/odishatv-khabar/media/media_files/2025/10/21/mahabharat-2025-10-21-19-20-08.jpg)
Mahabharat Photograph: (OTV)
କର୍ଣ୍ଣଙ୍କ ବଡ଼ିମାକୁ ତୁଚ୍ଛ କରି ପିତାମହ ଭୀଷ୍ମଙ୍କ ବକ୍ତବ୍ୟ ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ରାଜା ଧୃତରାଷ୍ଟ୍ରଙ୍କୁ ଚାହିଁ କହିଲେ, ‘ମହାରାଜା ଭୀଷ୍ମଦେବ ଠିକ୍ କଥା ହିଁ କହୁଛନ୍ତି । ଏବେ ପାଣ୍ଡବମାନଙ୍କ ସହ ସନ୍ଧି କରାଯିବା ଉଚିତ । ସଞ୍ଜୟଙ୍କ ପାଖରେ ଅର୍ଜୁନ ଯାହା କହିଛନ୍ତି ତାହା ସେ ଅବଶ୍ୟ ପାଳନ କରିବେ । ଜାଣିରଖନ୍ତୁ ତାଙ୍କ ପରି ବୀର ଧନୁର୍ଧର ସାରା ସଂସାରରେ ଆଉ ଅନ୍ୟ କେହି ଜଣେ ବି ନାହାଁନ୍ତି ।’
କିନ୍ତୁ ପିତାମହ ଭୀଷ୍ମ ଓ ଆଚାର୍ଯ୍ୟ ଦ୍ରୋଣଙ୍କ ବକ୍ତବ୍ୟକୁ ନେଇ କିଛି ବି କହିଲେନି ଧୃତରାଷ୍ଟ୍ର । ସଞ୍ଜୟଙ୍କୁ ପଚାରିଲେ, ‘ହେ ସଞ୍ଜୟ! ମୋତେ କୁହ, ପାଣ୍ଡବମାନଙ୍କର ଯୁଦ୍ଧ ପ୍ରସ୍ତୁତି କେମିତି ଚାଲିଛି । କିଏ କିଏ ବୀର ଯୋଦ୍ଧା ସେମାନଙ୍କ ସହ ଯୋଗ ଦେଇଛନ୍ତି । ଆଉସବୁ କ'ଣ କହୁଛନ୍ତି ଓ କ'ଣ ଯୋଜନା କରୁଛନ୍ତି ସେମାନେ?’
ସଞ୍ଜୟ କିଛି ଉତ୍ତର ଦେବା ଆଗରୁ କିଛି ଚିନ୍ତା କରି ସେଇଠି ହଠାତ୍ ମୂର୍ଚ୍ଛା ଗଲେ । ସଞ୍ଜୟଙ୍କ ଠାରୁ କିଛି ଉତ୍ତର ନପାଇ ଧୃତରାଷ୍ଟ୍ର ତାଙ୍କୁ ଆହୁରି କିଛି ପଚାରିବାରୁ ପାଖରେ ଥିବା ବିଦୂର କହିଲେ - ମହାରାଜ ସଞ୍ଜୟ ମୂର୍ଚ୍ଛା ଯାଇଛନ୍ତି । ସେଥିପାଇଁ କିଛି କହିପାରୁନାହାଁନ୍ତି।’
କିଛି ସମୟ ପରେ ସଞ୍ଜୟଙ୍କର ହୋସ ଆସିଲା ଓ ସାଷ୍ଠାଙ୍ଗ ହେଲାପରେ ସେ ଯାହା ଜାଣିଥିଲେ ତାହା ସବୁ ବର୍ଣ୍ଣନା କରି କହିଲେ । କିଏ କିଏ ବୀର ଯୋଦ୍ଧା ପାଣ୍ଡବମାନଙ୍କ ସପକ୍ଷରେ ରହି କୌରବମାନଙ୍କ ସହ ଯୁଦ୍ଧ କରିବେ ତା'ର ଗୋଟି ଗୋଟି ବିସ୍ତୃତ ବିବରଣୀ ଦେଲେ ସଞ୍ଜୟ । ଶେଷରେ କହିଲେ; ମହାରାଜ ! ଅନ୍ୟ ବୀରମାନଙ୍କ କଥା ଛାଡନ୍ତୁ, ଏକା ଭୀମସେନ ପ୍ରତିଜ୍ଞା କରିଛନ୍ତି ଆପଣଙ୍କ ଶହେ ପୁଅଙ୍କୁ ସେ ବଧ କରିବେ ।’
