Advertisment

Team India Faces Three Big T20 Problems: ଏସିଆ କପ୍ ସଫଳତା ସତ୍ତ୍ୱେ ଭାରତୀୟ ଟି-୨୦ ଟିମ୍ ଆଗରେ ତିନି ବଡ଼ ସମସ୍ୟା

ନିକଟରେ ଏସିଆ କପ୍ ୨୦୨୫ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ମହାଦେଶୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ଆଧିପତ୍ୟ ବଜାୟ ରଖିବା ସତ୍ତ୍ୱେ ଏଥିରେ ତିନି ବଡ଼ ସମସ୍ୟା ଉଜାଗର ହୋଇଛି । ଟି-୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଏହି ସମସ୍ୟାଗୁଡ଼ିକର ସମାଧାନ ନିହାତି ଜରୁରୀ ।

author-image
Biswajit Mohanty
T20

T20 Photograph: (OTV)

ଟିମ୍ ଇଣ୍ଡିଆ ନିକଟରେ ଦୁବାଇ ଠାରେ ଆୟୋଜିତ ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଛି । ଭାରତ ନବମ ଥର ମୁକୁଟ ଜିତି ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟରେ ତା’ର ଆଧିପତ୍ୟ ବଜାୟ ରଖିଛି ।

Advertisment

ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ସମସ୍ତ ସାତ ମ୍ୟାଚ୍ ଜିତିଥିଲା ।  ସେଥିମଧ୍ୟରେ ପାକିସ୍ତାନ ବିପକ୍ଷ ତିନି (ଗ୍ରୁପ୍, ସୁପର୍-୪ ଓ ଫାଇନାଲ୍) ମ୍ୟାଚ୍ ଅନ୍ତର୍ଭୁକ୍ତ ଥିଲା । ଶ୍ରୀଲଙ୍କା ଓ ବାଂଲାଦେଶର ଟିମ୍ ମଧ୍ୟ ଭାରତ ଆଗରେ ଧରାଶାୟୀ ହୋଇଥିଲା ।

କଠିନ ପରିସ୍ଥିତିରେ ଓପନର୍ ଅଭିଷେକ ଶର୍ମାଙ୍କ ପରିପକ୍ୱ ବ୍ୟାଟିଂ ପ୍ରଦର୍ଶନ, ଗୁରୁତ୍ୱପୂର୍ଣ୍ଣ ସମୟରେ ବ୍ୟାଟର୍ ତିଲକ ବର୍ମାଙ୍କ ଉଲ୍ଲେଖନୀୟ ଯୋଗଦାନ, ଦୁଇ ସ୍ପିନର୍ - କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଭାବଶାଳୀ ବୋଲିଂ ଭଳି ସକାରାତ୍ମକତା ସତ୍ତ୍ୱେ ଟୁର୍ଣ୍ଣାମେଣ୍ଟ ସମୟରେ ତିନି ବଡ଼ ସମସ୍ୟା ଉଜାଗର ହୋଇଥିଲା ।

Advertisment

ଅଧିନାୟକ ସୂର୍ଯ୍ୟକୁମାରଙ୍କ ଚିନ୍ତାଜନକ ଫର୍ମ

ସବୁଠାରୁ ବଡ଼ ସମସ୍ୟା ହେଉଛି, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଚିନ୍ତାଜନକ ଫର୍ମ ।  ସେ ଚଳିତ ବର୍ଷ ଏ ଯାବତ ୧୨ଟି  ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୦୫.୨୬ ଷ୍ଟ୍ରାଇକ୍ ରେଟ୍ରେ ମାତ୍ର ୧୦୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ବି ଅର୍ଦ୍ଧଶତକ ନାହିଁ ଏବଂ ସେ ତିନି ଥର ଖାତା ଖୋଲିପାରି ନାହାନ୍ତି ।

ତେବେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୫ରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେ ୬୫.୧୮ ଆଭରେଜ୍ ଓ ୧୬୭.୯୧ ଷ୍ଟ୍ରାଇକ୍ ରେଟ୍ରେ ୭୧୭ ରନ୍ କରିଥିଲେ । ଟପ୍ ସ୍କୋରର୍ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ସୂର୍ଯ୍ୟକୁମାରଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ଟି-୨୦ ମଧ୍ୟରେ ସୀମିତ ହୋଇଗଲାଣି । ଏବେ କ୍ଷୁଦ୍ରତମ ଫର୍ମାଟ୍ରେ ବି ସେ ଆଶାଜନକ ପ୍ରଦର୍ଶନ କରିପାରୁ ନାହାନ୍ତି, ଯେଉଁଥିରେ ସେ ୨୬୦୦ରୁ ଅଧିକ ରନ୍ କରିସାରିଛନ୍ତି ।

