Advertisment

History Of Bali Jatra: ଇତିହାସର ଆଇନାରେ ଯୋବ୍ରା କାହାଣୀ; ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ

ଐତିହାସିକ କଟକ ବାଲିଯାତ୍ରାର ଉତ୍ପତ୍ତି କାହିଁ କେଉଁ କାଳରୁ। ନୌବାଣିଜ୍ୟ ପରମ୍ପରାକୁ ଆରମ୍ଭ କରିଥିବା ଓଡ଼ିଆ ସାଧବପୁଅଙ୍କ ବେପାର ବଣିଜ କଥା ଯେବେ ମନେପଡ଼େ ସେତେବେଳେ ଆଖି ଆଗକୁ ଆସିଯାଏ ଯୋବ୍ରା। ବାଲି, ସୁମାତ୍ରା,ଜାଭା ଓ ଇଣ୍ଡୋନେସିଆର ସେହି କାହାଣୀକୁ ଆଜି ବି ସତେଜ କରି ରଖିଛି କଟକର ନୌବାଣିଜ୍ୟ ମ୍ୟୁଜିୟମ୍।

author-image
Saroj Kumar Jena
CTC-MARITIME

baliyatra Photograph: (OTV)

ଐତିହାସିକ କଟକ ବାଲିଯାତ୍ରାର ଉତ୍ପତ୍ତି କାହିଁ କେଉଁ କାଳରୁ। ନୌବାଣିଜ୍ୟ ପରମ୍ପରାକୁ ଆରମ୍ଭ କରିଥିବା ଓଡ଼ିଆ ସାଧବପୁଅଙ୍କ ବେପାର ବଣିଜ କଥା ଯେବେ ମନେପଡ଼େ ସେତେବେଳେ ଆଖି ଆଗକୁ ଆସିଯାଏ ଯୋବ୍ରା। ବାଲି, ସୁମାତ୍ରା,ଜାଭା ଓ ଇଣ୍ଡୋନେସିଆର ସେହି କାହାଣୀକୁ ଆଜି ବି ସତେଜ କରି ରଖିଛି କଟକର ନୌବାଣିଜ୍ୟ ମ୍ୟୁଜିୟମ୍। ଇତିହାସର ଆଇନାରେ କଣ ଥିଲା ଯୋବ୍ରା କାହାଣୀ, କେମିତି ସମୟ ଚକରେ କାରଖାନା ମ୍ୟୁଜିୟମ୍ ପାଲଟି ସାଇତି ରଖିଛି ଶହ ଶହ ବର୍ଷର ସ୍ମୃତି।
କଟକ। ହଜାରେ ବର୍ଷର ସହର, ହଜାରେ ବର୍ଷର ସ୍ମୃତି...ହଜାରେ ବର୍ଷର ନୌବାଣିଜ୍ୟ ପରମ୍ପରାର ସାଇତା ଗୌରବ...ଏଠି ଆଜି ବି ବତୀଖୁଣ୍ଟରୁ ଧୂଆଁ ବାହାରେ। ଦିଶେନି ସତ, ହେଲେ ସ୍ମୃତି ହୋଇ ଉଡ଼ୁଥାଏ। ଏଠି କାନ୍ଥ କହେ ସେକାଳର କଥା, ଛବି ବଖାଣେ ସମୃଦ୍ଧ ଐତିହ୍ୟର ଗାଥା। ଭାବନାରେ ହେଉପଛେ- ମହାନଦୀ ପିଠିରେ ଅହରହ ପହଁରୁଥାଏ ଧୂଆଁକଳ, ନୌବାଣିଜ୍ୟର କାହାଣୀ ବୋହି ଯୋବ୍ରା ଘାଟରେ ନିଇତି ବସିଥାଏ ବାଣିଜ୍ୟର ବଜାର।...ଭେଳାଠୁ ବଡ଼ ଜାହାଜ...ବୋଇତରେ ବିଦେଶ ଯାତ୍ରାର ଗୌରବ ଓ ରୋମାଞ୍ଚ ଯାଏଁ...ମ୍ୟୁଜିୟମର ମାୟାନଗରୀ କଟକରେ ନୌବାଣିଜ୍ୟର ଇତିହାସ ବଖାଣୁଛି ଏଇ ମେରିଟାଇମ୍ ମ୍ୟୁଜିୟମ୍, ନୌବାଣିଜ୍ୟ ସଂଗ୍ରହାଳୟ।...