/odishatv-khabar/media/post_attachments/uploadimage/library/16_9/16_9_0/icmr_1625201584.jpg)
icmr
ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍ମା ଥେରାପି। ଏହାକୁ ଖୁବ୍ଶୀଘ୍ର ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ରୁ ବାଦ୍ ଦିଆଯାଇପାରେ ବୋଲି କହିଛନ୍ତି ଆଇସିଏମ୍ଆର୍ ଡିଜି। ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଶରୀରରୁ ଆଣ୍ଟିବଡି ସଂଗ୍ରହ କରି ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରବେଶ କରାଯାଉଥିଲା। ଏହା କରୋନା ଭୂତାଣୁକୁ ନଷ୍ଟ କରିବାରେ ସହାୟକ ହେବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା।
ତେବେ ଏହି ଥେରାପି କେବଳ ପରୀକ୍ଷଣ ପର୍ଯ୍ୟାୟରେ ଥିଲା ବୋଲି ସ୍ପଷ୍ଟ କରିଛନ୍ତି ଆଇସିଏମ୍ଆର୍ ଡିଜି ବଳରାମ ଭାର୍ଗବ। ସେ କହିଛନ୍ତି, ପ୍ଲାଜ୍ମା ଥେରାପିକୁ ନେଇ ବିଶ୍ୱର ସର୍ବବୃହତ୍ କ୍ଲିନିକାଲ୍ ଟ୍ରାଏଲ୍ ଭାରତରେ ଚାଲିଥିଲା। ଏଥିରେ ଦେଶର ୪୬୪ ଜଣ ରୋଗୀ, ୩୯ଟି ହସ୍ପିଟାଲ ଏବଂ ୩୫୦ ଡାକ୍ତର ସାମିଲ ହୋଇଥିଲେ। ଏହାର ଫଳାଫଳ ସଂପର୍କିତ ରିପୋର୍ଟ ବ୍ରିଟିଶ ମେଡିକାଲ୍ ଜର୍ଣ୍ଣାଲ ଦ୍ୱାରା ଗ୍ରହଣୀୟ ହୋଇଛି ଏବଂ ଖୁବ୍ଶୀଘ୍ର ପ୍ରକାଶ ପାଇବ।
ତେବେ ଏହାର ଫଳାଫଳ ସଂପର୍କରେ ନ୍ୟାସନାଲ ଟାସ୍କ ଫୋର୍ସ ଏବଂ ଜଏଣ୍ଟ ମନିଟରିଂ କମିଟି ସହ ଆଲୋଚନା ଚାଲିଛି। ଏହା ଗାଇଡ୍ଲାଇନରୁ କଟାଯାଇପାରେ ବୋଲି ICMR ଡିଜି କହିଛନ୍ତି। ସେପଟେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି, ପ୍ଲାଜ୍ମା ଥେରାପିର କାର୍ଯ୍ୟକାରିତାର ମୁଁ ଜଣେ ଜୀବନ୍ତ ଉଦାହରଣ। ଏହା ମୋ ଜୀବନ ରକ୍ଷା କରିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ଜାରି ରଖିବାକୁ ସେ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)