/odishatv-khabar/media/media_files/2025/10/21/paya-sradha-2025-10-21-15-47-26.jpg)
paya sradha Photograph: (OTV)
କାର୍ତ୍ତିକ ଅମାବାସ୍ୟା ପାଖେଇ ଆସିଲେ ମନେପଡେ ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ସେଇ ପୁରୁଣା ଲୋକକଥା।
"ବଡ଼ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ,
ଗଙ୍ଗା ଯାଅ, ଗୟା ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।"
ଅମାବାସ୍ୟାର ଘନ ଅନ୍ଧକାର ମଧ୍ୟରେ ଜଳନ୍ତା କାଉଁରିଆ କାଠି ହାତରେ ଧରି ଉପରକୁ ଦେଖାଇ ପରିବାରର ମୁରବିଙ୍କ ସହିତ ବାଳକ ବାଳିକାମାନେ ଏ ପଦଟି ଡାକନ୍ତି। ଏହି ପଦଟି ମଧ୍ୟରେ ଲୁଚି ରହିଥାଏ ଭାରତୀୟ ପୁଣ୍ୟକ୍ଷେତ୍ର ଗୁଡ଼ିକର ଧର୍ମଯାତ୍ରା ସହ ଓଡ଼ିଶାର ପୁରୁଷୋତ୍ତମ କ୍ଷେତ୍ରରେ ପିତୃପୁରୁଷଙ୍କର ବାଇଶି ପାହାଚରେ ଶେଷ ଆଶ୍ରୟ ନେବା ପଛରେ ଥିବା ଜଗନ୍ନାଥ ଧାମର ମହିମାଗାନ।
ପୟା ଶ୍ରାଦ୍ଧ
ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ପୟାଶ୍ରାଦ୍ଧ ବ୍ୟବସ୍ଥା ଓଡ଼ିଶାର ଗାଁ ଗହଳିରେ ବେଶି ଲୋକପ୍ରିୟ। ଆଶ୍ୱିନ ମାସର ମହାଳୟା ଓ କାର୍ତ୍ତିକର ଅମାବାସ୍ୟା ପିତୃପୁରୁଷଙ୍କ ପୂଜା ପାଇଁ ଶ୍ରେଷ୍ଠ ତିଥି। ପରୋକ୍ଷରେ କହିବାକୁ ଗଲେ, ଏହି ପିତୃପୁରୁଷମାନେ ହିଁ ଆମର ଦେବତା। ଏଣୁ ସେମାନଙ୍କୁ ସନ୍ତୁଷ୍ଟ ନକଲେ ମଣିଷ ନାର୍କଗାମୀ ହୁଏ ବୋଲି ଧାରଣା ରହିଛି।
ପିତୃପୁରୁଷଙ୍କୁ ଆନ୍ତରିକ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ପର୍ବ ହେଉଛି ପିତୃପର୍ବ। ବାର୍ଷିକ ଶ୍ରାଦ୍ଧ ବ୍ୟତୀତ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ବା ପିତୃପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ପନ୍ଦର ଦିନ ଧରି, ଆମେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରିଥାଉ। ସର୍ବପିତୃ ଅମାବାସ୍ୟା ବୋଲି କହୁଥିବା ମହାଳୟା
ଅମାବାସ୍ୟା ଦିନ ମଧ୍ୟ ପିତୃ ଶ୍ରାଦ୍ଧ କରାଯାଏ
ଏହି ତିନି ଶ୍ରାଦ୍ଧ ବ୍ୟତୀତ ଅନ୍ୟଗୋଟିଏ ସ୍ଵତନ୍ତ୍ର ଶ୍ରାଦ୍ଧ ରହିଚି, ଯାହା କାର୍ତ୍ତିକ ମାସ ଅମାବାସ୍ୟା ତିଥି ବା ଦୀପାବଳୀ ଦିନ ପାଳନ କରିଥାଉ, ଯାହାକୁ ଆମେ ପୟାଶ୍ରାଦ୍ଧ ବୋଲି କହିଥାଉ। ଯେଉଁମାନେ ପିତୃପକ୍ଷରେ ଅର୍ଥାତ୍ ଆଶ୍ଵିନ କୃଷ୍ଣ ପ୍ରତିପଦାଠାରୁ କାର୍ତ୍ତିକ ଅମାବାସ୍ୟା ବା ମହାଳୟା ମଧ୍ୟରେ କୌଣସି କାରଣ ବଶତଃ ପିତୃଶ୍ରାଦ୍ଧ କରିପାରି ନଥାନ୍ତି, ସେମାନେ ଦୀପାବଳି ଅମାବାସ୍ୟା ଦିନ ପୟାଶ୍ରାଦ୍ଧ କରି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥା’ନ୍ତି।
