Advertisment

Questions Arise Over Karun Nair’s Future: ୮ ବର୍ଷ ପରେ ମିଳିଥିଲା ସୁଯୋଗ, ଏବେ ଶେଷ ହୋଇଗଲା କି କରୁଣ ନାୟରଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ?

୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ସିରିଜ୍ ଜରିଆରେ ଭାରତୀୟ ଟେଷ୍ଟ ଟିମକୁ ଫେରିଥିଲେ ବ୍ୟାଟର୍ କରୁଣ ନାୟର । କିନ୍ତୁ ଆଶାଜନକ ପ୍ରଦର୍ଶନ କରି ନ ପାରିବାରୁ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପରବର୍ତ୍ତୀ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ।

author-image
Biswajit Mohanty
karun Nair

karun Nair Photograph: (OTV)

୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ସିରିଜ୍ ଜରିଆରେ ଭାରତୀୟ ଟେଷ୍ଟ ଟିମ୍କୁ ଫେରିଥିଲେ ବ୍ୟାଟର୍ କରୁଣ ନାୟର । କିନ୍ତୁ ଆଶାଜନକ ପ୍ରଦର୍ଶନ କରି ନ ପାରିବାରୁ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପରବର୍ତ୍ତୀ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି, ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ? ଯୁବ ବ୍ୟାଟର୍ଙ୍କ ଉତ୍ଥାନ ମଧ୍ୟରେ ଆଗକୁ ତାଙ୍କ ପାଇଁ ପ୍ରତ୍ୟାବର୍ତ୍ତନର ଅଛି କି ସମ୍ଭାବନା?
ଅକ୍ଟୋବର ୨ରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ୨୦୨୫-୨୭ ଚକ୍ରରେ ଏହା ଭାରତର ଦ୍ୱିତୀୟ ତଥା ଘରେ ପ୍ରଥମ ସିରିଜ୍ । ଏଥିପାଇଁ ସେପ୍ଟେମ୍ବର ୨୫ରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଭାରତୀୟ ଟିମ୍ ଘୋଷଣା କରିଛି ।
ଏହି ଟିମ୍ରୁ ବ୍ୟାଟର୍ କରୁଣ ନାୟରଙ୍କୁ କାଢ଼ି ଦିଆଯାଇଛି, ଯିଏକି ଇଂଲଣ୍ଡ ବିପକ୍ଷ ପୂର୍ବ ସିରିଜ୍ରେ ଟିମ୍ର ଅଂଶବିଶେଷ ଥିଲେ । ଅବଶ୍ୟ ଚୟନ କମିଟିର ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ନ ଥିଲା । ଆଶାଜନକ ପ୍ରଦର୍ଶନ କରିପାରୁ ନ ଥିବାରୁ ତାଙ୍କୁ ଏଥର ଟେଷ୍ଟ ଟିମ୍ରେ ସ୍ଥାନ ମିଳିବନି ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା ।

Advertisment

ଏପରି ସ୍ଥଳେ କରୁଣଙ୍କୁ ନେଇ ପ୍ରଶ୍ନ ଉଠୁଛି ଯେ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ? ଯୁବ ବ୍ୟାଟର୍ଙ୍କ ଊତ୍ଥାନ ମଧ୍ୟରେ ଆଗକୁ ତାଙ୍କ ପାଇଁ ପ୍ରତ୍ୟାବର୍ତ୍ତନର ଅଛି କି ସମ୍ଭାବନା?
କରୁଣଙ୍କ ଆନ୍ତର୍ଜାତିକ କ୍ୟାରିଅର୍ କେବଳ ଟେଷ୍ଟ କ୍ରିକେଟ୍ ମଧ୍ୟରେ ସୀମିତ ରହିଯାଇଛି । ଦିନିକିଆ ଓ ଟି-୨୦ ଫର୍ମାଟରେ ତାଙ୍କ ପାଇଁ ବାଟ ବନ୍ଦ ହୋଇସାରିଛି । ଆଠ ବର୍ଷ ପରେ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଟିମରେ ସୁଯୋଗ ମିଳିଥିଲା । କିନ୍ତୁ ଏକମାତ୍ର ଆଶା ‘ପାରମ୍ପରିକ ଫର୍ମାଟ୍’ରେ ବି ସେ ଟିମରେ ନିଜ ସ୍ଥାନ ସୁରକ୍ଷିତ କରିପାରି ନାହାନ୍ତି ଆଉ ଏବେ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ଶେଷ ହେବା ନେଇ ଚର୍ଚ୍ଚା ହେଉଛି ।

ଇଂଲଣ୍ଡ ସିରିଜରେ ଫ୍ଲପ୍ ଶୋ’

ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନର ଦମରେ କରୁଣ ଆଠ ବର୍ଷର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ ଟିମ୍ରେ ସ୍ଥାନ ପାଇଥିଲେ । ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ କରିବା ଲାଗି ତାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଥିଲା । ବିଶେଷକରି ସେ ତିନି ନମ୍ବର ସ୍ଥାନର ଚିନ୍ତା ଦୂର କରିବେ ବୋଲି ଆଶା କରାଯାଉଥିଲା, ଯେଉଁଠି ଚେତେଶ୍ୱର ପୂଜାରାଙ୍କ ସଠିକ୍ ବିକଳ୍ପର ସନ୍ଧାନ ଜାରି ରହିଛି ।

Advertisment

କିନ୍ତୁ ସେମିତି ହେଲା ନାହିଁ । ସେ ସୁଯୋଗର ଫାଇଦା ଉଠାଇପାରି ନ ଥିଲେ । ଇଂଲଣ୍ଡ ଗସ୍ତରେ ତାଙ୍କୁ ପାଞ୍ଚରୁ ଚାରି ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ସେ ଆଠ ଇନିଂସ୍ ଖେଳି ୨୫.୬୨ ଆଭରେଜ୍ରେ ମାତ୍ର ୨୦୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ଥିଲା । ସେ ନା ତିନି ନମ୍ବରରେ ଫିଟ୍ ହୋଇପାରିଲେ ନା ଛଅ ନମ୍ବରରେ । ଏହି ନୈରାଶ୍ୟଜନକ ପ୍ରଦର୍ଶନ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।

ଅବଶ୍ୟ ଏ କଥା ଠିକ୍ ଯେ କରୁଣଙ୍କୁ ଆନ୍ତର୍ଜାତିକ କ୍ରିକେଟ୍ରେ ବେଶୀ ସୁଯୋଗ ମିଳି ନାହିଁ । ଦୀର୍ଘ ଦିନ ପରେ ଯେତେବେଳେ ସେ ଟିମ୍ରେ ସ୍ଥାନ ପାଇଲେ, ସେତେବେଳେ ତାଙ୍କୁ ଇଂଲଣ୍ଡର କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା । ଏହି କାରଣରୁ ସେ ନିଜ ପ୍ରତିଭାର ଅନୁରୂପ ପ୍ରଦର୍ଶନ କରିପାରି ନ ଥିଲେ ।

ତାଙ୍କୁ ଆଉ କିଛି ମ୍ୟାଚ୍ରେ ସୁଯୋଗ ଦିଆଯାଇଥିଲେ, ହୁଏତ ସେ ଫର୍ମ ହାସଲ କରିପାରିଥାନ୍ତେ; ଅନ୍ତତଃ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ, ଯେଉଁଠି ସିରିଜ୍ ଘରୋଇ ପିଚ୍ରେ ଖେଳାଯାଉଛି ।
କରୁଣ ଏ ଯାବତ ୧୦ ଟେଷ୍ଟ ମ୍ୟାଚ୍ ଖେଳି ୫୭୯ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କ ଆଭରେଜ୍ ରହିଛି ୪୧.୩୫ । ଏହାଛଡ଼ା ସେ ଦୁଇ ଦିନିକିଆ ଆନ୍ତର୍ଜାତିକ ଖେଳି ୪୬ ରନ୍ କରିଛନ୍ତି । ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ତାଙ୍କ ନାମରେ ୮,୬୭୫ ରନ୍ ରହିଛି ।

କାରଣ ସ୍ପଷ୍ଟ କଲେ ଅଗରକର

ଚୟନ କମିଟି ମୁଖ୍ୟ ଅଜିତ ଅଗରକର ଟେଷ୍ଟ ଟିମ୍ରୁ କରୁଣଙ୍କୁ କଢ଼ାଯିବାର କାରଣ ସ୍ପଷ୍ଟ କରିଛନ୍ତି ।
ଟିମ୍ ଚୟନ ପରେ ସାମ୍ବାଦିକ ସମ୍ମିଳନୀରେ ଅଗରକର କହିଥିଲେ, “ସତ କହିବାକୁ ଗଲେ, ଆମର କରୁଣଙ୍କ ଠାରୁ ଆଉ ଟିକେ ଆଶା ଥିଲା । ସେ ଚାରି ଟେଷ୍ଟରେ ଖେଳିଥିଲେ ଏବଂ କେବଳ ଗୋଟିଏ ଇନିଂସ୍ର ଆଲୋଚନା ହେଉଛି । ଦୁର୍ଭାଗ୍ୟବଶତଃ, ସମସ୍ତଙ୍କୁ ୧୫-୨୦ ଟେଷ୍ଟ ଖେଳିବାର ସୁଯୋଗ ମିଳିପାରିବନି । ଆମକୁ ଲାଗୁଛି ଯେ ଏବେ ଦେବଦତ୍ତ ପଡିକ୍କଲ ଟିମ୍ ପାଇଁ ଉତ୍ତମ ବିକଳ୍ପ ହେବେ ।”