ଦିନେ ଯୋବ୍ରା ଜାହାଜ ମରାମତି କାରଖାନା ଭାବେ ପରିଚୟ ପାଇଥିବା ଏହି ଅନୁଷ୍ଠାନ, ସମୟର ସାପଶିଡ଼ି ଖେଳରେ ପାଲଟିଯାଇଛି ଇତିହାସ ପ୍ରବକ୍ତା। କାର୍ତ୍ତିକ ପୂର୍ଣ୍ଣମୀ ଆସିଲେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଯେତିକି ମନେପଡ଼େ, ସେତିକି ଟାଣିଆଣେ ଏଇ ସଂଗ୍ରହାଳୟ। ଏଠି ଖାଲି ଶତାଦ୍ଦୀ ତଳର ସାମଗ୍ରୀ ଦେଖିବାକୁ ମିଳେନି ବରଂ ସେଇ ଅନୁଭୂତିକୁ ବି ଅଙ୍ଗେ ନିଭେଇବାର ସୁଯୋଗ ମିଳେ।
 ଓଡ଼ିଶାର ଇତିହାସଠୁ ଆରମ୍ଭ କରି ସ୍ୱାଧୀନତା ପୂର୍ବରୁ ନୌବାଣିଜ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ତଥ୍ୟ, ପ୍ରମାଣ ଓ ଫଟୋଚିତ୍ରଗୁଡିକୁ ତୋଳିଧରିଛି ମ୍ୟୁଜିୟମ୍। ଯୋବ୍ରାର ଇତିହାସ, ୱାର୍କସପଠାରୁ ମ୍ୟୁଜିୟମ୍ ସ୍ଥାପନା ସଂପର୍କରେ ସବିଶେଷ ତଥ୍ୟ ରହିଛି। ଜାଭା ଓ ସୁମାତ୍ରା ଦ୍ୱୀପ ସହ ଉତ୍କଳୀୟ ନୌବାଣିଜ୍ୟ ସଂପର୍କିତ ତଥ୍ୟ, କାଠପଟାରେ ନିର୍ମିତ ଧୀବରଙ୍କ ମାଛଧରା ବୋଟଠାରୁ ବର୍ତ୍ତମାନର ଲୁହା ବୋଟ୍, ଏବଂ ଇଂଲଣ୍ଡ ଓ ଭାରତର ବିଭିନ୍ନ ଯନ୍ତ୍ରପାତି... ତା ସହ ଜାହାଜର ମଡେଲ, ବିଭିନ୍ନ ହାତ ହତିଆର ପ୍ରସ୍ତୁତି ସହିତ ଓଡିଶାର ପୁରାତନ ଓ ନୂତନ ବନ୍ଦର ସଂପର୍କରେ ତଥ୍ୟ- ଏସବୁ ବଖାଣୁଛି ଆମ ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ଐତିହ୍ୟକୁ।
ଯୋବ୍ରା। ଦିନେ ଥିଲା ମହାନଦୀ କୂଳରେ ଗଛପତ୍ର ଭର୍ତ୍ତି ଛୋଟିଆ ଗାଁଟିଏ। ଉପର ମୁଣ୍ଡରେ ତିଆରି ହୋଇଥିଲା ଆନିକଟ୍। ଶେଷ ମୁଣ୍ଡରେ ଛିଡ଼ା ହୋଇଥିଲା ତତ୍କାଳୀନ ବ୍ରିଟିଶ ଶାସକ ଫକନରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଜାହାଜ ମରାମତି କାରଖାନା। ୧୮୬୯ ମସିହା ଜାନୁଆରୀ ପହିଲାରେ ଏହି କାରଖାନାର ଭିତ୍ତିପ୍ରସ୍ତର ପଡ଼ିଥିଲା। ୱାର୍କସପର ସବୁ କାମ ହେଉଥିଲା ଷ୍ଟିମ୍ ପାୱାର ପ୍ରୋସେସିଂରେ। ଇଂଲଣ୍ଡରୁ ଆସିଥିଲା ଲେଦ୍ ଡ୍ରିଲିଂ ଏବଂ କଟିଂ ମେସିନ୍ । କୁହାଯାଏ ତାଳଦଣ୍ଡା କେନାଲ ପରିକଳ୍ପନା ଏହିଠାରୁ ହିଁ ଆରମ୍ଭ ହୋଇଥିଲା। କାଳକ୍ରମେ ନୌବାଣିଜ୍ୟ ପରମ୍ପରା ଇତିହାସ ହେବା ସହିତ ସେହି ଐତିହାସିକ କାରଖାନା ଆଜି ମ୍ୟୁଜିୟମ ହୋଇ ଛିଡ଼ା ହୋଇଛି।

Advertisment
Odisha Cuttack Bali Jatra
Advertisment
Advertisment