ଏକଥା ଶୁଣି ଧୃତରାଷ୍ଟ୍ରଙ୍କ ମୁଣ୍ଡରେ ବୁଦ୍ଧି ପଶିଲା । ସେ କାନ୍ଦ କାନ୍ଦ ହେଇ କହିଲେ, ‘ହଁ ଭୀମସେନ ପ୍ରବଳ ବଳଶାଳୀ । ତା'ର ଶହେ ହାତୀର ବଳ । ଏତେ ବଳ ଯେ, ସେ ଚାହିଁଲେ ଏକା ଏକା ସବୁ କୌରବଙ୍କୁ ହତ୍ୟା କରିପାରିବ । ଭୀମ ଆଗରେ କେହିବି ଛିଡ଼ା ହେଇ ପାରିବେନି । ହାତୀ ଘୋଡ଼ା ମଣିଷ କେହି ବାଦ ପଡିବେନି । ମୁଁ ଜାଣିଛି ସେ ଏକା ଏକା କେହି ପରାଜିତ କରିପାରୁନଥିବା ଦୁର୍ଦ୍ଦଶ ଜରାସନ୍ଧକୁ ବିନା ଅସ୍ତ୍ରରେ ମାରିଥିଲା । ଭୀମ ଓ ଅର୍ଜୁନ ମୋ ପୁଅମାନଙ୍କୁ ନିଶ୍ଚୟ ମିଳିମିଶି ହତ୍ୟା କରିବେ । ଅର୍ଜୁନ କେବେବି କୋଉଠି ପରାଜିତ ହେବାର ଖବର ମୁଁ ପାଇନି । ଏସବୁ କଥାକୁ ମୋ ମନ୍ଦବୁଦ୍ଧି ପୁଅମାନେ ବିଚାରକୁ ନେଉନାହାଁନ୍ତି । ଯୁଦ୍ଧ ହେଲେ ଏ ବୁଢ଼ା କାଳରେ ମୁଁ ଶେଷରେ ଅସହାୟ ଭାବରେ ପୁତ୍ରହୀନ ହେଇ ଜୀବନ ବଞ୍ଚିବି । ବିଧବା ସ୍ତ୍ରୀ ଲୋକମାନଙ୍କ କରୁଣ ବିଳାପ ଶୁଣି ଶୁଣି ମୋର ଶେଷକୁ ମୃତ୍ୟୁ ହେବ।
ତାପରେ ଧୃତରାଷ୍ଟ୍ର ତାଙ୍କ ପୁଅମାନଙ୍କ ଉଦ୍ଦେଶ୍ୟରେ କହିଲେ, ‘ହେ କୌରବ ବୀର! ପାଣ୍ଡବମାନଙ୍କ ସହ ଯୁଦ୍ଧ ନକଲେ ତୁମର ମଙ୍ଗଳ ହେବ। ଯୁଦ୍ଧରୁ ନିବୃତ୍ତ ହେଲେ ଯାଇ ତୁମମାନଙ୍କ ଅଶାନ୍ତ ମନ ଶାନ୍ତ ହେବ ।’
ସଞ୍ଜୟ କହିଲେ, ‘ମହାରାଜ ଏବେ କେବଳ ବିଳାପ କଲେ କିଛି ଲାଭ ହେବନି । ଆପଣଙ୍କ ପୁଅ ଓ ସେମାନଙ୍କ ଅନୁଗାମୀମାନେ ପାଣ୍ଡବମାନଙ୍କ ସହ ଯୁଦ୍ଧରେ କେବେବି ବିଜୟୀ ହେଇପାରିବେନି । ଆପଣ ବରଂ ଆପଣଙ୍କ ମନ୍ଦବୁଦ୍ଧି ପୁଅମାନଙ୍କୁ ଶାସନ କରନ୍ତୁ। ଏବେବି ସମୟ ଅଛି । ପଶା ଖେଳ ସମୟରେ ମୁଁ ଓ ବିଦୁର ଆପଣଙ୍କୁ କେତେକରି ଏଇ କଥାତ ବୁଝାଇଥିଲୁ ।’
