Advertisment

Clash Over Rath Yatra: ଇସ୍କନର ଗାଲୁଆମିକୁ ନେଇ ଗଜପତିଙ୍କ ପୁଣି କଡ଼ା ଚିଠି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କଡ଼ା ଚେତାବନୀ

ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ବିତୀୟାଠାରୁ ପରବର୍ତ୍ତୀ ୯ ଦିନ ଭିତରେ ଇସ୍କନ ଯେ କୌଣସି ସାପ୍ତାହିକ ଛୁଟି ଦିନରେ ଆୟୋଜନ କରିବାରେ ଆପତ୍ତି ନାହିଁ। ହେଲେ ତିଥି ବାହାରେ ଚତୁର୍ଦ୍ଧା ବିଗ୍ରହଙ୍କୁ ରଥ ଉପରେ ବସାଇ ବୁଲାଇବା ପରଂପରା ବିରୋଧୀ।

author-image
Manas Ranjan Mohanty
ISCON

ISCON Photograph: (OTV)

ଗାଲୁଆମି ଛାଡୁନି ଇସ୍କନ । ମହାପ୍ରଭୁ ଜଗନ୍ନାଥଙ୍କୁ କରୁଛି ହେୟଜ୍ଞାନ  । ଶାସ୍ତ୍ର ଅନୁମୋଦିତ ତିଥିକୁ ବେଖାତିର କରୁଛି ।  ଦେଶ ବାହାରେ ଅଦିନିଆ ରଥଯାତ୍ରା ଜାରି ରଖିବ ବୋଲି ରୋକଠୋକ୍ ଶୁଣାଉଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଇସ୍କନକୁ ସଫା ସଫା ଶୁଣାଇଛନ୍ତି ଅତିଥିରେ ରଥଯାତ୍ରା ଅଗ୍ରହଣୀୟ। ପଶ୍ଚିମବଙ୍ଗ ମାୟାପୁରସ୍ଥିତ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନ ଚେୟାରମ୍ୟାନଙ୍କୁ ଗତକାଲି ସେ ଲେଖିଥିବା ଇଏ ସେଇ ଚିଠି-ଯେଉଁଥିରେ ଦର୍ଶାଇଛନ୍ତି- ସ୍ନାନଯାତ୍ରା ଜ୍ୟୋଷ୍ଠ ପୂର୍ଣ୍ଣମୀରେ ପାଳନ ନିଷ୍ପତ୍ତି ସ୍ବାଗତଯୋଗ୍ୟ, କିନ୍ତୁ ବର୍ଷସାରା ଭିନ୍ନ ଭିନ୍ନ ଦିନରେ ରଥଯାତ୍ରା ଆୟୋଜନ ଅଗ୍ରହଣୀୟ। କାହିଁକି ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ହେବ, ସେକଥା ପୂର୍ବରୁ ସେପ୍ଟେମ୍ବର ୬ ତାରିଖ ଚିଠିରେ ସ୍ପଷ୍ଟ ଭାବେ ବୁଝାଇଛନ୍ତି, ଯାହାକି ଚୂଡ଼ାନ୍ତ।

Advertisment

ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ବିତୀୟାଠାରୁ ପରବର୍ତ୍ତୀ ୯ ଦିନ ଭିତରେ ଇସ୍କନ ଯେ କୌଣସି ସାପ୍ତାହିକ ଛୁଟି ଦିନରେ ଆୟୋଜନ କରିବାରେ ଆପତ୍ତି ନାହିଁ। ହେଲେ ତିଥି ବାହାରେ ଚତୁର୍ଦ୍ଧା ବିଗ୍ରହଙ୍କୁ ରଥ ଉପରେ ବସାଇ ବୁଲାଇବା ପରଂପରା ବିରୋଧୀ। ଇସ୍କନ ନିତାଇଗୌର ସଂକୀର୍ତ୍ତନ କରିପାରିବେ, କିନ୍ତୁ ନିଜ ସ୍ବାର୍ଥ ପାଇଁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗି ପାରିବେନି। ଗଜପତିଙ୍କ ଏ କଡ଼ା ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି-ଯଦି ଇସ୍କନର ୟା ପରେ ବି ଚୈତନ୍ୟ ଉଦୟ ନହୁଏ ତାହାଲେ ଆଇନଗତ ଆକ୍ସନକୁ ଓହ୍ଲାଇବୁ।....

