/odishatv-khabar/media/media_files/2025/10/02/telugu-actor-dimple-2025-10-02-11-28-48.jpg)
Telugu Actor dimple Photograph: (OTV)
ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହାୟାତିଙ୍କ ଘରେ କାମ କରୁଥିବା ଜଣେ ୨୨ ବର୍ଷୀୟା ଓଡିଆ ଯୁବତୀ ଆଣିଲେ ସଂଗୀନ ଅଭିଯୋଗ । ଅଭିନେତ୍ରୀ କେମିତି ତାଙ୍କୁ ଅସହ୍ୟ ନିର୍ଯାତନା ଦେଉଥିଲେ, ତାହା ଗୋଟି ଗୋଟି କରି ବଖାଣିଲେ ପୋଲିସ ଆଗରେ ।
ପୀଡିତା ଯୁବତୀଙ୍କ ଘର ଓଡିଶାର ରାୟଗଡା ଜିଲ୍ଲାରେ । କାମ ସନ୍ଧାନରେ ଓଡିଶା ଛାଡି ହାଇଦ୍ରାବାଦ ଯାଇଥିଲେ ସେ । ସେପ୍ଟେମ୍ବର ୨୨ରେ ଅଭିନେତ୍ରୀ ଡିମ୍ପଲଙ୍କ ଘରେ ତାଙ୍କୁ ଘରୋଇ ସହାୟିକା ଭାବେ ମିଳିଥିଲା କାମ । ହେଲେ କାମ କରିବା ଦିନଠୁ ଆରମ୍ଭ ହୋଇଥିଲା ନିର୍ଯାତନା । ଅସଲ ରଙ୍ଗ ଦେଖାଇଥିଲେ ଡିମ୍ପଲ ଓ ତାଙ୍କ ସ୍ୱାମୀ ଡାଭିଡ । ପୀଡିତାଙ୍କୁ ଦେଉଥିଲେ ଅସହ୍ୟ ନିର୍ଯାତନା । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରୁଥିଲେ । ଖାଇବା ପିଇବାକୁ ଦେଉନଥିଲେ । ନିୟମିତ ଦରମା ବି ଦେଉନଥିଲେ । ଆଉ କହୁଥିଲେ, ତୋ ଜୀବନ ମୋ ଜୋତା ସହ ସମାନ ନୁହେଁ ।
ସେପ୍ଟେମ୍ବର ୨୯ ରାତିରେ ପୁଣି ସୀମା ଟପିଥିଲା ବର୍ବରତା । କୁକୁର ଭୁକିବାରୁ ରାଗି ଯାଇଥିଲେ ଡିମ୍ପଲ ଓ ତାଙ୍କ ସ୍ୱାମୀ । ଘରୋଇ ସହାୟିକାଙ୍କ ଉପରେ ଆରମ୍ଭ କରିଥିଲେ ଗାଳିଗୁଲଜ, ମାରପିଟ୍ । ପୀଡିତା ଭିଡିଓ ବନାଇବାକୁ ଚେଷ୍ଟା କରିବାରୁ ଫୋନ୍ ଛଡାଇ ନେଇ ଫିଙ୍ଗି ଦେଇଥିଲେ । ତାଙ୍କ ମାରିଦେବାକୁ ବି ଚେଷ୍ଟା କରିଥିଲେ । ହେଲେ କୌଣସି ମତେ ସେମାନଙ୍କ କବଳରୁ ଖସି ଆସି ପୋଲିସ ନିକଟରେ ପହଞ୍ଚିଥିଲେ ପୀଡିତା । ଏହି ଅଭିଯୋଗ ପାଇବା ପରେ ରୁଜୁ ହୋଇଛି ମାମଲା । ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କୁ ଥାନାରେ ହାଜର ହେବାକୁ ନୋଟିସ ମିଳିଛି ।
ତେବେ ଏହା ପ୍ରଥମ ନୁହେଁ, ଡିମ୍ପଲ ହାୟାତି ପୂର୍ବରୁ ମଧ୍ୟ ଫସିଛନ୍ତି ବିବାଦରେ । ୨୦୨୩ରେ ଜଣେ ଆଇପିଏସ ଅଧିକାରୀଙ୍କ ଗାଡିକୁ ଧକ୍କା ଦେବାରୁ ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିଲା ଏଫଆଇଆର । ତେବେ ଘରୋଇ ସହାୟିକାଙ୍କୁ ନିର୍ଯାତନା ଘଟଣାରେ ଡିମ୍ପଲ କିମ୍ବା ତାଙ୍କ ସ୍ୱାମୀର କୌଣସି ପ୍ରତିକ୍ରିୟା ମିଳିପାରିନି । ୨୦୧୭ରେ ତେଲୁଗୁ ଫିଲ୍ମ 'ଗଲ୍ଫ'ରୁ ଡେବ୍ୟୁ କରିଥିଲେ ଡିମ୍ପଲ । ଅତରଙ୍ଗୀ ରେ, ଦେବୀ-2, ଖିଲାଡି, ୟୁରେକା, ରାମବନମ ଇତ୍ୟାଦି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ସାଉଁଟିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)