/odishatv-khabar/media/post_attachments/uploadimage/library/16_9/16_9_0/Virat-Kohllo_1620480012.jpg)
Virat-Kohllo
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବେ ସମାଜ ସେବାରେ ଲାଗିପଡ଼ିଛନ୍ତି । କରୋନା ବିରୋଧରେ ଲଢ଼େଇ ଏବଂ ଲୋକଙ୍କୁ ସହଯୋଗ କରିବା ପାଇଁ ସେ ଅର୍ଥ ଯୋଗାଡ଼ କରିବାରେ ଜୋରସୋର ଚେଷ୍ଟା ଚଳାଇଛନ୍ତି । ଅନୁଷ୍କା ଏବଂ ବିରାଟ କିଟୋରେ ପାଣ୍ଠି ସଂଗ୍ରହ ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଯେଉଁ ପାଣ୍ଠି ସଂଗ୍ରହ ହେବ ତାହା ଏସିଟି ଗ୍ରାଣ୍ଟସକୁ ଦିଆଯିବ । ଏସିଟି ଗ୍ରାଣ୍ଟସ, ଅମ୍ଳଜାନ ଯୋଗାଇବା ଏବଂ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ସାମଗ୍ରୀ ଯୋଗାଇବାରେ କାମ କରୁଛି ।
ବିରାଟ-ଅନୁଷ୍କା ଏହି ସାତଦିନିଆ ଅଭିଯାନ ପାଇଁ ଦୁଇ କୋଟି ଟଙ୍କା ଦାନ କରିଛନ୍ତି । ଏହି ଅଭିଯାନ ଦ୍ୱାରା ୭ କୋଟି ଟଙ୍କା ସଂଗ୍ରହ କରାଯିବାର ଯୋଜନା ରହିଛି । ଅନ୍ୟପଟେ ବିରାଟ ସୂଚନା ଦେଇଛନ୍ତି ଯେ, ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୩.୬ କୋଟି ଟଙ୍କା ସଂଗ୍ରହ ହୋଇସାରିଛି । ବିରାଟ କୋହଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୩.୬ କୋଟି ଟଙ୍କା ସଂଗ୍ରହ ଅତ୍ୟନ୍ତ ଉତ୍ସାହ ଜନକ । ଆମ ଲକ୍ଷ୍ୟକୁ ପୁରଣ କରିବା ପାଇଁ ସଂଘର୍ଷ ଜାରି ରଖନ୍ତୁ ଏବଂ ଦେଶକୁ ସହଯୋଗ କରନ୍ତୁ ।
ପ୍ରଥମେ ଶୁକ୍ରବାର କୋହଲି ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ, ଆମ ଦେଶ ଏବେ ଏକ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛି । ଏବେ ସମୟ ଆସିଛି ଆମ ଦେଶ ପାଇଁ ଆମେ ଏକାଠି ହେବା ଏବଂ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିବା । ମୁଁ ଏବଂ ଅନୁଷ୍କା ଗତ ଏକ ବର୍ଷ ହେବ ଲୋକଙ୍କ କଷ୍ଟ ଦେଖି, ଅତ୍ୟନ୍ତ ମର୍ମାହତ । କୋହଲି ଆହୁରି କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ଏହି ସମୟରେ ଅଧିକରୁ ଅଧିକ ଲୋକଙ୍କୁ ସହଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ସେ କହିଛନ୍ତି, ଆମେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ଦିଗରେ କାର୍ଯ୍ୟ କରୁଛୁ । ଭାରତକୁ ଏବେ ଆମର ସବୁଠୁ ଅଧିକ ସହଯୋଗ ଆବଶ୍ୟକ । ଆମେ ଏହି ବିଶ୍ୱାସର ସହ ପାଣ୍ଠି ସଂଗ୍ରହ କରିବାର ଭାର ଉଠାଇଛୁ । ଅଭାବୀ ଓ ଗରିବ ଲୋକଙ୍କ ସାହାଯ୍ୟ ପାଇଁ ଅଧିକରୁ ଅଧିକ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ । ଆମର ବିଶ୍ୱାସ ରହିଛି ଯେ, ଦେଶବାସୀଙ୍କୁ ସହଯୋଗ କରିବା ପାଇଁ ଲୋକମାନେ ସ୍ୱତପୁତ ଭାବେ ଆଗକୁ ଆସିବେ ।ଆମେ ଏକଜୁଟ୍ ଅଛୁ ଏବଂ ଏହି ଲଢ଼େଇରେ ଆମେ ନିଶ୍ଚୟ ଜିତିବୁ । ସେହିଭଳି ଅନୁଷ୍କା ଫ୍ୟାନ୍ମାନଙ୍କୁ ଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ଫରକ ଆଣିପାରେ । ସମସ୍ତେ ମିଶି ଆମେ ଏହାକୁ ସାମ୍ନା କରିପାରିବା ବୋଲି ଅନୁଷ୍କା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)