/odishatv-khabar/media/media_files/2025/11/05/pitabasa-murder-2025-11-05-22-12-03.jpg)
murder Photograph: (OTV)
ଇନଜୀବୀ ପୀତବାସ ପଣ୍ଡାଙ୍କୁ କେମିତି କରାଯାଇଥିଲା ହତ୍ୟା, କ୍ରାଇମସିନ୍ ରିକ୍ରିଏସନ୍ ମାଧ୍ୟମରେ ଦେଖିଲା ବ୍ରହ୍ମପୁର। ନମସ୍କାର କରି ପରିଚୟ ପଚାରି ସହର ମଝିରେ କେମିତି ପଏଣ୍ଟ ବ୍ଲାଙ୍କରେ ଗୁଳି କରି ବାଇକ୍ ଚାଳକ ପିଣ୍ଟୁ ସହ ସୀମାପାର୍ ହୋଇଥିଲା ସାର୍ପ ସୁଟର କୁରୁପତି, ତାହାର ଦୃଶ୍ୟ ଦେଖାଇଥିଲା। ପୀତବାସଙ୍କ ବୈକୁଣ୍ଠନଗର ସ୍ଥିତ ଘରଠୁ ମାତ୍ର ୫୦ ମିଟର ଦୂରରେ ୧୫ ମିନିଟ୍ ଧରି କଡ଼ା ସୁରକ୍ଷା ଭିତରେ ଆଜି କ୍ରାଇମସିନ୍ ରିକ୍ରିଏସନ୍ କରିଛି ପୋଲିସ। ଏସବୁ ଭିତରେ ସପ୍ତାହେ ଆଗରୁ ପୀତବାସଙ୍କ ପୁଅ ମୋବାଇଲକୁ ହତ୍ୟା ଧମକ ଆସିଥିବା ତାଙ୍କ ଭାଇଙ୍କ ଅଭିଯୋଗ, ମାମଲାରେ ନୂଆ ଦିଗକୁ ସାମ୍ନାକୁ ଆସିଛି।
କୁମାର ପୂର୍ଣ୍ଣିମାରେ କ୍ରାଇମ୍...କାର୍ତ୍ତିକ ପୂର୍ଣ୍ଣିମାରେ ସିନ୍ ରିକ୍ରିଏସନ୍...୫ ମିନିଟ୍ ଭିତରେ କେମିତି ପୀତବାସ ପଣ୍ଡାଙ୍କୁ ଗୁଳି କରି ଖସିଯାଇଥିଲେ ସାର୍ପ ସୁଟର୍ କୁରୁପତି ଭୂୟାଁ ଏବଂ ବାଇକ୍ ଚାଳକ ଚିଣ୍ଟୁ ପ୍ରଧାନ୍, ତା’ର ଟିକିନିଖି ଦୃଶ୍ୟ ବଖାଣିଛନ୍ତି ଉଭୟେ। ସ୍ଥାନ ବ୍ରହ୍ମପୁର ବୈକୁଣ୍ଠନଗର...ବ୍ୟାରିକେଡ୍ ବାହାରେ ଅନାଇଥିଲେ ବ୍ରହ୍ମପୁରବାସୀ...ପୀତବାସ ହତ୍ୟା ସମୟର ଡେମୋ ଦେଖିବାକୁ ମନରେ ଥିଲା ପ୍ରବଳ ଉତ୍କଣ୍ଠା। ସମୟ ଅପରାହ୍ନ ୪ଟା ୨୨। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସାର୍ପ ସୁଟର୍ କୁରୁପତି ଏବଂ ବାଇକ୍ ଚାଳକ ଚିଣ୍ଟୁକୁ ଧରି କ୍ରାଇମସ୍ପଟରେ ପହଞ୍ଚିଥିଲା ପୋଲିସ। ପୀତବାସଙ୍କ ଘରଠୁ ମାତ୍ର ୫୦ ମିଟର୍ ଦୂରରେ ଭ୍ୟାନରୁ ଓହ୍ଲାଇ ଦିଆଯାଇଥିଲା ଉଭୟଙ୍କୁ। ତା’ପରେ ଆରମ୍ଭ ହେଲା କ୍ରାଇମସିନ୍ ରିକ୍ରିଏସନ। ଏ ହେଉଛି କୁରୁପତି...