ରୋହିତ ଶର୍ମାଙ୍କ ଠାରୁ ଉତ୍ତରାଧିକାର ସମ୍ଭାଳିବା ପରେ ସେ ଟିମ୍ର ସଫଳ ନେତୃତ୍ୱ ନେଇଆସୁଛନ୍ତି; ହେଲେ କେବଳ ନେତୃତ୍ୱ-ଦକ୍ଷତା ଯଥେଷ୍ଟ ନୁହେଁ, ତାଙ୍କୁ ବ୍ୟାଟିଂରେ ବି ଭଲ ପ୍ରଦର୍ଶନ କରିବାକୁ ହେବ । ସେ ପେସର୍ କି ସ୍ପିନର୍ - କାହାର ବି ସାମ୍ନା କରିପାରୁ ନାହାନ୍ତି ।

ବ୍ୟାଟିଂ ପ୍ରଦର୍ଶନରେ ଅବନତି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏଭଳି ପ୍ରଦର୍ଶନ କଲେ ଆଗାମୀ ଟି-୨୦ ବିଶ୍ୱକପ୍ରେ ଟିମ୍ରେ ତାଙ୍କ ସ୍ଥାନ କି ଅଧିନାୟକତ୍ୱ ସୁରକ୍ଷିତ ରହିପାରିବ ତ? ଏହା ଏକ ବଡ଼ ପ୍ରଶ୍ନ ।

ବ୍ୟାଟିଂ କ୍ରମରେ ଅସ୍ଥିରତା

ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଭଳି ସର୍ବୋଚ୍ଚ ମଞ୍ଚକୁ ଯିବା ପୂର୍ବରୁ ଭାରତୀୟ ବ୍ୟାଟିଂ କ୍ରମରେ ସ୍ଥିରତା ଆସିବା ଜରୁରୀ । ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଲକ ବର୍ମା, ସଞ୍ଜୁ ସାମ୍ସନ୍ ଓ ସୂର୍ଯ୍ୟକୁମାର ଯାଦବ ଶୀର୍ଷକ୍ରମ ପାଇଁ ଉପଯୁକ୍ତ ଖେଳାଳି । ଗିଲ୍ ଅନୁପସ୍ଥିତ ଥିବା ବେଳେ ସେତେ ଅସ୍ଥିରତା ନ ଥିଲା । କିନ୍ତୁ ସେ ଏସିଆ କପ୍ ଜରିଆରେ ଟିମକୁ ଫେରିବା ପରେ ବ୍ୟାଟିଂ କ୍ରମରେ ସ୍ଥିରତା ରହିପାରି ନାହିଁ ।

ଗିଲ୍ ନ ଥିବା ବେଳେ ଅଭିଷେକ ଓ ସଞ୍ଜୁ ଓପନିଂ ସ୍ଥାନରେ ସେଟ୍ ହୋଇଯାଇଥିଲେ ।  କିନ୍ତୁ ଗିଲ୍ ଆସିବା ପରେ ଅଭିଷେକଙ୍କ ସହ ଓପନିଂ କଲେ ଏବଂ ସଞ୍ଜୁଙ୍କୁ ମଧ୍ୟକ୍ରମକୁ ପଠାଗଲା । ତେବେ ନା ଗିଲ୍ ଆଶାଜନକ ପ୍ରଦର୍ଶନ କରିପାରିଲେ ନା ସଞ୍ଜୁ ମଧ୍ୟକ୍ରମରେ ତାଳମେଳ ସ୍ଥାପନ କରିପାରିଲେ ।

ଓମାନ୍ ବିପକ୍ଷ ଗ୍ରୁପ୍ ମ୍ୟାଚରେ ସଞ୍ଜୁଙ୍କୁ ତିନି ନମ୍ବରରେ ପଠାଯାଇଥିଲା ଏବଂ ସେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । କିନ୍ତୁ ଅନ୍ୟ ମ୍ୟାଚରେ ସେମିତି ଦେଖିବାକୁ ମିଳି ନ ଥିଲା ।
ତିନି ନମ୍ବର ସ୍ଥାନରେ ସୂର୍ଯ୍ୟକୁମାର ନିରାଶ କରିଥିଲେ । ପୂର୍ବରୁ ତିଲକ ଏହି ସ୍ଥାନରେ ଖେଳି ଦମ୍ଦାର ପ୍ରଦର୍ଶନ କରିବାର ଦୃଷ୍ଟାନ୍ତ ଅଛି । ସେ ମଧ୍ୟକ୍ରମରେ ଲଗାତାର ଭଲ ପ୍ରଦର୍ଶନ କରିପାରି ନ ଥିଲେ । ତାଙ୍କୁ କେତେବେଳେ ଚାରି ନମ୍ବର ତ କେତେବେଳେ ଛଅ ନମ୍ବରରେ ପଠାଯାଇଥିଲା । ଥରେ ସେ ସାତ ନମ୍ବରରେ ଆସିଥିଲେ ।

ଗୋଟିଏ ମ୍ୟାଚରେ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ଶିବମ୍ ଦୁବେଙ୍କୁ ତିନି ନମ୍ବରରେ ବ୍ୟାଟିଂ ପାଇଁ ପଠାଯାଇଥିଲା, ହେଲେ ସେ ବିଫଳ ହୋଇଥିଲେ । ଏସିଆ କପରେ ଓପନିଂ ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନ ଉପରେ ପରୀକ୍ଷାନିରୀକ୍ଷା ହୋଇଥିଲା ।

