/odishatv-khabar/media/media_files/2026/02/18/ai-biometric-scam-alert-2026-02-18-20-47-38.jpg)
ଟେନସନ୍ ବଢାଇଛି ଡିଜିଟାଲ୍ ସ୍କାମର ନୂଆ ଫଣ୍ଡା Photograph: (OTV)
ଆପଣ କୌଣସି ମଲ୍, ମେଟ୍ରୋ ଷ୍ଟେସନ୍ କିମ୍ବା ବସଷ୍ଟାଣ୍ଡରେ ଥିବା ବେଳେ କେହି ଅଜଣା ବ୍ୟକ୍ତି ଭଦ୍ର ଭାବରେ ସାହାଯ୍ୟ ମାଗୁଛନ୍ତି କି ? ତାହାଲେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଠକଙ୍କ ନୂଆ ଫଣ୍ଡା ଏବେ ସାହାଯ୍ୟ ମାଗିବା ବାହାନାରେ ଠକେଇ। ଯାହାକୁ କୁହାଯାଉଛି AI ବାୟୋମେଟ୍ରିକ୍ ଆଇଡେଣ୍ଟିଟି ସ୍କାମ୍। ଯେଉଁଥିରେ AI ବ୍ୟବହାର କରି ଆପଣଙ୍କ ଚେହେରା ଓ ସ୍ୱରକୁ ନକଲ କରି ତିଆରି ହେଉଛି ଡିଜିଟାଲ୍ କ୍ଲୋନ୍। ସେଥିରେ ସାଇବର ଠକ ଆପଣଙ୍କ ନାଁରେ ଋଣ ଉଠାଇ କାଙ୍ଗାଳ କରିଦେବେ। ସେମାନେ ବୟସ୍କ, ଯୁବକ ଓ ଦୟା ଭାବ ରଖୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି।
ଟେନସନ୍ ବଢାଇଛି ଡିଜିଟାଲ୍ ସ୍କାମର ନୂଆ ଫଣ୍ଡା। ତରିକା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ନା ପଚାରିବେ OTP, ନା କୌଣସି ଲିଙ୍କ୍ ପଠାଇବେ, କିନ୍ତୁ ଆପଣଙ୍କ ନାଁରେ ଟଙ୍କା ଉଠାଇ ଚୁନା ମାରିଦେବେ। ସାହାଯ୍ୟ ମାଗିବା ବାହାନାରେ ଠକେଇ, ଏବେ ଡିଜିଟାଲ୍ ସ୍କାମର ନୂଆ ତରିକା। ମାତ୍ର ୩୦ ମିନିଟର ଚକ୍ରବ୍ୟୂହରେ ଫସିଲେ ସର୍ବସ୍ବାନ୍ତ କରିଦେବେ ଅଦୃଶ୍ୟ ଲୁଟେରା। ସେମାନେ ମଲ୍, ମେଟ୍ରୋ ଷ୍ଟେସନ୍, ମାର୍କେଟ କିମ୍ବା ସର୍ବସାଧାରଣ ସ୍ଥାନରେ ଲୋକଙ୍କୁ ଟାର୍ଗେଟ କରନ୍ତି। ବେଶଭୂଷାରୁ କିଛି ଠଉରାଇ ପାରିବେନି।
ସେଭଳି ଠକ ଭଲ ପୋଷାକ ପିନ୍ଧିଥିବା ମଧ୍ୟମ କିମ୍ବା ବୟସ୍କ ବ୍ୟକ୍ତି। ଏମିତି ଢଙ୍ଗରେ ଠକେଇର ମାୟାଜାଲ ବୁଣି ଥାଆନ୍ତି ଯେ ଟିକିଏ ବି ସନ୍ଦେହ ହେବନି। କାହାକୁ କୁହନ୍ତି ଫୋନ୍ କିପରି ବ୍ୟବହାର କରିବେ ଜାଣିପାରୁନାହାନ୍ତି ତ ଆଉ କାହାକୁ ପେନସନ୍ କିମ୍ବା ସବସିଡି ଯାଞ୍ଚ କଥା କହି ଫୋନ୍ ଚଲାଇବାରେ ସାହାଯ୍ୟ ମାଗନ୍ତି। ଚାଲାକି ବୁଝି ନପାରି ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକ ପଡ଼ି ଯାଆନ୍ତି ଡିଜିଟାଲ୍ ଆରେଷ୍ଟରେ।
