୍ଯ୍ୟ ଘରେ ବସି ଅନଲାଇନ ମାଧ୍ୟମରେ ସମାପିତ ହେଉଛି। ଅବଶ୍ୟ ସମସ୍ତ କାର୍ଯ୍ୟ ଦପ୍ତରରୁ ଘରକୁ ନେଇ ଆସିବା ସମ୍ଭବ ହେବନାହିଁ କିନ୍ତୁ ଏହାର ବିକଳ୍ପ ପନ୍ଥା ଅବଲମ୍ବନ କରିବା ଆଦୌ ଅସହଜ ନୁହେଁ। ଆଜିବି ଅନେକଙ୍କ ମତରେ ଘରେ କର୍ମଚାରୀଟି ଠିକ ଭାବରେ କାମ କରିବ ନାହିଁ, ଆମକୁ ବାସ୍ ଏହି ରକ୍ଷଣଶୀଳ ଚିନ୍ତାଧାରାରୁ ଉର୍ଦ୍ଧ୍ବକୁ ଉଠିବାର ଅଛି।

                                                                                                            ଲେଖକ-ଓମ୍ ପ୍ରିୟଦର୍ଶୀ ଛୋଟରାୟ

                                                                                                                   ମୋ- ୯୧୭୮୫୬୦୩୫୫

Advertisment
Advertisment