/odishatv-khabar/media/post_attachments/uploadimage/library/16_9/16_9_0/Capture-4_1620579240.jpg)
IAN Chhapell
ନୂଆଦିଲ୍ଲୀ: ଭାରତରେ ଖେଳାଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ସିନିୟର କ୍ରିକେଟର ଇଆନ୍ ଚାପେଲ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଯେଭଳି ଭାବେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଗଲା । ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ଆଗାମୀ ଦିନରେ ଭାରତରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ମଧ୍ୟ ଭାରତରେ ଆୟୋଜିତ ନହୋଇ ଅନ୍ୟ କେଉଁ ଦେଶରେ ହେବାର ସମ୍ଭାବନା ଅଧିକ । କଡ଼ା ବାୟୋ ବବୁଲ ଭିତରେ ରହି ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ସାହା, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା ଏବଂ କୋଲକାତା ନାଇଟ୍ ରାଇଡର୍ସର ସନ୍ଦୀପ ୱାରିଅର୍ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଏଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
ଇୟାନ୍ ଚାପେଲ୍ କ୍ରିକ୍ଇନଫୋରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ସାଧାରଣରେ କରୋନା ସଂକ୍ରମଣ, ମୃତ୍ୟୁ ଏବଂ ଖେଳାଳିଙ୍କ ମଧ୍ୟରେ ପଜିଟିଭ୍ ଚିହ୍ନଟ କାରଣରୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖାଗଲା । ଏହାକୁ ଦେଖିଲେ ଲାଗୁଛି ବର୍ତ୍ତମାନ ପରିସ୍ଥିତିରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ସହଜ ନୁହେଁ । ଭାରତରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଦେଖାଯାଇଛି, ପ୍ରତିଦିନ ଚାରି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଅକ୍ଟୋବର-ନଭେମ୍ବରରେ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏନେଇ ଆଶଙ୍କା ସୃଷ୍ଟି ହୋଇଛି ।
ପୂର୍ବରୁ ମଧ୍ୟ ଖେଳ ପ୍ରଭାବିତ ହୋଇଛି
ଇୟନ୍ ଚାପେଲ୍ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ ସ୍ଥଗିତ ନିଷ୍ପତ୍ତି ଏକ ଉଦାହରଣ ସୃଷ୍ଟି କରିପାରିବ । ଏହାପରେ ଭାରତରେ ବର୍ଷ ଶେଷ ବେଳକୁ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ମଧ୍ୟ ସ୍ଥଗିତ ରଖାଯାଇପାରେ କିମ୍ବା ଅନ୍ୟତ୍ର ଆୟୋଜନ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅନେକ ଥର କୌଣସି ନା କୌଣସି କାରଣରୁ ଖେଳ ପ୍ରଭାବିତ ହୋଇଛି । ଏମିତିକି ପୂର୍ବରୁ କିଛି କାରଣରୁ ଖେଳାଳିଙ୍କ ଗସ୍ତ ବାତିଲ କରାଯାଇଛି ଏବଂ ମ୍ୟାଚ୍ ରଦ୍ଦ କରାଯାଇଛି । ଏଭଳି ଘଟଣା ସହ ଅନେକ କାହାଣୀ ଯୋଡ଼ି ହୋଇ ରହିଛି । ସେଥିମଧ୍ୟରୁ କିଛି ଦୁଃଖଦ ରହିଥିବା ବେଳେ ଆଉ କିଛି ମନରୋମ ମଧ୍ୟ ରହିଛି । ‘ଟି-୨୦ ବିଶ୍ୱକପ ଗତ ବର୍ଷ ଆୟୋଜନ ହେବାର ଥିଲା । କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।
ଟି-୨୦ ଲିଗର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଅନେକ ଦେଶ ଦୌଡ଼ରେ
ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବା ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି । କରୋନା କାରଣରୁ ଆଇପିଏଲ ୨୦୨୧କୁ ମାତ୍ର ୨୯ ମ୍ୟାଚ୍ ପରେ ସ୍ଥଗିତ ରଖାଯାଇଛି । ଏବେ ଆଉ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକି ରହିଛି । ଏଥିପାଇଁ ବିସିସିଆଇ ସ୍ଥାନ ଖୋଜିବାରେ ଲାଗିପଡ଼ିଛି । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ୟୁଏଇରେ ଆଇପିଏଲ୍ ଆୟୋଜିତ ହୋଇସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)