ଆଉ ଏ ହେଉଛି ଚିଣ୍ଟୁ। ଅକଟୋବର ୬ ରାତିରେ ବାଇକରୁ ଓହ୍ଳାଇ ପ୍ରଥମେ ପୀତବାସଙ୍କୁ ଏମିତି ନମସ୍କାର କରିଥିଲା କୁରୁପତି। ଆଉ ପଚାରିଥିଲା ଆଜ୍ଞା ଆପଣଙ୍କ ପୀତବାସ ପଣ୍ଡା କି। ପୀତବାସ ହଁ ବୋଲି କହିବା କ୍ଷଣି ବନ୍ଧୁକ ବାହାର କରି ପ୍ରଥମେ କକ୍ କରିଥିଲା ଏଭଳି, ଆଉ ସିଧା ଗୁଳି କରିଦେଇଥିଲା ପୀତବାସଙ୍କୁ। ତେଣେ ଗୁଳି ମାଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୀତବାସ କିଛି ବାଟ ଯିବା ଭିତରେ ଚିଣ୍ଟୁ ସହ ବାଇକରେ ବସି ରେଡ଼ିଓ ଷ୍ଟେସନ ରାସ୍ତା ଦେଇ ପ୍ରଥମେ ଲୁଚାପଡ଼ା ଓ ପରେ ଗୁରୁଣ୍ଠି ଦେଇ ସୀମାପାର୍ ହୋଇଯାଇଥିଲେ।
ପୀତବାସଙ୍କୁ ହତ୍ୟା ପାଇଁ କ୍ରାଇମପ୍ଲଟ୍ ତିଆରି କରିଥିବା ସୁପାରୀ ଡିଲର୍ ଉମା ବିଷୋୟୀ ସହ ସାର୍ପ ସୁଟର୍ କୁରୁପତି ଭୂୟାଁ, ବାଇକ ଚାଳକ ଚିଣ୍ଟୁ ପ୍ରଧାନ, ସହଯୋଗୀ ଯୋଗେନ୍ଦ୍ର ରାଉତ ସହ କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳାଇର କାଲି ସରୁଛି ୨ ଦିନିଆ ରିମାଣ୍ଡ। ଏହାପରେ ଏହି ୬ ଜଣଙ୍କୁ କୋର୍ଟରେ ହାଜର କରିବ ପୋଲିସ। ଅପରପକ୍ଷେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଜେଡି ନେତା ବିକ୍ରମ ପଣ୍ଡା ଓ ଫୁଲବାଣୀ ଜେଲରେ ପୂର୍ବତନ ମେୟର ପିଣ୍ଟୁ ଦାସ ଅଛନ୍ତି। ଏସବୁ ଭିତରେ ମାମଲାରେ ଆଜି ଆଉ ଏକ ବଡ଼ ଦିଗ ସାମ୍ନାକୁ ଆଣିଛନ୍ତି ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା। କହିଛନ୍ତି, ୭/୮ ଦିନ ଆଗରୁ ପୁତୁରା ତଥା ପୀତବାସଙ୍କ ପୁଅଙ୍କ ଫୋନକୁ କଲ୍ କରି ହତ୍ୟା ଧମକ ଦିଆଯାଇଥିଲା। ଏ ସଂପର୍କରେ ପୋଲିସକୁ ଲିଖିତ ଭାବେ ଅଭିଯୋଗ ବି କରାଯାଇଥିଲା। ତେବେ ଯେଉଁମାନେ ହତ୍ୟା ଷଡ଼ଯନ୍ତ୍ରକାରୀ, ସେମାନେ କାହାଠୁ ମଣିଷ ମାରିବା ଶିଖିଲେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ଣ୍ଣଚନ୍ଦ୍ର। ଅପରପକ୍ଷେ ଆଜି ସହରର ଆଉ ଜଣେ ଜଣାଶୁଣା କର୍ପୋରେଟର ତଥା ଆଇନଜୀବୀଙ୍କୁ ଧରି ପୋଲିସ ତନାଘନା ଚଳାଇଛି। କିନ୍ତୁ ତାଙ୍କ ସଂପୃକ୍ତି ସଂପର୍କରେ ପୋଲିସ ମୁହଁ ଖୋଲୁନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)