/odishatv-khabar/media/post_attachments/uploadimage/library/16_9/16_9_0/TEAM-INDIA_1620478335.jpg)
TEAM INDIA
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଟିମ୍ ଇଣ୍ଡିଆକୁ କ୍ୱାରେଣ୍ଟାଇନ୍ରେ ରହିବାକୁ ହେବ । ସେମାନେ କରୋନା ଆକ୍ରାନ୍ତ ଥାନ୍ତୁ କି ନଥାନ୍ତୁ । ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ । କରୋନା କାଳରେ କ୍ରିକେଟ୍ ଫେରିବା ପରେ ଟିମ୍ ଇଣ୍ଡିଆ ଜୁନ୍ ମାସରେ ନିଜର ଦ୍ୱିତୀୟ ବିଦେଶ ଗସ୍ତରେ ଇଂଲଣ୍ଡ ଯିବ। ସେଠାରେ ପ୍ରଥମେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୧୮ ରୁ ୨୨ ଜୁନ୍ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍ ବିଶିଷ୍ଟ ଏକ ଟେଷ୍ଟ ସିରିଜ୍ ଖେଳିବ । ଏହା ଅଗଷ୍ଟରୁ ଆରମ୍ଭ ହେବ। ତେବେ ଇଂଲଣ୍ଡ ଟୁର ପାଇଁ ଚୟନ ହୋଇଥିବା ଖେଳାଳିମାନଙ୍କୁ ବାଧ୍ୟତାମୂଳକ ଭାବେ ଏକ ସପ୍ତାହ ପର୍ଯ୍ୟନ୍ତ କଡ଼ା କ୍ୱାରେଣ୍ଟାଇନ୍ରେ ରହିବାକୁ ହେବ ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, କୋଚ୍ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ୨୦ଜଣିଆ ଭାରତୀୟ ଦଳ ୨୫ ମେ’ରେ ମୁମ୍ବାଇରେ ଏକାଠି ହେବେ । ଏଠାରେ ପ୍ରସ୍ତୁତ ହୋଇଥିବା ବାୟୋ-ବବୁଲରେ ଖେଳାଳିମାନେ ୮ ଦିନ ପର୍ଯ୍ୟନ୍ତ ରହିବେ । ଏହି ସମୟ ମଧ୍ୟରେ, ସମସ୍ତ ସଦସ୍ୟଙ୍କ ଦୁଇରୁ ତିନିଥର କରୋନା ପରୀକ୍ଷା କରାଯିବ। ଟିମ୍ ଇଣ୍ଡିଆ ଜୁନ୍ ୨ରେ ଇଂଲଣ୍ଡ ଅଭିମୁଖେ ଗସ୍ତ ଆରମ୍ଭ କରିବ। ଆଉ ପହଞ୍ଚିବା ପରେ ସେଠାରେ ମଧ୍ୟ ୧୦ ଦିନି ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବ ପୁରା ଟିମ୍ । ଏହା ପରେ, ଜୁନ୍ ୧୮ରେ ସାଉଥେମ୍ପଟନ୍ରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ ମଇଦାନକୁ ଓହ୍ଲାଇବ ।
ପରିବାରକୁ ସାଙ୍ଗରେ ନେଇ ପାରିବେ
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ ଖେଳାଳିମାନେ ଆସନ୍ତା ୨୫ରେ ବାୟୋ-ବବୁଲରେ ପ୍ରବେଶ କରିବେ । ସେଠାରେ ୮ ଦିନ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ୱାରେଣ୍ଟାଇନ୍ରେ ରହିବେ । ଏହି ସମୟରେ ଖେଳାଳିଙ୍କ ଗତିବିଧି ଊପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ । ଜୁନ୍ ୨ରେ ଇଂଲଣ୍ଡ ଯିବା ପରେ ଦଳ ସେଠାରେ ଦ୍ୱିତୀୟ କ୍ୱାରେଣ୍ଟାଇନ୍ ଅବଧି ଶେଷ କରିବ । ତେବେ ଗୋଟିଏ ବାୟୋ-ବବୁଲରୁ ଅନ୍ୟକୁ ଯିବା ମଧ୍ୟରେ ଭାରତୀୟ ଖେଳାଳିମାନେ ଅଭ୍ୟାସ ଜାରି ରଖିପାରିବେ ବୋଲି କୁହାଯାଇଛି । ଏହି ସମୟ ମଧ୍ୟରେ ଖେଳାଳିମାନଙ୍କର କ୍ରମାଗତ କରୋନା ପରୀକ୍ଷା ମଧ୍ୟ କରାଯିବ । ତେବେ ସବୁଠାରୁ ବଡ଼ କଥା ହେଲା ଏହା ତିନି ମାସର ଏକ ଲମ୍ବା ଯାତ୍ରା ହୋଇଥିବାରୁ ଭାରତୀୟ ଖେଳାଳିଙ୍କୁ ସେମାନଙ୍କ ପରିବାର ସହ ଯିବାକୁ ମଧ୍ୟ ଅନୁମତି ରହିବ ।
ଇଂଲଣ୍ଡରେ ୧୦ ଦିନିଆ କ୍ୱାରେଣ୍ଟାଇନ୍
ଭାରତୀୟ ନାଗରିକଙ୍କୁ ଏବେ ବ୍ରିଟେନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କିନ୍ତୁ ବଡ଼ ଖେଳାଳିଙ୍କୁ ଇଂଲଣ୍ଡରେ ପ୍ରବେଶ କରିବାକୁ ଅନୁମତି ରହିଛି। କିନ୍ତୁ ଖେଳାଳିମାନେ ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ହୋଟେଲରେ ୧୦ ଦିନର କ୍ୱାରେଣ୍ଟାଇନ୍ ଅବଧି ଶେଷ କରିବାକୁ ହେବ। ତେବେ ବିସିସିଆଇ ଏବଂ ଇସିବି ଚେଷ୍ଟା କରୁଛନ୍ତି କି, ଖେଳାଳିମାନଙ୍କୁ ୧୦ ଦିନ ପରିବର୍ତ୍ତେ ମାତ୍ର ତିନି ଦିନ ଆଇସୋଲେସନରେ ରଖିବାକୁ ଅନୁମତି ଦିଆଯାଉ। କାରଣ ସେମାନେ ଭାରତରେ ସାତ ଦିନର କ୍ୱାରେଣ୍ଟାଇନ ଅବଧି ଶେଷ କରି ଇଂଲଣ୍ଡରେ ପହଞ୍ଚିଥିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)