/odishatv-khabar/media/post_attachments/uploadimage/library/16_9/16_9_0/ipl2021_1620145945.jpg)
ipl2021
ନୂଆଦିଲ୍ଲୀ: ଫେଲ୍ ମାରିଲା କଡା କଟକଣା। ଷ୍ଟ୍ରିଟ୍ ବାୟୋ ବବଲ୍ ସତ୍ତ୍ୱେ ଇଣ୍ଡିଆନ୍ ପ୍ରିମିୟର ଲିଗ୍କୁ ଭେଦ କଲା ମହାମାରୀ କରୋନା। କୋଭିଡରେ ସଂକ୍ରମିତ ହେଲା ଏହି ପ୍ରିମିୟର ଟୁର୍ଣ୍ଣାମେଣ୍ଟ। ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସଂକ୍ରମିତ ହେବା ପରେ ଆଇପିଏଲ୍ ସିଜନ୍ ଫୋର୍ଟିନକୁ ଅଧାରୁ ସ୍ଥଗିତ ରଖିଛି ବିସିସିଆଇ। ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ ଓ ବିସିସିଆଇର ଏକ ଜରୁରୀ ବୈଠକ ପରେ ଟୁର୍ଣ୍ଣାମେଣ୍ଟକୁ ତତ୍କାଳ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଗତକାଲି କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ଓ୍ୱାରିୟର୍ ପଜିଟିଭ୍ ଚିହ୍ନଟ ହେବା ପରେ ବାୟୋ ବବଲକୁ ନେଇ ପ୍ରଶ୍ନ ଉଠିଥିଲା।
ଏହି ଘଟଣା ପରେ କେକେଆର ସବୁ ଖେଳାଳି ସହ କୋଲକାତା ସହ ଶେଷ ମ୍ୟାଚ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିମାନେ କ୍ୱାରେଣ୍ଟିନରେ ରହିଥିଲେ। ଏଥିସହ ଗତକାଲି ଆରସିବି ସହ ଖେଳାଯିବାକୁ ଥିବା କେକେଆର୍ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା। ସେପଟେ ଗତକାଲି ଅପରାହ୍ନରେ ହିଁ ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମପତି ବାଲାଜୀଙ୍କ ସହ ୩ ଜଣ ଷ୍ଟାଫ୍ ମଧ୍ୟ କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଧୋନୀଙ୍କ ନେତୃତ୍ୱାଧୀନ ଏହି ଟିମର ଖେଳାଳି ଆଇସୋଲେସନକୁ ଯାଇଥିଲେ। ହେଲେ ଆଜି ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥିତି ବିଗି଼ଡିଯାଇଥିଲା। ଶେଷରେ ଖେଳାଳି ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷା ଦୃଷ୍ଟିର ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଚଳିତ ସିଜନରେ ପ୍ରଥମ ପର୍ଯ୍ୟାୟ ଖେଳ ସରିଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଦେଶରେ କରୋନା ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଉଥିବା ବେଳେ ଆଇପିଏଲର ଆୟୋଜନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। କୋଭିଡ୍ ମୁକାବିଲା ପାଇଁ ସାରା ଦେଶ ପ୍ରସ୍ତୁତି ଚଳାଇଥିବା ବେଳେ ଏଭଳି ବଡ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ନେଇ ଅନେକ ନାପସନ୍ଦ କରିଥିଲେ। ଏପରିକି ଆଇପିଏଲକୁ ବାତିଲ କରିଦେବାକୁ ନିର୍ଦ୍ଦେଶ ଦେବା ସହ ବିସିସିଆଇଠାରୁ ୧୦୦୦ କୋଟିର କ୍ଷତିପୂରଣ ଦାବି କରି ବମ୍ବେ ହାଇକୋର୍ଟରେ ଆଜି ଏକ ମାମଲା ରୁଜୁ ହୋଇଛି।
ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ବିସିସିଆଇ ୟୁଏଇରେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ସଫଳତା ସହ ଆଇପିଏଲ୍ ଆୟୋଜନ କରିଥିଲା। ସୁରକ୍ଷିତ ବାୟୋ ବବଲରେ ରହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ସବୁ ଖେଳାଳି। ହେଲେ ଏଥର ଭାରତରେ ବଢୁଥିବା ସଂକ୍ରମଣ ଯୋଗୁଁ ଟୁର୍ଣ୍ଣାମେଣ୍ଟ ଅଧାରୁ ବନ୍ଦ କରିବାକୁ ପଡିଛି।
ରିପୋର୍ଟ: ନିରଞ୍ଜନ ରେଡ୍ଡୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)