Advertisment

ଗଗନୟାନ ମିଶନର ପ୍ରଥମ ଟେଷ୍ଟ୍ ଫ୍ଲାଇଟ୍ ସଫଳ

ଚନ୍ଦ୍ରୟାନ, ଆଦିତ୍ୟ L1 ବା ସୂର୍ଯ୍ୟୟାନ, ଆଉ ଏବେ ଗଗନୟାନର ପ୍ରଥମ ଫ୍ଲାଇଟ୍ ଟେଷ୍ଟ୍ । ଚଳିତବର୍ଷ ଗୋଟିକ ପରେ ଗୋଟିଏ ବଡ଼ ସଫଳତା ହାତେଇଥିବା ଇସ୍ରୋ, ଆଜି ବି ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ଯୋଡ଼ିଛି ସ୍ବର୍ଣ୍ଣିମ ଅଧ୍ୟାୟ। ମହାକାଶକୁ ମଣିଷ ପଠାଇବା ଲାଗି ପ୍ରସ୍ତାବିତ ମିଶନ୍ ଗଗନୟାନ ପାଇଁ ଭାରତ ବଢ଼ାଇଛି ବିଶ୍ବାସ ଓ ଭରସାର ପ୍ରଥମ ପାଦ....

author-image
Santosh Kumar Sahoo

ପ୍ରତିଟି ଭାରତୀୟ ଆଜି ଗର୍ବିତ.. ଉତଫୁଲ୍ଲିତ... ଚମତ୍କୃତ.. । ଏ ଦୃଶ୍ୟ ଯେତିକି ରୋମାଞ୍ଚକର, ଏ ସଫଳତା ସେତିକି ଉତ୍ସାହପ୍ରଦ। ଇଏ ମିଶନ ଗଗନୟାନର ପୂର୍ବା-ଭ୍ୟାସ ଓ ପୂର୍ବା-ଭାସ ମଧ୍ୟ । କାରଣ ୨୦୨୫ରେ ଗଗନୟାନର ମହାକାଶଚାରୀମାନେ ଯେତେବେଳେ ପୃଥିବୀକୁ ଫେରିବେ, ସେତେବେଳେ ବି ଅବିକଳ ଏମିତି ହିଁ ଖୋଲିବ ଆକାଶଛତା, ଏମିତି ହିଁ ସମୁଦ୍ରରେ ଖସିବ କ୍ରୁ ମଡ୍ୟୁଲ। ଆଜି ଦିନ ୧୦ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଲଞ୍ଚ୍ ହୋଇଥିଲା ଟେଷ୍ଟ ଭେହିକିଲ୍ TV-D1 । ପ୍ରାୟ ୩୫ ମିଟର ଉଚ୍ଚ ଏହି ରକେଟରେ ଥିଲା ଗଗନୟାନ କ୍ରୁ ମଡ୍ୟୁଲର ଏକ ମାନବ-ବିହୀନ ପ୍ରତିରୂପ । ଲଞ୍ଚିଂର ଦେଢ଼ ମିନିଟ୍ ପରେ ଯେତେବେଳେ ରକେଟ୍ ଟି ଭୂପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉପରେ ଥିଲା, ଠିକ୍ ସେତିକି ବେଳେ କଣ୍ଟ୍ରୋଲ୍ ରୁମ୍‌ରୁ ଦିଆଯାଇଥିଲା 'ମିଶନ ଆବୋର୍ଟ କମାଣ୍ଡ୍'। କମାଣ୍ଡ୍ ମିଳିବା ମାତ୍ରେ, ମୁଖ୍ୟ ରକେଟରୁ ଅଲଗା ହୋଇ ତଳକୁ ଖସିଥିଲା ସାଢ଼େ ୪ ଟନ୍ ଓଜନର କ୍ରୁ ମଡ୍ୟୁଲ। ଏହା ଖୁବ୍ ଦ୍ରୁତ ବେଗରେ ତଳକୁ ଖସୁଥିବାରୁ, ବେଗ କମାଇବା ପାଇଁ ପ୍ରଥମେ ଡ୍ରୋଗ୍ ପାରାସୁଟ୍ ଓ ପରେ ୩ଟି ବିଶାଳ ମୁଖ୍ୟ ପାରାସୁଟ୍ ଖୋଲିଥିଲା । ଏ ପୂରା ଦୃଶ୍ୟକୁ କଏଦ କରିଥିଲା ଡ୍ରୋନ୍ କ୍ୟାମେରା ଓ କ୍ରୁ ମଡ୍ୟୁଲରେ ଲାଗିଥିବା ଅନ୍-ବୋର୍ଡ କ୍ୟାମେରା । ଶେଷରେ ତାହା ଶ୍ରୀହରିକୋଟ୍ଟାରୁ ୧୦ କିଲୋମିଟର ଦୂରରେ ଅତି ସୁରକ୍ଷିତ ଭାବେ ବଙ୍ଗୋପସାଗରରେ ପଡ଼ି ଭାସିଥିଲା । ପୂର୍ବରୁ ସେହି ଅଞ୍ଚଳରେ ମୁତୟନ ଥିବା ନୌସେନା ଜାହାଜ କ୍ରେନ୍ ସହାୟତାରେ କ୍ରୁ ମଡ୍ୟୁଲକୁ ଉଦ୍ଧାର କରି ତଟକୁ ଆଣିଛନ୍ତି ।

Advertisment
India ISRO Gaganyaan Mission
Advertisment
Advertisment