/odishatv-khabar/media/post_attachments/uploadimage/library/16_9/16_9_0/tiger_1626433112.jpg)
tiger
ଭୁବନେଶ୍ୱର: ଏପ୍ରିଲ ଦ୍ୱିତୀୟ ସପ୍ତାହରେ ମଧ୍ୟପ୍ରଦେଶ ଜଙ୍ଗଲରୁ ସାତକୋଶିଆ ଆସିବେ ଦୁଇଟି ବାଘ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବନ ବିଭାଗ, ନ୍ୟାସନାଲ୍ ଟାଇଗର କନଜର୍ଭେସନ୍ ଅଥରିଟି ଓ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀଙ୍କ ସହ ଏ ନେଇ ହୋଇଛି ବିସ୍ତୃତ ଆଲୋଚନା।
ବାଘଙ୍କୁ ସ୍ଥାନାନ୍ତରଣ ପାଇଁ ମଧ୍ୟପ୍ରଦେଶ ସରକାର ସବୁ ପ୍ରକାର ସହାୟତା ଯୋଗାଇବାକୁ ରାଜି ହୋଇଛନ୍ତି। ଏପଟେ ସାତକୋଶିଆରେ ବି ନୂଆ ଅତିଥିଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।
ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ସାତକକୋଶିଆକୁ ଆସିବେ ଦୁଇଟି ବାଘ। ସେଠାରେ ଦୁଇଟି ମାଈ ବାଘ ଥିବାରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଅଣ୍ଡିରା ବାଘଙ୍କୁ ଅଣାଯିବ। ଏଥିପାଇଁ ଉଭୟ ରାଜ୍ୟ, ଏନ୍ଟିସିଏ ଓ ଡବ୍ଲୁଆଇଆଇ ଅଧିକାରୀଙ୍କ ମିଳିତ ଟିମ୍ କ୍ଷେତ୍ର ପରିଦର୍ଶନ ବି ସରିଛି।
୪ ଦିନ ଧରି ଟିମ୍ ମଧ୍ୟପ୍ରଦେଶର ବିଭିନ୍ନ ଜଙ୍ଗଲ ବୁଲି ବାଘଙ୍କୁ ଦେଖିବା ସହ ଏମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ବାଘଙ୍କୁ ଠାବ କରି ସାତକୋଶିଆରେ ଛାଡ଼ିବା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍। ୨୦୦୯ ମସିହା ପରଠାରୁ ମଧ୍ୟପ୍ରଦେଶରୁ ପ୍ରାୟ ୪୦ଟି ବାଘଙ୍କୁ ସଡ଼କପଥରେ ସ୍ଥାନାନ୍ତରିତ କରାଯାଇଛି।
ତେଣୁ ପୂର୍ବ ପନ୍ଥା ଏଥର ମଧ୍ୟ ଅନୁସରଣ କରାଯିବ। ମଧ୍ୟପ୍ରଦେଶରୁ ସାତକୋଶିଆକୁ ବାଘଙ୍କୁ ଆଣିବା ପାଇଁ ୧୭ରୁ ୧୮ ଘଣ୍ଟା ସମୟ ଲାଗିବ। ଏଥିପାଇଁ ସେଠାକାର ସରକାର ସବୁ ସହାୟତା ଯୋଗାଇବା ସହ ସ୍ୱତନ୍ତ୍ର ଗାଡ଼ି ମଧ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏପଟେ ସାତକୋଶିଆ ଅଭୟାରଣ୍ୟର କୋର୍ ଜୋନରେ ବାଘଙ୍କୁ ଛାଡ଼ିବାକୁ ଏନକ୍ଲୋଜର ତିଆରି ହେଉଛି।ପ୍ରୋଟୋକଲ୍ ଅନୁଯାୟୀ ବାଘଙ୍କୁ କିଭଳି ଛଡ଼ାଯିବ, ଛଡ଼ାଯିବା ଅଞ୍ଚଳରେ କିଭଳି କ୍ୟାମେରା ଲଗାଯିବ, ସେସବୁ ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ।
ସେହିଭଳି ବାଘଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିୟୋଜିତ ଡାକ୍ତରଙ୍କୁ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ। ତାସହିତ ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ପ୍ରଶିକ୍ଷିତ କୁଙ୍କି ହାତୀଙ୍କୁ ନିୟୋଜିତ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଆସିଥିବା ବାଘ ସାତକୋଶିଆରେ ଉପଯୁକ୍ତ ସହାବସ୍ଥାନ ପାଇଲେ ଓ ସୁରୁଖୁରୁରେ ବିଚରଣ କଲେ ଆଗାମୀ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆଉ ୪ଟି ବାଘ ମଧ୍ୟପ୍ରଦେଶରୁ ଅଣାଯିବାକୁ ମଧ୍ୟ ସ୍ଥିର ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)