Advertisment

India faces England in T20 World Cup: କାଲି T-20 ବିଶ୍ୱକପରେ ସୁପର୍ ଫାଇଟ୍; ଭାରତର ଖରାପ ଫିଲ୍ଡିଂ ଓ ଦୁର୍ବଳ ବୋଲିଂକୁ ନେଇ ଚିନ୍ତା

କାଲି T-20 ବିଶ୍ୱକପରେ ସୁପର୍ ଫାଇଟ୍। କାଲି ମୁମ୍ବାଇରେ ଇଂଲଣ୍ଡ ବନାମ ଇଣ୍ଡିଆ। ଦ୍ବିତୀୟ ସେମିଫାଇନାଲରେ ହେବ କଡ଼ା ଟକ୍କର୍। ଭାରତର ଖରାପ ଫିଲ୍ଡିଂ ଓ ଦୁର୍ବଳ ବୋଲିଂକୁ ନେଇ ଚିନ୍ତା। ବଡ଼ ସ୍କୋର୍ ଅପେକ୍ଷାରେ ଫ୍ୟାନ୍।

author-image
Pramod Behera
India faces England in T20 World Cup

କାଲି T-20 ବିଶ୍ୱକପରେ ସୁପର୍ ଫାଇଟ୍ Photograph: (OTV)

ସ୍ବପ୍ନର ସହରରେ ସ୍ବପ୍ନ ପୂରା କରିବାକୁ ଆସନ୍ତାକାଲି ମୈଦାନକୁ ଓହ୍ଲାଇବ ସୂର୍ଯ୍ୟସେନା। ଟି-୨୦ ବିଶ୍ୱକପର ଦ୍ବିତୀୟ ସେମିଫାଇନାଲରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ଅଭିଷେକଙ୍କୁ ନେଇ ଭାରତର ଚିନ୍ତା ବଢୁଥିବାବେଳେ, ଖରାପ ଫିଲ୍ଡିଂ ଓ ଦୁର୍ବଳ ବୋଲିଂ ବି ଟେନସନ୍ ବଢାଇଛି। କାହାର ପଲ୍ଲା ଭାରି ଓ କାହା ସପକ୍ଷରେ ରହିଛି ରେକର୍ଡ, ଆସନ୍ତୁ ଜାଣିବା।

Advertisment

ଟି-20 ବିଶ୍ୱକପର ବଡ଼ ଫାଇଟ୍ । ମୁମ୍ବାଇରେ ମହାମୁକାବିଲା । ହିଷ୍ଟ୍ରି ରିପିଟ୍ ଓ ହିଷ୍ଟ୍ରି ଡିଫିଟ୍ ପାଇଁ ଆଉ ମାତ୍ର ଦୁଇ ପାଦ ଦୂର।ଆସନ୍ତାକାଲି ୱାଙ୍ଖଡେ ଷ୍ଟାଡିୟମରେ ଶକ୍ତିଶାଳୀ ଇଂଲଣ୍ଡ ସହ ଡିଫେଣ୍ଡିଂ ଚାମ୍ପିୟନ ଟିମ୍ ଇଣ୍ଡିଆର ହେବ କଡା ଟକ୍କର। ଫାଇନାଲ୍ ଫାଇଟ୍ ପାଇଁ କିଏ ହାତେଇବ ଟିକେଟ୍, ଆଉ ଚୁରମାର୍ ହେବ କାହାର ସ୍ୱପ୍ନ, ଏବେ ତା ଉପରେ ନଜର। ରେକର୍ଡ ଯଦିଓ ଭାରତ ସପକ୍ଷରେ ରହିଛି, କିନ୍ତୁ ବଡ଼ ମ୍ୟାଚରେ ଇଂଲିଶ୍ ଟିମ୍ ବଡ଼ ବିପର୍ଯ୍ୟୟ ଘଟାଇବାର ବି ନଜିର ରହିଛି।

ସବୁଠୁ ବଡ଼ କଥା ହେଉଛି ଟି-୨୦ ବିଶ୍ୱକପର ଗତ ଦୁଇଟି ସଂସ୍କରଣରେ ମଧ୍ୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ। ଏବେ କ୍ରମାଗତ ତୃତୀୟ ଥର ପାଇଁ ଉଭୟ ଦଳ ପରସ୍ପରକୁ ସେମିରେ ଭେଟିବେ। ୨୦୨୨ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ମାତ୍ ଦେଇଥିଲା। 

Advertisment

ଆଉ ୨୦୨୪ରେ ୬୮ ରନରେ ଇଂଲଣ୍ଡକୁ ହରାଇଥିଲା ମେନ୍ ଇନ୍ ବ୍ଲୁ। ଅନ୍ତର୍ଜାତୀୟ ଟି-୨୦ ରେ ଉଭୟ ଦଳ ୨୯ ଥର ମୁହାଁମୁହିଁ ହୋଇଥିବାବେଳେ ଭାରତ ୧୭ଟି ଓ ଇଂଲଣ୍ଡ ୧୨ଟି ମ୍ୟାଚରେ ବିଜୟୀ ହୋଇଛି। ସେହିପରି ଟି-୨୦ ବିଶ୍ୱକପରେ ଉଭୟ ଦଳ ପରସ୍ପର ସହ ୫ଟି ମ୍ୟାଚ୍ ଖେଳିଥିବାବେଳେ ଭାରତ ୩ଟି ଓ ଇଂଲଣ୍ଡ ୨ଟି ମ୍ୟାଚରେ ଜିତିଛି। ୱାଙ୍ଖଡେ ଷ୍ଟାଡିୟମରେ ଉଭୟ ଟିମ୍ ୨ଟି ଟି-୨୦ ଖେଳିଛନ୍ତି। ଏଥିରୁ ଗୋଟିଏ ଭାରତ ଓ ଆଉ ଏକ ବିଜୟ ଇଂଲଣ୍ଡ ନିଜ ନାଁରେ କରିଛି। 

