/odishatv-khabar/media/post_attachments/uploadimage/library/16_9/16_9_0/yuvraj-sixes-1600490724_1623479910.jpg)
yuvraj-sixes
ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପ୍ରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ୬ଟି ବଲରେ ୬ଟି ଛକା ମାରି ଏକ ବିରଳ ରେକର୍ଡ କରିଛନ୍ତି । ସେହି ରେକର୍ଡ ଏବେ ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି । ତାଙ୍କ ରେକର୍ଡ ଏବେ ବି କେହି ଭାଙ୍ଗି ପାରିନାହାନ୍ତି । ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଏହି ବିଶ୍ୱକପରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ଯୁବରାଜ ଲଗାତର ୬ଟି ଛକା ମାରିଥିଲେ । ଯେତେବେଳେ ଯୁବରାଜ ଛକା ବର୍ଷା କରୁଥିଲେ, ସେତେବେଳେ ମହେନ୍ଦ୍ର ସିଂ ଧୋନି କ୍ରିଜ୍ର ଅନ୍ୟ ପଟେ ଠିଆ ହୋଇଥିଲେ ।
ତେବେ ଯୁବରାଜଙ୍କ ଏଭଳି ଆକ୍ରାମକ ଖେଳ ଦେଖି ଧୋନିଙ୍କ ପ୍ରତିକ୍ରିୟା କ’ଣ ରହିଥିଲା, ସେନେଇ ନିଜେ ଯୁବରାଜ ସିଂ ନିଜେ ଖୁଲାସା କରିଛନ୍ତି । ଯୁବରାଜ ଅବସର ନେବାର ଦୁଇ ବର୍ଷ ପରେ ଏକ ପ୍ରୋଗ୍ରାମ୍ରେ ଯୋଗଦେଇଥିବା ବେଳେ ତାଙ୍କୁ ଏନେଇ ଆଙ୍କର ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଯୁବରାଜ କହିଥିଲେ, ‘ମୁଁ ଗୋଟିଏ ପରେ ଗୋଟିଏ ଛକା ମରୁଥିବା ଦେଖି ଧୋନୀ ଅତ୍ୟନ୍ତ ଖୁସି ଜଣାପଡ଼ୁଥିଲେ । କାରଣ ଏହା ସାଧାରଣ କଥା । ଧୋନୀ ଦଳର ଅଧିନାୟକ, ତେଣୁ ଜଣେ ଖେଳାଳି ଯେତେବେଳେ ସ୍କୋର ବୋର୍ଡ ବୃଦ୍ଧି କରିବାରେ ଭଲ ସହଯୋଗ ଦେଉଛି ସେ ନିଶ୍ଚିତ ଖୁସି ଅନୁଭବ କରିବେ । ଅନ୍ୟପଟେ ଆମକୁ ସେହି ମ୍ୟାଚ୍ ଜିତିବା ମଧ୍ୟ ଆବଶ୍ୟକ ଥିଲା ବୋଲି ଯୁବରାଜ କହିଛନ୍ତି ।’
/odishatv-khabar/media/post_attachments/wp-content/uploads/2021/06/Yuvraj-Singh-Hits-6-Sixes.jpg)
ଟି -୨୦ ବିଶ୍ୱକପ୍ର ୨୧ତମ ମ୍ୟାଚ୍ରେ ଭାରତର ଇନିଂସର ୧୮ତମ ଓଭର ଚାଲିଥିଲା । ଏହି ସମୟରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫ୍ ବୋଲିଂ କରୁଥିଲେ । ଯୁବରାଜ ଆଉ ଫ୍ଲିଣ୍ଟଅଫ୍ଙ୍କ ମଧ୍ୟରେ ଛୋଟ ବଚାସାଟିଏ ହୋଇଥିଲା । ବାସ୍ତବରେ, ଫ୍ଲିଣ୍ଟଅଫ୍ ଯୁବରାଜଙ୍କୁ କିଛି କହିଥଲେ, କିନ୍ତୁ ଷ୍ଟୁଅର୍ଟ ବ୍ରଡ୍ଙ୍କୁ ଏହାର ଫଳ ଭୋଗିବାକୁ ପଡିଲା । ୧୯ତମ ଓଭରରେ ଯୁବରାଜ ବ୍ରଡ୍ଙ୍କ ସବୁ ବଲ୍କୁ ସୀମା ରେଖା ବାହାରେ ପହଞ୍ଚାଇବାକୁ ଲାଗିଲେ । ଯୁବରାଜ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକି ଆନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟରେ ଏହା ମଧ୍ୟ ଏକ ବିରଳ ରେକର୍ଡ । ସେହି ମ୍ୟାଚ୍ରେ ଯୁବରାଜ ମୋଟ ୧୬ଟି ବଲରେ ୫୮ ରନ୍ ସଂଗ୍ରହ କରିଥିଲେ, ଏଥିରେ ୭ଟି ଛକା ଓ ୩ଟି ଚୌକା ସାମିଲ ଥିଲା ।
ମଇଦାନରେ ଫ୍ଲିଣ୍ଟଅଫ୍ ଦେଇଥିଲେ ଧମକ
ଯୁବରାଜ ଫ୍ଲିଣ୍ଟଅଫଙ୍କ ସହ ହୋଇଥିବା ବିବାଦ ବିଷୟରେ କହିଥିଲେ ଯେ, ‘ମୋର ମନେ ଅଛି ଯେ ମୁଁ ଫ୍ଲିଣ୍ଟଅଫଙ୍କୁ ଦୁଇ ଚୌକା ମାରିଥିଲି । ଯାହାକି ସ୍ୱାଭାବିକ୍ ଭାବେ ତାଙ୍କୁ ପସନ୍ଦ ଅସିନଥିଲା । ଏଥିପାଇଁ ଫ୍ଲିଣ୍ଟଅଫ୍ କହିଥିଲେ ଯେ, ଏଠାକୁ ଆସ, ମୁଁ ତୁମର ବେକ ମୋଡ଼ିଦେବି । ଏହି ଝଗଡ଼ା ଅତ୍ୟନ୍ତ ଗମ୍ଭୀର ଥିଲା । ଏହାପରେ ମୁଁ ଭାବିଲି ଯେ ପ୍ରତ୍ୟେକ ବଲକୁ ବାଉଣ୍ଡରି ବାହାରେ ପହଞ୍ଚାଇବି ।’
ଯୁବରାଜ ସିଂଙ୍କ କ୍ୟାରିୟର
ଯୁବରାଜ ସିଂ ୪୦ଟି ଟେଷ୍ଟ, ୩୦୪ଟି ଦିନିକିଆ ଏବଂ ୫୮ ଟି-୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ଯୁବରାଜ ତିନୋଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସହାୟତାରେ ୧୯୦୦ ରନ୍ ସଂଗ୍ରହ କରିବାବାରେ ସକ୍ଷମ ହୋଇଛନ୍ତି । ସେହିଭଳି ଦିନିକିଆରେ ସେ ୧୪ଟି ଶତକ ଏବଂ ୫୨ ଅର୍ଦ୍ଧଶତକ ସହାୟତାରେ ୮୭୦୧ ରନ୍ ସଂଗ୍ରହ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)