ସଞ୍ଜୟଙ୍କ ଏପରି କଥା ଶୁଣି ରାଜା ଧୃତରାଷ୍ଟ୍ର ଅଧିକ ବିଳାପ କରିବା ଆରମ୍ଭ କରିଦେଲେ । ସେତିକିବେଳେ ଦୁର୍ଯ୍ୟୋଧନ ତାଙ୍କ ଆସନରୁ ଉଠି ଠିଆ ହେଲେ ଓ କହିଲେ, ‘ମହାରାଜ ଆପଣ ଅଯଥାରେ ଭୟଭୀତ ହେଇଯାଉଛନ୍ତି । ଆମମାନଙ୍କ ଶୌର୍ଯ୍ୟ ବୀର୍ଯ୍ୟ ଆଗରେ ପାଣ୍ଡବଙ୍କର କିଛିବି ନାହିଁ । ଅତି ସହଜରେ ଆମ ବୀରମାନେ ସେ ପାଞ୍ଚଭାଇ ଓ ସେମାନଙ୍କ ସହଯୋଗୀଙ୍କୁ ପରାସ୍ତ କରିପାରିବେ । ଆପଣ ଭୀମକୁ ଏତେ ଭୟ କାହିଁକି କରୁଛନ୍ତି? ମୁଁ ଗଦା ଯୁଦ୍ଧରେ ଶ୍ରେଷ୍ଠ ବୀର ବଳରାମଙ୍କ ପାଖରୁ ଗଦାବିଦ୍ୟା ଶିକ୍ଷା କରିଛି । ମୋର ଗୋଟେ ମାତ୍ର ଗଦା ପ୍ରହାରରେ ଭୀମର ମୃତ୍ୟୁ ହେବ।
ଭୀମକୁ ମୁଁ ହତ୍ୟା କଲାପରେ ଆମର ଯେ କୌଣସି ବୀର ଅନ୍ୟ ଚାରି ପାଣ୍ଡବଙ୍କୁ ସହଜରେ ମାରିପାରିବେ । ଆମ ପକ୍ଷରେ ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ, କର୍ଣ୍ଣ, ଶଲ୍ୟ, ଅଶ୍ୱତ୍ଥମାଙ୍କ ପରି ପ୍ରସିଦ୍ଧ ବୀର ସବୁ ଅଛନ୍ତି । ଭୀଷ୍ମ ଇଚ୍ଛାମୃତ୍ୟୁର ଅଧିକାରୀ । ତାଙ୍କୁ କେହିବି ମାରି ପାରିବେନି । ତାପରେ ପାଣ୍ଡବମାନଙ୍କ ପାଖରେ ମାତ୍ର ସାତ ଅକ୍ଷୌହିଣୀ ସୈନ୍ୟ ଥିବାବେଳେ ଆମ ପାଖରେ ଏଗାର ଅକ୍ଷୌହିଣୀ ସୈନ୍ୟ ଅଛନ୍ତି । ଆପଣ ବୁଝିବା ଦରକାର ବଡ଼ ବଡ଼ କଥା କହୁଥିବା ପାଣ୍ଡବମାନେ ପ୍ରକୃତରେ ଯୁଦ୍ଧ କରିବାକୁ ଭୟ କରୁଛନ୍ତି । ଭୟ କରୁନଥିଲେ ଯୁଧିଷ୍ଠିର ଯୁଦ୍ଧ ବନ୍ଦ କରିବାକୁ ଆଗତୁରା ଶାନ୍ତି ପ୍ରସ୍ତାବ ପଠାଇନଥା'ନ୍ତେ ।’
ସଞ୍ଜୟ କହିଲେ, ‘ମହାରାଜ ଧର୍ମରାଜ ଯୁଧିଷ୍ଠିର ଓ କୃଷ୍ଣ କହି ପଠାଇଛନ୍ତି ସେମାନେ ଶାନ୍ତି କାମନା କରିଛନ୍ତି । କିନ୍ତୁ ଏହାକୁ କୌରବମାନେ ଭୁଲରେ ସେମାନଙ୍କ ଦୁର୍ବଳତା ବୋଲି ଯେମିତି ନଭାବନ୍ତି । ସେମାନେ ଶାନ୍ତି ପାଇଁ ଦୂତ ପଠାଇବା ସହ ଯୁଦ୍ଧ ପାଇଁ ଭଲଭାବରେ ପ୍ରସ୍ତୁତ ବି ହେଉଛନ୍ତି । ଆମେ ସମସ୍ତେ ଜାଣିଛେ ପାଣ୍ଡବଙ୍କ ସପକ୍ଷରେ ଧର୍ମ ରହିଛି । ଏକ ଆରକୁ ବଳିଆର ପାଞ୍ଚ ଭାଇଙ୍କୁ ଯୁଦ୍ଧରେ ପରାଜିତ କରିବା ଅସମ୍ଭବ ମନେହେଉଛି । ଭୀମସେନଙ୍କ ପ୍ରତିଜ୍ଞା କଥା ମନେପକାଇଲେ ମୋତେ ଭୟ ଲାଗୁଛି। ଆପଣ ଦୟାକରି ଆପଣଙ୍କ ପିଲାମାନଙ୍କୁ ସଠିକ୍ ରାସ୍ତାରେ ଚାଲିବାକୁ ଆଦେଶ ଦିଅନ୍ତୁ ।’
ସଞ୍ଜୟଙ୍କ କଥା ଦୁର୍ଯ୍ୟୋଧନଙ୍କୁ ଭଲ ଲାଗିଲାନି । ସେ କହିଲେ, 'ମୁଁ ଜାଣିଛି ତୁମେ ପାଣ୍ଡବମାନଙ୍କୁ ଭଲପାଅ । ସେଇଥିପାଇଁ ସେମାନଙ୍କ ସପକ୍ଷରେ ଏତେ କଥା କହୁଛ ଓ ଆମକୁ ନିରୁତ୍ସାହିତ କରୁଛ । ତୁମ କଥା ଶୁଣି ଯୁଦ୍ଧ ଆଗରୁ ଜଣେ ପରାଜିତ ହେଇଯିବ ।‘
ଧୃତରାଷ୍ଟ୍ର ବୁଝୁଥିଲେ ତାଙ୍କ ପୁଅମାନେ ଭୁଲ୍ ରାସ୍ତାରେ ଯାଉଛନ୍ତି । ସେ ଦୁର୍ଯ୍ୟୋଧନଙ୍କୁ କହିଲେ, ‘ବାପରେ ମୁଁ ଶେଷଥର ପାଇଁ କହୁଛି ଏପରି ଯୁଦ୍ଧରୁ ଯଥାଶୀଘ୍ର ଓହରିଯାଅ । ତୁମେ ଯୋଉ ଯୋଦ୍ଧାମାନଙ୍କୁ ଧରି ଯୁଦ୍ଧ କରିବାକୁ ଆଗଭର ହେଇଛ ସେଥିରୁ ଅନେକ ଯୁଦ୍ଧ ଚାହାଁନ୍ତି ନାହିଁ । ମୁଁ, ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ ଓ କୃପ, ଶଲ୍ୟ, ଭୂରିଶ୍ରବା, ବାହ୍ଲୀକ ଓ ସୋମଦତ୍ତ ଆଦି କେହି ଯୁଦ୍ଧ ଚାହୁଁନାହିଁ । ତେଣୁ ଯଥାଶୀଘ୍ର ପାଣ୍ଡବଙ୍କ ଶାନ୍ତି ପ୍ରସ୍ତାବରେ ରାଜି ହେଇଯାଅ ଓ ସେମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇଦିଅ ।
ସେଥିରେ ସମସ୍ତଙ୍କର ମଙ୍ଗଳ ହେବ । ତୁମେ ତୁମ ଇଚ୍ଛାରେ ଯୁଦ୍ଧ ଚାହୁଁଛ ସେକଥା ନୁହେଁ । ମୁଁ ଜାଣିଛି ତୁମକୁ ଯୁଦ୍ଧ କରିବାକୁ କର୍ଣ୍ଣ, ପାପାତ୍ମା ଦୁଃଶାସନ ଓ ସୁବଳ ପୁତ୍ର ଶକୁନି ବାର ବାର ପ୍ରବର୍ତ୍ତାଉଛନ୍ତି । ସେମାନଙ୍କ କଥାରେ ପଡି ତୁମେ ଯୁଦ୍ଧପାଇଁ ଆଗଭର ହେଇଛ ।‘