ଏଠି ପ୍ରଶ୍ନ କାହିଁକି ଅସନ୍ତୋଷ ଝାଡ଼ି ଇସ୍କନକୁ କାଲି ପୁଣି ଚିଠି ଲେଖିଲେ ଗଜପତି ? ସେପଟେମ୍ବର ୬ରେ ମହାରଜାଙ୍କ ଚିଠି ଉପରେ କି ନକରାତ୍ମକ ଆଭିମୁଖ୍ୟ ଦର୍ଶାଇଥିଲା ଇସ୍କନ ? ଗତ ୧୯ ତାରିଖରେ ଇସ୍କନ ଗଭର୍ଣ୍ଣିଂବଡ଼ି କମିଶନ ଚେୟାରମ୍ୟାନ, ଗଜପତିଙ୍କୁ ଲେଖିଥିବା  ଚିଠିରେ ଯେଉଁଥିରେ ତିଥି ଅନୁସାରେ ରଥଯାତ୍ରା ଆୟୋଜନରେ ବାଧାକୁ ନେଇ ଦର୍ଶାଇଛି ୫ କାରଣ।

ସଂସ୍ଥା କହିଛି-(୧) ତିଥି ଅନୁସାରେ ଦେଶ ବାହାରେ ସାପ୍ତାହିକ ଛୁଟିରେ ରଥଯାତ୍ରା ଆୟୋଜନ ଅସମ୍ଭବ, କାରଣ ବହୁ ପାଶ୍ଚାତ୍ୟ ଦେଶର ପ୍ରଶାସନିକ କର୍ତ୍ତୃପକ୍ଷ ସେତେବେଳେ କେବଳ ପ୍ରୋସେସନ୍ ପାଇଁ ଅନୁମତି ଦେଉଛନ୍ତି (୨) ତିଥିରେ ଅନୁମତି ମିଳୁଥିବା କାର୍ଯ୍ୟକ୍ରମରେ ଭକ୍ତଙ୍କ ସଂଖ୍ୟା ବହୁ ପରିମାଣରେ କମିଯିବା ଆଶଙ୍କା ରହୁଛି (୩) ଯେହେତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଥିବା ମନ୍ଦିର ଗୁଡ଼ିକର ନିଜସ୍ବ ରଥ ନାହିଁ, ତେଣୁ ଗୋଟିଏ ରଥ ଏ ସହରରୁ ସେ ସହର ଧରି ବୁଲାଇବାକୁ ପଡୁଛି (୪) ରଥଯାତ୍ରାବେଳେ ଅନେକ ପାଶ୍ଚାତ୍ୟ ସହରରେ ପ୍ରବଳ ଥଣ୍ଡା ପଡୁଥିବାରୁ କାର୍ଯ୍ୟକ୍ରମ ଆୟୋଜନ ଅସମ୍ଭବ (୫) ଜୁଲାଇ ମାସରେ ରଥଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁ ପୁରୀ ଆସିବାକୁ ମନ କରିଥାନ୍ତି। ତେବେ ଇସ୍କନର ଏସବୁ ଯୁକ୍ତିକୁ କେବଳ ଗଜପତି ନୁହଁନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ମଧ୍ୟ ବିରୋଧ କରିଛନ୍ତି।

ଏବେ ଦେଖିବାର କଥା ଗଜପତିଙ୍କ ପୁନଃ ତାଗିଦ୍ ଓ ଏତେସବୁ ଅସନ୍ତୋଷ ପରେ ବି ଇସ୍କନ ସଠିକ୍ ବାଟକୁ ଆସୁଛି ନା ନାହିଁ ? 

Advertisment
Advertisment
Related Articles
Advertisment