ସାଇବର ଠକଙ୍କ ଫୋନ ଆପଣ ହାତରେ ଧରିବା ପୂର୍ବରୁ ସେ ଭିଡିଓ କଲରେ ଥାଆନ୍ତି। ନହେଲେ ସ୍କ୍ରିନ୍ ରେକର୍ଡିଂ ମୋଡ୍ ଅନ୍ ଥାଏ। ଆପଣ ଭାବୁଥିବେ ସାହାଯ୍ୟ କରୁଛନ୍ତି। କିନ୍ତୁ, ଅସଲରେ ସେପଟେ ଚୋରି ହୁଏ ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟ। ଫୋନ୍ ଛୁଇଁଲେ ଆଙ୍ଗୁଠି ଚିହ୍ନ, ନମ୍ବର କିମ୍ବା ଯାଞ୍ଚ କୋଡ୍ ପଢ଼ିଲେ ଭଏସ୍ ଏବଂ ଫୋନ୍ ବ୍ୟବହାର ବେଳେ ସ୍କ୍ରିନକୁ ଦେଖିଲେ ଫେସ୍ ଚୋରି ହୋଇଯାଏ।
ବାୟୋମେଟ୍ରିକ ତଥ୍ୟ ଚୋରି ପରେ ଆରମ୍ଭ ହୋଇଥାଏ AI ବାୟୋମେଟ୍ରିକ୍ ଆଇଡେଣ୍ଟିଟି ସ୍କାମ୍। ଯେଉଁଥିରେ AI ବ୍ୟବହାର କରି ଆପଣଙ୍କ ଚେହେରା ଓ ସ୍ୱରକୁ ନକଲ କରି ତିଆରି କରନ୍ତି ଡିଜିଟାଲ୍ କ୍ଲୋନ୍। ତା ଜରିଆରେ ଅନଲାଇନ୍ ଋଣ, କ୍ରେଡିଟ୍ କ୍ୟାସ୍ ଆଉଟ୍ ପାଇଁ ଆବେଦନ କରନ୍ତି। ଏହାର ୩୦ ମିନିଟ ଭିତରେ ଆପଣ ଏଲିଜିବୁଲ୍ ହେଉଥିବା ସମସ୍ତ ଋଣକୁ ଉଠାଇ ନିଅନ୍ତି ସାଇବର ଠକ।
ବ୍ୟାଙ୍କ ନୋଟିସ୍ ପାଇବା ପରେ ଆପଣ ଜାଣିଲା ବେଳକୁ ଲେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିବ। ଲକ୍ଷ ଲକ୍ଷ କିମ୍ବା କୋଟି କୋଟି ଟଙ୍କାର ଋଣଭାରରେ ବୁଡ଼ି ଯାଇଥିବେ। ଏଭଳି ଠକେଇରୁ ବଞ୍ଚିବା ପାଇଁ ସଚେତନ କରାଇଛନ୍ତି ସାଇବର ଏକ୍ସପର୍ଟ।
AI ବାୟୋମେଟ୍ରିକ୍ ଆଇଡେଣ୍ଟିଟି ସ୍କାମରୁ ବର୍ତ୍ତିବା ପାଇଁ କୌଣସି ଅପରିଚିତ ଲୋକଙ୍କୁ ଫୋନ୍ ଚଲାଇବାରେ ସାହାଯ୍ୟ କରନ୍ତୁ ନାହିଁ। ତାଙ୍କର ଫୋନକୁ ସ୍ପର୍ଶ କି କିଛି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କ ଫୋନକୁ ଚାହିଁବା କି ଜୋରରେ କିଛି ପଢନ୍ତୁ ନାହିଁ। ଅଜଣା ଭିଡିଓ କଲକୁ ତୁରନ୍ତ କାଟି ଦିଅନ୍ତୁ। କ୍ୟାମେରାକୁ ଚାହିଁ କଥା ହେବା ଅନୁରୋଧରେ ସହଯୋଗ କରନ୍ତୁ ନାହିଁ। ଏଦିଗରେ ବୟସ୍କ ବ୍ୟକ୍ତି, ଯୁବକ ଓ ଦୟା ଭାବ ରଖୁଥିବା ଲୋକମାନେ ସଚେତନ ହେବା ନିହାତି ଜରୁରୀ। କାରଣ ଠକମାନେ ଏଭଳି ଭଲ ଲୋକଙ୍କୁ ଟାର୍ଗେଟ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)