ତେବେ ଏ କଥା ବୁଝିବାକୁ ହେବ ଯେ ଓପନିଂ ବ୍ୟାଟର୍ ବିଫଳ ହେବା ସ୍ଥଳେ ଅନ୍ୟ ବ୍ୟାଟର୍ଙ୍କ ପାଇଁ ଭୂମିକା ଧାର୍ଯ୍ୟ ହୋଇ ନ ଥିଲେ, ଟିମ୍ ଦୁର୍ବଳ ହୋଇଯାଏ । ତେଣୁ ବ୍ୟାଟିଂ କ୍ରମରେ ସ୍ଥିରତା ଜରୁରୀ ଏବଂ ବ୍ୟାଟର୍ଙ୍କ ଭୂମିକା ଧାର୍ଯ୍ୟ ହେବା ଦରକାର । ଅବଶ୍ୟ ଆବଶ୍ୟକ ସ୍ଥଳେ ବ୍ୟାଟିଂ କ୍ରମ ବଦଳାଯାଇପାରିବ ।

ଦୁର୍ବଳ ଫିଲ୍ଡିଂ ପ୍ରଦର୍ଶନ

ପୂରା ଏସିଆ କପ୍ରେ ଅପରାଜେୟ ରହି ଚାମ୍ପିଅନ୍ ହେବା ସତ୍ତ୍ୱେ ଟିମ୍ ଇଣ୍ଡିଆର ଦୁର୍ବଳ ଫିଲ୍ଡିଂ ପ୍ରଦର୍ଶନ ବିଶେଷକରି କ୍ୟାଚ୍ ଛାଡ଼ିବା ଚର୍ଚ୍ଚାର ବିଷୟ ହୋଇଛି । ଫିଲ୍ଡିଂ କୋଚ୍ ଟି. ଦିଲୀପଙ୍କ ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠିଛି ।

ଭାରତୀୟ ଟିମ୍ ସୁପର୍-୪ରେ ଶ୍ରୀଲଙ୍କା ବିପକ୍ଷ ନିଜ ଶେଷ ମ୍ୟାଚ୍ ପୂର୍ବ ଯାଏଁ ୧୨ କ୍ୟାଚ୍ ଛାଡ଼ିସାରିଥିଲା । ଏହି ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତୀୟ ଫିଲ୍ଡର ସର୍ବାଧିକ ପାଞ୍ଚ କ୍ୟାଚ୍ ଛାଡ଼ିଥିଲେ । ଜୀବନଦାନ ପାଇଥିବା ବାଂଲା ବ୍ୟାଟର୍ ସୈଫ୍ ହସନ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ ।

ପାକିସ୍ତାନ ବିପକ୍ଷ ସୁପର୍-୪ ମ୍ୟାଚ୍ରେ ସୂର୍ଯ୍ୟକୁମାରଙ୍କ ଟିମ୍ ଚାରି କ୍ୟାଚ୍ ଛାଡ଼ିଥିଲା । ସାହିବଜାଦା ଫରହାନ୍ ବି ଜୀବନଦାନର ଫାଇଦା ଉଠାଇ ଅର୍ଦ୍ଧଶତକ ହାସଲ କରିଥିଲେ ।
ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଟିମରେ ଦୁର୍ବଳ ଫିଲ୍ଡିଂ ଦ୍ୱାରା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥିଲେ । ଏଥିନେଇ ସେ ଅସନ୍ତୋଷ ବି ପ୍ରକଟ କରିଥିଲେ । ଫିଲ୍ଡିଂରେ ସୁଧାର ଉପରେ ଫୋକସ୍ କରାଯିବା ଆବଶ୍ୟକ । ଟି-୨୦ ବିଶ୍ୱକପ୍ ୨୦୨୬ରେ ଗୋଟିଏ କ୍ୟାଚ୍ ଛାଡ଼ିବା ବି ମହଙ୍ଗା ପଡ଼ିପାରେ ।

ଏସିଆ କପ୍ ବିଜୟ ନିଶ୍ଚିତରୂପେ ଭାରତ ପାଇଁ ବଡ଼ ସଫଳତା, ହେଲେ ସେଠାରେ ଟିମ୍ ଆଗରେ ସୀମିତ ଚାଲେଞ୍ଜ୍ ଥିଲା । କିନ୍ତୁ ଟି-୨୦ ବିଶ୍ୱକପରେ ଭାରତକୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଟିମ୍ ଠାରୁ ଚାଲେଞ୍ଜ୍ ମିଳିବ । ତେଣୁ ଟିମ୍ ଆଗରେ ଥିବା ତିନି ବଡ଼ ସମସ୍ୟାର ସମାଧାନ ନିହାତି ଜରୁରୀ ।

Team India Cricket T20 Team India
Advertisment
Related Articles
Advertisment