ବ୍ୟାଟିଂ, ବୋଲିଂ ଉଭୟ କ୍ଷେତ୍ରରେ ଦୁଇ ଦଳ ବେଶ ସନ୍ତୁଳିତ। ଫିଲ୍ପ ସଲ୍ଟ, ଜୋସ୍ ବଟଲର୍, କ୍ୟାପଟେନ୍ ହ୍ୟାରି ବ୍ରୁକ୍, ବେନ୍ ଡକେଟ୍, ଜ୍ୟାକବ ବେଥେଲ୍, ଟମ୍ ବ୍ୟାଣ୍ଟନ୍, ସାମ୍ କୁରନ୍, ୱିଲ୍ ଜ୍ୟାକ୍ସଙ୍କ ଭଳି ବିସ୍ଫୋରକ ବ୍ୟାଟରର ଲମ୍ବା ତାଲିକା ଅଛି ଇଂଲଣ୍ଡ ପାଖରେ । ସେହିପରି ଜୋଫ୍ରା ଆର୍ଚର, ଜୋସ୍ ଟଙ୍ଗ୍, ଆଦିଲ ରାସିଦ, ରେହାନ୍ ଅହମ୍ମଦ, ଲିଆମ୍ ଡାଉସନଙ୍କ ଭଳି ଘାତକ ବୋଲର ବି ଜବରଦସ୍ତ ଫର୍ମରେ ଅଛନ୍ତି। 

ଏପରିକି ଅଲରାଉଣ୍ଡର ୱିଲ୍ ଜ୍ୟାକ୍ସ ଚଳିତ ଟି-୨୦ ବିଶ୍ୱକପରେ ୪-୪ଥର ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଭାରତୀୟ ବ୍ୟାଟର ଦମଦାର ଫର୍ମରେ ଅଛନ୍ତି ସତ, କିନ୍ତୁ ସେମିଫାଇନାଲ ଜିତିବାକୁ ହେଲେ, ବୋଲିଂ ଓ ଫିଲ୍ଡିଂରେ ଦଳକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ବଡ଼ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ୫ଟି ବଡ଼ ଟେନସନ କଣ ଅଛି, ନଜର ପକାନ୍ତୁ। 

ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ଼ ଟେନସନ୍ ହେଉଛି, ଟି-୨୦ରେ ବିଶ୍ୱର ୧ ନମ୍ବର ବ୍ୟାଟର ଅଭିଷେକ ଶର୍ମାଙ୍କ ଖରାପ ଫର୍ମ । ସେହିପରି ପୂରା ଟୁର୍ଣ୍ଣାମେଣ୍ଟରେ ଓପନିଂ ପାର୍ଟନରସିପ୍ ବାରମ୍ବାର ବିଫଳ ହେବା ବଡ଼ ଚିନ୍ତାର କାରଣ। ଦୁର୍ବଳ ଫିଲ୍ଡିଂ ଓ କ୍ୟାଚ ମିସ୍ ଭାରତୀୟ ଦଳକୁ ମହଙ୍ଗା ପଡିପାରେ। ବ୍ୟାଟିଂ ଜବରଦସ୍ତ ଥିଲେ ବି ପ୍ରଭାବୀ ପ୍ରଦର୍ଶନ କରିନି ଟିମ୍ ଇଣ୍ଡିଆର ବୋଲିଂ ବାହିନୀ । ସୂର୍ଯ୍ୟସେନାର ବ୍ରହ୍ମାସ୍ତ୍ର କୁହାଯାଉଥିବା ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୁହ କାମ ନକରିବା ପାଇଁ ମେନ୍ ଇନ୍ ବ୍ଲୁ ପାଇଁ ଚିନ୍ତା ବଢାଇଛି। 

ମୁମ୍ବାଇ ପିଚ୍ ବ୍ୟାଟରଙ୍କୁ ସୁହାଇବ। ତେଣୁ ସେମିଫାଇନାଲରେ ବଡ ସ୍କୋରର ଆକଳନ କରିଛନ୍ତି ପିଚ୍ କ୍ୟୁରେଟର୍। ଏହି ରୋମାଞ୍ଚକର ଓ ହାଇଭୋଲ୍ଟେଜ ମ୍ୟାଚରେ କିଏ ହାତେଇବ ଫାଇନାଲ୍ ଟିକେଟ୍, ଏବେ ତାକୁ ଅପେକ୍ଷା।

Cricket T20 World Cup India Vs England
Advertisment
Advertisment