ଧୃତରାଷ୍ଟ୍ରଙ୍କ କଥାର କିଛିବି ପ୍ରଭାବ ଦୁର୍ଯ୍ୟୋଧନଙ୍କ ଉପରେ ପଡିଲା ନାହିଁ । ସେ ତାଙ୍କ ବାପାଙ୍କ କଥା ଶୁଣିବେ କ'ଣ, ଓଲଟି ବିଦ୍ରୁପ କରି କହିଲେ, ‘ପାଣ୍ଡବଙ୍କ ସହ ଯୁଦ୍ଧ କରିବାକୁ ମୋର କାହାରି ସାହାଯ୍ୟ ସହଯୋଗ ଦରକାର ନାହିଁ । ପାଣ୍ଡବମାନଙ୍କୁ ଯୁଦ୍ଧରେ ହରାଇବାକୁ କେବଳ ମୁଁ, କର୍ଣ୍ଣ ଓ ଦୁଃଶାସନ ହିଁ ଯଥେଷ୍ଟ । ଆମର ରାଜ୍ୟ, ଧନ ଓ ଜୀବନ ପଛେ ଯାଉ, ଆମେ ସେ ପାଣ୍ଡବଙ୍କ ସହ ଏକାଠି ବସିପାରିବୁନି । ଏଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସିଧା ସିଧା କହିଦେଉଛି ବିନା ଯୁଦ୍ଧରେ ମୁଁ ପାଣ୍ଡବମାନଙ୍କୁ ଛୁଞ୍ଚିମୁନରେ ମୁନେ ବି ମାଟି ଦେବିନି । ଯାହାର ଯାହା କରିବାର ଅଛି କର । ଯୁଦ୍ଧ ତ ନିଶ୍ଚୟ ହେବ ।’
ଦୁର୍ଯ୍ୟୋଧନଙ୍କ ଏମିତି କଥା ଶୁଣିଲା ପରେ ରାଜା ଧୃତରାଷ୍ଟ୍ର ଅସହାୟ ଭାବରେ ସଭାକୁ କହିଲେ, ‘ମୁଁ ଦୁର୍ଯ୍ୟୋଧନକୁ ତା' ରାସ୍ତାରେ ଛାଡିଦେଲି । ସେ ଯାହା ଠିକ୍ ଭାବୁଛି ତାହା କରୁ । କିନ୍ତୁ ମୋତେ ଆପଣମାନଙ୍କ ପାଇଁ ଚିନ୍ତା ଲାଗୁଛି । ମୁଁ ଜାଣିପାରୁଛି ଆପଣମାନଙ୍କ ଭିତରୁ ଯିଏବି ମୋ ମନ୍ଦମତୀ ପୁଅର କଥାରେ ପରିଚାଳିତ ହେବ ସେ ନିଶ୍ଚୟ ଯମାଳୟ ଦର୍ଶନ କରିବ । ଏଥିରେ ସନ୍ଦେହ ନାହିଁ ।
ଧୃତରାଷ୍ଟ୍ର ଚୁପ୍ ହେଲାପରେ କର୍ଣ୍ଣ କହିଲେ, ‘କାହାର କିଛି କରିବା ଦରକାର ନାହିଁ । କାହାର କିଛି ଚିନ୍ତା କରିବା ଦରକାର ନାହିଁ । ପାଣ୍ଡବଙ୍କୁ ପରାଜିତ କରିବାର ଭାର ମୁଁ ଏକା ମୋ କାନ୍ଧକୁ ନେଉଛି।’
କର୍ଣ୍ଣଙ୍କ କଥା ଶୁଣି ପିତାମହ ଭୀଷ୍ମ ବିରକ୍ତ ପ୍ରକାଶ କରି କହିଲେ, ‘ହେ କର୍ଣ୍ଣ ତୁମର ବୁଦ୍ଧି ଭ୍ରଷ୍ଟ ହେଇସାରିଛି । ତୁମେ ବୃଥାରେ ଆତ୍ମପ୍ରଶଂସା କରିବାରେ ଲାଗିଛ । ଆତ୍ମବଡିମା ଦେଖାଇ ତୁମେ ଏକା ଏକା ପାଣ୍ଡବମାନଙ୍କୁ ସଂହାର କରିବ ବୋଲି କହୁଛ ଯେ, ଥରେ ଖାଣ୍ଡବ ବନ ପୋଡ଼ାହେବା ବେଳର କଥା ମନେପକାଅ । ତୁମେ ଓ ତୁମର ସବୁ ବନ୍ଧୁ ମିଶି ସେମିତି କିଛି କରିପାରିବ? ଅର୍ଜୁନଙ୍କୁ ତୁମେ କେହିବି ପରାଜିତ କରିପାରିବେନି । ମନେରଖ ସେ ଦୁର୍ଯ୍ୟୟ । କୃଷ୍ଣ ସାରଥି ଥିବା ରଥ ଓ ରଥରେ ଧର୍ନୁଦ୍ଧର ଅର୍ଜୁନଙ୍କ ଶକ୍ତି ବିଷୟରେ ତୁମେ ଅଜ୍ଞ ବୋଲି ଏପରି ମୁର୍ଖ ପରି ବାହାସ୍ଫୋଟ ମାରୁଛ । ସେମାନେ ତୁମଠାରୁ ବେଶ ବଳଶାଳୀ ଶତ୍ରୁକୁ ପୂର୍ବରୁ ସଂହାର କରିଛନ୍ତି । ତୁମେ ତୁମର ବୀରତ୍ୱର ଗୋଟେ ମାତ୍ର ଉଦାହରଣ ଏ ସଭାରେ ଦେଇପାରିବନି । ଦେଇ ପାରିବ କି ?’
ଭୀଷ୍ମଙ୍କ କଥା କର୍ଣ୍ଣଙ୍କୁ ଭଲ ଲାଗିଲାନି । ସେ ସଭାକୁ କହିଲେ, ‘ପିତାମହ ଭୀଷ୍ମ ଜାଣି ଜାଣି କୃଷ୍ଣ ଓ ଅର୍ଜୁନଙ୍କ ଗୁଣଗାନ କରି ମୋର ଅପମାନ କରୁଛନ୍ତି । ମୋ ପୁରୁଷାକାରକୁ ଅବଜ୍ଞା କରୁଛନ୍ତି। ତେଣୁ ମୁଁ ମୋର ଅସ୍ତ୍ର ଏଇ ମୁହୂର୍ତ୍ତରେ ତ୍ୟାଗ କରୁଛି । ଯୁଦ୍ଧରେ ଅବା ରାଜଦରବାରରେ ପିତାମହ ମୋତେ ଆଉ ଦେଖିବାକୁ ପାଇବେନି ।’ ତାପରେ ଭୀଷ୍ମଙ୍କ ଉଦ୍ଦେଶ୍ୟରେ କର୍ଣ୍ଣ କହିଲେ, ‘ହେ ପିତାମହ! ଆପଣଙ୍କ ପରେ ଅନ୍ୟମାନେ ମୋର ଶୌର୍ଯ୍ୟ ବୀର୍ଯ୍ୟର ପରିଚୟ ନିଶ୍ଚୟ ପାଇବେ ।’
ଏତିକି କହି କର୍ଣ୍ଣ ତାଙ୍କର ଅସ୍ତ୍ର ତ୍ୟାଗ କରି ସେଇ ମୁହୂର୍ତ୍ତରେ ସଭାରୁ ବାହାରି ବାହାରକୁ ଚାଲିଗଲେ।
JMM Snubs Congress-RJD in Bihar: ହେମନ୍ତ ସୋରେନଙ୍କ ଜେଏମଏମ ବିହାର ନିର୍ବାଚନରୁ ଓହରିଲା, କଂଗ୍ରେସ-ଆରଜେଡିକୁ ଠିକଣା ଜବାବ ଦେବାକୁ ଦେଲା ଧମକ

Massive Cyber Scam Unearthed: ୫ କୋଟି ନକଲି ଆକାଉଣ୍ଟ, ୪୦ହଜାର ସିମ୍ କାର୍ଡ ଜବତ, ଧରାପଡିଲା ସାଇବର ଠକଙ୍କ ବଡ଼ ନେଟୱର୍କ

Ex-DGP Booked: ବୋହୂ ସହ ଅବୈଧ ସମ୍ପର୍କ! ପୁଅ ହତ୍ୟା ଅଭିଯୋଗରେ ପୂର୍ବତନ ଡିଜିପିଙ୍କ ନାଁରେ କେସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)