Advertisment

Pitabasa Panda's Murder: ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ସୁପାରି କିଲର୍ ଆଶଙ୍କା, ମାଷ୍ଟରମାଇଣ୍ଡ କିଏ...ବଢ଼ିଲା ଚର୍ଚ୍ଚା

ସୋମବାର ରାତି ୮ଟାରୁ ୮ଟା ୧୫। ଘରୁ ବାହାରି ବଡ଼ବଜାର ଥାନାକୁ ଯାଇଥିଲେ ପୀତବାସ। କିନ୍ତୁ ଥାନାରେ ଭିଡ଼ ଥିବାରୁ ଫେରିଆସିଥିଲେ SNT ରୋଡ଼ ପାର୍କ ସାହି ନିକଟ ନିଜ ଚାମ୍ବରକୁ। ସେଠାରୁ ରାତି ପ୍ରାୟ ସାଢ଼େ ୯ଟାରେ ବାହାରି ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିଲେ ଏକୁଟିଆ।

author-image
Manas Ranjan Mohanty
PITABAS-MURDER

PITABAS-MURDER Photograph: (OTV)

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ସୁରାଗ୍। ଆକସ୍ମିକ ନଥିଲା ହତ୍ୟାକାଣ୍ଡ, ପୀତବାସଙ୍କ ପାଇଁ ତିଆରି କରାଯାଇଥିଲା ମର୍ଡର ପ୍ଲଟ୍। ଛୋଟମୋଟ ହତ୍ୟାକାରୀ ନୁହେଁ, ନିୟୋଜିତ କରାଯାଇଥିଲା ସୁପାରିକିଲର୍। ଅର୍ଥାତ କୌଣସି ଏକ ରାସ୍ତାରେ ଦୁର୍ବୃତ୍ତଙ୍କ ପାଇଁ କଣ୍ଟା ସାଜିଥିଲେ କି ପୀତବାସ ? ତେଣୁ ତାଙ୍କୁ ହଟାଇ ଦିଆଗଲା କି ଟଙ୍କା ଖର୍ଚ୍ଚ କରି ? ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍ ଏମ୍ ଆଜି ଏଭଳି ଆଶଙ୍କା ସହ ଦେଇଛନ୍ତି ସୁରାଗ୍। ଆହୁରି ବି ସେ ଆଶଙ୍କା କରିଛନ୍ତି, ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ଦେଶୀ ବନ୍ଧୁକରେ ପୀତବାସଙ୍କୁ କ୍ଲୋଜରେଞ୍ଜରୁ ମାରିଦିଆଯାଇଛି ମଝି ରାସ୍ତାରେ। ତେବେ ହତ୍ୟା ପଛରେ ବ୍ୟକ୍ତିଗତ, ବୃତ୍ତିଗତ ନା ରାଜନୈତିକ ବିବାଦ। ତାହାର ଚାଲିଛି ଖୋଳତାଡ଼। ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ତଦନ୍ତ ପାଇଁ ୬ଟି ଟିମ୍ ଗଠନ କରାଯାଇଛି। ସବୁ ଟିମରେ ରହିଛନ୍ତି ସିନିୟର ଅଫିସର। ତା’ସହ SNT ରୋଡରୁ ଆରମ୍ଭ କରି ବୈକୁଣ୍ଠନଗର ଯାଏଁ ଥିବା ୫୦ରୁ ଅଧିକ ସିସିଟିଭି ସହ କଲରେକର୍ଡକୁ ବି ଯାଞ୍ଚ କରାଯାଉଛି। 

ସୋମବାର ରାତି ୮ଟାରୁ ୮ଟା ୧୫। ଘରୁ ବାହାରି ବଡ଼ବଜାର ଥାନାକୁ ଯାଇଥିଲେ ପୀତବାସ। କିନ୍ତୁ ଥାନାରେ ଭିଡ଼ ଥିବାରୁ ଫେରିଆସିଥିଲେ SNT ରୋଡ଼ ପାର୍କ ସାହି ନିକଟ ନିଜ ଚାମ୍ବରକୁ। ସେଠାରୁ ରାତି ପ୍ରାୟ ସାଢ଼େ ୯ଟାରେ ବାହାରି ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିଲେ ଏକୁଟିଆ। ଆଉ ମାତ୍ର କେଇ ସେକେଣ୍ଡରେ ପହଞ୍ଚିଯାଇଥାନ୍ତେ ଘରକୁ। ତା’ପୂର୍ବରୁ ୫୦ ମିଟର୍ ଦୂରରେ କ୍ଲୋଜରେଞ୍ଜରେ ଗୁଳି କରି ମାରିଦେଲେ ବାଇକରେ ଆସିଥିବା ୨ ଦୁର୍ବୃତ୍ତ।

