By: Deviprasad Jena
Last updated: 13 March 2025, 10:36 PM IST
ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ।
ଯାହା ଔରସରୁ ଜନ୍ମ ନେଇଥିଲେ ୨ ପୁଅ, ସେହି ବାପ ହିଁ ରଚିଲା ପାପର ଷଡ଼ଯନ୍ତ୍ର। ଯେଉଁ ହାତ ଧରି ବାଟ ଚାଲିବା ଶିଖୁଥିଲେ ୨ ସନ୍ତାନ, ସେଇ ହାତ ହିଁ ସାଜିଲା ସେମାନଙ୍କ ହତ୍ୟାକାରୀ l ନୟାଗଡ଼ ଜିଲ୍ଲା ଧାନଚାଙ୍ଗଡ଼ା ଗାଁର ୨ ଭାଇ ୧୪ ବର୍ଷିୟ ଆକାଶ ମହାନ୍ତି ଓ ୯ ବର୍ଷିୟ ବିକାଶ ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା କରିଛି ପୋଲିସ। ଆତ୍ମହତ୍ୟା ନୁହେଁ, ବରଂ ୨ ଭାଇଙ୍କୁ ମାରିଦିଆଯାଇଛି। ଆଉ ହତ୍ୟା ପଛର ମୂଳ କାରଣ, ୪୦ ବର୍ଷିୟ ବାପା ପ୍ରକାଶ ମହାନ୍ତିର ଦ୍ବିତୀୟ ବିବାହ। ଯେଉଁ ବିବାହକୁ ୨ ଭାଇ ବିରୋଧ କରି ଆସୁଥିଲେ ବୋଲି ନିଜ ରକ୍ତର ୨ ସନ୍ତାନକୁ ହତ୍ୟା କରିଛି ଜହ୍ଲାଦ ବାପା।