ଏହି ପୂର୍ବତନ କ୍ରିକେଟର୍ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଭାରତୀୟ ଟିମରେ ସ୍ଥାନ ବଜାୟ ରଖିବା ବହୁତ କଷ୍ଟ, କାରଣ ସବୁ ଖେଳାଳିଙ୍କୁ ସୀମିତ ସୁଯୋଗ ମିଳିଥାଏ । ଚୟନକାରୀମାନଙ୍କ ବିଚାରରେ ଦୀର୍ଘ ସମୟ ଯାଏଁ କରୁଣଙ୍କୁ ବ୍ୟାକ୍ଅପ୍ ଦେବା ଟିମର ସ୍ୱାର୍ଥ ଦୃଷ୍ଟିରୁ ଠିକ୍ ହେବ ନାହିଁ ।

ଚୟନକାରୀମାନେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ କରୁଣଙ୍କ ସ୍ଥାନରେ ଯୁବ ଖେଳାଳି ଦେବଦତ୍ତଙ୍କ ଉପରେ ଭରସାବ୍ୟକ୍ତ କରିଛନ୍ତି । ଦେବଦତ୍ତ ପୂର୍ବରୁ ବି ଭାରତୀୟ ଟେଷ୍ଟ ଟିମର ଅଂଶବିଶେଷ ରହିସାରିଛନ୍ତି । ସେ ଦୁଇ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।

ନିକଟରେ ଦେବଦତ୍ତ ଲକ୍ଷ୍ନୌ ଠାରେ ଆୟୋଜିତ ଅଷ୍ଟ୍ରେଲିଆ-ଏ ବିପକ୍ଷ ଅନୌପଚାରିକ ଟେଷ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଶତକୀୟ ଇନିଂସ୍ ଖେଳିଥିଲେ । ଚୟନକାରୀଙ୍କ ବିଚାରରେ ତାଙ୍କ ସଦ୍ୟତମ ଫର୍ମ ଓ ବୈଷୟିକ ପରିପକ୍ୱତା ଟିମ୍ ପାଇଁ ଲାଭଦାୟକ ହେବ ।

ଆଗକୁ କ’ଣ କରିବେ

କରୁଣଙ୍କ ଟେଷ୍ଟ କ୍ୟାରିଅର୍ ଏବେ ଅନିଶ୍ଚିତତା ଆଡ଼କୁ ଗତି କରୁଛି । ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ତ୍ରିଶତକ ଲଗାଇଥିବା ଏହି ବ୍ୟାଟର୍ଙ୍କୁ ସେତେବେଳେ ଭାରତୀୟ ଟେଷ୍ଟ କ୍ରିକେଟ୍ର ଭବିଷ୍ୟତ କୁହାଯାଉଥିଲା । କିନ୍ତୁ ଏହା ପରଠାରୁ ତାଙ୍କ କ୍ୟାରିଅର୍ ଉତ୍ଥାନ-ପତନଭରା ରହିଆସିଛି ।

ଏବେ ଚୟନ କମିଟି ସ୍ପଷ୍ଟ କରିଦେଇଛି ଯେ ଖେଳାଳିଙ୍କ ଚୟନ ବେଳେ ସେମାନଙ୍କ ସଦ୍ୟତମ ଫର୍ମକୁ ଧ୍ୟାନରେ ରଖାଯିବ । ତେଣୁ କରୁଣଙ୍କ ପାଇଁ ଘରୋଇ କ୍ରିକେଟ୍ରେ ଲଗାତାର ରନ୍ କରିବା ହିଁ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ ପାଇଁ ଏକମାତ୍ର ବାଟ ହେବ ।

କିନ୍ତୁ ଏହା ସେତେ ସହଜ କଥା ନୁହେଁ । ତାଙ୍କୁ ଏବେ ୩୩ ବର୍ଷ ବୟସ ହେଲାଣି । ଅଷ୍ଟ୍ରେଲିଆ-ଏ ବିପକ୍ଷ ଅନୌପଚାରିକ ଟେଷ୍ଟ ସିରିଜ୍ରେ ତାଙ୍କୁ ସୁଯୋଗ ମିଳି ନାହିଁ । ଚୟନକାରୀ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ।

ଯଦି ଦେବଦତ୍ତ କାରିବୀୟ ସିରିଜରେ ବିଫଳ ହୁଅନ୍ତି, ତା’ହେଲେ ସରଫରାଜ୍ ଖାନ୍ ଲାଇନରେ ଅଛନ୍ତି । ଅତଏବ, ନିଜ ଆନ୍ତର୍ଜାତିକ କ୍ୟାରିଅରକୁ ଆଗକୁ ବଢ଼ାଇବା କରୁଣଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହେବ ।

Cricket
Advertisment
Related Articles
Advertisment