ପିତୃପକ୍ଷରେ ଓ ମହଳୟାରେ ଶ୍ରାଦ୍ଧ କରିଥିଲେ ମଧ୍ୟ ପୟା ଶ୍ରାଦ୍ଧ ଦିଆଯାଏ। ବିଶ୍ୱାସ ରହିଛି ଯେ, ପ୍ରତିବର୍ଷ ପିତୃପକ୍ଷରେ ପିତୃଗଣ ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଆସିଥା’ନ୍ତି। ସେମାନେ ଏହି କାର୍ତ୍ତିକ ଅମାବାସ୍ୟା ଦିନ ପୁଣିଥରେ ପିତୃ ଲୋକକୁ ଫେରିଥା’ନ୍ତି। ସେଥିପାଇଁ ତାଙ୍କୁ ଆଲୋକ ଦେଖାଇ ପିତୃଲୋକକୁ ଫେରିଯିବାକୁ ନିବେଦନ କରାଯାଏ। ଏହି ପୟାଶ୍ରାଦ୍ଧ ଦେବା ଦ୍ଵାରା ଘରେ ସୁଖ ଶାନ୍ତି ସ୍ଥାପନା ହୁଏ ଓ ବଡ଼ବଡୁଆଙ୍କ ଆଶୀର୍ବାଦ ମିଳିଥାଏ।
ପୟା ଅମାବାସ୍ୟାର ଐତିହାସିକତା
ପୟା ଅମାବାସ୍ୟା ସହିତ ଆମ ଜାତିର ସୁଦୂର ଅତୀତର ଏକ ନିବିଡ ସମ୍ପର୍କ ରହିଛି।ବହୁବର୍ଷ ତଳେ ଆମ ଜାତି ନୌବାଣିଜ୍ୟରେ ଅତି ଉନ୍ନତ ଥିଲା। ଓଡ଼ିଆ ବଣିକମାନେ ସେମାନଙ୍କ ବଣିଜ ନୌକା ବାହି ନେଇ ଦଶହରା ପୂର୍ବରୁ ନିଜ ଦେଶକୁ ଫେରି ଆସୁଥିଲେ। ଦଶହରା ଦିନ ବିଜୟର ସ୍ମାରକୀ ସ୍ୱରୂପ ସେମାନେ ମହା ଆଡମ୍ବର ସହିତ 'ବିଜୟା ଦଶମୀ ' ପାଳନ କରୁଥିଲେ। କୁମାର ପୂର୍ଣ୍ଣିମା ଦିନ ଘରର ଛୋଟ ପିଲାଙ୍କୁ ନୂଆ ପୋଷାକ ପିନ୍ଧାଇ ଘରର ମୂରବୀ ଶ୍ରେଣୀୟ ଲୋକମାନେ ସାରା ରାତି ଉଜାଗର ରହି , ନାଚ ଗୀତରେ କଟାଉ ଥିଲେ। ଓଡ଼ିଶାରେ ଲୋକବିଶ୍ୱାସ ରହିଛି ଯେ, ସେଦିନ ରାତିରେ ଉଜାଗର ରହିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ସେହିଦିନଠାରୁ ଆରମ୍ଭ ହୁଏ କାର୍ତ୍ତିକ ବ୍ରତ।
ଓଡ଼ିଆ ଯୁବକମାନେ କାର୍ତ୍ତିକ ପୂର୍ଣ୍ଣିମାର ବ୍ରାହ୍ମ ମୁହୂର୍ତ୍ତରୁ ପୁଣି ସେମାନଙ୍କର ବାଣିଜ୍ୟ ବୋଇତ ମେଲିଦେବାର ଆୟୋଜନ କରନ୍ତି। କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ବର୍ହ୍ମଚର୍ଯ୍ୟ ପାଳନ ନିଷ୍ଠାର ସହିତ ବ୍ରତ ଆଚରଣ କରନ୍ତି। କୁମାର ପୂର୍ଣ୍ଣିମାର ପନ୍ଦର ଦିନ ପରେ ପୟା ଅମାବାସ୍ୟା ପଡ଼ିଥାଏ। ସେଦିନ ବିଦେଶରୁ ଆଣିଥିବା ଭୋଜ୍ୟ ପଦାର୍ଥରୁ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ। ପୟା ଶ୍ରାଦ୍ଧର ବିଶେଷତ୍ବ ହେଉଛି ସେଦିନ ଘରର କର୍ତ୍ତାମାନେକେବଳ ଯେ ନିଜର ପିତୃପୁରଷଙ୍କୁ ଶ୍ରାଦ୍ଧ ଦିଆଯାଏ ତା ନୁହେଁ, ସେଦିନ ଜ୍ଞାତି କୁଟୁମ୍ବ, ମିତ୍ର ଏପରିକି ସାଧାରଣ ଜଣାଶୁଣା ମୃତ ଆତ୍ମାର ଶାନ୍ତି ଲାଭ ପାଇଁ ଭୋଜ୍ୟ ଅର୍ପଣ କରନ୍ତି। ଏହା ମୂଳରେ ରହିଛି ମୃତଆତ୍ମାମାନଙ୍କର ଆଶୀର୍ବାଦ କାମନା ଓ ସେମାନଙ୍କ ନୌଯାତ୍ରାର ସଫଳ କାମନା ଏକାମାତ୍ର ଉଦ୍ଦେଶ୍ୟ।
