Advertisment

Heavy Rains, Gusty Winds on Dussehra: ଦଶମୀକୁ ଧୋଇବ ଭସାଣରେ ଭସେଇବ, ବର୍ଷା ପବନରେ କଟକରେ ଭୁଶୁଡ଼ିଲା ଲାଇଟ୍ ଗେଟ୍

ନବମୀ ପୂଜା ପାଇଁ ବେଶ ଉତ୍ସାହର ସହ ଭକ୍ତ ଘରୁ ପୂଜା ମଣ୍ଡପ ଅଭିମୁଖେ ବାହାରିଥିଲେ। ହେଲେ ସବୁ ବିଗିଡି ଗଲା। ବର୍ଷା ସାଙ୍ଗକୁ ପ୍ରବଳ ଟ୍ରାଫିକ ସମସ୍ୟାରେ ହନ୍ତସନ୍ତ ହେଲେ ଲୋକେ। ତଥାପି ମନ ବୁଝୁନଥିବାରୁ ବର୍ଷାରେ ଭିଜି ମାଙ୍କ ଦର୍ଶନ କରିଛନ୍ତି ଭକ୍ତ।

author-image
Tapan Swain
HEAVY-RAIN

HEAVY-RAIN Photograph: (OTV)

ନବମୀ, ଦଶମୀ ସହ ଭସାଣକୁ ଧୋଇନେବ ଲଘୁଚାପ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହାପରେ ଗଭୀର ଅବପାତର ରୂପ ନେବାକୁ ଥିବାରୁ କିଛି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ ବର୍ଷା ଓ ପବନରେ ତୋରଣ ଓ ପୂଜା ମଣ୍ଡପ ପ୍ରଭାବିତ ହୋଇଛି। ମଣ୍ଡପଗୁଡିକରେ ଭକ୍ତଙ୍କ ଖଚାଖଚ ଭିଡ ହେଉଥିବା ବେଳେ ଏବେ ଏହା ଖାଁ ଖାଁ ଲାଗୁଛି। ...

Advertisment

ସକାଳେ ସବୁ ଠିକ୍ ଠାକ୍ ଥିଲା । ଅପରାହ୍ନରେ ବଦଳିଗଲା ପାଗର ମିଜାଜ୍ । ହଠାତ୍ ଆକାଶରେ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ପୂଜା ମଣ୍ଡପରେ ଲାଇଟ ଗେଟ ଭାଙ୍ଗିଲା, ଛାତ ଭୁଶୁଡିଲା
ଢୁ ଢୁ ବର୍ଷାରେ ଫିକା ପଡିଲା ଦଶ'ରା ବୁଲା। ନବମୀକୁ ଧୋଇଲା, ଦଶମୀକୁ ବି ଧୋଇବ, ଭସାଣକୁ ପୋଛିଦେବ। ଲଘୁଚାପ ପରେ ରାଜ୍ୟ ତମାମ ବର୍ଷା ପୂଜା ବଜାରକୁ ଏକପ୍ରକାର ଫିକା କରିଛି।

ନବମୀ ପୂଜା ପାଇଁ ବେଶ ଉତ୍ସାହର ସହ ଭକ୍ତ ଘରୁ ପୂଜା ମଣ୍ଡପ ଅଭିମୁଖେ ବାହାରିଥିଲେ। ହେଲେ ସବୁ ବିଗିଡି ଗଲା। ବର୍ଷା ସାଙ୍ଗକୁ ପ୍ରବଳ ଟ୍ରାଫିକ ସମସ୍ୟାରେ ହନ୍ତସନ୍ତ ହେଲେ ଲୋକେ। ତଥାପି ମନ ବୁଝୁନଥିବାରୁ ବର୍ଷାରେ ଭିଜି ମାଙ୍କ ଦର୍ଶନ କରିଛନ୍ତି ଭକ୍ତ। ଟ୍ରାଫିକ ସମସ୍ୟା ସାଙ୍ଗକୁ ହଠାତ ବର୍ଷା ପାଇଁ ନୟାନ୍ତ ବି ହୋଇଥିଲେ । 

Advertisment

ବର୍ଷା ପବନରେ କଟକରେ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ କଲେଜ ଛକରେ ଥିବା ସୁଉଚ୍ଚ ଲାଇଟ୍ ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନି। ସେହିପରି କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବା ବେଳେ ମଣ୍ଡପର ତାଜା ଭାଙ୍ଗି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଲଘୁଚାପ ବର୍ଷା ନେଇ ପାଣିପାଗ କେନ୍ଦ୍ର କରିଥିଲା ସଠିକ ପୂର୍ବାନୁମାନ। ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ନେବା ପରେ ଆସନ୍ତାକାଲି ରାଜ୍ୟରେ ଭୀଷଣ ବର୍ଷା ହେବ। ଏନେଇ ସାରା ରାଜ୍ୟ ପାଇଁ ଜାରି ହୋଇଛି ସତର୍କ ସୂଚନା। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତ ରୂପ ନେଇସାରିଛି। ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । 

୩ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅବପାତର ପ୍ରଭାବରେ ଆସନ୍ତାକାଲି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ପୁରୀ ଓ ଜଗତସିଂପୁରରେ ଭୀଷଣ ବର୍ଷା ସହ ପବନ ନେଇ ରେଡ ଆଲର୍ଟ ଜାରି ହୋଇଛି । 

ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେ଼ଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ହଳଦିଆ ଚେତାବନୀ। 

ଆସନ୍ତା ଦୁଇ ଦିନ ରାଜ୍ୟରେ ବଡ ବର୍ଷା ସାଙ୍ଗକୁ ପବନ ସମ୍ଭାବନା ଥିବାରୁ ପୂଜା ମଣ୍ଡପ ତୋରଣ ସହିତ ପେଣ୍ଡାଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ରହିବ। ଗଭୀର ଅବପାତ୍ ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ ରହିଛି। .. .. 

Advertisment
Related Articles
Advertisment