/odishatv-khabar/media/post_attachments/uploadimage/library/16_9/16_9_0/duleep-singh-cricketer_1623567879.jpg)
Duleep Singhji
ନୂଆଦିଲ୍ଲୀ: ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ସେ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଲେ । ଆଉ ତାହା ମଧ୍ୟ ମାତ୍ର ୧୨ଟି ଟେଷ୍ଟ ମ୍ୟାଚ୍ । ହେଲେ ଏହା ଭିତରେ ସେ କ୍ରିକେଟ୍ ଜଗତରେ ଏତେ ବଡ ନାଁ କରିଥିଲେ ଯେ, ତାଙ୍କ ନାମରେ ଆଜି ବି ଘରୋଇ ଟୁର୍ନାମେଣ୍ଟ ଖେଳାଯାଉଛି । ଯାହାକୁ ସମସ୍ତେ ଦିଲ୍ଲୀପ ଟ୍ରଫି ବୋଲି ଜାଣନ୍ତି । ଆମେ କହୁଛୁ ସେହି ଦିଲୀପ ସିଂହଙ୍କ କଥା । ଯିଏ ୧୯୦୫ ମସିହା ଆଜିର ଦିନରେ କାଠିଆୱାଡ଼ାରେ ଜନ୍ମଗ୍ରହଣ କରିଥିଲେ । ଏହାର ଅର୍ଥ ହେଉଛି ୧୧୬ ବର୍ଷ ପୂର୍ବେ ତାଙ୍କର ଜନ୍ମ ହୋଇଥିଲା । ସେତେବେଳେ ସେ ରାଜ ପରିବାର ସହିତ ଜଡିତ ଥିଲେ ଏବଂ ତାଙ୍କର ପୁରା ରାଜ ପରିବାର କ୍ରିକେଟ୍ ସହ ଜଡିତ ଥିଲା । ତାଙ୍କ କାକା ରଣଜିତ୍ ସିଂହ ମଧ୍ୟ ଇଂଲଣ୍ଡ ପାଇଁ କ୍ରିକେଟ୍ ଖେଳୁଥିଲେ । ଭାରତରେ ଏବେ ଯେଉଁ ରଣଜୀ ଟ୍ରଫି ଖେଳାଯାଉଛି ତାହା ରଞ୍ଜିତ ସିଂହଙ୍କ ନାମରେ ରଖାଯାଇଛି ।
ରାଜ ପରିବାରର ପରମ୍ପରା ଅନୁଯାୟୀ ଦିଲୀପ ସିଂହଜୀଙ୍କୁ ମଧ୍ୟ ପିଲାଦିନରୁ ଅଧ୍ୟୟନ ପାଇଁ ଇଂଲଣ୍ଡ ପଠାଯାଇଥିଲା । ସେଠାରେ ପଢ଼ିବା ସହିତ ସେ ସ୍କୁଲ କ୍ରିକେଟ୍ ଖେଳିଥିଲେ । ପ୍ରାରମ୍ଭରେ ତାଙ୍କ ପରିଚୟ ଏକ ଲେଗ୍ ବ୍ରେକ୍ ବୋଲର ଭାବେ ରହିଥିଲା । ୧୯୨୨ ମସିହାରେ ସେ ୧୩.୬୬ ହାରରେ ୫୦ ୱିକେଟ୍ ନେଇ ଇଂଲଣ୍ଡ ସ୍କୁଲ କ୍ରିକେଟ୍ ଶୀର୍ଷରେ ରହିଥିଲେ । କିନ୍ତୁ ସ୍କୁଲରେ ଶେଷ ବର୍ଷରେ ପହଞ୍ଚିବା ବେଳକୁ ସେ ବୋଲିଂ ଛାଡି ବ୍ୟାଟିଂ ଆରମ୍ଭ କରିଥିଲେ ।
/odishatv-khabar/media/post_attachments/wp-content/uploads/2021/06/310px-Ranjitsinhji_nephews_1932.jpg)
କେବଳ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି ଦିଲୀପ
ମହାରାଜା ଦିଲୀପ ସିଂ ତାଙ୍କ କାକାଙ୍କ ଭଳି ସବୁବେଳେ ବ୍ରିଟିଶ କ୍ରିକେଟର ରହିଆସିଥିଲେ । ଦିଲୀପଙ୍କ କାକା ନୱାନଗରର ତତ୍କାଳୀନ ମହାରାଜା ରଣଜିତ୍ ସିଂ ଥିଲେ । ଯାହାକୁ କ୍ରିକେଟ୍ ଜଗତ ‘ରଣଜୀ’ ଭାବରେ ଜାଣୁଛି । ସେହି ସମୟରେ ତାଙ୍କୁ ଇଂଲଣ୍ଡ ମାଟିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ଗଣାଯାଇଥିଲା । ୧୯୨୬ ମସିହାରେ ଦିଲୀପ ସିଂହଜୀ ମଧ୍ୟ ଇଂଲଣ୍ଡର କାଉଣ୍ଟି ଦଳ ସସେକ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ସେ ନିଜ କ୍ରିକେଟ୍ କ୍ୟାରିୟରର ଶେଷ ସିଜନରେ ଏହାର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୧୯୩୦ ମସିହାରେ, ସସେକ୍ସ ପାଇଁ ଖେଳୁଥିବା ବେଳେ ସେ ନର୍ଥଥମ୍ପଟନ୍ଶର ବିପକ୍ଷରେ ସାଢ଼େ ପାଞ୍ଚ ଘଣ୍ଟା ମଧ୍ୟରେ ୩୩୩ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ସେ ନିଜ କାକା ରଣଜିତ୍ ସିଂହଜୀଙ୍କ ୨୮୫ ରନ୍ର ରେକର୍ଡ ଭାଙ୍ଗିଥିଲେ । ଆଉ ତାଙ୍କର ୩୩୩ ରନ୍ର ରେର୍କ୍ଡ ସସେକ୍ସ ପାଇଁ ଆଜି ବି ସର୍ବାଧିକ ।
/odishatv-khabar/media/post_attachments/wp-content/uploads/2021/06/Dulep-Trophy.jpg)
ସ୍କୁଲ କ୍ରିକେଟ୍ରେ ହିଁ ନିଜକୁ ପ୍ରମାଣିତ କରିସାରିଥିଲେ ଦିଲୀପ
ଦିଲୀପ ସିଂହଜୀଙ୍କ ଟେଷ୍ଟ କ୍ୟାରିୟର ଅଧିକ ଲମ୍ବା ନଥିଲା ସତ କିନ୍ତୁ ଆଜି ବି ତାଙ୍କୁ ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଉଛି । ସ୍କୁଲ କ୍ରିକେଟ୍ ଖେଳିବା ସମୟରେ ହିଁ ଦିଲୀପ ସିଂହଜୀ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଚକିତ କରିଥିଲେ । ତାଙ୍କ ଖେଳ ଦେଖି କ୍ରିକେଟ ସଞ୍ଚାଳନ କରୁଥିବା ସଂସ୍ଥା ଏମସିସିର ତତ୍କାଳୀନ ଅଧ୍ୟକ୍ଷ ପ୍ରସିଦ୍ଧ କ୍ରିକେଟ୍ ପତ୍ରିକା ୱିସଡେନ୍ରେ ଲେଖିଥିଲେ ଯେ ଆଖି-ରିଷ୍ଟ-ପାଦର ଅଭୂତ ତାଳମେଳ ରହୁଥିବାରୁ ସେ ଦିଲ୍ଲୀପ ସିଂହଜୀ ଜଣେ ସ୍ୱତନ୍ତ୍ର ଖେଳାଳି ।
/odishatv-khabar/media/post_attachments/wp-content/uploads/2021/06/pic.jpg)
ଦିଲୀପ ସିଂହଜୀ ଭାରତର ହାଇ କମିଶନର ଥିଲେ
ତେବେ ଅସୁସ୍ଥତା କାରଣରୁ ଦିଲ୍ଲୀପଙ୍କ ଟେଷ୍ଟ କ୍ୟାରିୟର ମାତ୍ର ଦୁଇ ବର୍ଷରେ ଶେଷ ହୋଇଯାଇଥିଲା । ୧୯୩୧ରେ ସେ ଇଂଲଣ୍ଡ ପାଇଁ ଶେଷ ଟେଷ୍ଟ ଖେଳିଥିଲେ । ଦିଲୀପ ସିଂହଜୀ ୧୯୪୯ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ । ସେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଭାରତର ହାଇ କମିଶନର ଥିଲେ । ୧୯୫୪ରେ ତାଙ୍କୁ ସୌରାଷ୍ଟ୍ରର ପବ୍ଲିକ୍ ସର୍ଭିସ କମିଶନର ଚେୟାରମ୍ୟାନ୍ ଦାୟିତ୍ୱ ଦିଆଯାଇଥିଲା । ସେ ମୃତ୍ୟୁ ପୂର୍ବରୁ କିଛି ମାସ ପର୍ଯ୍ୟନ୍ତ ସର୍ବ ଭାରତୀୟ କ୍ରୀଡ଼ା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)