/odishatv-khabar/media/media_files/2025/09/27/low-pressure-2025-09-27-20-01-49.jpg)
Low Pressure Photograph: (OTV)
ପାର୍ବଣ ଉପରେ ସତେ ଯେମିତି ଆଖି ପକାଇଛି ଲଘୁଚାପ। ଏଥର ବି ପାଣିଚିଆ କରିଦେବ ପୂଜା ମଉଜକୁ। କାରଣ ଗୋଟିଏ ନଯାଉଣୁ, ସମୁଦ୍ର ଭିତରେ ଏବେ କୁଆଡ଼େ ବଳ କଷିଲାଣି ଆଉ ଏକ ଲଘୁଚାପ। ଯାହା ଆସନ୍ତା ୧ ବେଳକୁ ଦାନାବାନ୍ଧି ବର୍ଷିବ ରାଜ୍ୟରେ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ପରେ ଏବେ ଚିନ୍ତାରେ ପୂଜା କମିଟି ଗୁଡ଼ିକ। ସେପଟେ ଜାରି ରହିଥିବା ଅବପାତ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଅଞ୍ଚଳର ଜନଜୀବନକୁ ପ୍ରଭାବିତ କରିଛି।...
ପାର୍ବଣବେଳେ ପୁଣି ଆସୁଛି ବର୍ବାଦିଆ ଲଘୁଚାପ। ଅଷ୍ଟମୀରେ ଦାନା ବାନ୍ଧିବ...ନବମୀରୁ ବର୍ଷିବ...ଦଶମୀ ବେଳକୁ ଧୋଇଦେବ...ଭସାଣୀ ବେଳେ ତ କ’ଣ ହେବ କେଜାଣି, କହିବା ମୁସ୍କିଲ୍। ଅର୍ଥାତ ଏ ବର୍ଷ ବର୍ଷାରେ ଓଦା ସର ସର ହୋଇ ମେଳାଣୀ ନେବେ ମା’। କାରଣ ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩୦ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ।
ଅକ୍ଟୋବର ୧ ତାରିଖରେ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପର ରୂପ ନେବ। ବହିବ ପବନ, ବର୍ଷିବ ନିର୍ଧୁମ। ବିଶେଷ କରି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏଭଳି ପୂର୍ବାନୁମାନ ଶୁଣି ଏବେ ଚିନ୍ତାରେ ବିଭିନ୍ନ ପୂଜା କମିଟି ଗୁଡ଼ିକ। କାରଣ ଏବେ ଅବପାତର ପ୍ରଭାବରେ ବର୍ଷୁଥିବା ବର୍ଷା ଯୋଗୁ ପୂଜା ପ୍ରଭାବିତ ହୋଇସାରିଲାଣି। ଏଭଳି ସ୍ଥିତିରେ ଆଉ ଏକ ଲଘୁଚାପ, ରାବଣପୋଡ଼ି ଓ ଭସାଣୀ ଉତ୍ସବକୁ ଧୋଇଦେବାର ଡର ପଶିଛି ଆୟୋଜକଙ୍କୁ।
ଏପଟେ ଅବପାତ ଯୋଗୁ ଆଉ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ ସକ୍ରିୟ ଥିବାରୁ ପ୍ରବଳ ବର୍ଷା କାଚିଛି। ରେଡ୍ ୱାର୍ଣ୍ଣିଂରେ ଥିବା କଳାହାଣ୍ଡି ଜିଲ୍ଲାରେ ତ କେଉଁଠି ରାସ୍ତା ଦବିଛି ତ ଆଉ କେଉଁଠି ଘାଇ ସୃଷ୍ଟି ହୋଇଛି।
କାହା ଘରେ ପାଣି ପଶିଛି ତ ଆଉ କେଉଁଠି ଧରାଶାୟୀ ହୋଇଯାଇଛି ପୂଜା ତୋରଣ। ଭବାନୀପାଟଣା ତୁର୍କେଲ ତେଲନଦୀ ଉପରେ ବ୍ରିଜ ଦବିବାରୁ ପ୍ରଭାବିତ ହୋଇଥିଲା ଯାତାୟାତ। ସେହିପରି ରେତ୍ ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲରେ ଘାଇ ଯୋଗୁ ଭବାନୀପାଟଣା ଦେପୁର ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ହୋଇଯାଇଛି ଜଳମଗ୍ନ।
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୨୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ବଲାଙ୍ଗିର ସାଲେଭଟାରେ। ଫଳରେ ବଲାଙ୍ଗୀର-କଣ୍ଟାବାଞ୍ଜି ରାଜପଥ ଉପରେ ଚାଲୁଥିଲା ଆଣ୍ଠୁଏ ପାଣି। ବେଲପଡ଼ା ସହରରେ ବି ସମାନ ଅବସ୍ଥା। ତେଣେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପାହାଡ଼ିଆ ପାଣି ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢୁଛି। ତେଣୁ ସଜାଗ ରଖାଯାଇଛି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ। ତା’ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
ମହାନଦୀର ବନ୍ୟା ଜଳ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳକୁ ପଶିବାରୁ ତିର୍ତ୍ତୋଲ ଆଦିବାସୀ ସାହିରେ ୩୦ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। କାରଣ ହୀରାକୁଦର ଗେଟ୍ ଗୁଡ଼ିକ ବି ବନ୍ଦ ହେବାକୁ ଯାଉଛି। କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିରେ ଯାହା ଜଳସ୍ତର ବଢୁଛି।
ତେବେ କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରୋତ୍ପଳା ପାଇଁ ସତର୍କତା ଜାରି କରାଯାଇଛି। ସେହିପରି ବଂଶଧାରା ଓ ଋଷିକୂଲ୍ୟାରେ ବି ଜଳସ୍ତର ବଢୁଛି।
ପଛକୁ ପଛ ମାଡ଼ି ଆସୁଛି ଲଘୁଚାପ। ଏବେ ପାର୍ବଣକୁ ଧୋଇବାକୁ ବସିଥିବାବେଳେ ଆଗକୁ ଯଦି ଏଭଳି ଗତିବିଧି ଜାରି ରହେ, ତା’ହେଲେ ଅମଳବେଳେ ଚାଷୀକୂଳକୁ ବି ଦାଉ ସାଧିବ।...
PM Modi Showers Odisha with New Projects: ଓଡ଼ିଶା ପାଇଁ ପିଏମ୍ ମୋଦିଙ୍କ ପ୍ରକଳ୍ପ ବର୍ଷା, ଡବଲ ଇଞ୍ଜିନ ସ୍ପିଡରେ ବିକାଶ

Horrific Road Mishap: ଡିଭାଇଡରରେ ପିଟି ହେଲା ଥର୍, ଚାଲିଗଲା ୫ ଜୀବନ

Teacher Loses Job 7 Days Before Retirement: ୩୨ ବର୍ଷ ପରେ ଜଣାପଡିଲା ଶିକ୍ଷକଙ୍କ ଡିଗ୍ରୀ ନକଲି, ଅବସର ନେବାର ୭ ଦିନ ପୂର୍ବରୁ ଚାଲିଗଲା ଚାକିରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)