ସେଦିନ ଶ୍ରାଦ୍ଧ ପରେ କାଉଁରିଆ କାଠି ଜାଳି "ଅନ୍ଧାରରେ ଆସି ଆଲୁଅରେ ଯାଅ" ଡାକ ଦେଇ ପିତୃ ପୁରୁଷଙ୍କୁ ଆଲୋକ ପ୍ରଦର୍ଶନ କରନ୍ତି। ଓଡ଼ିଆମାନଙ୍କ ବିଶ୍ୱାସ ଯେ ପିତୃପୁରୁଷମାନେ କୁମାର ପୂର୍ଣ୍ଣିମାଠାରୁ ପୟା ଅମାବାସ୍ୟା ଯାଏଁ ମର୍ତ୍ତ୍ୟଲୋକରେ ରହି ନିଜ ବଂଶଧରଙ୍କର ସୁଖ ଦେଖନ୍ତି। ପୟା ଅମାବାସ୍ୟା ଦିନ ଲୋକମାନେ ବିଦେଶରୁ ଆଣିଥିବା ବିଭିନ୍ନ ସୁସ୍ୱାଦୁ ଖାଦ୍ୟରେ ପିତୃପୁରୁଷଙ୍କୁ ତୃପ୍ତ କଲାପରେ ସେମାନେ ମର୍ତ୍ତ୍ୟଲୋକ ଛାଡ଼ି ପୁଣି ମୃତ୍ୟୁଲୋକର ଯାତ୍ରୀ ହୁଅନ୍ତି ତାଙ୍କର ଫେରିବାର ପଥ ଆଲୋକମୟ ହେବା ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳିବା ସହ ଘର ଆଗରେ ଦୀପ ଜାଳିଥାନ୍ତି ।
ପୟା ଶ୍ରାଦ୍ଧର ବିଧି
ପୟା ଶ୍ରାଦ୍ଧରେ ଶ୍ରାଦ୍ଧକର୍ତ୍ତା କାଉଁରିଆ କାଠି ଥୋଇ ଦଶ ଦେବତା, ଦଶଦିଗପାଳ ସପ୍ତଋଷି , ପିତାଙ୍କ ପାରିବାରର ତିନି ପୂର୍ବପୁରୁଷ ଓ ମାତାଙ୍କ ପରିବାରର ତିନି ପୂର୍ବପୁରୁଷ, ଅଜା ଓ ଆଇଙ୍କର ତିନି ପୂର୍ବପୁରୁଷମାନଙ୍କୁ ଆବାହନ କରି, ସେମାନଙ୍କୁ ସୁଆଁଫୁଲ ଓ ବିଭିନ୍ନ ପ୍ରକାର ବଣଲତା, ଚନ୍ଦନ, ପୁଷ୍ପ, ଧୂପ, ଦୀପ ସହିତ ନାନାଦି ପିଠା,ଆଖୁ, କଦଳୀ, ନଡ଼ିଆ ଓ ଅନ୍ୟାନ୍ୟ ଫଳମୂଳ ଆଦି ଅର୍ପଣ କରିଥାନ୍ତି । ବଡବଡୁଆ ଡାକ ବିଧି ପାଳନ କରାଯାଏ । ଏହି ବଡ଼ବଡୁଆ ଡାକ ବା ବିଧି ସାମୂହିକ ଭାବେ କରାଯାଇଥାଏ। ନିଜ ପାରିବାରର ସଦସ୍ୟ ମିଶି ମଧ୍ୟ ବଡ଼ବଡୁଆ ଡାକିଥାନ୍ତି । କାଉଁରିଆ କାଠିକୁ ଜାଳି ପୂର୍ବଜଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଏ।
Tribal Kids Keep Sanskrit Alive: ଆଦିବାସୀ ପିଲାଙ୍କ ପାଟିରେ ସଂସ୍କୃତ ଭାଷା, ଆବୃତ୍ତି କରୁଛନ୍ତି ଶ୍ଳୋକ ଓ ମନ୍ତ୍ର

Flute Maker from Odisha: ଛାଡ଼ିଲେ ବେଙ୍ଗାଲୁରୁର ଆଇଟି ଚାକିରି, ଏବେ କରୁଛନ୍ତି ଏହି କାମ...ଗର୍ବ କରୁଛି ଗାଁ

Cuttack Bike Explosion: ବାଇକରେ ବାଣ ବିସ୍ଫୋରଣ LIVE , ଜଳି ପୋଡ଼ି ପାଉଁଶ ହେଇଗଲା

Low Pressure Area Forms : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩୬ ଘଣ୍ଟାରେ ଅବପାତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)