Advertisment

Continuous Rain Forecasted: ସପ୍ତାହେ ଯାଏଁ ବର୍ଷା ନେଇ ପାଣିପାଗ ବିଭାଗର ୱାର୍ଣ୍ଣିଂ, ପଛକୁ ପଛ ୩ ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ

ଏବେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି, ଯାହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ହେଲେ ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ଆସିବ। ଗୋଟିଏ ତାମିଲନାଡୁ ଓ ଅନ୍ୟଟି ଦକ୍ଷିଣ ଆନ୍ଧ୍ର ଉପକୂଳରେ କୋପ ଦେଖାଇବ।

author-image
Tapan Swain
LOW-PRESSURE

LOW-PRESSURE Photograph: (OTV)

ଅକ୍ଟୋବର ଶେଷ ଆଡକୁ ଆସିପାରେ ବାତ୍ୟା। ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଇଣ୍ଡିକେସନ ପରେ ଏଣେ ସାଇକ୍ଲୋନକୁ ନେଇ ଏଭଳି ଅନୁମାନ ଲଗାଇଲେଣି ଅଭିଜ୍ଞ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ। ସେ କହିଛନ୍ତି-ଏବେକୁ ମିଶାଇ ପଛକୁ ପଛ ଆହୁରି ୨ଟି ଲଘୁଚାପ ଆସୁଛି। ଶେଷଟି ଅଧିକ ଶକ୍ତିଶାଳୀ ହେବ। ହେଲେ ଯଦିଓ ଆଇଏମଡି ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନି- କିନ୍ତୁ ରାଜସ୍ବ ମନ୍ତ୍ରୀ ଦକ୍ଷିଣ ଓଡ଼ିଶାକୁ ରେଡ୍ ଜୋନ୍ ରେ ରଖାଯାଇଥିବା ଓ ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ ବୋଲି କହିବା ପରେ ଶଙ୍କା ବଢ଼ିଛି।...

Advertisment

ସେଇ ଅକ୍ଟୋବର, ସେଇ ୨୯ ତାରିଖ । ଛାତିରେ ଛନକା ପଶେଇଲାଣି ୧୯୯୯ ମହାବାତ୍ୟା । କାରଣ ସତ ହେଇଯିବ କି ଆମେରିକୀୟ ପାଣିପାଗ ବିଜ୍ଞାନ ସଂସ୍ଥା GFSର ପୂର୍ବାନୁମାନ ? ୨୯ ତାରିଖ ବେଳକୁ ଓଡ଼ିଶାକୁ ଗ୍ରାସିବ କି ପୁଣି ଏକ ଶକ୍ତିଶାଳୀ ସାଇକ୍ଲୋନ୍ ?

ଯେହେତୁ ଚଳିତ ମାସ ଶେଷକୁ ଗୋଟିଏ ନୁହେଁ ପଛକୁ ପଛ ତିନି ତିନିଟି ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀ ଆକଳନ କଲେଣି ଓ ଏହାର ପ୍ରକୋପ ନେଇ ବି ଅନୁମାନ ଲଗାଇଲେଣି, ତେଣୁ ବଢ଼ୁଛି ଭୟ। ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ କହୁଛି- ଏବେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି, ଯାହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ହେଲେ ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ଆସିବ।

Advertisment

ଗୋଟିଏ ତାମିଲନାଡୁ ଓ ଅନ୍ୟଟି ଦକ୍ଷିଣ ଆନ୍ଧ୍ର ଉପକୂଳରେ କୋପ ଦେଖାଇବ। ତେବେ ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି। ଯେହେତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି, ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ। କାରଣ ଏହି ସମୟରେ ସ୍ଥଳଭାଗ ଥଣ୍ଡା ଥିଲେ ବି ସମୁଦ୍ର ଭିତର ଗରମ ଥାଏ, ଫଳରେ ଗୋଟିଏ ଲଘୁଚାପକୁ ଅନ୍ୟଟି ବଳ ଯୋଗାଏ, ଯାହାକି ଶକ୍ତିଶାଳୀ ହୋଇ ସାଇକ୍ଲୋନ୍ ରୂପ ନେଇଯାଏ।....

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବି ଲଘୁଚାପ ସକ୍ରିୟ ଥିବା ସ୍ପଷ୍ଟ କରିଛି- ଏହା ପ୍ରଭାବରେ ଆଜି ଓ ଆସନ୍ତାକାଲି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଦିଆଯାଇଥିବା କହିଥିବାବେଳେ ଆସନ୍ତା ୨୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ନିର୍ଦ୍ଦେଶିକା କହିଛନ୍ତି।...

ପଛକୁ ପଛ ଶକ୍ତିଶାଳୀ ଲଘୁଚାପ ହେଉ କି ଅକ୍ଟୋବରରେ ବାତ୍ୟା, ଯଦିଓ ଆଇଏମଡି ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନି କିନ୍ତୁ ରାଜ୍ୟ ସରକାର ଏବାର ମୁକାବିଲା ପାଇଁ ଆଗୁଆ ପାଗ ଭିଡ଼ିଲେଣି। ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ନେଇ ପ୍ରଶାସନ ଆଲର୍ଟରେ ଥିବା ଖୋଦ୍ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେଣି।

ମନ୍ତ୍ରୀ କହିଛନ୍ତି- ୯୯ ଭଳି ବାତ୍ୟା ଆସିଲେ ବି ସେଭଳି ସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ତେବେ ରାଜ୍ୟବାସୀ ଆଦୌ ଭୟଭୀତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ବାତ୍ୟାକୁ ପରାସ୍ତ କରିବାର କ୍ଷମତା ତାଙ୍କ ବିଭାଗ ରଖିଛି ବୋଲି କହିଛନ୍ତି।...

ପୂର୍ବରୁ ଅକଟୋବର ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି ଓ ୨୦୧୯ ନଭେମ୍ବରରେ ବୁଲବୁଲ ଭଳି ଶକ୍ତିଶାଳୀ ଝଡ଼ ଡାଣ୍ଡବ ଦେଖିଛନ୍ତି ଓଡ଼ିଶା ବାସୀ।...
 

Low Pressure Low Pressure Area
Advertisment
Related Articles
Advertisment