/odishatv-khabar/media/post_attachments/uploadimage/library/16_9/16_9_0/drone_1624811383.jpg)
drone
ଭୁବନେଶ୍ୱର: ଟାର୍ଗେଟ୍ରେ ପାକିସ୍ତାନ ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଅତି ସୁରକ୍ଷିତ ଜାମ୍ମୁ ଏୟାରପୋର୍ଟ। ଏହି ବିମାନବନ୍ଦର ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥିବା ବେଳେ ଏଠାରେ ଯାତ୍ରୀବାହୀ ବିମାନ ବି ଚଳାଚଳ କରେ। ତେବେ ଗତକାଲି ମଧ୍ୟ ରାତିରେ ଏୟାର ଫୋର୍ସ ବେସ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଛି। ରାତି ଗୋଟାଏ ୩୭ ମିନିଟରେ ବିମାନବନ୍ଦରରେ ପ୍ରଥମ ବିସ୍ଫୋରଣ ଘଟିଥିଲା। ଏହାର କିଛି ମିନିଟ ପରେ ଗୋଟାଏ ୪୩ରେ ଶୁଣାଯାଇଥିଲା ଦ୍ୱିତୀୟ ବିସ୍ଫୋରଣ।
ସେହିପରି ବିମାନବନ୍ଦର ନିକଟରୁ ସୁରକ୍ଷାକର୍ମୀ ଆଉ ଏକ ଅଫୁଟା ବୋମା ବି ଉଦ୍ଧାର କରିଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ଡ୍ରୋନ୍ ସାହାଯ୍ୟରେ ଏୟାରପୋର୍ଟକୁ ଟାର୍ଗେଟ କରାଯାଇଛି। ବିସ୍ଫୋରଣ ଲାଗି IED ବ୍ୟବହାର କରାଯାଇଥିବା ଜଣାପଡିଥିବା ବେଳେ କୌଣସି ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ଏହା ପ୍ରଥମ ଡ୍ରୋନ ଆକ୍ରମଣ ପ୍ରତିରକ୍ଷା ମନ୍ତ୍ରୀ ରାଜସିଂହଙ୍କ ଲଦାଖ ଗସ୍ତ ବେଳେ ଏଭଳି ଆକ୍ରମଣ ସୁରକ୍ଷା ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଜାତୀୟ ସୁରକ୍ଷା ଏଜେନ୍ସି NIA ତୁରନ୍ତ ଘଟଣାର ତଦନ୍ତ ଦାୟିତ୍ୱ ନେଇଛି। ଏହି ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ହାତ ଥିବା ସନ୍ଦେହ କରାଯାଉଛି। କାରଣ ପୂର୍ବରୁ ଅନେକ ଥର ଲସ୍କର ପକ୍ଷରୁ ଡ୍ରୋନ ବ୍ୟବହାର କରି ଭାରତରେ ଥିବା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି। ୨୦୧୯ରେ ପଞ୍ଜାବର ଏକ ଗାଁରୁ ଦୁର୍ଘଟଣାଗ୍ରସ୍ତ ଏକ ଡ୍ରୋନ ଉଦ୍ଧାର କରାଯାଇଥିଲା। ତେବେ ସେଇ ବର୍ଷ ସେମ୍ବେର ମାସରେ ଜଣେ ଗିରଫ ଆତଙ୍କବାଦୀ ଲସ୍କରର କାରସାଦିର ଗୁମର ଖୋଲିଥିଲା। ଡ୍ରୋନ ମାଧ୍ୟମରେ ନିୟମିତ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପ୍ରେରଣ କରାଯାଉଥିବା ସେ ସ୍ୱୀକାର କରିଥିଲା।
ଗତବର୍ଷ ଜୁନ୍ ମାସରେ ବିଏସଏଫ୍ ଜମ୍ମୁ ଓ କାଶ୍ମୀରର କାଠୁଆରେ ଏକ ସନ୍ଦିଗ୍ଧ ଡ୍ରୋନ୍କୁ ଗୁଳିକରି ଖସାଇ ଦେଇଥିଲେ। ସେହିପରି ଗତ ସେପଟେମ୍ବରରେ ଲସ୍କର-ଏ ତାଇବା ଅଖନୁର ଜିଲ୍ଲାର ୩ ଆତଙ୍କବାଦୀଙ୍କ ନିକଟରେ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ପଠାଇବାରେ ସମର୍ଥ ବି ହୋଇଥିଲା। ପରେ ଏହି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।
୨୦୧୬ ଜାନୁଆରୀ ୨ ତାରିଖରେ ପଞ୍ଜାବ ପଠାନକୋଟ୍ ଏୟାରବେସ୍କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୫ ଆତଙ୍କବାଦୀ ଏୟାରବେସ୍ ଉପରେ ଜୋରଦାର ଆକ୍ରମଣ କରିଥିଲେ। ୪ ଦିନ ଧରି ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଏଥିରେ ସମସ୍ତ ୫ ଆତଙ୍କବାଦୀ ନିହତ ହୋଇଥିଲେ ମଧ୍ୟ ୬ ସୁରକ୍ଷାକର୍ମୀ ସହିଦ୍ ହୋଇଥିଲେ। ସେପଟେ ଜମ୍ମୁ ଏୟାରଫୋର୍ସ ବେସ୍ ଆକ୍ରମଣ ପରେ ପଠାନକୋଟ୍ ସମେତ ଅନ୍ୟ ଏୟାରବେସ ଗୁଡିକର ସୁରକ୍ଷାର ବଢାଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)