Advertisment

ପୀତବାସଙ୍କ X-RAY ରିପୋର୍ଟ। ଡାହାଣ କଡ଼ ଛାତିକୁ ଭେଦି ମେରୁଦଣ୍ଡରେ ଲାଖି ରହିଯାଇଛି ଗୁଳଟିି। ଏହି ଗୁଳିରୁ ହିଁ ଚାଲିଗଲା ପୀତବାସଙ୍କ ଜୀବନ। ଏସପିଙ୍କ କହିବା କଥା, ୨ ଦୁର୍ବୃତ୍ତ ପିନ୍ଧିଥିଲେ ଧଳା ସାର୍ଟ। ଦେଶୀ ବନ୍ଧୁକରେ ଯେଉଁ ଗୁଳି ଖଞ୍ଜା ଯାଇଥିଲା ତାହା ବୋଧହୁଏ 9 MM ନୁହେଁ, ବରଂ 5.56 MM ହୋଇଥାଇପାରେ। ଯାହାକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ଦ୍ବାରା ଯାଞ୍ଚ କରାଯାଉଛି। ଯଦି 5.56 MM ତା’ହେଲେ ଏହି ଗୁଳି ଯଥେଷ୍ଟ ବଡ଼, ଲମ୍ବା ଏବଂ ଅଧିକ ଶକ୍ତିଶାଳୀ ହୋଇଥାଏ। ଅର୍ଥାତ ପୀତବାସଙ୍କ ମର୍ଡର ପ୍ଲଟ୍ ଥିଲା ଅତି ସୁଚିନ୍ତିତ। କିନ୍ତୁ କାହିଁକି, ତାହାର ଖୋଳତାଡ଼ ଜାରି ରଖିବା ସହ ପରିବାର ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଛନ୍ତି ଏସପି। ଖୁବଶୀଘ୍ର ମୂଳରେ ପହଞ୍ଚି ଦୋଷୀଙ୍କୁ ଧରିବୁ ବୋଲି ଏସପି କହିଛନ୍ତି।

ସୋମବାର ଯାଇ ବୁଧବାର ସରିଲା। ଏଯାଏଁ ପୀତବାସଙ୍କ କିଲର୍ କିଏ ? କାହିଁକି ହତ୍ୟା କଲେ ? ସାମ୍ନାକୁ ଆସି ପାରୁନଥିବାବେଳେ ଲୋକସେବା ଭବନରେ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡାକି ବଡ଼ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଗୃହ ବିଭାଗ ସଚିବ, ଆଇନଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ପୀତବାସ ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ରାଜ୍ୟ ପୋଲିସ ସକ୍ଷମ ଥିବାବେଳେ ତଦନ୍ତ ଦାୟିତ୍ବ କାହାକୁ ଦିଆଯିବ କି ନାହିଁ, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ। ବୈଠକରେ କଟକ ଅଶାନ୍ତି ସଂପର୍କରେ ବି ସିଏମ୍ ସମୀକ୍ଷା କରିଥିବା ମନ୍ତ୍ରୀ କହିଛନ୍ତି। 

ରେଶମ ସହରର ଏହି ରକ୍ତରଂଜିତ ଅପରାଧ ଯେତିକି ଲୋମଟାଙ୍କୁରା, ସେତିକି ରହସ୍ୟଜନକ ହୋଇଥିବାରୁ ହତ୍ୟାକାରୀ ଓ ତା’ପଛର ମାଷ୍ଟରମାଇଣ୍ଡ କିଏ, ଜାଣିବା ପାଇଁ ସମସ୍ତଙ୍କ ଏବେ ଅପେକ୍ଷା।.

Advertisment
Related Articles
Advertisment