/odishatv-khabar/media/media_files/2025/12/31/nalabana-bird-paradise-2025-12-31-16-00-11.jpg)
ଆସିଲେଣି ଲକ୍ଷାଧିକ ବିଦେଶୀ ପକ୍ଷୀ Photograph: (OTV)
ଚିଲିକାର ଭୂସ୍ୱର୍ଗ ପକ୍ଷୀ ଅଭୟାରଣ୍ୟ ନଳବଣ। ବିଦେଶୀ ପକ୍ଷୀମାନଙ୍କର କିଚିରି ମିଚିରି କଳରବ ଶବ୍ଦ ପର୍ଯ୍ୟଟକଙ୍କୁ ମନମୁଗ୍ଧ କରୁଛି। ॥ପ୍ରକୃତି ରାଣୀ ଚିଲିକାର ନୀଳ ଜଳରାଶିର ଢେଉରେ ଦୋଳାୟମାନ ହୋଇ ବିଚରଣ କରୁଛନ୍ତି ଅତିଥି ପକ୍ଷୀ। ଏହାକୁ ଦେଖିବାପାଇଁ ବହୁ ଦୂର ଦୁରାନ୍ତରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ପାଖରୁ ନ ଦେଖିଲେ ନାହିଁ ବାଇନୋକୁଲାରରେ ଦେଖି ବେଶ ଖୁସି ଅଛନ୍ତି ପର୍ଯ୍ୟଟକ।
ଶୀତ ଋତୁରେ ଚିଲିକା ବୁଲିବାକୁ ଗଲେ ଚିଲିକାର ଭୂସ୍ୱର୍ଗ କୁହାଯାଉଥିବା ପକ୍ଷୀ ଅଭୟାରଣ୍ୟ ନଳବଣ ନ ବୁଲି ଆସିଲେ ଲାଗେ ଯେମିତି କିଛି ଅଧୁରା ରହିଯାଇଛି। ନଳବଣରେ ଅତିଥି ପକ୍ଷୀମାନଙ୍କୁ ଦେଖିବା ନେଇ ବହୁ ଦୂର ଦୁରାନ୍ତରରୁ ଆସି ଭିଡ ଜମାନ୍ତି ପର୍ଯ୍ୟଟକ। ଅତ୍ୟଧିକ ଶୀତର ପ୍ରକୋପରୁ ରକ୍ଷା ପାଇବା ଓ ଖାଦ୍ୟ ଅନ୍ୱେଷଣରେ ସୁଦୂର ମଙ୍ଗୋଲିଆ, ସାଇବେରିଆ, କାଜାକିସ୍ଥାନ, ରୁଷିଆ ଭଳି ଅନେକ ଥଣ୍ଡା ଦେଶରୁ ମାଇଲ ମାଇଲ ଦୂର ଅତିକ୍ରମ କରି ଚିଲିକାରେ ପହଞ୍ଚିଥାନ୍ତି ରଙ୍ଗ ବେରଙ୍ଗର ଅତିଥି ପକ୍ଷୀ।
ତେବେ ୧୯୮୭ ମସିହାରେ ଚିଲିକାର ନଳବଣକୁ ଅଭୟାରଣ୍ୟ ଭାବେ ଘୋଷଣା କରାଯିବା ପରେ ଏହାକୁ ନିଷିଧାଞ୍ଚଳ କରାଗଲା। ଫଳରେ ପର୍ଯ୍ୟଟକମାନେ ଅତି ନିକଟରୁ ଅତିଥି ପକ୍ଷୀ ମାନଙ୍କୁ ଦେଖିବାରୁ ବଞ୍ଚିତ ହେଉଥିଲେ। ଏବେ ପକ୍ଷୀଙ୍କ ବିଚରଣ ଉପଭୋଗ କରିବା ପାଇଁ ନିଷିଧାଞ୍ଚଳ ବାହାରେ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଫ୍ଲୋଟିଙ୍ଗ ଜେଟିର ସୁବିଧା ସହ କାଠ ନିର୍ମିତ ୱାଚ୍ ଟାୱାର କରି ଜଣେ ଗାଇଡ ନିୟୋଜିତ କରିବା ସହ ବାଇନୋକୁଲାରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଫଳରେ ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀମାନଙ୍କ ବିଚରଣକୁ ଉପଭୋଗ କରି ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି ପର୍ଯ୍ୟଟକ।
ତେବେ ଏପର୍ଯ୍ୟନ୍ତ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ନର୍ଦର୍ନ ପିଣ୍ଟେଲ, ୟୁରେସିଆନ ୱିଜନ, ଗଡ଼ୱାଲ, ସୋଭଲର ଭଳି ୧୦୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ପକ୍ଷୀ ଚିଲିକାରେ ସମାଗମ ହୋଇଛନ୍ତି। ତେବେ ଫ୍ଲେମିଙ୍ଗୋ ଚିଲିକାର ଯେତିକି ଶୋଭାବର୍ଦ୍ଧନ କରେ ସେତିକି ଆକର୍ଷଣୀୟ ମଧ୍ୟ ହୋଇଥାଏ।
ଏମାନଙ୍କର ସୁରାକ୍ଷା ପାଇଁ ଚଳିତ ବର୍ଷ ଚିଲିକାର ୫ଟି ରେଞ୍ଜ୍ରେ ୨୧ ଟି ସୁରକ୍ଷା କ୍ୟାମ୍ପ୍ କରିବା ସହ ପ୍ରତ୍ୟକ କ୍ୟାମ୍ପ୍ରେ ୩ ଜଣ ଲେଖାଏଁ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ନଳବଣ ବାହାରେ କିଛି ପକ୍ଷୀ ଦେଖି ଅତ୍ୟଧିକ ଖୁସି ଅନୁଭବ କରୁଥିବାବେଳେ ଅଭୟାରଣ୍ୟ ଭିତରେ ଥିବା ରଙ୍ଗ ବେରଙ୍ଗର ପକ୍ଷୀ ଦେଖିବା ପାଇଁ ଉତ୍ସାହିତ ହେଉଛନ୍ତି ପର୍ଯ୍ୟଟକ। ଏନେଇ ବିଭାଗ ପକ୍ଷରୁ ଇକୋ ଟୁର୍ ଓଡିଶା ମାଧ୍ୟମରେ ଅନ୍ଲାଇନ୍ ବୁକିଙ୍ଗ କରି ପ୍ରତି ସପ୍ତାହର ଶନି ଓ ରବିବାର ଦିନ ୪୫/୪୫ ଜଣ ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ଯାଇ ପକ୍ଷୀ ଦେଖିବାର ସୁବିଧା ପାଇପାରିବେ ବୋଲି କହିଛନ୍ତି ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)